ମୋ ବାପା
ମୋ ବାପା
କେବେ ବି ଦିନେ ଦେଖିନି ବାପାଙ୍କ ଆଖିରେ ଲୁହ
ପାହାଡ ଭଳି ସେ ସଦା ନିର୍ବିକାର
ଆକାଶଠୁ ଆହୁରି ଉଦାର ଆଉ ସୁନ୍ଦର
ସବୁଜିମା ପରି ସଦା ମୁଖେ ହସହସ ।
ବାପା ହେବା ଏତେ ସହଜ କଥା ନୁହେଁ
ଛାତିକୁ ଲୌହରେ ଗଢି
ସବୁ ଲୁହ କୋହ ଯନ୍ତ୍ରଣାକୁ ଜାବୋଡି
ହିମାଳୟଟିଏ ସାଜିବାକୁ ହେବ ।
ତେଲ ଲୁଣ ସଂସାରକୁ ପାରିଲନି ବାନ୍ଧି
ତୁମ ନାଲି ଚିରା ଗାମୁଛାରେ ସବୁଦିନ
ଅଧା ବାଟେ ନିରବ ହୋଇଗଲ କାହିଁ
ମୋ କଅଁଳ କାନ୍ଧେ ଲଦି ଭାର
କେଉଁଆଡେ ଚାଲିଗଲ ଯେ ଚାଲିଗଲ
ମୋ ଉପରେ ଅଭିମାନ କରି ।
ମୁଁ ବାପା ହେଲା ପରେ
ଆଜି ହିଁ ବୁଝୁଛି
ବାପା ହେବାଟା କେତେ କଷ୍ଟ ।
ଲୁହ ସାଗରେ ଟାଣି ସ୍ଵପ୍ନର ପାଲଟଣା ଜାହାଜ
କି ଖରାବର୍ଷା ଶୀତ କାକର
ସବୁଯେମିତି ତୁମପାଇଁ ଏକାକାର ।
ଆଲୋକ ଦେଖିବା ଆଗରୁ
ସଳିତା ପରି ନିଜେ ଜଳି ଜଳି
ପାଉଁଶ ହୋଇଗଲ ସିନା
କହିଲନି ଥରେ ମୋତେ ମନ ଖୋଲି
ମହମ ଭଳି ତରଳିଗଲ ଜାଣିଶୁଣି
ମୋତେ ସବୁଦିନ ପାଇଁ କରି ଅନ୍ଧାର ।
