ଭଗ୍ନ ଶିଳା
ଭଗ୍ନ ଶିଳା
ଶିଳ୍ପୀ ଗଲା ଦୂରେ
ସ୍ଥାପତ୍ୟକୁ ଭୁଲି
ସ୍ୱପ୍ନ କରି ଅଧାଗଢ଼ା
ଝୁରେ ଭଗ୍ନ ଶିଳା
ଝୁରେ ଚାରୁକଳା
ଝୁରଇ ହୃଦୟ ବେଢା
ପ୍ରସ୍ତର ଛାତିରେ
ଆଙ୍କୁଥିଲା ଯିଏ
ରୂପସୀ ନର୍ତ୍ତକୀ ଛବି
ରଚୁଥିଲା ନିତି
ମାଧୁର୍ଯ୍ୟ ସ୍ଥପତି
ସାଜି ଅନୁରାଗୀ କବି
ଶ୍ରାବଣ ବର୍ଷାରେ
ଭିଜୁଥିଲା ମନ
ଶିଳ୍ପୀର ପରଶ ପାଇ
ଗାଉଥିଲା ପିକ
ବକୁଳ ବନରେ
କୁହୁ କୁହୁ ଗୀତ ଗାଇ
ମେଘ ପାଲିଙ୍କିରେ
ଆସୁଥିଲା ଜହ୍ନ
ଜ୍ୟୋତ୍ସ୍ନା ନେଇ ଉପହାର
ପାଗଳ ପବନ
ଯାଉଥିଲା ଝୁମି
ଆନନ୍ଦେ ହୋଇ ବିଭୋର
ଫୁଟୁଥିଲା ମଲ୍ଲୀ
କାମିନୀ କଦମ୍ବ
ଭୁଲି ଋତୁ ଆଗମନ
ଅଜଣା ପୁଲକେ
ଶିହରିତ ତନୁ
ପାଇ ଶିଳ୍ପୀ ଆଲିଙ୍ଗନ
ନାହିଁ ସେଇ ବେଳା
ପ୍ରଣୟ ମେଖଳା
ଭଗ୍ନ ଆଜି ଶିଳାଲିପି
ହରାଇଛି ରୂପ
ହଜିଛି ଅତୀତ
ଶୂନ୍ୟତା ଯାଇଛି ବ୍ୟାପି
ନିଃଶବ୍ଦ ପ୍ରହରେ
ପ୍ରସ୍ତର ବୁକୁରେ
ସଞ୍ଚରେ ନବ ଜୀବନ
ବ୍ୟାକୁଳିତ ମନ
ତନ୍ମୟ ପରାଣ
ଯନ୍ତ୍ରଣାରେ ହୁଏ ଲୀନ
ନାହିଁ ଉଜ୍ଜ୍ୱଳତା
ଚାରୁକଳା ଦେହେ
ଝାଉଁଳି ପଡିଛି ଖୁସି
ଭଗ୍ନ ସ୍ମୃତି ରାଜି
ଏକାନ୍ତେ ବିରାଜି
ପୁଣି ଯାଏ ଦୂରେ ଋଷି
