ବୁନ୍ଦାଏ କାକର
ବୁନ୍ଦାଏ କାକର
ବୁନ୍ଦାଏ କାକର ନିଆରା ପଣରେ
ମାଟି ଯେବେ ଛୁଇଁଯାଏ
ପ୍ରୀତିପୁଲକରେ ଘାସର ଗାଲିଚା
ଝୁମିଝୁମି ଚୁମିଦିଏ।।
ଉଦିତ ସୂର୍ଯ୍ୟଙ୍କ ବାଳ ଅରୁଣିମା
ବିଚ୍ଛୁରିତ ଯେବେହୁଏ
ଶତଗୁଣ ବଢି ସବୁଜିମା ଶୋଭା
କିରିକିରି ହସୁଥାଏ।।
ଶାଶ୍ୱତ ସମ୍ପର୍କ ଦିବ୍ୟ ଭାବନାରେ
ବିଭୋରିତ ଆଶାବରୀ
ସପ୍ତବର୍ଣ୍ଣ ମାଖି ସିକ୍ତ ନୟନରେ
ସମୟଟା ଯାଏ ଫେରି।।
ଶୀତରୁ ବସନ୍ତ ପରିଧି ପ୍ରାଙ୍ଗଣେ
ବର୍ଷ ମାସ ଦିନ ଗଣି
ଅବିରତ ଧାରେ ଧାଉଁଥାଏ ମନ
ପାଦଚିହ୍ନ ଗଣିଗଣି।।
ଶୂନ୍ୟତା ଭିତରେ ପୂର୍ଣ୍ଣତାକୁ ଖୋଜି
ଉଷାରୁ ଗୋଧୂଳି କୋଳେ
ମମତାର ମିଠା ପରଶ ବାଣ୍ଟିକି
ଲେଉଟିବା କାଳବେଳେ।।
ବୁନ୍ଦାଏ କାକର ମୁକ୍ତିର ମନ୍ତ୍ରରେ
ଅଭିଷିକ୍ତ ପଣତରେ
ଜୀବରୁ ଜୀବନ ବନ୍ଧା ପଡିଥାଏ
ଓଲଟ ନାମ ବୃକ୍ଷରେ ।।
ବିବେକ ବିଚାର ନିରବ ଅସ୍ତ୍ରକୁ
ଆଶ୍ୱାସନା ଆଶିଷରେ
ରଖିବା ସାଇତି ଅନ୍ତରୁ ଅନ୍ତରେ
ବୟସର ତରଙ୍ଗରେ।।
ଝରିଯିବା ଯେବେ ଝରା କାକରରେ
କାହିଁ ଅବା କେତେ ଦୂରେ
ଘାସର ଗାଲିଚା ମନ କାନନର
ଅଦୃଶ୍ୟ ସ୍ମୃତି ପଟରେ।।