Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବନ୍ଧୁ! ବିଦାୟ...
ବନ୍ଧୁ! ବିଦାୟ...
★★★★★

© T.Durga Prasad Rao

Others

9 Minutes   3.1K    19


Content Ranking

ବନ୍ଧୁ! ବିଦାୟ...

ଅପରେସନ୍.ର ଆସନ୍ତାକାଲି ଶେଷ ତାରିଖ ।

କାଲିସୁଦ୍ଧା ଅପରେସନ୍ ହୋଇ ନ ପାରିଲେ ଚିଙ୍କୁର ବଞ୍ଚିବା ଅସମ୍ଭବ ବୋଲି ଡାକ୍ତର ମତ ଦେଇସାରିଛନ୍ତି । ହସପିଟାଲରେ ଚିଙ୍କୁକୁ ଭର୍ତ୍ତି କରାଗଲାଣି ଦଶଦିନ ହେବ । କିନ୍ତୁ ପଇସାପତ୍ର ଯୋଗାଡ଼ ହୋଇ ନ ପାରିବାରୁ ଦୁଇ ଦୁଇ ଥର ଅପରେସନ୍ ତାରିଖ ବଦଳାଇବାକୁ ପଡ଼ିଲା । ଏବେ ଯଦି ପଇସା ଯୋଗାଡ଼ ହୋଇନପାରେ ତେବେ ତାରିଖ ବଦଳାଇବାକୁ ମଧ୍ୟ ସମୟ ନାହିଁ । ଦୁଃଖ ଓ ହତାଶାରେ ମୁଁ ମ୍ରୀୟମାଣ ହୋଇପଡ଼ିଲି । ସବୁ ଆତ୍ମୀୟସ୍ଵଜନ ଓ ପରିଚିତ ଲୋକଙ୍କୁ ଇତି ମଧ୍ୟରେ ମୁଁ ଭେଟି ସାରିଥିଲି ଚିଙ୍କୁର ଅପରେସନ ଟଙ୍କା ଲାଗି । କିଏ ଟଙ୍କା ଦେବା ଭଳି ସ୍ଵଚ୍ଛଳ ନୁହଁ କହି ଫେରାଇ ଦେଇଛନ୍ତି ତ ଆଉ କିଏ ହାତରେ ବର୍ତ୍ତମାନ ଟଙ୍କା ନାହିଁ କହି ଫେରାଇ ଦେଇଛନ୍ତି । ଏତେଗୁଡ଼ାଏ ଟଙ୍କା କିଏ, କାହିଁକି ଅବା ମୋତେ ଦେବ । ଘର ଡିହ ଖଣ୍ଡକ ମଧ୍ୟ ବନ୍ଧା ପଡ଼ିଛି ଭଉଣୀର ବାହାଘର ବେଳେ । ହାତ ଉଧାର ଅନେକ ।

ମନଟା ଭାରାକ୍ରାନ୍ତ ହୋଇ ଉଠୁଥିଲା । ସଞ୍ଜ ହୋଇ ଆସୁଛି । ସକାଳ ୧୦ଟାରେ ଅପରେସନ୍ ହେବ । ହାତରେ କେଇ ଘଣ୍ଟାର ବ୍ୟବଧାନ ମାତ୍ର। ମା ଚିଙ୍କୁର ଶଯ୍ୟାରେ ବସି ରହି ତାକୁ ଆଉଁସି ଦେଉଥିଲେ । ଆଖିରୁ ତାଙ୍କର ଅନବରତ ଲୁହ ଝରୁଥିଲା । ଚିଙ୍କୁ ମାଙ୍କର ଖୁବ୍ ଗେଲ ବସରର ନାତି । ଏଣୁ ଶଯ୍ୟା ଛାଡ଼ି ମୂହୁର୍ତ୍ତେ କୁଆଡେ଼ ଯିବାକୁ ମା ନାରାଜ ।

ମୁଁ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ବାହାର ବେଞ୍ଚ ଉପରେ ବସିପଡ଼ିଲି । ମନେହେଲା, ମୋ ପୁଅକୁ ମୁଁ ବୋଧହୁଏ ଆଉ ବଞ୍ଚାଇ ପାରିବିନାହିଁ । ଏତିକିବେଳେ ମୋର ମନେପଡ଼ିଲା ରଘୁ କଥା । ମନଟା କ୍ଷଣକ ପାଇଁ ଛିଃ ହୋଇଗଲା । ତାଭଳି ଜଣେ ବନ୍ଧୁଦ୍ରୋହୀ ମୋର ଅନୁରୋଧ ରକ୍ଷା କରି ଟଙ୍କା ଦେବ, ମୋର ମନେ ହେଲାନାହିଁ । ତାର ଘୃଣ୍ୟ ଚେହେରା ଚଳଚିତ୍ର ପରି ମୋ ସାମ୍ନାରେ ଭାସିଆସିଲା ।

