ଅନୁତାପ
ଅନୁତାପ
ଭଲକଥା ପଦେ କୁହିଲେନି କେହି
ଚାଲିଗଲେ କରି ପର
ଯନ୍ତ୍ରଣା ଜୁଈରେ ଜୀବନ ଜଳିଲା
ଅନ୍ଧାରେ କରିଲିି ଘର ।
ଜହ୍ନକୁ ମାଗିଲି ଜୋଛନା ଟିକିଏ
ଚାଲିଗଲା ମୋତେ ଛାଡି
ରାତିକି ମାଗିଲି ଫୁଲର ସୁରଭି
ଶେଫାଳି ପଡିଲା ଝଡି ।
ଦିନର ଆଲୁଅ ଦେଖିବା ପାଇଁକି
ଯେବେଳେ ଖୋଲିଲି ଆଖି
ଆଲୁଅ ବଦଳେ ଅନ୍ଧାର ଘୋଟିଲା
ଅନ୍ଧହେଲା ଦୁଇଆଖି ।
ଲୁହର ଠିକଣା ମିଳିଲା ଯେଦିନ
କୋହରେ ଭରିଲା ଛାତି
ଆଖିଲୁହ ସବୁ ଓଠ ପିଇଗଲା
ଲୁଚିଗଲା ଜହ୍ନରାତି ।
ମଳୟର ଛୁଆଁ ଖୋଜିଲା ହୃଦୟ
ମିଳିଲା ଅସରା କୋହ
ଛଳନା ଭିତରେ ପ୍ରୀତିର ଫଗୁଣ
ଖୋଜୁଥିଲା ଆଖିଲୁହ ।
କେମିତି କହିବି ଜହ୍ନକୁ ଯେବେଳେ
ଦେଖିଲି ପୁରାଇ ଆଖି
ଜଳିଗଲା ମୋର କଅଁଳ ମନଟି
ଠାକୁରାଣୀ ଥିଲେ ସାକ୍ଷୀ ।
ଅନୁତାପାନଳେ ଜଳୁଛି ହୃଦୟ
ଅପାତ୍ରରେ କରି ପ୍ରେମ
ଅସହାୟ ହୋଇ ଜୀବନ ବିତୁଛି
କପାଳ ହୋଇଛି ବାମ ।