ବିଦାୟ ହେ ଗଣପତି
ବିଦାୟ ହେ ଗଣପତି
ଆହେ ଗଜାନନ ସ୍ବର୍ଗପୁର ଛାଡି
ଆସିଥିଲ ମର୍ତ୍ତ୍ୟପୁରେ
ଛାଡି ଆଜି ପୁଣି ଯାଉଅଛ ଚାଲି
ଭସେଇ ଶୋକ ସାଗରେ ।
ତୁମ ଆଗମନେ ଧରା ହସୁଥିଲା
ଥିଲା ଆନନ୍ଦ ଉତ୍ସାହ
ଛୁଟି ଆସୁଥିଲା ତୁମ ଜୟଗାନ
ନାନା ସ୍ବରେ ଶହ ଶହ ।
ଥିଲା କୋଳାହଳ ଜନ ଯେ ଗହଳ
ନାନା ସଜ୍ଜ ପଟୁଆର
ନାନା ଜାଗାରେ ଯେ ବିଜେ କରିଥିଲ
ଭିନ୍ନ ଭିନ୍ନ ଅବତାର ।
ବିସର୍ଜନ ପାଇଁ ଆଜି ପ୍ରଭୁ ତୁମ
ଲାଗିଛି ସବୁଠି ଭିଡ଼
ଫଗୁ ଖେଳ ସାଥେ ଢୋଲ କରତାଳେ
ଶୁଭୁଅଛି ହରିବୋଲ ।
ଭଜୁ ଥିବ ସଦା ଏ ଜନ ଜଗତ
ନାମ ପ୍ରଭୁ ତୁମ ନିତି
ଦେଇ ଶୁଭାଶିଷ ଯାଅ ତୁମେ ପ୍ରଭୁ
ବିଦାୟ ହେ ଗଣପତି ।
ମୁଁ ମୁଢ ଅଜ୍ଞାନ କି ବର୍ଣ୍ଣି ପାରିବି
ତୁମରି ଯେ ଯଶ କୀର୍ତ୍ତି
ଅଳ୍ପ ଜ୍ଞାନେ ପ୍ରଭୁ ମୁହିଁ ଜଗବନ୍ଧୁ
ଲେଖିଛି ତୁମ ଏ ସ୍ତୁତି ।