ଅନ୍ଧାର ଆଉ ବର୍ଷା ରାତି
ଅନ୍ଧାର ଆଉ ବର୍ଷା ରାତି
ଅଚାନକ ସେଦିନ ରାତିରେ ବର୍ଷା ଆସିଲା
ତୁମେ ଆଉ ମୁଁ
ଗୋଟିଏ ଛାତ ତଳେ
ବସିଥିଲୁ ଖୁବ ପାଖାପାଖି ହୋଇ
ମୁଁ କହିଲି
ଏ ଚାଲନା ବର୍ଷାରେ ଟିକେ ଭିଜିବା
ଅନ୍ଧାରକୁ ପିଇ ପିଇ
ଆମେ ଦୁହେଁ ମତୁଆଲା ହୋଇ
ସ୍ଵପ୍ନର କାଗଜ ଡଙ୍ଗା ଭସାଇବା
କେଉଁ ଅଜଣା ଦ୍ଵୀପମାନଙ୍କୁ ।
ତୁମେ କିନ୍ତୁ ଡରିଗଲ ଭାରି
ଏ ଅନ୍ଧାର ଆଉ ବର୍ଷା ରାତିକୁ ଦେଖି
ସାହାସ ହେଲାନି ହଠାତ୍ ତୁମର
ମନ କିନ୍ତୁ ଥିଲା ତୁମର ।
ମୁଁ କହିଲି
ଏ ବର୍ଷା ଖୁବ ସ୍ଵଳ୍ପ ସମୟ ପାଇଁ
ଆଉ ଡେରି କରନି
ଏତେ ଡର ବା କାହିଁକି
ଜୀବନରେ ଆମେ ପଣ କରିସାରିଛେ
ମିଶି ଦୁହେଁ ବଞ୍ଚିବାକୁ
ଭରଷା ଦେଲି ମୁଁ ତୁମକୁ ।
ଅନ୍ଧାର ବଢିବାରୁ ମହମ ଭଳି ତରଳିଗଲ ତୁମେ
ପହିଲି ଆଷାଢର ମାଟି ବାସ୍ନାରେ
ବାସ୍ନାୟିତ ହେଲା ତୁମ ଦେହ
ବଢାଇଲ ପାଦ ଚିପି ଆଗକୁ ତୁମେ ।
ତୁମେ ଆଉ ଆଗ ପରି ନଥିଲ ଲାଜକୁଳା
ପାଣି ଫୋଟକା ପରି ଜାଣିଶୁଣି
ବଦଳାଇ ଗତିପଥ
ହଜାଇ ଦେଲ ତୁମେ ତୁମ ଆତ୍ମସତ୍ତା
ମୋ ଉପକୂଳେ ଆସ୍ତେ ଆଉଜି ପଡି ।
ମୁଁ ଉତ୍ତରକୁ ତୁମେ ଦକ୍ଷିଣକୁ
ତୁମେ ପୂର୍ବକୁ ମୁଁ ପଶ୍ଚିମକୁ
ମୁହଁ କରି ଦୁହେଁ ଚାହିଁଲୁ
ଗୋଟିଏ ଅନାଗତ ଭବିଷ୍ୟତକୁ ।
ସେଇ ଦିନୁ ତୁମେ ଅହରହ ଖୋଜି ବୁଲିଲ
ଅତି ବ୍ୟସ୍ତ ହୋଇ
ଅନ୍ଧାର ଆଉ ବର୍ଷା ରାତିକୁ
ସବୁବେଳେ ମୋ କାନ ପାଖେ କହିବୁଲିଲ
ଦୁଷ୍ଟାମି ଭରା ଆଖିରେ
ଏ ଚାଲନା
ଆଉ ଥରେ ସେ ବର୍ଷାରେ ଭିଜିବା ।

