STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ଅସମ୍ପୂର୍ଣ୍ଣ କବିତା

ଅସମ୍ପୂର୍ଣ୍ଣ କବିତା

1 min
217


ଅନେକ ଦିନପରେ ଦେଖିଲି

ତରଳୁଥିବା ସୂର୍ଯ୍ୟ 

ବିବର୍ଣ୍ଣ ଇନ୍ଦ୍ରଧନୁ 

ବିଷର୍ଣ୍ଣ ପ୍ରଜାପତି 

ଠିକ୍ ତୁମ ପରି ନିଜକୁ ,

ସମସ୍ତେ ସନ୍ତର୍ପଣରେ ଛୁଉଁଥିଲେ ପାଦ 

ଧୋଉଥିଲେ 

ଅତର ସିଞ୍ଚା ସାବୁନରେ 

କାଦୁଅ ଅଳତା ହଳାହଳ ବିଷ..!!


ସଭିଙ୍କ ଅଲକ୍ଷରେ

ରକ୍ତ ବାନ୍ତି କରୁଥିଲେ ସଜ ଫୁଲ

ନୀଳ ସମୁଦ୍ର

ତୋଫା ଜହ୍ନରାତି 

ଅଟ୍ଟହାସ୍ୟ ମାରୁଥିଲା ଯା' ମଦମତ୍ତ ଆକାଶ..!!


ଆଉ ଦେଖିଲି 

ଲହରୀ ସ୍ୱର ଡେଣା କାଟୁଥିବା ଝାଉଁବଣ

ମୁହଁ ମୋଡି ଫେରି ଯାଉଥିବା ଶ୍ରାବଣ

ବୁଝିଲି 

ପ୍ରଣୟ ମିଳନ ପ୍ରତିଶୃତି ସବୁବେଳେ ସତ ନୁହେଁ 

କିଛି କାହାଣୀ କଥା କବିତାର ମୃଦୁ ଚୁମ୍ବନ..!!


ପୁଣି ଦେଖିଲି

ପବନ ଗୀତରେ ମିତ ବସିଥିବା ନାଉରୀ 

କାତ ମାରି ମାପୁଥିଲା ଦୁଃଖ ଗଭୀରତା 

ଅଳସୀ ନଈଧାରେ ତାର ବଢୁଥିବା ଝିଅ 

ଛିଣ୍ଡୁଥିବା କୁଳ

ଗୁମସୁମ୍ ଚହଲା ପାଣି

ଚୁପଚାପ ଛାଣୁଥିଲା ସେ ମୃତ ନୀରବତା..!!


ପୁଣି ଦେଖିଲି ପୁରୁଣା ଆଲବମ୍ ର ଛାତି 

ବେଙ୍ଗ ପରି ଡିଆଁ ମାରି ଉଠୁଥିଲେ ଅଝଟିଆ ପିଲାବେଳ

ଶିଉଳି ଲଗା ବୟସ,କୃଷ୍ଣଚୂଡା ପ୍ରେମିକା 

ବିଷାକ୍ତ ମଳୟ 

ପତ୍ର ଆଢୁଆଳ ଯୌବନ 

ଓଠ-ଚିପା ହସ ,କଥାକୁହା ଆଖି

ଆଉକିଛି ବିସ୍ମୃତ ମତୁଆଲା ଚିହ୍ନ..!!


ତା'ପରେ ଦେଖିଲି ସହସ୍ରାକ୍ଷ ମୁଣ୍ଡ 

ଜିଭ ନଥିବା ଲୋକ

ଥୁଣ୍ଟା ଜିଭର ତାଣ୍ଡବ 

ସାମ୍ନାରେ ଅସହାୟ ଈଶ୍ବର 

ଈଶ୍ବର ପାଦେ କଣ୍ଟା 

ଘାସଫୁଲର ଆପାଦ ମସ୍ତକ ରକ୍ତସ୍ନାନ

ଆଉ ଲୋକଦେଖାଣିଆ ମନଯୋଗ

ଦାନ-ଧର୍ମ-ଉପବାସ ,ତୁଚ୍ଛା ନିରଅନ୍ନ..!!


ଶେଷରେ ଭେଟିଲି ଜୀବନ୍ତ ମଣିଷ 

ଯିଏ ଏଯାଏଁ ଦେଖିନଥିଲା ବେଶ ଅବା ବାସ

ଗଢିନଥିଲା 

କେଉଁ ରାମରାଜ୍ୟ ଅବା ସୁନା ର ଦେଶ 

ତା'ପାଇଁ ଏକାକାର ଲୁହ-ଲହୁ-ଜୀବନ-ମରଣ

କୁହୁଡି ହେଉ ଅବା କୁହୁକୀ ହସ,

ସେ ଜାଣେ

ତା' ଆକାଶରେ ମାଟି, ମାଟିରେ ଧୂଆଁଳିଆ ଆକାଶ..!?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