ପ୍ରାୟ ଆଠ ବର୍ଷ ତଳର କଥା । ରଘୁନାଥ ମହାପାତ୍ର ଓ ମୁଁ ପିଲାଟି ଦିନରୁ ସାଙ୍ଗ । ଏକସଙ୍ଗରେ ଆମେ ଗାଁ ସ୍କୂଲ ଛାଡ଼ି ପାଖ ସହରରେ ପାଞ୍ଚ ବର୍ଷ ଡିଗ୍ରୀ ପଢ଼ିଲୁ । ମୁଁ କୌଣସି ଭଲ ଚାକିରୀ ନ ପାଇ ଗାଁ ମାଇନର ସ୍କୂଲରେ ଶିକ୍ଷକତା କଲି । କିନ୍ତୁ ରଘୁନାଥର ମୂଳରୁ ସରକାରୀ ଚାକିରୀରେ ଇଛା ନ ଥିଲା । ଯେଉଁଥିପାଇଁ ସେ ନିକଟ ସହରରେ ଗୋଟିଏ ବଡ଼ ଧରଣର ଧାନ ମିଲ୍ କରି ନିଜର ବେଉସା ଚଳାଉଥିଲା । ତା ବାପାଙ୍କର ସେତେବେଳେ ପୁରୁଷାନୁକ୍ରମରେ ଚାଷ କରି ଆସୁଥିବା ଜମିଜମା ଥାଏ । ସେହି ଜମିରୁ ଆଦାୟ ଧାନ ମଧ୍ୟ ତାରି ମିଲ୍ରେ ଚାଉଳ ହୋଇ ବଜାରରେ ବିକ୍ରି ହେଉଥାଏ । ସମୟ ପାଇଲେ ହିଁ ଆମ ଘର ଆଡେ଼ ବୁଲିଆସେ ରଘୁ । ଦୁହେଁ ଘଣ୍ଟା ଘଣ୍ଟା ଧରି ଗପସପ ସୁଖଦୁଃଖ ହେଉ । ମୋ ସ୍ତ୍ରୀ ଲତାକୁ ସେ ନୂଆଉ ବୋଲି ଡାକେ । ବେଶ୍ ଥଟ୍ଟାତାମସା ହସଖୁସି ମଧ୍ୟରେ ତା ଓ ମୋ ପରିବାର ଭିତରେ ସମ୍ପର୍କ ଆଗ ଅପେକ୍ଷା ସୁଦୃଢ଼ ହୋଇ ଚାଲିଥିଲା । ପ୍ରତି ଛୋଟମୋଟ କଥାରେ ଆଗଭର ହୋଇ ମୋର କହିବା ଆଗରୁ ସାହାଯ୍ୟ କରେ ରଘୁ । ଭଉଣୀର ବାହାଘର କଥା ନେଇ ଚିନ୍ତାଗ୍ରସ୍ତ ହୋଇବସିଲେ, ହୋ ହୋ କରି ହସିଦିଏ, କହେ ତାର ଆଉ ଗୋଟିଏ ଭାଇ କଣ ମରିଗଲାଣି ଯେ ତୁ ଏତେ ଚିନ୍ତା କରୁଛୁ । ମୋ ମନଟା ସାଙ୍ଗେ ସାଙ୍ଗେ ହାଲୁକା ହୋଇଯାଏ ।

