ବାର୍ଦ୍ଧକ୍ୟର ଅପରାହ୍ନେ
ବାର୍ଦ୍ଧକ୍ୟର ଅପରାହ୍ନେ
ଜୀବନର ଦୋଛକି ରାସ୍ତାରେ
କଙ୍କାଳ ହୋଇ ଠିଆ ହେଲା
ଦୁର୍ବାର ମୋହର ତରୁଟି,
ନା ଆଉ କୃଷ୍ଣଚୂଡାରେ
ରଙ୍ଗ ଚହଟିଲା ,
ନା ପଲ୍ଲବ ଗହଳେ
କାକଳି ଶୁଭିଲା ।
ଭାରି ଭୟଙ୍କର
ଶିଶିର ବି ଲହୁ ହୋଇ,
ବୋହିଗଲା ଟାଆଁସା ଦେହରୁ।
ତଥାପି ବି ଉର୍ଦ୍ଧ୍ବବାହୁ ବିଛାଇ
ସ୍ଥିତପ୍ରଜ୍ଞ ସେ...
ପୃଥିବୀ ନା ଆକାଶକୁ
କାହାକୁ କେଜାଣି
ଆଶ୍ଲେଷ ମାଗୁଛି।
ବୟସର ରଙ୍ଗ ସବୁ
ପତ୍ର ପରି ଝରିଗଲା ପରେ
ଆଶ୍ରିତ ମାନେ
ଆଘାତ ବି ଦେଲେ,
ସକାଳର ତାରାଫୁଲ ପରି
ସଭିଏଁ ଲୁଚିଛପି ଗଲେ...
ତାଳରୁ ତଳିପା ଯାଏଁ
ଅସହ୍ୟ ତା ଜ୍ବାଳା
ହୃଦୟରେ ବିଷର ପ୍ରକୋପ
ମୁଠାଏ ପବନକୁ
ଆହାର କରି
ତଥାପି ସେ ଚାହେଁ
କାହୁଁ କେଉଁ ଅଜଣା ପଥିକ
ଫେରିଆସି ଆଉଁସି କି ଦେବ
ଅବା ଟିକେ ବିଶ୍ୱାସର
ଅଲୋଡା ହୃଦୟକୁ
ଆତ୍ମୀୟତାରେ ଦୁଇପଦ
ଶବ୍ଦରେ ଯୋଡିବ
ନୀରବ ସେ ଭିନ୍ନ ପରିଚୟେ
ତଥାପି ମାଗୁଛି ହିସାବ
ବାର୍ଦ୍ଧକ୍ୟର ଅପରାହ୍ନେ।
ସସ୍ମିତା ମହାପାତ୍ର(ଲୀନା)
ଭୁବନେଶ୍ୱର
