ଭଜନ ସମ୍ରାଟ ଭିକାରୀ ବଳ
ଭଜନ ସମ୍ରାଟ ଭିକାରୀ ବଳ
ଆହେ, ତୁମେ ମହାନ୍ ସଙ୍ଗୀତ ସାଧକ,
ଥିଲ, ପୁରୀର ଶ୍ରାଜଗନ୍ନାଥଙ୍କ ଉପାସକ
ଥିଲ ତୁମେ ଉଜ୍ଜ୍ୱଳ ଚରିତ୍ରର ଅବତାର,
ଶ୍ରଦ୍ଧା ଭାଜନ ହୋଇଥିଲ, ସମସ୍ତଙ୍କର
ସାଧନା ଆରମ୍ଭ ହୋଇଣ ଥିଲା ତୁମର,
ଭଗବାନ ମଠରୁ ସୋବଳା ଗାଁ ଭିତର
ହେ, ଭିକାରୀ ବଳ ଥିଲ ସିନା ତୁମେ ଏକ,
କିନ୍ତୁ ତୁମର ଭାବ ବୋଧ ଥିଲା ତ ଅନେକ
ନବମ ଶ୍ରେଣୀରୁ, ପାଠକୁ ଛାଡିଣ ଥିଲ,
ସୋବଳା ଯାତ୍ରା ଦଳରେ ଯୋଗ ଦେଲ,
ଗୀତ ଗାଇଲ, ହାରମୋନିଅମ ବଜାଇଲ,
ଝିଅ ବେଶ ଧରି ଗୋଟିପୁଅ ଭାବେ ନାଚିଲ
ଓଡିଶୀ ସଙ୍ଗୀତର ଅହେତୁକ ଆକର୍ଷଣରେ
ଟାଣି ହୋଇ ଗଲ କଟକ କଳାବିକାଶକେନ୍ଦ୍ରରେ
ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିବା ପରେ
ଗୀତ ଗାଇଲ “ପ୍ରାଣ ମିତଣି ବାରେ ଚାହାଁରେ”
ଜୀବନରେ ପଛକୁ ଫେରି ଚାହିଁ ନଥିଲ
ଅସଂଖ୍ୟ ଭକ୍ତି ସଙ୍ଗୀତ ତୁମେ ଗାନ କରିଲ
ସେଥିରୁ ସାଉଁଟି ଥିଲ ପ୍ରଚୁର ଲୋକପ୍ରିୟତା,
ଓଡ଼ିଶା ମାଟି ମାଆକୁ କରିଲ ଗୌରବାନ୍ଵିତା
ହେ ବଳ ମହାଶୟ ବାଲ୍ୟକାଳରୁ ତୁମର
ବାହିବାକୁ ପଡ଼ିଥିଲା ଜୀବନ ଡଙ୍ଗା ନିଜର
ଯୋଗୀ ମୂଳକେନ୍ଦ୍ରକୁ ଧରି ବଞ୍ଚନ୍ତି, ମରନ୍ତି,
ଗାଁ ଗହଳିରେ ଯୋଗୀକୁ ଭିକାରୀ କହନ୍ତି
ହେ ବଳ ମହାଶୟ, ପ୍ରକୃତ ଯୋଗୀ ଥିଲ,
କୋଟି କୋଟି ଓଡ଼ିଆ ପ୍ରାଣର ସମ୍ରାଟ ଥିଲ
ଭକ୍ତି, ପ୍ରେମର ବାର୍ତ୍ତାବହ, ହେ ମହୋଦୟ,
ଥିଲା ନିଜ ଆଚରଣ ଓ ଉଚ୍ଚାରଣେ ସମନ୍ୱୟ
ଅସୁମାରୀ ଚମ୍ପୁ, ଛାନ୍ଦ ଓ ଲୋକଗୀତ ସହିତ
ପୁରାତନ ରଚନାରୁ କଲ ଗାନ ବହୁ ସଙ୍ଗୀତ
ଗୀତରେ କଣ୍ଠଦାନ କରିଛ ହେ ଭଜନସମ୍ରାଟ
ସେମାନଙ୍କ ଭିତରେ ରହିଛନ୍ତି ତ ନିମ୍ନୋକ୍ତ
ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବଙ୍କ ଭଜନ,
ବନମାଳି, ସାଲବେଗ ପୁରାତନ କବିଙ୍କ ଭଜନ
ଡ. ପ୍ରସନ୍ନ ସାମଲ, କ୍ଷିରୋଦ ଚନ୍ଦ୍ର ପୋଥାଳ,
ଅରବିନ୍ଦ ମୁଦୁଲି, ଗୌରହରି ଦଳାଇ, ଅଲେଖ ବିଶ୍ଵାଳ
ଶେଷ ବିଦାୟ କାର୍ତ୍ତିକ ମାସ ବଡ଼ ଏକାଦଶୀ ଦିନରେ
ତାରିଖ ୦୨ • ୧୧ • ୨୦୧୦ ର ଶୁଭ ମୂହୁର୍ତ୍ତରେ
ଏହି ମହାପ୍ରୟାଣ ତିଥିରେ (ନଭେମ୍ବର ୨)ରେ
ମୋର ଶତ ଶତ ଦଣ୍ଡ ପ୍ରଣାମ ରଖଇ ପୟରେ ।