ସେଦିନ ଥିଲା ଶନିବାର । ସ୍କୂଲର ପ୍ରଧାନ ଶିକ୍ଷକ କୌଣସି ଏକ ମିଟିଂରେ ଯୋଗଦେବାକୁ ଯାଇଥାନ୍ତି । ସ୍କୂଲରେ ମୁଁ ଏକା । ଗୋଟିଏ ବେଳା ସ୍କୂଲ ହୋଇଥିବାରୁ ସଅଳ ଟିକେ ଛୁଟି କରିଦେଇ ବାହାରି ପଡ଼ିଲି ଘରକୁ । ବାଟରେ ଦେଖାହେଲା ସନାତନ ସହ । ସନାତନର ସ୍ତ୍ରୀ ସନାତନକୁ ଛାଡ଼ି ପିଲାଛୁଆ ସହ ବର୍ଷେ ହେଲା ବାପଘରେ ରହୁଛି । ସନାତନର ଗାଁ ଛକରେ ଗୋଟିଏ ଛୋଟ ଜଳଖିଆ ଦୋକାନ, ଯେଉଁଥିରେ ତାର ପରିବାର ପ୍ରତିପୋଷଣ ହୁଏ । ରୋଜଗାର କମ୍ ହେଉଥିବାରୁ ଠିକ୍ ଭାବରେ ସ୍ତ୍ରୀ ପିଲାଛୁଆଙ୍କୁ ଖାଇବା ପିନ୍ଧିବାକୁ ଯୋଗାଇ ପାରୁନଥିଲା ସନାତନ । ଅନେକ ଥର ତାର ସ୍ତ୍ରୀ ତାକୁ ହୋଟେଲ୍ ଧନ୍ଦା ଛାଡ଼ି ସୁରାଟ ଭଳି ସହରକୁ ପରିବାର ସହ ପଳେଇଯିବାକୁ କହି ଆସୁଥିଲା । ହେଲେ, ଗାଁ ଭିଟାମାଟି ଛାଡ଼ି ଅନ୍ୟତ୍ର ଯିବାକୁ ସନାତନର ଇଛାନାହିଁ । ଏହି ମର୍ମରେ ସବୁବେଳେ ଦୁହିଁଙ୍କର ଝଗଡ଼ା ହୁଏ । ଦିନେ ବାପଘରକୁ ଗଲା ଯେ ଆଉ ଫେରିଲା ନାହିଁ ସନାତନର ସ୍ତ୍ରୀ । ଦେଖାହେଲେ ହିଁ ସନାତନ କହେ, ମାଷ୍ଟ୍ରେ, ଆପଣେ ଟିକେ ତାକୁ ବୁଝାସୁଝା କଲେ ସେ ଫେରି ଆସନ୍ତା । ପ୍ରତିଥର ତାର ଏହି କଥାକୁ ମୁଁ କୌଣସିମତେ ଟାଳିଦିଏ । ହେଲେ ସେଦିନ ତା କଣ୍ଠର ଆର୍ଦ୍ରତା ମୋର ସହ୍ୟ ହେଲାନାହିଁ । ମୁଁ ତାକୁ ଆଶ୍ଵାସନା ଦେଇ କହିଲି, କାଲିକି ରବିବାର, ଛୁଟିଦିନ । ହୋଟେଲ ଖୋଲିବା ଦରକାର ନାହିଁ । ସକାଳୁ ସକାଳୁ ବାହାରି ପଡ଼ିବା । ସନାତନ ଯେମିତି କୃତ୍ୟ କୃତ୍ୟ ହୋଇ ଚାଲିଗଲା ।

ଉଦୁଉଦିଆ ଖରାଟାରେ ଦାଣ୍ଡପିଣ୍ଡାରେ ପହଞ୍ଚି ଟିକେ ଆଶ୍ଵସ୍ତ ହେଲି । ଦର ଆଉଜା କବାଟ ଖୋଲି ଭିତରେ ପହଞ୍ଚିଲା ବେଳକୁ ଖରାର ପ୍ରକୋପରୁ ଆଖି ଦୁଇଟା ଅନ୍ଧାର ଦିଶିଲା । ବିଜୁଳିବତୀ ସୁଇଚ୍ରେ ହାତମାରି ମୁଁ ଯେମିତି ସ୍ଥାଣୁ ହୋଇଗଲି । ପଡ଼ି ଯାଉ ଯାଉ ନିଜକୁ ସମ୍ଭାଳି ନେଲି ମୁଁ । ସୋଫା ଉପରେ ପଡ଼ିରହିଛି ଲତାର ଅର୍ଦ୍ଧ ଉଲଙ୍ଗ ଶରୀର ଆଉ ରଘୁ ହାମୁଡ଼େଇ ପଡ଼ିଛି ତା ଉପରେ । ଆଖି ଦୁଇଟା ମୋର ତାଳୁକୁ ଉଠିଗଲା । ଏମିତି ଏକ ଦୃଶ୍ୟ କେବେ ଆଖିରେ ପଡ଼ିବ ଏକଥା ଆଦୌ ଭାବିନଥିଲି । ରାଗରେ ରଘୁକୁ ଘୋଷାଡ଼ି ଠିଆ କରାଇ ଧଡ଼ାସ୍ କରି ଗାଲକୁ ଚଟକଣାଟାଏ କଷିଦେଲି । ଲତା ଉଠିପଡ଼ି କଇଁ କଇଁ ହୋଇ କାନ୍ଦୁଥିଲା ସୋଫାର ଗୋଟିଏ କୋଣକୁ ଜାକିଜୁକି ହୋଇ ।

କୋହମିଶା ସ୍ଵରରେ କହିଲା, ଏମିତି ସାଙ୍ଗଟିଏ ତୁମର ଯେ ଉପରେ ନୂଆଉ ଡାକ, ଭିତରେ ବାସନାର ଗନ୍ତାଘର । ଆଜି ତମେ ସମୟରେ ନ ଆସିଥିଲେ ମୋ ଅବସ୍ଥା କଣ ହୋଇଥାନ୍ତା ।

