ଅଭାଗିନୀ ନାରୀ
ଅଭାଗିନୀ ନାରୀ
କିଏ ତୁମେ ଅସହାୟା ନାରୀ
ଦୁଇମାସର ଶିଶୁକୁ କାଖରେ ଜାକିଧରି
ଘୋଡାଇ ଦେଇ ଚିରା ପଣତ କାନିରେ
ବସିଅଛ ଏକାକୀ ନିର୍ଜନ ରାତିରେ
ବନ୍ଦଥିବା ଦୋକାନ ଘର ବାରଣ୍ଡାରେ l
ବାହାରେ ହାଡଭଙ୍ଗା ଶୀତ
ନାହିଁ ପାଖରେ ଶୀତବସ୍ତ୍ର କି ଅବା କନ୍ଥଡା
ଦେହ ଥରୁଛି ଗୋଟାପଣେ
ନାହିଁ ହେବାକୁ ସହାୟ କେହି ହେଲେ ଜଣେ l
ଚାରିଆଡେ ନିସ୍ତବ୍ଧ ନିଶ୍ଚଳ
ମାତାଲ ଅବସ୍ଥାରେ ମଦ୍ୟପଙ୍କ ପ୍ରଳାପ
ବୁଲା କୁକୁରଙ୍କ ପ୍ରାଦୁର୍ଭାବ
କାମାନ୍ଧ ପୁରୁଷଙ୍କ ବାଜ ଦୃଷ୍ଟି
ତଥାପି ହାଡ଼ଭଙ୍ଗା ଶୀତକୁ ନକରି ଭ୍ରୂକ୍ଷେପ
ଦେଖାଇଛ ଅସୀମ ସାହସ ଓ ନିର୍ଭୀକତା
ମାତୃତ୍ୱର ପରାକାଷ୍ଠା, ବତ୍ସାଲ୍ୟ ମମତା l
ତୁମେତ ଜନନୀ ଜାୟା ଓ ଭଗିନୀ
ତଥାପି କାହିଁକି ଏତେ ହତଭାଗିନୀ ? l
ଧନ୍ୟା ତୁମେ ମହୀୟସୀ ନାରୀ
ଧନ୍ୟ ତୁମ ସ୍ନେହ ମମତାର ଡୋରି
ବୁଝି ହେଉନାହିଁ କେଉଁଥି ପାଇଁ
ତୁମର ଆଜି ଏ ହତଶିରୀ l
ଘୋର ଦାରିଦ୍ର୍ୟରେ ଉତ୍ପୀଡ଼ିତା
ବୁଭୁକ୍ଷିତା , ବେସାହାରା ସ୍ୱାମୀ ପରିତ୍ୟକ୍ତା
ତଥାପି ମନରେ ବାନ୍ଧି ଦେଇ ଆଶା
ବସିଅଛ ଦେଖିବାକୁ ସକାଳର ସୂର୍ଯ୍ୟୋଦୟ
ହଟାଇ ଦେଇ ତମସା l
ଜଗତପତିଙ୍କୁ ମୋର ଏତିକି ପ୍ରାର୍ଥନା
ଦୂର ହେଉ ଶୀଘ୍ର ତୁମ ନିର୍ଯାତନା l
