ବର୍ଷା ରାଣୀ
ବର୍ଷା ରାଣୀ


ଝରି ଆସେ ଯେବେ ଆକାଶରୁ ନୀର
ପାହାଡ଼ ପତର ଦେଇ
ଏ ତତଲା ଭୂଇଁ ଟା ଅନାଇ ରହିଛି
ତୃଷ୍ଣା ମେଣ୍ଟାଇବା ପାଇଁ ।
ଜଡସଡ ଆଜି ବାୟୁ ଠୁ ବାରିଧି
ତା ପ୍ରେମ ପରଶ ପାଇ
ପ୍ରିତି ର ଆଖିରେ ଆଙ୍କିଛି ସେ ଛବି
ପ୍ରଣୟ ସଙ୍ଗୀତ ଗାଇ ।
ସାଧବ ବୋହୂଟା ବେଧଡକ ହୋଇ
ଘାସରେ ସଲ୍ଲଜେ ଧାଏଁ
ପ୍ରେମର ପଣତ ମଥାରେ ମୁଣ୍ଡାଇ
ସାଥିକି ଖୋଜୁଛି ହାଏ !
ଓଳିରୁ ଖସୁଛି ଧାର ଧାର ଜଳ
ନାଳ ଧାଉଁ ଅଛି ଆଗେ
ବେଙ୍ଗ ଓ ବେଙ୍ଗୁଲି ସାରୁ ଗଛ ତଳେ
ସୁର ତୋଳିଛନ୍ତି ରାଗେ ।
ଜହ୍ନି ଓ କାକୁଡ଼ି ଅତି ସରାଗରେ
ସଂନ୍ଧ୍ୟାରେ ହୁଅନ୍ତି ସଜ
ଆଦ୍ୟ ଆଷାଢରେ ଜଗତ ଗୋସାଇଁ
ରଥେ ହୋଇଥାନ୍ତି ବିରାଜ ।
ରାସ୍ତା ଘାଟସବୁ ଚପର ଚପର
ଆକାଶେ ରୋଷଣୀ ସାଜେ
ବିଲ ବାଡିସବୁ ସବୁଜିମା ହୋଇ
ଅପୂର୍ବ ଶୋଭା ବିରେଜେ ।
ସଂନ୍ଧ୍ୟା ର ଆଳତୀ ମଠ ମନ୍ଦିର ରୁ
ଘଣ୍ଟ ଖଙ୍ଖ ଧ୍ୱନି ରଟେ
ଗାଁ କିଆ ବୁଦା ଗହିରୀ ତୋଟାରୁ
ହୁକେ ହୁଆ ଶବ୍ଦ ଛୁଟେ ।
ତଲେଇ ପକ୍ଷିଆ ଛତା କି ଛତିରି
ସତେକି ଚାତକ ପକ୍ଷୀ ।
ବରଷା ଆସିଲେ ବାହାରି ପଡ଼ନ୍ତି
ହୋଇ ଆମ ଦେହ ରକ୍ଷୀ ।
ସତରେ ବରଷା ବଡ ତୁ ଭରଷା
ଚାଷୀ ମୂଲିଆଙ୍କ ବନ୍ଧୁ
ଗଲେ ତୁ ବରଷି ହୋଇଥାନ୍ତି ଖୁସି
ସତେ ତୁ କୃପାର ସିନ୍ଧୁ ।
ଆନମନା ହୋଇ ଗଲେ ତୁ ଆଡେଇ
ହାହାକାର ପଡେ ଦେଶେ
ବରଷା ରାଣୀ ଲୋ ଭରଷିଛି ତୋତେ
ଯାତନା ନ ଦେବୁ ରୋଷେ ।