ରଘୁ ପୁରାପୁରି ନିର୍ବାକ୍ ହୋଇ ଜୁଳୁଜୁଳୁ କରି ଚାହିଁ ରହିଥିଲା । ଦୁଃଖ, ରାଗ ଓ ଅପମାନରେ ଜର୍ଜରିତ ହୋଇ ଗାଳିଗୁଲଜ ସହ ବିଧା, ଗୋଇଠା ବର୍ଷି ଦେଇଗଲି ରଘୁର ଶରୀରରେ । ଶେଷରେ ଏକ ଶକ୍ତ ଧକ୍କାରେ ରଘୁ କଚାଡ଼ି ହୋଇ ପଡ଼ିଲା ବାରଣ୍ଡାରେ । ମୁଣ୍ଡ ଫାଟି ତାର ରକ୍ତ ଝରୁଥିଲା। ଜଣେ ଦୁଇଜଣ ଗାଁ ଲୋକ ଦୂରରୁ ଏ ଦୃଶ୍ୟ ଦେଖି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଏ ଆଡ଼କୁ ଆସିବାକୁ ଉଦ୍ୟତ ହେଉଥିଲେ । ମୋର ସେଥିପ୍ରତି ଭୃକ୍ଷେପ ନ ଥିଲା । ରଘୁ ଉଠି ଠିଆ ହେଲା ବେଳକୁ ବାରଣ୍ଡାରେ ଥିବା ବାଉଁଶମୁଣ୍ଡାଟା ମୋ ହାତରେ ଲାଗି ସାରିଥିଲା । ତାକୁ ଉଞ୍ଚାଇ ରଘୁର ପିଠି ଉପରେ ବସାଇବାକୁ ଯାଉଛି, ଲତା ଦୌଡ଼ି ଆସି ମୋ ହାତ ଧରି ପକାଇ କାନ୍ଦୁ କାନ୍ଦୁ କହିଲା, ବାରଣ୍ଡା ଉପରେ ତମେ ଆଉ ହୋ ହଲ୍ଲା କରନାହିଁ, ଲୋକହସା ହେବା । ଏହାପରେ ସେ ଆଉ ଏ ପିଣ୍ଡା ମାଡ଼ିବ ନାହିଁ । କହି କହି ଲତା ମୋତେ ଘର ଭିତରକୁ ଟାଣି ନେଇଗଲା ଏବଂ ଭିତରୁ କବାଟ ବନ୍ଦ କରିଦେଲା ।

ସନ୍ଧ୍ୟାବେଳେ ଶୁଣିଲି ରଘୁର ବାପା ରଘୁକୁ ଘରୁ ବାହାର କରି ଦେଇଛନ୍ତି । ତା ପରଠାରୁ ରଘୁ କୌଣସି ଦିନ ମୋ ଘରକୁ ଆସିବା ଦୂରେଥାଉ ଗାଁକୁ ମଧ୍ୟ ଆସିନାହିଁ । ସେଇ ସହରରେ ହିଁ ରହିଲା । ଅଧିକ କିଛି ରଘୁ ବିଷୟରେ ଜାଣିବାକୁ ମୋର ଆଉ ଆଗ୍ରହ ନ ଥିଲା । ବରଂ ଏଇଭଳି ଗୋଟିଏ ଲୋକ ମୋର ଏତେ ବର୍ଷ ଧରି ସାଙ୍ଗ ହୋଇ ରହିଲା ଆଉ ମୁଁ ଚିହ୍ନିପାରିଲି ନାହିଁ, ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଭାବିଲେ ।

ସେଇ ରଘୁକୁ ଟଙ୍କା ମାଗିବା କଥା ମନରେ ଆସିଥିବାରୁ ମନେ ମନେ ନିଜକୁ ଖୁବ୍ ଧିକ୍କାରିଲି । ପୁଣି ଚିଙ୍କୁ କଥା ମନକୁ ଆସି କୋହ ଉଠିଆସିଲା। ଅଶ୍ରୁକୁ ରୋକି ପାରିଲିନାହିଁ । ଭାବିଲି, ଏହି ସହରରେ ଯେହେତୁ ରଘୁ ଅଛି, ଥରେ ଅନୁରୋଧ କରି ଦେଖେ । ପିଲାଟା ମୋର ବଞ୍ଚିଯାଉ । ଛୋଟ ସହର । ପଚରାପଚରି କରି ରଘୁର ଫୋନ ନମ୍ବରଟା ମିଳିଗଲା । ନମ୍ବର ଡାଏଲ୍ କରି ଅପେକ୍ଷା କଲି । ରଘୁ ମୋ କଣ୍ଠସ୍ଵର ଚିହ୍ନିବ ତ ଏତେ ଦିନ ପରେ? ଯଦି ନ ଚିହ୍ନେ, କଣ ବୋଲି ପରିଚୟ ଦେବି? ମୋ ଅନୁରୋଧ କଣ ସେ ରଖିବ?

ଫୋନ୍ ଆରପଟୁ ହ୍ୟାଲୋ ଶବ୍ଦ ଶୁଣି ମୁଁ ଚମକି ପଡ଼ିଲି । ରଘୁର କଣ୍ଠସ୍ବର ।

ହ୍ୟାଲୋ! ମୁଁ ରାମ କହୁଛି, ରାମଚନ୍ଦ୍ର ପଟ୍ଟନାୟକ ।

ଆରପଟୁ କିଛି ଶୁଭୁନଥିଲା । ମୁଁ ଅପେକ୍ଷା କଲି । କାହାର ସୁଁ ସୁଁ ଶବ୍ଦ ଟେଲିଫୋନ ଆରପଟୁ ଭାସି ଆସୁଥିଲା ।

କିଛି ସମୟର ନିରବତା ପରେ ମୁଁ ପୁଣି ଥରେ କହିଲି,

ରଘୁ! ମୋ ପୁଅ ଚିଙ୍କୁ... ଚିଙ୍କୁ ଆଉ ବଞ୍ଚିବ ନାହିଁରେ... । କହୁ କହୁ ମୁଁ କାନ୍ଦି ପକାଇଲି ।

କଣ ହେଲା ଚିଙ୍କୁର?

