STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
364

  କରୁଛି ଅଳି ମୁଁ କରୁଛି ଅଳି

  ଦେଉଳ ଦୁଆରେ ଦୀପଟି ଜାଳି

  ଶରଣ ଦିଅ ଏ ଅଶରଣ ଜନେ

  କଣାଏ କରୁଣା ପରାଣେ ଢାଳି...


  ଖାଲଢିପ ଭରା ମୋ ଜୀବନ ପଥ

  ପାଦେ ପାଦେ ମୋତେ ଲାଗୁଛି ଡର

  ଅବସାଦ ନିତି କରେ ମୋତେ ବାଦ

  ଆଖିରୁ ଶୁଖୁନି ଲୁହର ଧାର

  ତୁମେ ଦୟାକଲେ ବାରେ ସାହା ହେଲେ

  ସଳିତା ପରି ମୁଁ ଯିବିନି ଜଳି

  କରୁଛି ଅଳି ମୁଁ କରୁଛି ଅଳି....


  ଦେଖିବି ବୋଲି ମୁଁ କଅଁଳ ସକାଳ

  ରାତି ରାତି କେତେ ରହୁଛି ଚେଇଁ

  ରାତି ପାହୁ ପାହୁ ଖରା ମାଡି ଆସେ

  ସପନ ପାଲଟେ ମୋ ପାଇଁ ଛାଇ

  ତୁମେ ମହାପ୍ରଭୁ ଭରସା ହୋଇଲେ

  ସବୁ ବିପଦକୁ ପାରିବି ଟାଳି

  କରୁଛି ଅଳି ମୁଁ କରୁଛି ଅଳି....


  ସରଗ ସୁଖ ମୁଁ ମାଗୁନାହିଁ ପ୍ରଭୁ

  ଦୁଃଖ ସହିବାକୁ ଶକତି ଦିଅ

  ଆସୁ ଥାଉ ପଛେ ଯେତେ ଦାଉ ଧକ୍କା 

  ସମ୍ଭାଳି ପାରିବି ଛାତିର କୋହ

  ଧୋଉଥିବି ତୁମ ଛନ୍ଦା ପୟରକୁ

  ଆଖିରୁ ତତଲା ଲୁହ ମୁଁ ଢାଳି 

  କରୁଛି ଅଳି ମୁଁ କରୁଛି ଅଳି....



Rate this content
Log in