STORYMIRROR

Biswanath Nayak

Others

3  

Biswanath Nayak

Others

ବାଲିଘର

ବାଲିଘର

1 min
273


ଇଟା ଘର ଗଢୁ ଗଢୁ

ଭାଙ୍ଗିଗଲା ମୋର ବାଲିଘର। 

ତା ସହିତ ଉଡିଗଲେ

କଙ୍କି ଆଉ ପ୍ରଜାପତି,

ସରିଗଲା ଧୂଳି ଆଉ

ବୋହୂଚୋରୀ ଖେଳ। 

ବୁଢ଼ୀ ଅସୁରୁଣୀ ର

ସେ ସୁନା ଫରୁଆଟା

ଯେଉଁଥିରେ ଥିଲା

ତାର ଜୀବନ ନାଟିକା

ହଜିଗଲା ସବୁଦିନ ପାଇଁ। 

ଆଜି ମୋ ଅଟ୍ଟାଳିକା ର

ବଗିଚା କୋଣରେ

ଠୁଳ ଅଛି ଗଦା ଗଦା ବାଲି

ଗଢିବାକୁ କଂକ୍ରିଟର ଘର। 

ତା ଭିତରେ ବାଲିଘର

ଘୁଙ୍ଗୁଡ଼ି ମାରୁଛି। 

ଯେତେ ଡାକିଲେ ବି ତାକୁ

କଙ୍କି ଆଉ ପ୍ରଜାପତି

ସେ ଆଉ ଉଠୁନି। 

କାରଣ ସେ ଜାଣେ

ବାଲିଘର ଗଢିବାକୁ

ଲୋଡ଼ା ଗୋଟେ

ସରଳ ମନଟେ,

ଯାହା ଆଜି 

ମୋ ପାଖରେ ନାହିଁ। 

ମୋ ପାଖରେ ଅଛି ଆଜି

ପୁଳା ପୁଳା ଟଙ୍କା ଆଉ

ଗଦା ଗଦା ବାଲିର ପାହାଡ଼। 

ଗଢିବାକୁ ଶହଶହ

କଂକ୍ରିଟ ଜଙ୍ଗଲ। 

କିନ୍ତୁ?

ମୋ ପାଖରେ ନାହିଁ ଆଜି

ସରଳ ଓ ନିଷ୍କପଟ ମନ

ତୋଳିବାକୁ ବାଲିଘରଟିଏ। 

ଆଜି ମୋର ଜୀବନର

ସମସ୍ତ ସଞ୍ଚିତ ପୁଞ୍ଜି

ସରଳ ମନଟେ ବିନା

ତୋଳିବାକୁ ଅସମର୍ଥ

ବାଲିଘର ଟିଏ। 

ଏ ସଞ୍ଚୟ ବଦଳରେ

ଯଦି ମୁଁ ସାଇତି ଥାନ୍ତି

ମୋର ସେ ଶୈଶବର

ସରଳ ଓ ନିଷ୍କପଟ ମନ,

ତାହେଲେ ହୁଏତ ମୁଁ

ଗଢିପାରି ଥାନ୍ତି ଆଜି

ଆଉ ଏକ ବାଲିଘର। 

ଆଜି ମୁଁ ବୁଝୁଛି ସତେ

ବାଲିଘର ତୋଳିବାଟା

କେତେ ଯେ ମହଙ୍ଗା!

ଯଦି ଥାଏ ପୁର୍ନଜନ୍ମ,

ଗଢିବାକୁ ଆଉ ଏକ ବାଲିଘର

କରିବାକୁ ହେବ ମୋତେ

ଆଉ ଏକ ଜନ୍ମକୁ ପ୍ରତୀକ୍ଷା। 

ପାଇବାକୁ ଶିଶୁ ଭଳି

ଆଉ ଏକ ସରଳ ମନଟେ। 

ହେ ବନ୍ଧୁ! ହେ ପାଠକ!

ମୁଁ ଆଜି ଅସମର୍ଥ

ତୋଳିବାକୁ ଏକ ବାଲିଘର। 

ତୁମ ପାଖେ ଅଛିକି ସମ୍ବଳ

ଆଉ ଶୈଶବର ସେ ସରଳ ମନ?

ଗଢିବାକୁ ବାଲିଘର ଟିଏ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