କାଲି ସୁଦ୍ଧା ଅପରେସନ୍ ନ ହେଲେ ତାର ବଞ୍ଚିବା କଷ୍ଟକର ବୋଲି ଡାକ୍ତର କହିସାରିଛନ୍ତି । ଅପରେସନ୍ ପାଇଁ ଦୁଇଲକ୍ଷ ଟଙ୍କା ଦରକାର । ଆଉ ଏତେ ଟଙ୍କା ମୋ ପାଖରେ ନାହିଁ । ତୁ ଯଦି କିଛି ବ୍ୟବସ୍ଥା...

ମୋର ବାକ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ଆରପଟୁ ଲାଇନ୍ କଟିଗଲା । ମୁଁ ପୁଣିଥରେ ହତାଶ ଭିତରକୁ ଠେଲି ହୋଇଗଲି । ଯାହାକୁ ପିଟିପିଟି ଘରୁ ବାହାର କରିଦେଇଥିଲି ସେ ପୁଣି ମୋତେ ସାହାଯ୍ୟ କରିବ ମୋର ଭାବିବା ହିଁ ଭୁଲ୍ ଥିଲା । ତା ଭଳି ଗୋଟିଏ ବନ୍ଧୁଦ୍ରୋହୀ କାହାକୁ ସାହାଯ୍ୟ କରି ନ ପାରେ । ଫାଇଦା ମାରିବା ହିଁ ତାର ଧର୍ମ ।

ରାତି ଆସି ସାଢେ଼ ଦଶ ବାଜିଲାଣି । ରଘୁ ଆସିବ, ଏ ଭରସା ଆଉନାହିଁ । ଜୀବନଟା ନିରାଶମୟ ମନେହେଲା । ଲୁହ ପୋଛିବାକୁ ମଧ୍ୟ ପାଖରେ କେହି ନାହାନ୍ତି । ଜୀବନଟା ଯାକ ଅନ୍ୟର ଉପକାର ଛଡ଼ା ଅପକାର ମୁଁ କରିନାହିଁ । କିନ୍ତୁ ମୋର ଏ ଦୁର୍ଦ୍ଦିନରେ ଭଗବାନ କାହିଁକି ଏତେ ପରୀକ୍ଷା ନେଉଛନ୍ତି, ମୁଁ ଜାଣି ପାରୁନାହିଁ । ଭାବୁ ଭାବୁ ସେଇ ବେଞ୍ଚ ଉପରେ କେତେବେଳେ ଆଖି ଲାଗିଯାଇଛି ।

ଦଲକାଏ ଥଣ୍ଡା ପବନରେ ମୋର ଆଖି ଖୋଲିଗଲା । ସାମ୍ନାରେ ଠିଆ ହୋଇଥିଲା ରଘୁ । ମୁଁ ଉଠିବାକୁ ଚେଷ୍ଟା କରୁଛି ରଘୁ ମୋତେ ଲାଗି ବେଞ୍ଚ ଉପରେ ବସିପଡ଼ିଲା । ରଘୁ ଯେ ଆସିବ ମୁଁ ଚିନ୍ତା କରିନଥିଲି । ତାକୁ ଦେଖି ମୋ ହୃଦୟରେ ଟିକେ ସାହସ ଆସିଲା । ଚିଙ୍କୁକୁ ବଞ୍ଚାଇ ପାରିବାର ଏକ ଆଶା ମନରେ ଜାଗ୍ରତ ହେଲା । ତା ବିଷୟରେ ଏଣୁ ତେଣୁ ଭାବିଥିବାରୁ ଟିକିଏ ଲଜ୍ୟାବୋଧ ମଧ୍ୟ କଲି । ରଘୁ ବୋଧହୁଏ ମୋ ମନକଥା ଜାଣିପାରିଲା । ମୋତେ ସଙ୍କୁଚିତ ହୋଇ ଯାଉଥିବାର ଅନୁଭବ କରି କହିଲା, ତୁ କେମିତି ଅଛୁ?

