ଅଭିନୟ
ଅଭିନୟ
ଅଵିରାମ କଳ୍ପନା କା'ର ନିରବ ପ୍ରତୀକ୍ଷାରେ,
ମୋ ମନ ଲୋଟଣୀ ପାରା ଉଡିଯାଏ ଧୀରେ ଧୀରେ ।
ଅତୀତକୁ ଫିଙ୍ଗି ଦେଇ ସ୍ମୃତି ହୃଦ ଅନ୍ତରାଳେ,
ଲହଡ଼ି ଭାଙ୍ଗଇ ଢେଉ ସ୍ୱପ୍ନ ନୀରବ, ନିଶ୍ଚଳେ ।
ଏମିତିରେ ସାଗରେ ଉଠୁଛି ଢେଉର ମୂର୍ଚ୍ଛନା,
ଶ୍ରୁତି କା'ର ଛନ୍ଦ ତୋଳେ ଭରି ଆଶା ସବୁଜିମା ।
ସ୍ନିଗ୍ଧ ପରଶର ବାସ୍ନା ମନେ ଭାସି ଆସେ ଯେବେ,
ବେଳାଭୂମି ନାଚି ଉଠେ କା'ର ସ୍ପର୍ଶ ଅନୁରାଗେ ।
ତୃଷାର୍ତ୍ତ ଭାବନା ଜାଗିଉଠେ ବାଲୁକା ଶଯ୍ୟାରେ,
ଆକାଶେ ଦିଶଇ ରୂପାଜହ୍ନ ତାରାଙ୍କ ମେଳରେ ।
ଅନ୍ଧାରର ବୁକୁ ଚିରି ସୁଦୂରୁ ହାତ ପ୍ରସାରି,
ଟାଣି ନିଏ କିଏ ପଥେ ତା'ର ସହଯାତ୍ରୀ କରି ।
ଦେଖାଏ ସେ' ସମ୍ପର୍କର ଏକ ନୂତନ ଦିଗନ୍ତ,
ଲାଗୁଥିଲା ସତେ ଏ ସମ୍ପର୍କ ପୂର୍ବ ପଞ୍ଜୀକୃତ ।
ଆଙ୍ଗୁଳି ନିର୍ଦ୍ଦେଶ କରେ ଦୁଇ ଜୀବନ ମୁଦ୍ରାକୁ,
ଅମୃତାୟନ ସଂସାରର ସ୍ଥିତି, ଅବସ୍ଥିତିକୁ ।
ହେଉ ପଛେ କେଇ କ୍ଷଣ ସମ୍ପର୍କ ଅଭିନୟରେ,
ଜୀବନ ମମତା ମସୃଣ ପଥ ଅନ୍ଵେଷଣରେ ।
ନିଜକୁ ପରଖିବାର ଆଶା, ବିଶ୍ଵାସକୁ ନେଇ,
ଅୟୁତ ସ୍ୱପ୍ନର ସମୟ ମୋ' ସୁସମ୍ପର୍କ ପାଇଁ ।