STORYMIRROR

Jyotiranjan Acharya

Others

4  

Jyotiranjan Acharya

Others

ବାହୁଡା

ବାହୁଡା

1 min
560


ଗାଁକୁ ଆସିଛି ସହରକୁ ଛାଡି
ଲାଗୁଛି ବହୁତ ସୁନ୍ଦର,
ସହରୀ ଖୋଳପା ଖୋଲିଯାଏ ଏଠି
ହାଲୁକା ମନ ଓ ଶରୀର।
ଚହଟ ଚିକଣ ପେଣ୍ଟ ସାଟ
ଚେହେରା ନକଲି ନକଲି ,
ମେକପ ଉତାରି ଅନେଇ ଦେଖିଲି
ଜୀବନ ଏଠେଇଁ ଅସଲି।
ଅସଲ ମଣିଷ ଭିତର ବାହାର
ଭିନ୍ନତା ନଥାଏ ଏଠାରେ,
ସମ୍ବନ୍ଧ ସମ୍ପର୍କ ନିଜପଣ କିଛି
ଏବେ ବି ବଞ୍ଚିଛି ଗାଁରେ।
ଅଜା ଆଈ ପୁଣି ମଉସା ମାଉସୀ
ଦାଦା ଖୁଡି ନନା ନୁଆବୁ,
ଏଇଠି ମିଳନ୍ତି ସେନେହ ବୋଳନ୍ତି
ପାଶୋରେ ମୁଁ ସେଠା "ବାବୁ"।
ପବନ ପ୍ରେମରେ ଆଉଁସେ ଦେହକୁ
ସହରର କ୍ଷତ ଚିହ୍ନକୁ,
ଗାଁ ନଈ ପାଣି ଧୋଇ ଦିଏ ପୁଣି
ମଇଳା ମେଳେଛ ମନକୁ।
ମୋ ଗାଁ ହାଟରେ ପରିବା ପତର
ବେପାର ବଣିଜ କମ୍
ସୁଖର ଦୁଃଖର ଆଦାନ ପ୍ରଦାନ
ଅମୂଲ ମୂଲ ଯା ଦାମ୍।
ଦାସକାଠି ପାଲା ଘୋଡ଼ା ନାଚ ଦ୍ଵାରା
ମନ ହୁଏ ମସଗୁଲ୍,
ଟିଭିର ଟିବିରୁ ମୁକ୍ତିଲାଭ କରି
ହୃଦ ଲଭେ ଖୁସି ଫୁଲ୍।
'କିଏସେ ହୋ' କହି ଚଢ଼େଇ ପଚାରେ
ଏତେ ଦିନ କାହିଁ ଥିଲଯେ,
ଗାଁ ଆମ୍ବ ତୋଟା କୋଇଲି କୁହୁଟା
ମନେ ମନେ ଟିକେ ହେଜେ।
କେତେ ଜାତି କୋଳି ଦେଖି ପଚାରନ୍ତି
କିହୋ ସହରିଆ ବାବୁ,
ଆସ ଆସ ଚାଖ ପୁରୁଣା ସୁଆଦ
ଓଷଦକୁ ଭୁଲିଯିବୁ।
ବରଗଛ ମୂଳେ ଓହଳ ଡାକନ୍ତି
ଆହା ମୋର ଗେ‌ହ୍ଲା ସାଙ୍ଗ
ପାଚେଲା ବାଳରେ ଦୋଳି ଟିକେ ଝୁଲି
ଚାଖ ଅତୀତର ରଙ୍ଗ।
ଗାଁ ମଶାଣିଟା ଡରାଏନା ଏବେ
ଭୂତ ଚିରୁଗୁଣି ଦେଖେଇ,
ଆଶ୍ଵାସନା ଦେଇ କଥା ଦିଏ ସତେ
ଶାନ୍ତିରେ ଦେବି ଆ ଶୁଆଇ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ
ଏରଞ୍ଚ କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