ଭାଇ ମୋ ଜଗତଜିତା
ଭାଇ ମୋ ଜଗତଜିତା
ଭାଇ ଭଉଣୀର ପବିତ୍ର ବନ୍ଧନ
ରେଶମୀ ସୁତାର ଡୋର
ଅତି ଶରଧାରେ ସ୍ନେହ, ଆଦରରେ
ବାନ୍ଧିଲି ହାତରେ ତୋର ।
ମିଠା ଟିଏ ଦେଲି ପାଟିରେ ତୋହର
ମଧୁରେ ଭରୁ ଜୀବନ
ମିଠା ମିଠା ହସ ଝରୁ ଥାଉ ସଦା
ତୋ ଓଠରୁ ସବୁଦିନ ।
ରଖିବୁ ମୋ ପଣ, ଦେଉଛି ମୁଁ ରାଣ
ଯିବୁ ନାହିଁ ଭୁଲି କେବେ
ମୋ ରାକ୍ଷୀ ପାଉଣା କରିବୁ ଭରଣା
ଦେଇ ତୋ ମମତା ଲବେ ।
ଧନ, ସମ୍ପତ୍ତି ମୋ ନାହିଁ ଲୋଡ଼ା ଭାଇ
ତୁ ଅଟୁ ସମ୍ପତ୍ତି ମୋର
ବିପଦେ, ଆପଦେ ପାଶେ ଛିଡା ହେବୁ
କିଛି ନାହିଁ ଦରକାର ।
ହସ ହସ ମୁଖେ ଦୁଆରେ ମୋହର
ଆସି ହେଉଥିବୁ ଛିଡ଼ା
ସେନେହ ରଙ୍କୁଣୀ ତୋର ଏ ଭଉଣୀ
ଦେଖି ଭୁଲିଯିବ ପୀଡା ।
ଭାବିବୁନି ପର କରିବୁନି ଦୂର
କହିବୁନି କଟୁ କଥା
କରୁଛି ଏ ଆଶା, ହେବୁ ମୋ ଭରସା
ତୁ ଭାଇ ମୋ ଜଗତଜିତା ।
