ଆଜିର ସୀତା
ଆଜିର ସୀତା
ଆଜିର ସୀତା
ମମତା ମଞ୍ଜରୀ ଦାସ
ମୁଁ ସୀତା ନୁହେଁ,
ଗେରୁଆ ବସ୍ତ୍ରରେ ଆଭୂଷିତ ହୋଇ
ଖାଲିପାଦେ ସ୍ୱାମୀ ସହ
ଯିବି ବନବାସରେ ।
ମୁଁ ଦ୍ରୌପଦୀ ବି ନୁହେଁ,
ଶାଶୁଙ୍କ ଆଦେଶେ ନିର୍ଦ୍ୱନ୍ଦ୍ୱରେ
ପଞ୍ଚପତି ବରଣ କରିବି ।
ମୁଁ ସତୀ ଅନସୂୟା ବି ନୁହେଁ,
ଯିଏ ପତି ସହ ରାତିଟିଏ ପାଇଁ
ବେଶ୍ୟା ଦ୍ୱାରେ କାକୁତି କରିବ ।
ମୁଁ ଅହଲ୍ୟା ବି ନୁହେଁ,
ବିନା ଦୋଷେ
ପତି ଅଭିଶାପେ ପାଷାଣ ହୋଇବି ।
ମୁଁ ଆଜିର ସୀତା
ନିଜ ସ୍ଵାର୍ଥ ପାଇଁ ନିଜେ ଲଢେଇ କରିବି ।
ଭୂଇଁରୁ ମୁଁ ନୁହେଁ ଆବିର୍ଭୂତା,
ଜନ୍ମ ମୋର ତୁମ ପରି ମାତାର ଗରଭୁ
କାହିଁକି ମୁଁ ଜଳିବି ତୁମ ଲେଲିହାନ
ସନ୍ଦେହ ଶିଖାରେ ?
ଏଇଠି ସୃଷ୍ଟି ମୋର
ମୁଁ ବି ଚାହେଁ ମୋର ନ୍ୟାଯ୍ୟ ଅଧିକାର
କାହିଁକି ବାରମ୍ବାର ହେବ ଅଗ୍ନିପରୀକ୍ଷା
ମୋ ସତୀତ୍ୱର ???
ମୋ ସୁଖ-ଦୁଃଖ ଯଦି ମୁଁ ଏକାକୀ ସହିବି
ତେବେ କିଆଁ ତୁମ ପଦାଙ୍କ
ଅନୁସରଣ କରିବି ?
ମୁଁ ଆଜିର ସୀତା
ନିଜ ପାଇଁ ନିଜେ ଲଢେଇ କରିବି
ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ହୁଏତ
ତୁମକୁ ମନେପକାଇବି
କିନ୍ତୁ କେବେହେଲେ ତୁମ ପାଇଁ
ଅଶ୍ରୁ ନ ଗଡାଇବି
ହଁ, ମୁଁ ଆଜିର ସୀତା,
ତେଣୁ ମୋ ସତୀତ୍ୱର ପରୀକ୍ଷା ପାଇଁ
କେବେହେଲେ ଧରିତ୍ରୀର ଫାଟେ ନ ପଶିବି ।
ନୂଆପଡା, ପ୍ରେସ କଲୋନୀ, କଟକ
*****