ଅଚିହ୍ନା ଜୀବନ
ଅଚିହ୍ନା ଜୀବନ
ଏତେବଡ ସହରଟା
ସଜାଇଅଛି ନିଜକୁ
ଭଳିଭଳି ଆଲୋକରେ,
ଧାଡିଧାଡି ବିପଣିମାଳାରେ।
ରାତିଟା ତ ଦିନପରି ଦିଶେ,
ଚାହିଁଲେବି ଆଖି ପାଏନାହିଁ।
ଚାରିଆଡେ କୋଳାହଳ
ଆଉ ଖାଲି ଭିଡ।
ଏ ଭିଡ ଭିତରେ ମୋତେ
କେହି ଚିହ୍ନନ୍ତିନି,
କେହି ମୋର ନାଆଁ ଜାଣନ୍ତିନି।
ସବୁ କିଛି ଲାଗେ ଏଠି
ଅଚିହ୍ନା ଅଚିହ୍ନା,
ଜୀବନକୁ ସହଜରେ
ଚିହ୍ନି ହୁଏନାହିଁ,
ଜୀବନଟା ଲାଗେ ଗୋଟେ
ବୁଝାମଣା ପରି।
ମନ ଏଠି ମନଟିଏ ଖୋଜେ
ତା ସାଥିରେ ମିଶି ହସିବାକୁ,
ସାଥିଟିଏ ଖୋଜେ
ଖୋଲାକଥା ଦିପଦ ହେବାକୁ।
ନିରାଶ ହେବାକୁ ପଡେ,
ଏତେ ଭିଡଭିତରେ ବି
ଏକୁଟିଆ ଲାଗେ,
ଫେରିବାକୁ ଇଚ୍ଛାହୁଏ
ଜନମମାଟିକୁ,
ଚିହ୍ନା ମୋର ପାଣି ପବନକୁ,
ଯେଉଁଠି ରାତି ପାହିଲେ
ଡାକଇ କୁକ୍କୁଟ ଆଉ
ଶୁଭେ ମୋ ବୋଉର
ଦାଣ୍ଡ ଖରକିବା ଶବ୍ଦ।
ଜୀବନକୁ ଚିହ୍ନିହୁଏ
ବଡିଚୁରା, ପଖାଳ କଂସାରେ।
ଗାଆଁଦାଣ୍ଡ ଗୋଡିମାଟି
ଆଉ ଗଛଲତା,
ସମସ୍ତେ ଡାକନ୍ତି ମୋତେ
ମୋ ନାଆଁ ଧରି।
ଅପେକ୍ଷା କରନ୍ତି ମୋତେ,
ମୋ ସାଥିରେ କଥା ଗପିବାକୁ,
ମନଖୋଲା ହସ ହସିବାକୁ।
******