ରଘୁର କଣ୍ଠସ୍ଵର ମୋତେ କେମିତି କେମିତି ଶୁଭିଲା ।

ଭଲ । ଛୋଟ ଉତ୍ତରଟିଏ ଦେଇ ମୁଁ ଚୁପ୍ ହୋଇଗଲି ।

ରଘୁ ତା ଦୁଇ ପକେଟ୍.ରେ ହାତ ପୁରାଇ ହଜାର ଟଙ୍କାର ଦୁଇଟି ନୋଟ୍ ବିଡ଼ା ମୋ ହାତକୁ ବଢ଼ାଇ ଦେଇ କହିଲା, ମୁଁ ପୁରା ବ୍ୟସ୍ତରେ ଅଛି । ପୁଅର ଅପରେସନ୍ ସମୟରେ ମୁଁ ତୋ ପାଖରେ ରହି ପାରୁ ନାହିଁ । ଏ ଟଙ୍କା ରଖ । ଚିଙ୍କୁ ନିଶ୍ଚୟ ଭଲ ହୋଇଯିବ । ମୁଁ ଆସୁଛି । ରଘୁ ଉଠି ଠିଆ ହେଲା ।

ମୁଁ ତା ପାଖରେ ଖୁବ୍ ଛୋଟ ମନେ ହେଉଥିଲି । କହିଲି, ଆଉ ଗାଁ ଆଡେ଼ ଆସିବୁ ନାହିଁ? ରଘୁର ଆଖି ଦୁଇଟା ଲୁହରେ ଛଳ ଛଳ ହୋଇଉଠିଲା । ମୁଁ ହାତ ବଢ଼ାଇଲି ତାର ଲୁହ ପୋଛି ଦେବା ପାଇଁ । କିନ୍ତୁ ତା ପୂର୍ବରୁ ରଘୁ ଚଟାପଟ ନିଜ ହାତରେ ଲୁହତକ ପୋଛିନେଲା, କହିଲା, ଆଉ ଗାଁ ଆଡ଼େ ଯିବା ସମ୍ଭବ ନୁହଁ ।

ମୁଁ କହିଲି, ମୋ ଉପରେ ଆହୁରି ରାଗିଛୁ? ଏତେଦିନ ତଳର କଥା ମୁଁ କଣ ଧରିବସିଛି?

ରଘୁ ମୋ ଆଡ଼େ କେମିତି ଏକ ବକ୍ର ଦୃଷ୍ଟିରେ ଘୁରି ଚାହିଁଲା । ଦୀର୍ଘଶ୍ଵାସ ଛାଡ଼ି କହିଲା, ସେ ସବୁର ଆଉ କିଛି ଆବଶ୍ୟକତା ନାହିଁ । ରଘୁ ବୋଧହୁଏ ଜାଣିପାରୁଥିଲା ମୁଁ ତାକୁ ଏବେ ସୁଦ୍ଧା କ୍ଷମା କରି ପାରିନାହିଁ । ଟିକିଏ ଗମ୍ଭୀର ହୋଇ କହିଲା, ରାମ, ମୁଁ ତୋତେ କେବେ ବି ଭୁଲ୍ ବୁଝିନାହିଁ । ଆଉ ତୋ ମନରେ ବି ମୋ ପ୍ରତି ଥିବା ଅସୂୟା ଭାବ କଟିଯିବ, କାଲି ତୁ ଗାଁରେ ପହଞ୍ଚିଲା ପରେ । ଏବେ ମୋତେ ବିଦାୟ ଦେ । ରଘୁ ଏମିତି ବିଦାୟ ମାଗୁଥିଲା ସତେକି ଆଉ କେବେ ତା ସହ ଦେଖା ହେବ ନାହିଁ । କ୍ଷୀପ୍ର ପାଦରେ ରଘୁ ଚାଲିଗଲା ।

ସକାଳେ ଚିଙ୍କୁର ଠିକ୍ ସମୟରେ ଅପରେସନ୍ ହେଲା । ଡାକ୍ତର କହିଲେ ଅପରେସନ୍ ସଫଳ ହୋଇଛି । ଆଉ କୌଣସି ଭୟ ନାହିଁ । ତେବେ ଆହୁରି ସାତଦିନ ଚିଙ୍କୁକୁ ହସପିଟାଲ୍.ରେ ରହିବାକୁ ହେବ । ମାଙ୍କ ହାତରେ କିଛି ଟଙ୍କା ବଢ଼ାଇଦେଇ ପହରଦିନ ସକାଳୁ ସକାଳୁ ଫେରି ଆସିବି କହି ଅପରାହ୍ନ ଚାରିଟା ବେଳେ ମୁଁ ବାହାରି ପଡ଼ିଲି ଗାଁ ଆଡେ଼ । କାରଣ ଘରେ ଲତା ଦଶଦିନ ହେବ ଏକୁଟିଆ ଥିଲା । ପୁଅର ଚିନ୍ତାରେ ଠିକ୍ ରୂପେ ଖାଉଥିବ କି ନାହିଁ, ତା ଖବର ଅନ୍ତର ନେବାକୁ ମୋର ଆଉ ସମୟ ହୋଇ ନ ଥିଲା । ଏ ଦଶ ଦିନ ମଧ୍ୟରେ ଥରେ କେବଳ ଗାଁ ଆଡେ଼ ଯାଇଥିଲି ଅପରେସନ୍ ଟଙ୍କା ବାବଦରେ । ବସ୍ ଯାଇ ଗାଁରେ ପହଞ୍ଚିଲା ବେଳକୁ ରାତି ଦଶଟା ବାଜି ସାରିଥିଲା । ଅନ୍ଧାରରେ ବ୍ୟାଗ୍ ଧରି ଗାଁ ଛକରେ ଓହ୍ଲାଇପଡ଼ିଲି ।

