ଆଶିଷ ଅମୃତ ଧାରା
ଆଶିଷ ଅମୃତ ଧାରା
ପାରିଜାତ ସିନା ଆକାଶରୁ ଖସେ
ମୁଁ ଜଣେ ମର୍ତ୍ତ୍ୟ ମାନବୀ,
ତାରାଫୁଲ ପରି ଟିକି ମନ ମୋର
କାହୁଁ ସେ ଫୁଲ ପାଇବି !
ମନ ପାରିଜାତ ପେନ୍ଥା ପେନ୍ଥା କରି
ଶୁଭ୍ର ସୁରଭିତ ହାରେ,
ଗୁନ୍ଥି ଚାଲିଛି ମୁଁ ଗୁନ୍ଥି ଚାଲିଥିବି
ଅର୍ପିବି ତୁମ ପୟରେ ।
ତୁଳସୀ ଚନ୍ଦନ ମୋ' ପାଇଁ ସପନ
ସମ୍ପତ୍ତି ମୋ' ଅଙ୍କକଷା,
ମନ ଅଗଣାରେ ଭାବ ଉଙ୍କି ମାରେ
ଶ୍ରଦ୍ଧାଳୁର ପରିଭାଷା ।
ଘୃତ ସଳିତାରେ ଦୀପାଳି ଜାଳିବି
ସଂକଳ୍ପ କରିବି ନାହିଁ,
ଭକତିର ଅର୍ଘ୍ୟ ନିଭୃତ ହୃଦୟେ
ସାଇତିଛି ତୁମ ପାଇଁ ।
ହୃଦୟରେ ମୋର ନମ୍ରତା ନିର୍ମାଲ୍ୟ
ଅଛି କୋଣ ଅନୁକୋଣେ,
ଭକତ ବତ୍ସଳ, ଭକ୍ତି ଅଶ୍ରୁଜଳ
ଢାଳିବି ତୁମ ଚରଣେ ।
ଅଛି ଲୋଭ, ତୁମ ଚରଣ କମଳ
ଅଶ୍ରୁଜଳେ ସିକ୍ତ ହେଉ,
ପ୍ରତିବଦଳରେ ମୋ' ଦୁଇ ନୟନ
ସାଗରରେ ଭାସୁଥାଉ ।
ଦେବଦାସୀ ପରି ନୃତ୍ୟାଭିସାରିଣୀ
ହେବି,ମୋ' ଭାଗ୍ୟରେ ନାହିଁ,
ତୁମ ଇଙ୍ଗିତରେ ମଗ୍ନ ନର୍ତ୍ତକୀ ମୁଁ
ଦେବଦାସୀ ହେବି କାହିଁ !
ହେ ଜଗତ ପିତା ଆରାଧ୍ୟ ଦେବତା
ମାଗୁନି ମୁଁ ନିଜ ପାଇଁ,
ମୋ' ଠାରୁ ଆହୁରି ଦୁଃଖୀ ରହିଛନ୍ତି
ତୁମ ସଂସାରେ,ଗୋସାଇଁ !
ଢାଳିଦିଅ ସାରା ଧରଣୀରେ ତୁମ
ଆଶିଷ ଅମୃତ ଧାରା,
ନ ରହୁ କେହି ତ ଦୁଃଖୀ ପ୍ରପୀଡ଼ିତ
ହେଉ ସଂସାର ନିଆରା ।