Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ୱିକାରୋକ୍ତି
ସ୍ୱିକାରୋକ୍ତି
★★★★★

© ପ୍ରଶାନ୍ତ କୁମାର ବେହେରା

Others Tragedy

4 Minutes   331    8


Content Ranking

କଥାଟା ଗପଟେ ପରି ଲାଗିପାରେ, ହେଲେ ପୁରା ସତ । ୧୯୮୪ ମସିହା କଥା , ମୁଁ ଅଷ୍ଟମରେ ଶ୍ରୀକୃଷ୍ଣ ଏକାଡେମୀରେ ଅଧ୍ୟୟନ କରୁଥାଏ । ସେତେବେଳେ କିରଣ ସାର୍ କଲେଜ ଛକ ପାଖରେ ଥିବା ରେଗୁଲେଟେଡ୍ ମାର୍କେଟ୍ ର ଏକ ଆଜବେଷ୍ଟସ୍ ଘରେ ରହୁଥିଲେ । ମୁଁ ତାଙ୍କ ପାଖକୁ ଟିଯୁସନ୍ ଯାଉଥାଏ । ମୋ ସହିତ ପାଟେଣୀ ଗାଁ ର ଟୁଟୁ ( ଲେଖକ ଭାଗୀରଥି ଦାସଙ୍କ ପୁଅ ) ବି ପଢିବାକୁ ଆସୁଥିଲା ।

ଦିନେ ମୁଁ ବେଳାବେଳି ସେଠି ପହଞ୍ଚି ଗଲି । ଟୁଟୁ ଆସିନଥାଏ । ସାର୍ ମୋତେ ଦେଖି କହିଲେ, " ଆରେ ଜଟିଆ ଗୋଟେ କାମ କଲୁ , ଏ ସାର୍ଟ ଟା ନେଇ ଟିକେ ସେ ନାଳରେ ସଫା କରି ଆଣିଲୁ ।"

ମୁଁ ମୋ ସାର୍ଟ ପେଣ୍ଟ୍ କେବେ ବି ମୋ ହାତରେ ସେ ଯାଏ ସଫା କରି ନ ଥିଲି । ମୋ ସାନ ଭଉଣୀ ମାନେ ସଫା କରି ଦିଅନ୍ତି । ମନେ ମନେ ସାର୍ ଙ୍କ ଉପରେ ରାଗ ବି ଆସିଲା । ବାଧ୍ୟ ହୋଇ ସାର୍ ଦେଇଥିବା ସାର୍ଟ ଓ ସନଲାଇଟ୍ ସାବୁନ୍ ଧରି ପାଖରେ ଥିବା ମାଛଗାଁ କେନାଲ୍ କୁ ଗଲି । ସେଠି ସାର୍ଟକୁ ପାଣିରେ ବୁଡାଇ ପାହାଚ ଉପରେ ସାବୁନ ମାରିବାକୁ ଗଲାବେଳେ ଦେଖିଲି ତା ପକେଟ୍ ରେ କିଛି ଅଛି । ବାହାର କରି ଦେଖିଲି ଦଶ ଟଙ୍କିଆ ନୋଟ୍ ଟାଏ । ସାର୍ ଙ୍କୁ ଫେରାଇବି କି ଫେରାଇବି ନାହିଁ ଏମିତି କିଛି ସମୟ ଭାବି ଶେଷକୁ ନିଷ୍ପତି ନେଲି କି ଆଉ ଫେରାଇବି ନାହିଁ । ବଦମାସ୍ ଭାବନା ଆସିଲା , " ସାର୍ କାଇଁ ସାର୍ଟ ସଫା କରିବାକୁ ଦେଲେ କି,ଖର୍ଚ କରିଦେବା ଠିକ୍ ହେବ ।"

ସାର୍ଟ ସଫା କରି ସାରିବା ପରେ ଠିକ୍ ଦଶ ଟଙ୍କିଆ ସାଇଜ୍ ର ଗୋଟେ କାଗଜକୁ ପାଣିରେ ବୁଡାଇ ଛୋଟ ପିଣ୍ଡୁଳା ଟେ କରି ପକେଟ୍ ରେ ରଖିଦେଲି ।

ସାର୍ଟଟିକୁ ନେଇ ସାର୍ ଙ୍କ ଘର ସାମ୍ନାରେ ଖରାରେ ଶୁଖାଇ ଦେଲି । କିଛି ସମୟ ପରେ ସାର୍ ଙ୍କର ମନେ ପଡିଲା ଟଙ୍କା କଥା । ମୋତେ ପଚାରିଲେ ," ଆରେ ଜଟିଆ ସାର୍ଟ ପକେଟ୍ ରେ ୧୦ ଟଙ୍କାଟେ ଥିଲା ବୋଧେ ।"

ମୁଁ ପୁରା ପୋଖତ ଚୋର ଟେ ପରି କହିଲି, " ନାଁ ସାର୍ ମୁଁ ଦେଖିନି ତ ।"

