ବଜାନ୍ତି ତେଲିଙ୍ଗି ବାଜା
ବଜାନ୍ତି ତେଲିଙ୍ଗି ବାଜା
ପହିଲି ବରଷା ଛୁଆଁରେ ମୋ ଗାଆଁ
ଚନ୍ଦନ ଚନ୍ଦନ ବାସେ ,
ନାଲି ପାଟ ପିନ୍ଧି ସାଧବବୋହୂଟି
ମୁରୁକି ମୁରୁକି ହସେ ।
ଚାଷୀ ଭାଇ ଯାଏ ଗହୀରବିଲକୁ
କାଳିଆ କଷରା ନେଇ,
ମନ ହରଷରେ ବିହନ ପକାଏ
କେତେ ବାଗେ ଗୀତ ଗାଇ ।
ତରତର ହୋଇ ସନିଆ ଭାରିଜା
ପୋଖରୀ ତୁଠକୁ ଧାଏଁ ,
ତା' ଝିଅକୁ ଆଜି ଦେଖି ଆସୁଛନ୍ତି
ପଚାରିଲେ କିଏ କହେ ।
ପିଲାମାନେ ମିଶି ବାଗୁଡ଼ି ଖେଳନ୍ତି
ବରଷାରେ ଭିଜି ଭିଜି ,
ଅଜା,ଆଈ ବସି ହୋ'ନ୍ତି କୁହାକୁହି
ପିଲାଦିନ ଗଲା ହଜି ।
ଆଜି ଆମେ ଯଦି ପିଲା ହୋଇଯା'ନ୍ତେ
ଖେଳନ୍ତେ ଏମିତି ଖେଳ ,
ତୁମ ପୁଚି ଖେଳ ଦେଖି ଦେଖି ମୋର
କଟି ଯାଉଥା'ନ୍ତା ବେଳ ।
କଙ୍କି,ଝଡ଼ିପୋକ ଆକାଶଟା ସାରା
ଦେଖି ଲାଗୁଅଛି ମଜା ,
ମନ ହେଉଅଛି ବରଷାରେ ଭିଜି
ବଜାନ୍ତି ତେଲିଙ୍ଗି ବାଜା ।