ଛକଠାରୁ ଗାଁ ଭିତରଟା ଅଧା କିଲୋମିଟର ବାଟ ହେବ । ରାସ୍ତା ସମ୍ପୂର୍ଣ୍ଣ ନିର୍ଜନ ଥିଲା । ଦୂରରେ ମଶାଣୀରେ କାହାର ଶେଷ କାଠରେ ନିଆଁ ଜଳୁଥିଲା ଦିକି ଦିକି ହୋଇ । ଏ ଶୀତ ରାତିରେ ଅନାଥର ବାପା ମରିଗଲା କି ଆଉ? ରାସ୍ତାରେ କିଏ ଜଣେ ବିଡ଼ି ପିଇ ପିଇ ଯାଉଛି । ମୁଁ ଟିକିଏ ପାଟି କରି ଡାକିଲି, ସନାତନ କିରେ? ପାଦଶବ୍ଦ ମନ୍ଥର ହେଲା ।

ଆରେ ମାଷ୍ଟ୍ରେ, ଆପଣେ? ପୁଅର ଦିହ ପା କେମିତି ଅଛି? ଅପରେସନ ହେଲାତ?

ହଁ, ହଁ ସବୁ ଠିକ୍ ଠାକ୍ ହେଇଗଲା । ଆଛା, ଆଜି କିଏ ମରିଗଲା କିରେ?

ସନାତନ ଟିକିଏ ଛଳଛଳ ହୋଇଗଲା ।

ମାଷ୍ଟ୍ରେ, ଆପଣେ ସିନା ତାକୁ ନାନା କଥା କହି ମାରିପିଟି ସେଦିନ ଘରୁ ବାହାର କରିଦେଇଥିଲେ, ତା ବାପା ମଧ୍ୟ ନ ବୁଝି ନ ଶୁଝି ତାକୁ ତ୍ୟେଜ୍ୟପୁତ୍ର କରିଦେଲା । ହେଲେ ବୁଝିଲ ମାଷ୍ଟ୍ରେ, ତା ଦ୍ୱାରା କିଛି ଭୁଲ୍ ହେଇପାରେ ଏ ମନ କେଭେଁ ମାନିନାହିଁ ।

କାହା କଥା କହୁଛୁ?

ରଘୁନାଥେ, ମାଷ୍ଟ୍ରେ । ରଘୁନାଥ ମହାପାତ୍ର କଥା କହୁଛି । ଯାହା ଶୁଣିଛି, କାଲି ରାତିରେ କୋଉଠୁ ଟେଲିଫୋନ୍ ପାଇଲା ପରେ ରଘୁନାଥେ ଖୁବ୍ କାନ୍ଦିଥିଲା। ଆଉ ଧଡ୍.ପଡ୍ ହୋଇ କିଛି ଟଙ୍କା ଧରି କାର୍.ରେ ବାହାରି ପଡ଼ିଥିଲା ରାତି ୭ଟା ୮ଟା ବେଳେ । ବାଟରେ ତା କାର୍ କୋଉ ଏକ ଟ୍ରକ୍ ସହ ମୁହାଁମୁହିଁ ହେଲା ଆଉ ଘଟଣା ସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲା ।

ମୁଁ ଯେମିତି ନିର୍ବାକ୍ ହୋଇଗଲି । ରଘୁନାଥ ମରିଗଲା! ବିଶ୍ଵାସ କରିପାରୁନଥିଲି କଥାଟା । ରଘୁନାଥ ଯଦି ମରିଗଲା, ତେବେ କାଲି ରାତି ମୁଁ କାହା ସହିତ କଥା ହେଲି! କାହାଠାରୁ ଟଙ୍କା ନେଲି! ମୁଣ୍ଡ ମୋର ଚକ୍କର କାଟିଦେଲା । ଶୁନ୍ୟଦୃଷ୍ଟି ତୋଳି ଚାହିଁଲି ସନାତନ ଆଡ଼କୁ ।