ସାର୍ ସାର୍ଟ ପାଖକୁ ଯାଇ ପକେଟ୍ ରେ ହାତ ପୁରାଇ ସେ କାଗଜ ବିଣ୍ଡା କୁ କିଛି ସମୟ ଦେଖିଲେ ଆଉ ତା ପରେ ଫୋପାଡି ଦେଇ କହିଲେ, " ଆରେ ଜଟିଆ ଟଙ୍କାଟା ପୁରା ନଷ୍ଟ ହୋଇ ଯାଇଚି ରେ । ଛାଡ୍ ମୋର ଭୁଲ୍ ମୁଁ ସାର୍ଟ ଦେବା ଆଗରୁ ରଖିବାର ଥିଲା । "

ସେ କଥାରେ ସାର୍ ଙ୍କର ତାଙ୍କ ଛାତ୍ର ଉରରେ କେତେ ଗଭୀର ବିଶ୍ୱାସ ଥିଲା ପୁରା ଜଣା ପଡୁଥିଲା । ମୁଁ ସେଦିନ ସେ ୧୦ ଟଙ୍କାକୁ ଯେମିତି ଖର୍ଚ କରିଥିଲି ତାହା ଆଜି ବି ମନେ ଅଛି । ସେ ଟଙ୍କାରେ ଦୁଇଟି କୋକାକୋଲା ଥଣ୍ଡା ପାନୀୟ ପିଇବା ସହ ଗୋଟେ କାମେଲ୍ ରଙ୍ଗ ବକ୍ସ କିଣିଥିଲି ସେତେବେଳେ କଲେଜ ଛକ ରେ ଥିବା ଦୁର୍ଗାଷ୍ଟୋର୍ ବହି ଦୋକାନରୁ ।

କିନ୍ତୁ ପରେ ସାର୍ ଙ୍କୁ ଯେଉଁଠି ଦେଖି ନମସ୍କାର କରେ ମୋର ସେ ୧୦ ଟଙ୍କା ଚୋରୀ କରିବା କଥା ମନେ ପଡିଯାଏ । ଯେମିତି ଗୋଟେ ବଡ ଭୁଲ୍ କରିଚି ସାର୍ ଙ୍କ ପାଖରେ ସେମିତି ଲାଗେ ।

୧୯୯୮ ମସିହାରେ ସାରା ଓଡିଶା ରେ ଅଧ୍ୟାପକ ମାନେ ଷ୍ଟ୍ରାଇକ୍ କରିଥାନ୍ତି । ସେତେବେଳେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥାଏ । ଏସ୍. ଭି. ଏମ୍. କଲେଜରେ ଆମେ ମାତ୍ର ୪ ଜଣ ଅଧ୍ୟାପକ ମ୍ୟାନେଜମେଣ୍ଟରେ ଥିଲୁ ଆଉ ଆମକୁ ସେ ଷ୍ଟ୍ରାଇକ୍ ରୁ ବାଦ୍ ଦିଆଯାଇ ପରୀକ୍ଷାରେ ଡିଉଟି କରିବାକୁ କୁହାଯାଇ ଥିଲା । ସରକାରଙ୍କ ଠାରୁ ଦରମା ପଉଥିବା ଅଧ୍ୟାପକ ମାନେ ଷ୍ଟ୍ରାଇକ୍ ରେ ଥିବାରୁ ଜିଲ୍ଲାପାଳଙ୍କ ଆଦେଶ ବଳରେ ଶ୍ରୀକୃଷ୍ଣ ଏକାଡେମୀ , ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷକ ତଥା ତହସିଲ୍ ଅଫିସ୍ ର ଷ୍ଟାଫ୍ ଙ୍କୁ ପରୀକ୍ଷା କରିବା ପାଇଁ ଡିଉଟି ଦିଆଯାଇ ଥିଲା । ଭାଗ୍ଯକୁ କିରଣ ସାର୍ ଙ୍କ ମୋ ସହ ୧୨୮ ନଂ ରୁମ୍ ରେ ଡିଉଟି ପଡିଲା । ସାର୍ ଙ୍କୁ ଦେଖୁ ଦେଖୁ ମୋର ସେ ୧୦ ଟଙ୍କା କଥା ମନେ ପଡିଗଲା । ୩ ଘଣ୍ଟା ପରୀକ୍ଷା ଡିଉଟି ଭିତରେ ପିଅନ ହାତରେ ସାର୍ ଙ୍କୁ ଦୁଇଥର ଚାହା ମଗାଇ ପିଆଇଲି । ସେଦିନ ମୁଁ ଅଧ୍ୟାପକଟେ ହୋଇଛି ବୋଲି ସାର୍ ପ୍ରଥମ ଥର ପାଇଁ ଜାଣିଲେ ଆଉ ବହୁତ ଖୁସି ବି ହେଲେ ।

