ଭୋକ
ଭୋକ
କିଏ କଣ ବୁଝିଛି କେଜାଣି ;
ଅମୂଲ ଭୋକର ମୂଲ
ଜାଣିଛି ପ୍ରକୃତ ଯିଏ
ସେ ପାରିବ କଳି ।
ଭୋକ ଅଟେ ସହଜାତ
ମଣିଷ ଜୀବନେ,
ଉଜାଗର ହୁଏ ବାରଂବାର,
ଭୋକ ବିନା ଜୀବନ
ଜୀବନ ନୁହେଁ
ଏ ମଣିଷ ମୃତ,
କେତେଖଣ୍ଡି ଟୁକୁଡା ରୁଟି
ଅବା ମୁଠିଏ ଅନ୍ନରେ
ଭୋକ ପରିତୃପ୍ତ ।
ପଲ୍ଲୀପୁର ଜନ ଜନ ଘରେ ଘରେ
ମାଆ ଓ ଭଉଣୀ,
ପାକକଳା ସୁନିପୁଣା,
ଗୋଲ ଗୋଲ ରୁଟି କରି
ପରଶିଲେ ଗରମ ଗରମ ସେକି
ଖଣ୍ଡେ ଦୂରୁ ମହ ମହ ବାସେ,
ଅଝଟିଆ ପିଲାଟିଏ ଭୋକ,
ପେଟ ପୂରିଗଲେ ସୁଖେ
ମୁଦିଦିଏ ଆଖି।
ନିଖୁଣ ଏ ରୁଟି ମହତ୍ତ୍ଵ;
ନିଗିଡେ ଶ୍ରମର ଝାଳ,
ଉତ୍ପାଦନ ଶସ୍ୟ ଯେତେ କଷ୍ଟ,
ତା ଅମଳ,ଧୂଆସୁଖା,ଚକିପେଷା
ପ୍ରତ୍ୟେକ ଟି ପ୍ରକ୍ରିୟାକରଣ ପାଇଁ
ପ୍ରଯତ୍ନ ବି ଲୋଡ଼ା ଉପଯୁକ୍ତ ।
କୁନା କୁନୀ ହେଲେ ଅମାନିଆ ;
ମାଆ ମାନେ ପ୍ରବୋଧନ୍ତି ଦେଇ ତାଙ୍କୁ
ଖେଳଣାର ଚକି ଓ ବେଲଣା ,
ରୁଟିଗୁଳା ଉପରେ ସେ
ମନଇଚ୍ଛା କରିଥାନ୍ତି ଉତ୍ପାତ ଅଭ୍ୟାସ
ପ୍ରଦର୍ଶନ୍ତି ସ୍ୱକାରନାମା ;
ଅଜ୍ଞାନ ଅପରିପକ୍ୱ ଅଣାୟତ ହସ୍ତେ
ଗୋଳମାଳ ହୋଇଯାଏ ପୃଥିବୀ ଭୂଗୋଳ
ମାନଚିତ୍ର ଭାରତର ହୋଇଯାଏ
କିମ୍ଭୁତପ୍ରକାର,
ବିଦୀର୍ଣ ଆକାର ହୁଏ ସ୍ୱରୂପ ବି
ହୁଏ ଶତଧାର ।
କେବେ କେବେ ରୁଟିକୁ ଗ୍ରାସେ ଭୋକର ଅକାଳ
ସ୍ୱ।ର୍ଥ ଏବଂ ପରଶ୍ରୀକାତର,
ବେଶୀ ନିଜେ ଭୁଞ୍ଜିବା ଆଶାରେ
ଭଲ କିଛି ଅନ୍ନ ରୁଟି ରଖାଯାଏ
ଲୁଚାଇ ଅଣ୍ଟିରେ,
କୁହେ କିଏ ଚାରିକି ଚତୁରେ
ପୂରା ଡାହା ମିଛ
ବାସ୍, ଏତିକି ହିଁ ଅଛି ସର୍ବମୋଟ ।
ପୋଡ଼ା କଞ୍ଚା ଗଣିବାଛି
ଅନ୍ୟକୁ ପରଶେ,
ଅପ୍ରିୟ ମର୍କଟ ଯାକ ତ୍ରିକଟୁ ଅଭକ୍ଷ ତକ
ଭକ୍ଷିଯାନ୍ତୁ ପୂରା ଅଜାଣନ୍ତେ,
ମରିଯାନ୍ତୁ ତା ଶତ୍ରୁ
ଅମଙ୍ଗଳ ସଦା ସେ ମନାସେ ।
ରୁଟି ନୁହେଁ ଜଡ଼ ବସ୍ତୁ
ଆତ୍ମସୁଖ ସମ୍ମାନ ଭୋଗ ମାଧ୍ୟମ,
ରୁଟି ପ୍ରାଣ ପରିଭାଷା
ରୁଟି ଯୋଗୁଁ ସଞ୍ଚରେ ଜୀବନ,
ରୁଟି ସତ୍ୟ,ରୁଟି ଶିବ ଏବଂ
ରୁଟି ମଧ୍ୟ ଅଟେ ଭଗବାନ ।
ଅନ୍ନ ବ୍ରହ୍ମ ରୁଟି ପାଇଁ ଘନଘୋର
ଚାଲିଅଛି ଜୀବନ ସଂଗ୍ରାମ,
ରୁଟିର ପ୍ରକୃତ ମୂଲ୍ୟ ସୁମହତ୍ତ୍ୱ
ନ ବୁଝଇ ଯିଏ
ସେ ମଣିଷ ମର୍ଯ୍ୟାଦା ହୀନ
ପଶୁତୁଲ୍ୟ ଇତର ଅଧମ ।
ହେ ଈଶ୍ୱର,କୃପାକର
ଭୋକ ମେଣ୍ଟୁ ସଭିଙ୍କର,
ନିରନ୍ନକୁ ମିଳୁ ଅନ୍ନ,
ସୁଲଭରେ ଭୋକିଲାକୁ ପ୍ରାପ୍ତ ହେଉ ରୁଟି ଭରପେଟ,
ନ ଶୁଭୁ ବୁଭୁକ୍ଷୁ ଜନ ହା ଅନ୍ନ
ଚିତ୍କାର ।
-