ବ଼ଇଁଶୀ'ର ଲୁହ
ବ଼ଇଁଶୀ'ର ଲୁହ
ବୃଂଦାବନ ଆକାଶରେ
ବିଳଂବିତ ରାତି'ର ପହରେ
କେତେଥର ବାଜିଛି ବ଼ଇଁଶୀ:-
ବ଼ଇଁଶୀ'ର ସ୍ଵନେ-
ଭୀତ-ସଂଯୋତ ହରିଣୀ ପରି
ରାଧା'ର ମୃଦୁ ପଦ-ପାତ
ରୁଣୁ-ଝୁଣୁ ନୂପୁର-ନିକ୍ୱଣ
ଛମ୍--ଛମ୍ ..ଛମ୍...ଛମ୍
କ୍ରମେ ବିଲୀନ ହୋଇଛି
ରତି-କ୍ଳାଂତ ହୋଇ ଅବା
କାହ୍ନୁ'ର ଛାତିରେ ?
ଅବା କଳା-ଘୂମର ରାତି'ରେ
କଳା-ଯମୁନା ଲହରେ ?
ତାର ହିସାବ:-
ରଖିଛି ବା କିଏ?
ନା ଏଇ ବଣ-ମଲୀ ଲତା-କୁଞ ?
ନା ଯମୁନା-ଘାଟ-
କେଳି-କଦଂବ ମୂଳ ?
ଅବା ଅଭିସାରିକା ରାଧା'ର
କୋମଳ-ପାଦ'ରେ ଫୁଟି
ରକ୍ତ ଝରାଇ ଥିବା-
ସିଝୁ-କଂଟା ?
କେହି ବି ନୁହେଁ
ହୁଏ'ତ ରଖିଲେ ରଖି'ଥିବ
ସେଇ ବ଼ଇଁଶୀ'ଟା
କାହ୍ନୁ-ଓଠ-ପ୍ରୀୟ ବ଼ଇଁଶୀ
ଅବାଂଛିତ ହୁଏ-
ରାଧା'ର ଆଗମେ
ପର ହୁଏ, ଲୁହ ଝରାଏ,
ଓଠ-ଥାପେ ବିରହିଣୀ-ରାଧିକା
କାହ୍ନୁ'ର ଓଠ'ରେ
ଉପଶମେ ବିରହ-ବେଦନା,
ଉପେଖିତା ବ଼ଇଁଶୀ ସେ
ବିରସ ଓ ତୃଷାତୁରା
ବ଼ଇଁଶୀ'ଟା ଗଲା ସାଥି'ରେ,
ଓଲେଇ-ରାଧା-
ଫେରିବା ବାଟକୁ ଅନେଇଛି,
ସେଇ ଯମୁନା-ଘାଟ
କଦଂବ-ମୂଳରେ
କାଖ'ର କଳସୀ ଥୋଇ-
କାହ୍ନୁ ବ଼ଇଁଶୀ ଶୁଣୁଛି
ପଖୀ-କାକଳୀ'ରେ
ନିଜ ଦୀର୍ଘଶ୍ବାସେ
ଅନୁଭବେ..କାହ୍ନୁ'ର ନିଶ୍ୱାସ
ହେଲେ ବ଼ଇଁଶୀ'ଟା
ଝୁରେ ଦ୍ୱାରକା'ରେ,
ଏ କେଉଁ ସହର କେମିତି ସହର..?
ଏଠି ନା ଅଛି ବୃଂଦାବନ-
ନା ଅଛି ଯମୁନା-ଘାଟ,
କେଳି-କଦଂବ-ମୁଳ
ଖାଲି ବାଜୁଛି ଓହ-ରହ ବେସୂରା
ଯେଉଁ ସ୍ୱନେ ତା'ର,
ଚରଂତି-ମୃଗ
ଚାହୁଁ'ଥିଲେ ଫେରି,
ଝରୁ'ଥିଲା ବରଷା'ର ଧାରା,
ଶୋଇବା-ସେଜ'ରୁ
ଉଠି-ଆସୁ'ଥିଲା ରାଧା
ହେଲେ ସେ ଏଠି ବାଜୁଛି ଓହ-ରହ
ହଜି ଯାଇଛି ତା-
ପଂଚମ-ସର
ଖାଲି ଝରୁଛି ଲୁହ-
ଆସୁନି ରାଧା.ରାଧା...ଆ....ଆ ।
ନୟନ
