ଛାଡିବିନି ଭିଟାମାଟି
ଛାଡିବିନି ଭିଟାମାଟି
ଯେଉଁଠାରେ ଦିନେ ଜନମ ନେଇ ମୁଁ
ଛୁଇଁଥିଲି ତା'ର ମାଟି
ସେହି ମୋର ଗାଆଁ ମୋର ମାଟି ମାଆ
ସେହି ମୋର ଭିଟାମାଟି ॥
ସାଙ୍ଗସାଥୀ ମେଳେ ଖେଳିଛି ତା କୋଳେ
ବିତାଇଛି ପିଲାଦିନ
ତା ପାଣି ପବନେ ଗଢା ମୋ ଶରୀର
ଭୁଲି ହେବକି ତା ଦାନ ?
ସମୟ ସ୍ରୋତରେ ସଂସାର ଡୋରିରେ
ବାନ୍ଧି ହୋଇଗଲି ମୁହିଁ
ପାଞ୍ଚପ୍ରାଣୀ ଆଜି ବେକରେ ମୋ ବନ୍ଧା
ଚଳିବା କଷ୍ଟ ହୁଅଇ ॥
ନାହିଁ ଜମିବାଡି ଚାଷବାସ କରି
ପୋଷିବାକୁ ପରିବାର
ଦିନ ମଜୁରିଆ କାମ ନମିଳିଲେ
ଚୁଲି ଜଳେ ନାହିଁ ମୋର ॥
ସମୟ ସ୍ରୋତରେ ମିଳିଲାନି କାମ
ଛାଡିଦେଲି ଭିଟାମାଟି
ପିଲାଛୁଆ ଧରି ରାଜ୍ୟ ବାହାରକୁ
ଗଲି ମୁଁ ଦାଦନ ଖଟି ॥
କପାଳ ମୋ ମନ୍ଦ ଆସିଲା ବିପଦ
ବ୍ୟାପିଗଲା ମହାମାରୀ
କାମଦାମ ସବୁ ବନ୍ଦ ହୋଇଗଲା
ଚଳିବାକୁ କଷ୍ଟ ଭାରି ॥
କିଏ ବା କାହାକୁ ଚିହ୍ନୁଛି ସେଠାରେ
ସହଜେ ତ ଅନ୍ୟ ରାଜ୍ୟ
ଭୋକ ଉପବାସେ ରହିଲେ ସେଠାରେ
କିଏ କରିବ ସାହାଯ୍ୟ ?
ପର ରାଇଜରେ କିଏ ବା ବୁଝିବ
ଆମର ହାରିଗୁହାରି
ପିଲଛୁଆ ଧରି ଜୀବନ ବିକଳେ
ଆସିଲି ଗାଆଁକୁ ଫେରି ॥
ଭୋକ ଉପବାସେ ରହେ ପଛେ ଏଠି
ବିପଦ ଆପଦ ବେଳେ
ସାଇଭାଇ ବନ୍ଧୁ ପାଖେ ଠିଆ ହେବେ
କେହି ଯାଇ ଡାକିଦେଲେ ॥
ଜନ୍ମ ମାଟିର ସେ ସୁଖ କଣ କେବେ
ମିଳେ ଆଉ କେଉଁଠାରେ
ହେଉପଛେ ଚାଳ ବାଡତାଟି ଘର
କେତେ ଆନନ୍ଦ ସେ ଘରେ !
ମଲେ ପଛେ ମୁହିଁ ଏଇଠି ମରିବି
ଯିବିନି ଦାଦନ ଖଟି
ଭୋକ ଉପବାସେ ରହିବି ପଛେ ମୁଁ
ଛାଡିବିନି ଭିଟାମାଟି ॥