ଭାଗ୍ୟର ଲିଖନ
ଭାଗ୍ୟର ଲିଖନ
କାଉ ଟିଏ ମୋତେ କାହିଁ କଲ ପ୍ରଭୁ
ରୂପଟି ମୋ ଦେଲ କଳା,
ବଗ, ହଂସ ପରି ରଙ୍ଗ ଦେଇଥିଲେ
ଦିଶିଥାନ୍ତି ତୋଫା ଧଳା ।
ମୟୂର ପରିକି ରୂପ ଦେଇଥିଲେ
ମୋହିଥାନ୍ତି ଜନ ମନ,
ଶୁଆ'କି ସାରସ ପରି ହୋଇଥିଲେ
ପାଇଥାନ୍ତି ଧନ୍ୟ ଧନ୍ୟ ।
କୋଇଲି ର ରୂପ କଳା ହେଉପଛେ
ଗଳାରେ ଦେଇଛ ସୁର,
ଶାରୀକୁ ଦେଇଛ ଭାଷାର ଚାତୁରୀ
ସତେକି ପିଠାର ପୁର ।
ସଭିଙ୍କ ପାଇଁକି ଖଞ୍ଜି ଦେଇ ଅଛ
ଖାଇବାକୁ ଫଳମୂଳ,
ମୋ ପାଇଁକି ବାଛି ବାଛି ରଖିଅଛ
ଅସନା ଅଇଁଠା ମଳ ।
ତଥାପି ପ୍ରଭୁହେ ଦୁଃଖ ନାହିଁ ମନେ
କରୁ ନାହିଁ ଅଭିଯୋଗ,
ମୁଁ ଜାଣିଛି ମୋର ଭାଗ୍ୟର ଲିଖନ
କରିବାକୁ ହେବ ଭୋଗ ।
ମୋ'ଜୀବନ ପ୍ରଭୁ ଦୁଃଖେ କଟୁ ପଛେ
ସଭିଏଁ ରୁହନ୍ତୁ ଖୁସି,
କଟିଯାଉ ଦିନ ଏଧରା ଧାମରେ
ଏହିପରି ହସିହସି ।।