ତା ପରଠୁ ସାର୍ ପ୍ରାୟ ଆମ ଘରକୁ ବୁଲି ଆସନ୍ତି । ଚାକିରୀରୁ ଅବସର ନେବା ପରେ ଯେହେତୁ ବୋରିକିନା ପାଖରେ ଗୋଟେ ସ୍କୁଲ୍ ରେ ସାର୍ ଙ୍କ ଝିଅ ଶିକ୍ଷୟତ୍ରୀ ଭାବରେ ଚାକିରି ଆରମ୍ଭକଲେ ତେଣୁ ଲାଲା ସାହିରେ ଆସି ଘର ଭଡା ନେଇ ରହିଲେ । ମୋ ଘର ପାଖାପାଖି ହୋଇଥିବାରୁ ପ୍ରାୟ କିଛି ଦିନ ଅନ୍ତରରେ ବୁଲି ଆସନ୍ତି । ମୋ ପୁଅ ସୋନୁ ତାଙ୍କ ପାଦଧୁଳି ନେବାବେଳେ ବହୁତ ଖୁସି ହୁଅନ୍ତି ଆଇ ଥରେ ତା ହାତକୁ ଧରି କୋଳକୁ ଟାଣିନେଇ ହସି ହସି କହିଲେ ," ଆରେ ତୋ ବାପାଟା ବହୁତ ଦୁଷ୍ଟ ଥିଲା । ତୁ ବହୁତ ସାଧାରଣିଆ ହୋଇଛୁ ।ମନ ଦେଇ ପାଠ ପଡୁଥିବୁ । "

ଏମିତି ଭିତରେ ଦିନେ ସାର୍ ସକାଳ ୭ ଟା ଆସି ମୋ ସ୍ତ୍ରୀ ସଂଧ୍ୟାକୁ କହିଲେ , " ଆଲୋ ମା ଜଟିଆ କୁ ଟିକେ ଉଠା , ମୋର ଟିକେ ଜରୁରୀ କଥା ଅଛି ।" ସାର୍ ଜାଣିଥାନ୍ତି ମୁଁ ଡେରିରେ ଉଠେ । ତଥାପି କିଛି କାମରେ ଆସିଛନ୍ତି ଜାଣି ମୁହଁ ଧୋଇ ସାର୍ ଙ୍କୁ ନମସ୍କାର କଲି ।

ସାର୍ କହିଲେ ," ଆରେ ଜଟିଆ , ଟିକେ ଅସୁବିଧା ହୋଇଗଲା । ଝିଅଟା ସକାଳୁ ତା ସ୍କୁଲ କୁ ବସ୍ ରେ ଉଠି ପଳାଇଲା । ଟ୍ରଙ୍କ୍ ଚାବିଟା ଭୁଲ୍ ରେ ତା ମନିପର୍ସରେ ନେଇଯାଇଛି । ଏବେ କଟକ ରୁ ଫୋନ୍ ଆସିଲା , ସଡୁ ଦେହ ପୁରା ସିରିୟସ୍ , ସେ କଟକ ମେଡିକାଲ ରେ ଆଡମିଟ୍ ହୋଇଛନ୍ତି । ତାଙ୍କୁ ଦେଖିବାକୁ ଯିବାକୁ ହେବ । ୨୦୦ ଟଙ୍କା ଦେଇଥା , ମୁଁ କଟକରୁ ଫେରିଲେ ଦେଇଦେବି ।"

ମୁଁ ଚୁପ୍ ଚାପ୍ ବେଡ୍ ରୁମ୍ କୁ ଯାଇ ମନିପର୍ସରୁ ୨୦୦ ଟଙ୍କା ଆଣି ସାର୍ ଙ୍କୁ ଦେଲି । ସଂଧ୍ୟା ଚାହା ପିଇ ବାକୁ କହିଲା କିନ୍ତୁ ପରେ ଆସିଲେ ପିଇବି ବୋଲି କହି ସାର୍ ତର ତର ହୋଇ ପଳାଇଲେ ।

ଠିକ୍ ତା' ପରଦିନ ସକାଳ ୮ ଟା ରେ ସଂଧ୍ୟା ମୋତେ ନିଦରୁ ଭଠାଇ କହିଲା , " କିରଣ ସାର୍ ଚାଲିଗଲେ ।" ମୁଁ ବିଶ୍ୱାସ କରି ପାରିଲିନି । ସଂଗେ ସଂଗେ ଲାଲା ସାହି ରେ ସାର୍ ରହୁଥିବା ଘରକୁ ଗଲି । ଶୁଣିଲି ତା ପୂର୍ବଦିନ ରାତି ୧୦ଟା ରେ କଟକରୁ ଫେରି ଖାଇକି ଶୋଇଥିଲେ । ଆଉ ସକାଳୁ ଛାତିରେ କଷ୍ଟ ହେଲା । ତା ପରେ ସବୁ ଶେଷ୍ ।

ସାର୍ ଙ୍କୁ ଶେଷ ପ୍ରଣାମ କରି ଫେରିଲି ।

**********************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬

କିରଣ ସାର୍ ଜଟିଆ ଟଙ୍କା

Rate the content


Originality
Flow
Language
Cover design

Comments

Post

Some text some message..