STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
214

ଜୀବନ ପଥର ତପ୍ତ ମରୁବାଲି ନିଦାଘରେ ଜଳୁଥାଏ

ପ୍ରାବୃଟ ପ୍ରାରମ୍ଭେ ନବ ଜଳଧର ପ୍ରସମିତ କରିଦିଏ ।।

ଜୀବନେ ସେମିତି ରାଗ କ୍ରୋଧ ମୋହ ଜଳାଏ ଜୀବ ଜଗତ

ଜୀବନ ରେ ଶାନ୍ତି ପ୍ରାବୃଟ ଆଗମେ  ଉଦୟ ହୁଏ ବିବେକ ।।


ଉତ୍ତପ୍ତ ନିଦାଘେ ପ୍ରଥମ ପ୍ରାବୃଟ ଛୁଆଁ ରେ ଉଲ୍ଲସେ ହିଆ

ଚମକି ଉଠଇ ଜୀବନ ଯୌବନ  ରଜଷ୍ଫଳା ମାଟି ମାଆ ।।

ଲତା ଗୁଳ୍ମ ମଥା ଟେକି ପଲ୍ଲବିତେ ଦିଗନ୍ତ ସବୁଜ ବର୍ଣ୍ଣ

ମାଟିର ମହକ ଆକୃଷ୍ଟ କରିଛି  ଅଦ୍ଭୁତ ରୂପ ଦର୍ଶନ ।।


ସାଧବ ବୋହୂର ନାଲି ପାଟ ଶାଢୀ ହର ରଙ୍ଗି ପ୍ରଜାପତି

ଫୁଟି ନାନା ବର୍ଣ୍ଣ ସୁବାସ କୁସୁମ ଶୁରଭିତ ଶୁଭ୍ର କାନ୍ତି ।।

ମୋହିତେ ଜୀବ ଜଗତ ଆମୋଦିତ ଆର୍ଦ୍ର ଭିଜା ମାଟି ବାସ୍ନା

ମୁଗ୍ଧେ ସଞ୍ଜେ ଖଦ୍ୟୋତର ଧର୍ମ ଭରା ଆଲୋକର ଉପାସନା ।।


ଓଦା ମାଟି ଗନ୍ଧ ପାଇ ହୋଇ ମୁଗ୍ଧ ମଣ୍ଡୁକ ମାଟିର ତଳୁ

ନାରୀ ମୁଖ ବାଦ୍ୟ ସମ ରାବିଲେଣି ଛତା ସାରୁ ଗଛ ମୂଳୁ ।।

ଟିପିଟିପି ବର୍ଷା ସାରା ଦିନ ରାତି ଝଡ ବତାସ ପବନ

ଉଡନ୍ତି ସହସ୍ର ଝରିପୋକ ମାଳ ମାଟିରୁ ହୋଇଣ ଜନ୍ମ ।।


“କେକା ରାବେ ନୃତ୍ୟ ରଚେ”ଆକାଶରେ ଦେଖି ନୀଳ ନବଘନ

ଧୂସର ଧରିତ୍ରୀ ବଦଳି ଗଲାଣି ଜ୍ୟୋତିର୍ମୟ ଅପଘନ ।।

ସରଗ ଗଙ୍ଗାରୁ ଝରେ ପ୍ରସ୍ରବଣ ଦାରୁଣ ନିଦାଘ ଶେଷେ

ଭିଜା ମାଟି ବାସ୍ନା ସମ୍ମୋହନେ ଧରା ନବ ଜୀବନ ପ୍ରକାଶେ ।। 


ସାତରଙ୍ଗ ରଙ୍ଗ ଝୋଟି ର ତରଙ୍ଗ ସମ ବାସବ କାର୍ମୁକ

ଗୋଧୂଳି ଲଗନେ ଡାଆଣିଆ ଖରା ଶୀତଳିତ ସୂର୍ଯ୍ୟାଲୋକ ।।

ଝିଙ୍କାରି ଶବଦ ସ୍ତିମିତ* ହେଲାଣି ଭ୍ରମର ଶଦ୍ଦ ଗୁଞ୍ଜନ

ଗୁଞ୍ଜରିତେ ଗୀତିମୟ ଗୁଞ୍ଜରଣ ବୀଣାପାଣି ବୀଣା ଭ୍ରମ ।।


କଦମ୍ଵ ବନରେ ମୁକୁଳିତ ଡାଳେ କୁସୁମ ଝରା ମଞ୍ଜୁଳେ

ଅପରୂପ ରୂପ ପ୍ରକାଶେ ଦିଗାଙ୍ଗୀ ପ୍ରଫୁଲ୍ଲ ଫୁଲ ଶୃଙ୍ଗାରେ ।।

ମିଳନ ବିଚ୍ଛେଦ ରୁତୁର ସଙ୍ଗମେ ଭିଜାମାଟି ମାଟି ବାସ୍ନା

ମୋହିତ କରିଛି ଫୁଲ ସଉରଭେ ରୂପେ ମନ ଆନମନା ।।

 (*ସ୍ତିମିତ-ନିଶ୍ଚଳ ନିରବ)  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