ବନ୍ଧୁତା
ବନ୍ଧୁତା
ବନ୍ଧୁତା....
ତାକୁ ହିଁ କହନ୍ତି ,
ଯେଉଁଠାରେ ଓଠ
କିଛିକହିବା ଆଗରୁ
ଆଖି ଦେଖି ମନ ତଳର
ଅକୁହା କଥା ସବୁ
ଆପେ ଆପେ ପଢି ହୋଇଯାଏ ॥
ବନ୍ଧୁତା...
ଯେତେ ଦୂରରେ ଥିଲେ ବି
ହୃଦୟର ପ୍ରତିଟି ସ୍ପନ୍ଦନକୁ
ଅନୁଭବ କରି ହୁଏ ।
ବେଳେବେଳେ ନୀରବି ଯାଏ ତ ,
ପୁଣି କେବେ ପ୍ରଗଳ୍ଭତା ରେ
ସମ୍ପର୍କର ବେଳା ଭୂମିକୁ
ଆପଣା ଛାଏଁ ଲଙ୍ଘିଯାଏ ।।
ବନ୍ଧୁତାରେ...
ସମୟେ ସମୟେ ,
କଥା କଟା କଟି ତ ହୁଏ ସତ ,
କିନ୍ତୁ , ତା' ଭିତରେ ପରସ୍ପରକୁ
ବୁଝିବାର ଜିଜ୍ଞାସା ଥାଏ ।
ଆଉ ସେହି ଜିଜ୍ଞାସାରୁ
ଜୀବନର ପ୍ରତିଟି ପାବଚ୍ଛକୁ
ପରଖିବାର ଅଭିଳାଷ ଜନ୍ମ ନିଏ ॥
ବନ୍ଧୁତାରେ.....
ଝଗଡା ବି ବେଳେ ବେଳେ ହୁଏ
କିନ୍ତୁ , ତା' ମଧ୍ୟରେ ଥାଏ ,
ଅନାବିଳ ସ୍ନେହ ଆଉ ପ୍ରେମ
ପୁଣି , ସେ ପ୍ରେମରେ ଥାଏ
ଜୀବନ ଜିଇଁବାର
ସୁନେଲି ସ୍ବପ୍ନର କୁସୁମ କଳିକା
ଯାହାକି ପ୍ରଷ୍ଫୁଟିତ ହୁଏ ଆପଣା ଛାଏଁ ॥
ବନ୍ଧୁତା ଭିତରେ...
ସେହି ସ୍ବପ୍ନ ସୁମନର
ମିଠା ମିଠା,ସୁମଧୁର ମହକରେ
ଜୀବନଟା ମହକି ଯାଏ ,
ଗୋଲାପି ଗୋଲାପି ପ୍ରଜ୍ଞା ଆଉ
ପ୍ରୀତିର ପାଖୁଡା ମେଲି,
ପେନ୍ଥା ପେନ୍ଥା ଆଶା ଆଉ
ବହଳ ବହଳ ବିଶ୍ୱାସରେ ।।
ସେଇ ବିଶ୍ୱାସ ହିଁ ହେଉଛି ,
ପ୍ରେମର ଶେଷ ନିଃଶ୍ୱାସ...
ସମଗ୍ର ଜୀବନକୁ
ତା' ରଙ୍ଗରେ ରଙ୍ଗୀନ କରାଏ...
ଜୀବନକୁ ଜୀଇଁବା ଶିଖାଏ ...
ପ୍ରୀତି, ପ୍ରୀତି ପୁଲକ ପରଶେ
ନଶ୍ଵରରୁ ଶାଶ୍ଵତକୁ ବାଟ କଢାଏ ॥