ବୁଝିଲ ମାଷ୍ଟ୍ରେ, ସନାତନ କହି ଚାଲିଥିଲା, ସେ ନେଇଥିବା ଟଙ୍କା ଯେମିତି ଘରଠାରୁ ମାତ୍ର କିଛି ଗଜ ଯିବା ଭିତରେ ଉଭାନ୍ ହୋଇଯାଇଥିଲା । ଘଟଣାସ୍ଥଳରେ ତାଙ୍କ ବ୍ୟାଗ୍.ରୁ କୌଣସି ଟଙ୍କା ବାହାରି ନ ଥିଲା । ଅଥଚ ତାଙ୍କ ମ୍ୟାନେଜର କୁହେ ସେ ନିଜେ ଦୁଇଲକ୍ଷ ଟଙ୍କା ଗଣି ଦେଇଛି ରଘୁନାଥେଙ୍କୁ । ପୋଷ୍ଟମର୍ଟମ ସବୁ ସରି ଶବ ଆଣିଲା ବେଳକୁ ଆଜି ସଞ୍ଜ ହେଇ ସାରିଥିଲା । ମଲାପରେ କି ରାଗରୁଷା ମାଷ୍ଟ୍ରେ । ତା ବାପା ନିଜେ ଦୌଡ଼ା ଦୌଡ଼ି କରି ପୋଲିସକୁ, ଡାକ୍ତରକୁ ପଇସାପତ୍ର ଦେଇ ପୁଅର ଶବକୁ ଭଡ଼ାଗାଡ଼ିରେ ଆଣି ଆସିଲା । ବୁଝିଲ ମାଷ୍ଟ୍ରେ...

ମୋ କାନକୁ ଆଉ କିଛି ଶୁଭୁନଥିଲା କି ମୁଣ୍ଡକୁ କିଛି ବୁଝୁନଥିଲା । ମୁଁ ଯେମିତି ହିତାହିତ ଜ୍ଞାନ ହରାଇ ବସିଥିଲି ।

କାନରେ ପ୍ରତିଧ୍ୱନୀତ ହେଉଥିଲା ରଘୁର କଥା, ରାମ, ମୁଁ ତୋତେ କେବେ ବି ଭୁଲ୍ ବୁଝିନାହିଁ । ଆଉ ତୋ ମନରେ ବି ମୋ ପ୍ରତି ଥିବା ଅସୂୟା ଭାବ କଟିଯିବ, କାଲି ତୁ ଗାଁରେ ପହଞ୍ଚିଲା ପରେ ।

ମୁଁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଘରେ ଯାଇ ପହଞ୍ଚିଲି । ଦରଜା ବନ୍ଦ ଥିଲା । ନକ୍ କରିବାକୁ ହାତ ଉଠାଉଥିଲି, ପୁଣି କଣ ଭାବି ଅଟକିଗଲି । ଘରର ଗଳି ରାସ୍ତା ଦେଇ ବାରିରେ ପହଞ୍ଚି ଦେଖେ ବାରି କବାଟ ଆଉଜା ହୋଇଛି । ଟିକିଏ ଠେଲି ଦେବାରେ କବାଟ ଖୋଲିଗଲା । ବ୍ୟାଗ୍.କୁ ସେଇଠି ରଖିଦେଇ ଭିତର ଘର ଆଡ଼କୁ ପାଦେ ପାଦେ ଆଗେଇବାକୁ ଲାଗିଲି । ଶୋଇବା ଘର ସମ୍ମୁଖରେ ପାଦଯୋଡ଼ାକ ମୋର ଆପେ ଆପେ ଅଟକିଗଲା । କାହାର ଫୁସ୍.ଫାସ୍ କଥାବାର୍ତ୍ତା କାନରେ ପଡ଼ିଲା । କଥାବାର୍ତ୍ତା ତ ନୁହେଁ କିଛି ଆନନ୍ଦ ଅନୁଭବର ସିତ୍କାର ।

ଆଃ...

ଉଁ...

ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ଧଡ଼ାସ୍ କରି କବାଟକୁ ଲାତ ମାରି ଠେଲି ଦେଲି । ଯାହାଦେଖିଲି, ସେଥିରେ ଚକ୍ଷୁ ମୋର ଲୋତକପୂର୍ଣ୍ଣ ହୋଇଗଲା । ଦୁଇଟି ନଗ୍ନ ଶରୀର ସୁଦୁ ଚଟାଣ ଉପରେ ଗଡ଼ତଡ଼ ହେଉଥିଲେ । କବାଟର ଧକ୍କା ଶବ୍ଦରେ ଦୁଇଟି ମୁହଁ ଏକାବେଳେ ଘୁରିଆସିଲା ସାମ୍ନା ଆଡ଼କୁ ।

ହାଃ ଲତା... କହି ମୁଁ ମୁଣ୍ଡରେ ହାତ ଦେଇ ବସିପଡ଼ିଲି ।

କାନରେ ଶୁଭୁଥିଲା ପ୍ରତିଧ୍ୱନୀ, ବୁଝିଲ ମାଷ୍ଟ୍ରେ, ତା ଦ୍ୱାରା କିଛି ଭୁଲ୍ ହେଇପାରେ ଏ ମନ କେଭେଁ ମାନିନାହିଁ ।

ପାଟିରୁ ମୋର ବାହାରି ଆସିଲା, ମନ ତ ମୋର ବି କେବେ ମାନିନଥିଲା ରେ... ।

ଟି.ଦୁର୍ଗା ପ୍ରସାଦ ରାଓ

ଅପରେସନ୍ ସଞ୍ଜ ସନାତନ

Rate the content


Originality
Flow
Language
Cover design

Comments

Post

Some text some message..