ବୃଦ୍ଧ
ବୃଦ୍ଧ
ଚିର କାଳୀନ ବାର୍ଦ୍ଧକ୍ୟ ଅବସ୍ଥା
ମୁହଁରେ ପକାଏ ଭାଙ୍ଗ
ଧବଳ ବର୍ଣ୍ଣର ପରିପକ୍ୱ କେଶ
ଦେହ ପାଉଁଶିଆ ରଙ୍ଗ ।
ଶୀତଳ ଓ ସ୍ଥିର ମନ ଭାବାବେଗ
ଲୋଡ଼େ ସେବା ଯତ୍ନ ଛାୟା
ପ୍ରିୟ ପରିଜନ ଆତ୍ମିୟ ସ୍ୱଜନ
ସ୍ନେହ ସିକ୍ତ ମୋହ ମାୟା ।
କମିଯାଏ ଦେହୁଁ ଦୃଢ଼ତା ବିଶ୍ୱାସ
ନିବାରକ ରୋଗ ଶକ୍ତି
ଏଣୁ ବୃଦ୍ଧ କାଳେ ଗ୍ରାସେ ନାନା ରୋଗ
ଲୋଡ଼ା ଓଉଷଦ ପଥି ।
ବଦଳି ଯାଇଛି ଜୀବନର ଶୈଳୀ
ପରିବାର ବାସସ୍ଥଳୀ
ଜୀବିକା ଅର୍ଜନେ ସହରେ ସ୍ୱଜନ
ପେଷା ଚାକିରୀ ବାକିରି ।
ହେଉ ଛୋଟ ବଡ଼ ଆବାସ ନିବାସ
କିବା ଧନୀ ମଧ୍ୟବିତ୍ତ
କ୍ଷୁଦ୍ର ପରିବାର ବାପା ମାଆ ଛୁଆ
ଲୋଡ଼ା ନାହିଁ ବୃଦ୍ଧ ଲୋକ ।
ଏକାକୀ ବାର୍ଦ୍ଧକ୍ୟେ ବହୁ ମାତାପିତା
ଅକାଳେ ଅନାଥ ଭାବେ
ରହନ୍ତି ନିର୍ଜନେ ଚିନ୍ତା ଅବସାଦେ
ଜୀବନଟା ବୋଝ ଲାଗେ ।
ବାର୍ଦ୍ଧକ୍ୟ ଅଟଇ ଲେଉଟାଣି ବେଳା
ଚାହେଁ ପୂର୍ଣ୍ଣତା ମୁକତି
ଶାନ୍ତି ଓ ସନ୍ତୋଷେ ତା ଜୀବନଯାତ୍ରା
ଲୋଡ଼ଇ ପରିସମାପ୍ତି ।
ଅତି ଆଧୁନିକ ଜୀବନ ବ୍ୟସ୍ତତା
ପାଶ୍ଚାତୀୟ ଚିନ୍ତା ଧାରା
ଖଣ୍ଡିତ ନକରୁ ଜୀବନ ପୂର୍ଣ୍ଣତା
ବୃଦ୍ଧି ମାନସ ସମସ୍ୟା ।
ବୟୋବୃଦ୍ଧ ଲୋକ ଆମର ନମସ୍ୟ
ଯେଣୁ ତାଙ୍କ ଅବଦାନ
ବ୍ୟକ୍ତି ଓ ସମାଜ ବିଶେଷ କର୍ତ୍ତବ୍ୟ
ପୂଜ୍ୟ ପୂଜା ପ୍ରଣିଧାନ ।
ହେଉ ସୁବିକାଶ ମାନସ ମନ୍ଥନ
ସ୍ୱଜନ ପ୍ରତିପାଳନ
ଉତ୍ତମ ସଂସ୍କାର ଉତ୍ତର ଦାୟିତ୍ୱ
ମାନବତା ଉତ୍ତରଣ ।
