ଆସ ଗୋ ମୌସୁମୀ ଆସ
ଆସ ଗୋ ମୌସୁମୀ ଆସ
ସହି ହେଉନାହିଁ ଆଉ ଏ ରୁଦ୍ର କଷଣ,
ଫାଟିଲା ମେଦିନୀ ପୁଣି ଭାଙ୍ଗିଲା ପାଷାଣ;
ଶୋଷିନେଲା ଜଳରାଶି ସୁରୂଜ କିରଣ,
ଭୂମି ହେଲା ଜଳଶୂନ୍ୟ ନୀରସ ପରାଣ !
ଆସ ଗୋ ମୌସୁମୀ ଆସ;
ଢାଳିଦେଇ ତୁମ ଶୀତଳ ପରଶ
ହଟାଅ ଗ୍ରୀଷମ ଝାସ ।
ତ୍ରାହୀ ତ୍ରାହୀ ଡାକିଲେଣି ସର୍ବ ଜୀବକୁଳ,
ଶୁଖିଲାଣି ପୁଷ୍କରିଣୀ ଶୁଷ୍କ ପଦ୍ମଦଳ;
ପଡିଲାଣି ହାହାକାର ଆଖି ଛଳଛଳ,
ଭାଙ୍ଗିଲାଣି ମଣିଷର ଦେହ ମନୋବଳ !
ଆସ ଗୋ ମୌସୁମୀ ଆସ;
ଝରେଇ ଦିଅ ଗୋ ଝରଝର ବାରି
ଘର୍ମଦୁଃଖ ହେଉ ନାଶ ।
ଚାତକ ଆକାଶେ ଚାହିଁ ମଉନେ କାନ୍ଦଇ,
ବତକ ଶୁଖିଲା ପଙ୍କେ ଡେଣା ପିଟୁଥାଇ;
ମଣ୍ଡୁକର କେଁକଟର ଶବ୍ଦ ଶୁଭୁନାହିଁ,
କେତେ ଯେ ଜୀବନ ଯାଏ ଜଳ ଟୋପେ ପାଇଁ !
ଆସ ଗୋ ମୌସୁମୀ ଆସ;
ସକଳ ଜୀବର ଲୁହ ନେଇ ତୁମେ
ଓଠରେ ଦିଅ ଗୋ ହସ ।
ସୁନ୍ଦରୀ ଧରଣୀ ରାଣୀ ଦିଶେ ଅସୁନ୍ଦର,
ସବୁଜ ବନାନୀ ଦିଶିଲାଣି ଭୟଙ୍କର;
ମନେ ବସା ବାନ୍ଧିଲାଣି ମରୁଡିର ଡର,
ଅସମ୍ଭାଳ ହୋଇଲାଣି ଅପେକ୍ଷା ଆମର !
ଆସ ଗୋ ମୌସୁମୀ ଆସ;
କୋଟି କୋଟି ଜୀବ ତୃଷାର୍ତ୍ତ ଅଛନ୍ତି
ମେଣ୍ଟାଇ ଦିଅ ଗୋ ଶୋଷ ।
