ଭଗ ଅଜା ଆଉ ବୃନ୍ଦା ଆଈ
ଭଗ ଅଜା ଆଉ ବୃନ୍ଦା ଆଈ
ଡହଳ ବିକଳେ ମୁହଁ ଅନେଇ
ଭଗ ଅଜା ଆଉ ବୃନ୍ଦା ଆଈ ;
ଅଜା କହେ ଭୋକେ ପେଟ ମୋ ଜଳେ
ଆଈ କହେ ହାତ ମୋର ନଚଳେ;
ବୟସ ହେଲାଣି ଅଶୀ ଉପର
ଦେଖା ଯାଉନାହିଁ ପାଖ କି ଦୂର;
ହାତ ଗୋଡ ପୁଣି ହୁଏ ଅଚଳ
ମନ ଭାଙ୍ଗି ଦିଏ କେହି ନିଜର;
ବୁଢା ବୁଢୀ ଦୁହେଁ ହୁଅନ୍ତି ଏକା
ବ୍ୟସ୍ତ ଦୁନିଆଁ ରେ କାହାରି ଦେଖା;
ନମିଳେ ସଭିଏଁ ନିଜ ବାଟରେ
ବୁଢା ବୁଢୀ ନପଡନ୍ତି ନଜରେ;
ପେଜୁଆ ଆଖିରେ ଆଈ କୁ ଚାହିଁ
ଅଜା କହେ ଦଃଖ କରିବ ନାହିଁ;
ଏହା ଅଟେ ପରା ମାୟା ସଂସାର
ଚିହ୍ନିବା କଠିନ କିଏ ନିଜର;
ରକତ ବି ଏଠି ନିଜର ନୁହେଁ
ଭାଗ୍ୟ କୁ ଭରସି ବଞ୍ଚିବା ଦୁହେଁ;
ହିସାବ ମାଗୁଛି ସମ୍ପର୍କ ଏଠି
ପ୍ରମାଣ ଖୋଜେ ମୁଁ ଦେବି କେମିତି;
ଛୋଟରୁ ବଡ ମୁଁ ପିଲାଙ୍କୁ କରି
କି ପ୍ରମାଣ ଦେବି ହସ ତାଙ୍କରି;
ପାଇଁ ମୁଁ ବିକିଛି ସୁଖ ନିଜର
ବୋଧେ ହୋଇନାହିଁ ଅଭାବ ଦୂର;
ସେଥିପାଇଁ ପୂର୍ବେ ମନ କୁ ମାରି
ଚଢିପାରିଥାନ୍ତି ମୁଁ ଘୋଡା ଗାଡି;
ପିଲାଙ୍କୁ ମଣିଷ କରିବା ପାଇଁ
ଧନ ବହାଇଲି ସଞ୍ଚିଲି ନାହିଁ;
ହୋଇ ରେ ବୁଢୀ ତୁ ପାରିବୁ କହି
କେତେ ରାତି ତୋର ଯାଇଛି ପାହି;
ମୁଖ ରେ ତାଙ୍କର ଆଧାର ଦେଇ
ପେଜ ପିଇ ରାତି ଦେଲୁ ବିତେଇ;
ପାଠ ପଢି ଆମ ନାତି ନାତୁଣୀ
ହୁଅନ୍ତି ଡାକ୍ତର ମାଷ୍ଟରାଣୀ;
ସମୟ ତାଙ୍କର ପାଖରେ ନାହିଁ
କଥା ଦି ପଦ ବି କହିବା ପାଇଁ;
ପାଠ ପଢା ଟା ତ ବିରାଟ କାମ
ରୁଟି ଦିପଟ ତ ପାହାଡ ସମ;
କରିବାଟା ନୁହେଁ ଶୋଭା ବର୍ଦ୍ଧନ
ଲାଗଇ ତାଙ୍କର ନୁହେଁ ଏ କାମ;
ହୋଟେଲ ଖାଇବା ବଢିଆ ଭାରି
ପାକୁଆ ପାଟି ମୋ ନପାରେ ଜାରି;
ପାଚିଲା ପତର ଖସିବା ବେଳ
ଅନ୍ନ ମୁଠେ ପାଇଁ ଆମେ ବିକଳ;
ବୁଢୀ ତୁ ଟିକିଏ ସଳଖ ଅନ୍ଟା
ମୋ ପାଇଁ କରିଦେ ରୁଟି ଦୁଇଟା;
ଅଜା କଥା ଶୁଣି ଆଈ କହିଲା
ଯିବାର ବେଳ ତ ଆମର ହେଲା;
ଦୁଃଖ ଖାଲି ରହିଗଲା ଏତିକି
ପିଲାଙ୍କ ମୁଖ ରେ ଖୁସି ନଦେଖି;
ଲାଗେ ବେଳେବେଳେ ବଞ୍ଚିଛୁ ବୋଲି
ଦାୟିତ୍ବ ତାଙ୍କର ବଢୁଛି ଖାଲି;
ଡାକୁଛି ତେଣୁ ହେ ଜଗତ ନାଥ
ନିଅ ଆମ ପ୍ରାଣ ଦିଅ ହେ ସୁଖ;
ଆମ ଭାଗ୍ୟ ପରି ନଗଢ ତାଙ୍କୁ
ଆତ୍ମା ଆମ ତାଙ୍କ ଶୁଭ ମନାଶୁ ॥॥
।। ଜ୍ୟୋତିରଞନ ସାହୁ ।।
