ବାହାଘରର ଦୁଇଟି ସ୍କେଚ୍
ବାହାଘରର ଦୁଇଟି ସ୍କେଚ୍
( ୧ )
ଆଗରୁ.....
ବାହାଘର ଯେବେ ଠିକ୍ ହେଉଥିଲା
ଝିଅଟିକୁ ଡରରେ ହେଉଥିଲା ଜର
କେମିତି ଯିବ ସେ ବାପା ମାଆଙ୍କୁ ଛାଡି
ଗଢିବ ନୂଆ ସଂସାର ।
ଛାଡ଼ି ପାରୁନଥିଲା ବାପା ମାଆ ମୋହ
ଛାତିରୁ ତା'ର ଉଠୁଥିଲା
ବେଦନାର କୋହ
ଭାଇ ଭଉଣୀ ଓ ସାଙ୍ଗ ସାଥୀ ଛାଡି
ଚାଲି ଯିବ ସିଏ ନୂଆ ଦୁନିଆକୁ
ଭାବି ଗଡାଇ ଚାଲେ ସେ ଲୁହ ।
ଚିନ୍ତାରେ ଚିନ୍ତାରେ ସରୁଥିଲା ଦିନ
ଛାଡୁଥିଲା ଖିଆ ପିଆ
ମାଆ ଆସି ତା'ର ବୁଝାଉ ଥିଲା
ପରକୁ ଆପଣା କରିବୁ ଝିଅଲୋ
ଗଢିବୁ ନୂଆ ଦୁନିଆ ।
ବେଦୀ ମଣ୍ଡପରେ ବସୁଥିଲା ଯାଇ
ହାତେ ଓଢ଼ଣୀକୁ ଟାଣି
ସ୍ୱାମୀଟି ତାହାର କେମିତିଆ ବୋଲି
ପାରୁନଥିଲା ସେ ଜାଣି ।
ବିଦା ହୋଇ ଯେବେ ଯାଏ ଶାଶୁ ଘର
ଆଖି ଲୁହରେ ଧୁଏ ସେ ସଭିଙ୍କ ହୃଦ
ଝିଅ ବିଦାବେଳ କେତେ ଯେ ଦାରୁଣ
ଶୁଖେ ନାହିଁ କା'ର ଲୋତକ ଧାର ।
ବହୁ ଆକାଂକ୍ଷିତ ବାସର ଶେଯରେ
ଅଗ୍ନିଟିକୁ ରଖି ସାକ୍ଷୀ
ଅଜଣା ଲୋକକୁ କରେ ଆପଣାର
ଦେଇ ତା' ଅନୁଢା ସମ୍ପତ୍ତି ।
ଦୁଇ ଆତ୍ମା ହୋଇ ଯାଏ ଏକାକାର
ଦୀପ ନିଆଁ ଥାଏ ସାକ୍ଷୀ
ସାତ ଜନ୍ମ ପାଇଁ ପବିତ୍ର ପ୍ରେମରେ
ହୁଅନ୍ତି ସେ ପତିପତ୍ନୀ ।
( 2 )
ଏବେ.....
ଏବେକାର ବାହାଘର
ନାହିଁ ସେଠି ଡର
ହେବ କାହିଁକି ବା ଜର
ନିଜେ ଝିଅ ହେଉ କିମ୍ବା ହେଉ ପୁଅ
ଠିକ୍ କରନ୍ତି ନିଜ ସ୍ୱୟଂବର
ଅନ୍ତିମ ଲଗ୍ନରେ ଖାଲି ଯାହା ଲୋଡାହୁଏ
ବାପା ମାଆଙ୍କର ଶେଷ ହସ୍ତାକ୍ଷର ।
ହସ୍ତାକ୍ଷର ମିଳିଗଲେ
ମନପକ୍ଷୀ ହୁଏ ନଭଶ୍ଚୁମ୍ବୀ
ଡିଜେର ତାଳେ ତାଳେ ନାଚ ଗୀତ
ଆଉ ରିଙ୍ଗ୍ ସେରିମନି
ହାତରେ ଲାଗଇ ମେହେନ୍ଦୀ ।
କେତେବେଳେ ଡେଟରେ
ପାର୍କ ଯିବା ହୁଏତ
ପୁଣି କେବେ ନାମିଦାମୀ
ହୋଟେଲରେ ହୁଏ ମଧୁଶଯ୍ୟା
ଖାଲି ଯା' ନାମକୁ ଏଠି ବାହାଘର
ବାଜେ ସାହାନାଇ ବାଜା ।
ଡର କେବେ ଆସେନି ବୋଲି
ହୁଏନାହିଁ ଜ୍ୱର
ମାଆ ଆସି କାନରେ ଚୁପି ଚୁପି କହେ
ସ୍ୱାମୀକୁ ତୋ କରିବୁ ସବୁଠାରୁ ନିଜର
ଆଉ ସମସ୍ତଙ୍କୁ ପର ।
ଝିଅ ବିଦା ବେଳେ ଏବେ
ଲାଗେନାହିଁ ଆଉ ଦୁଃଖ
ହସି ହସି ଝିଅ ଯାଏ
ନଥାଏ ତାହାର ଦୁଃଖ ।
ସରିଯାଏ ବିବାହ ଭୋଜି
ହୁଏ ବେଦୀ ମୁହଁ ପୋଡା
ଏବେ ଆସେ ଶାଶୁ ଶ୍ୱଶୁରଙ୍କ ପାଳି
ତାଙ୍କୁ ହୁଏ ବୃଦ୍ଧାଶ୍ରମେ ଛଡା ।