ଭାବଗ୍ରାହୀ
ଭାବଗ୍ରାହୀ
1 min
145
ମୁହଁକୁ ଭରିଛୁ କାଳିଆ ରଙ୍ଗରେ
ଓଠରୁ ଝରୁଛି ନାଲିଆ ହସ
ସେଥିପାଇଁ ବୋଧେ ଭକତ ଜନ
ହୋଇଯାନ୍ତି ତୋ' ପ୍ରେମରେ ବଶ ।
ଆଖି ଦୁଇଟିକୁ ଗଢିଛୁ ଏପରି
କେବେବି ପଲକ ପଡିବ ନାହିଁ
ଭକତ ଭାବଇ ଅପଲକ ନେତ୍ରେ
ଦୁଃଖ ବୋଧେ ତା'ର ଦେଖୁଛୁ ତୁହି ।
ହାତ ଦୁଇଟିକୁ ଏପରି ରଖିଛୁ
ବାହୁ ପ୍ରସାରିଣ ଡାକୁଛୁ ସତେ
ତୋ ଭକ୍ତିରେ ଯିଏ ଡୁବି ଯାଏ ଥରେ
କୁହେ ସେ ବନ୍ଧନେ ବାନ୍ଧିଦେ ମୋତେ ।
ଗୋଡ ନାହିଁ ହେଲେ ନିଇତି ବୁଲୁଛୁ
ଚଉଦ ବ୍ରହ୍ମାଣ୍ଡ କାଳିଆ ତୁହି
ମାରୁଛୁ କାହାକୁ ତାରୁଛୁ କାହାକୁ
ତତେ ତାହା ଜଣା ହେ ଭାବଗ୍ରାହୀ ।
