ଭଲ ପାଏ ମୁଁ
ଭଲ ପାଏ ମୁଁ
ଭଲପାଏ ମୁଁ ନୀଳଆକାଶେ
ଧଳାମେଘ ଯେବେ ଭାସେ,
ଲାଗେ ସତେକି ନୀଳସାଗରେ
ଧଳା ବୋଇତ ଭାସେ।
ଭଲପାଏ ମୁଁ କଳାମେଘକୁ
ପାହାଡ଼ ଉପରେ ଦିଶେ,
ଲାଗେ ସତେକି ପାହାଡ଼ରାଣୀ
କଳା ଓଢଣୀ ଢାଙ୍କେ।
ଭଲପାଏ ମୁଁ ବରଷା ଟୋପା
ଆକାଶୁ ଯେବେ ଝରେ,
ଆଦ୍ୟ ପରଶ ମାଟି ଉପରେ
ମିଠା ସୁଗନ୍ଧ ଭରେ।
ଭଲପାଏ ମୁଁ ପାହାଡ଼ ଫାଙ୍କେ
ସୂରୁଜ ଯେବେ ଉଏଁ,
ମୁରୁଜ ବୁଣି ଧରା ଉପରେ
ନୂଆ ଆଲୋକ ଦିଏ।
ଭଲପାଏ ମୁଁ ଜହ୍ନରାତିକୁ
ଚାନ୍ଦିନୀ ଭରା ଧରା,
ପାରଦ ସତେ ନଦୀର ଜଳ
ଗଛପତର ସାରା।
ଭଲପାଏ ମୁଁ ସଜଫୁଲକୁ
ପାଖୁଡା ଯେବେ ମେଲେ,
ଭ୍ରମର ବସେ ମଧୂ ତା ଶୋଷେ
ହୃଦେ ପୁଲକ ଭରେ।
ଭଲପାଏ ମୁଁ ଗୋଧୂଳି ବେଳ
ସଞ୍ଜ ଯେବେ ନଇଁ ଆସେ,
ଶଶୀ ସୂର୍ଯ୍ୟର ଅପୂର୍ବ ଆଭା
ଭାରି ସୁନ୍ଦର ଦିଶେ।
ଭଲପାଏ ମୁଁ ନଦୀ ଜଳକୁ
ପାଣି ସତେ କାଚକେନ୍ଦୁ,
ସେଇ ପାଣିରେ ଖେଳେ ମୁଁ ନିତି
ଦେଖେ ଆକାଶ ଇନ୍ଦୁ।
ଭଲପାଏ ମୁଁ ସବୁଜ କ୍ଷେତ
ପବନରେ ଦୋଳି ଖେଳେ,
ଆନନ୍ଦ ଲଭେ ନାଚି ଗାଇ ମୁଁ
ସାଙ୍ଗସାଥୀଙ୍କ ମେଳେ।
ଭଲପାଏ ମୁଁ ଖୋଲା ପବନ
ବହୁଥାଏ ନାନା ମତେ,
ଶିହରି ଉଠେ ଦେହଟା ମୋର
ଛୁଏଁ ସେ ଯେବେ ମତେ।
ଭଲପାଏ ମୁଁ ଏଇ ଧରାକୁ
ଯହିଁ ଜନମ ମୋର,
ତା ପାଇଁ ଭଲକାମ କରି ମୁଁ
ରଖିବି ନାଆଁ ତାର।