ଛାଇ
ଛାଇ


ତୁମ ଲକ୍ଷେ ଆକାଂକ୍ଷାକୁ ନେଇ
ଯାବତୀୟ ଗାଣିତିକ-
ସୂତ୍ରର କର୍ଷଣରେ,
ମୁଁ କଳ୍ପିତ।
ତୁମ କଳ୍ପନାରେ
ମୁକ୍ତ ବିହଙ୍ଗ।
ଅନୁଭବରେ
ଦେବ,ମାନବ,ଗନ୍ଧର୍ବ,କିନ୍ନର।
ଦତ୍ତ ଉପାଧିରେ
ଯୁଧିଷ୍ଠିର,ଅର୍ଜୁନ, ଭୀମ,
ନକୁଳ,ସହଦେବ।
ଆଉ,
ମାନସରେ କର୍ଣ୍ଣ
ତଥାପି କାହିଁକି କେଜାଣି
ମୁଁ ନୁହେଁ ତୁମ,
ଇପ୍ସିତ ପୁରୁଷ.............
ତୁମ ଭାଷାରେ,
ମୁଁ ହୃଦୟବାନ,ଯତ୍ନବାନ୍,ସହନଶୀଳ।
ଚିନ୍ତନରେ,
ଅନୁଭବି ଆଉ ନିପୁଣ।
ତଥାପି କାହିଁକି କେଜାଣି
ଉଚିତ୍ ସମୟରେ
ତୁମ ପାଇଁ
ହେଇ ଯାଏ ମୁଁ
ଯେମିତି,
ସମ୍ପୂର୍ଣ୍ଣ ଅଲୋଡ଼ା..................
ତୁମ ପାଇଁ,
କେଜାଣି କେଉଁ ଦୃଷ୍ଟି କୋଣରୁ
ମୁଁ ଚତୁର୍ବେଦ,ଚତୁର୍ଦ୍ଧାମ,ଓଁ କାର
ଷୋଳ କଳାରେ ମାର୍ଜିତ
ତୁମ ସୃଜନର ନାୟକ।
ତୁମ ପ୍ରେମ ବୃଷ୍ଟିର
ପ୍ରତିଟି ବିନ୍ଦୁର
>ଶୀତଳତା।
ତଥାପି କାହିଁକି କେଜାଣି
ତୁମ ସର୍ଜନାର,
ଶେଷ ଭାଗରେ-
ମୁଁ ନିରୁଦିଷ୍ଟ.............
ଦିବଲୋକରେ କିମ୍ବା
ଚନ୍ଦ୍ରାଲୋକରେ ସୁଦ୍ଧା
ସ୍ପଷ୍ଟ ମୋ ପୌରୁଷତ୍ୱ।
ସ୍ୱେଦ ଗନ୍ଧର ବଳିଷ୍ଠ ଛାପ,
ଋଗ୍ଣ-ଭଗ୍ନ କୁଣ୍ଡଳ,
ଛିନ୍ନ ଅଧର,
ମାର୍ଜିତ ରତି-
ପ୍ରମାଣ ନୁହେଁ କି ଏ ଯଥେଷ୍ଟ?
ତଥାପି କାହିଁକି କେଜାଣି
ଅନ୍ତିମ ପ୍ରହରେ-
ମୁଁ ତୁମ ପାଇଁ,
ସ୍ମୃତିଟିଏ ମାତ୍ର...............
ତୁମ ସୂକ୍ଷ୍ମ ଦୃଷ୍ଟିରେ
ମୁଁ ବଳିଷ୍ଠ,ସୌଷ୍ଠବ
ଚତୁର,କ୍ଷୀପ୍ର।
ସକଳ ବାଞ୍ଛା ପୂର୍ତ୍ତି
ନିମନ୍ତେ ପ୍ରଯୁଜ୍ୟ।
ମୋ ପାଇଁ କାଳେ-
ତୁମେ ଇଚ୍ଛାବତୀ।
ତଥାପି କାହିଁକି କେଜାଣି
ତୁମ ପାଖେ ପାଖେ ରହି ସୁଦ୍ଧା
ତୁମ ସ୍ପର୍ଶ କାତର
କଳା ଧଳା ସମଷ୍ଟିରେ ସୃଷ୍ଟ
ମୁଁ କେବଳ ମୋର
ଛାଇଟିଏ ମାତ୍ର.......................