Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others

5.0  

T.Durga Prasad Rao

Others

ଶେଷ ସୋପାନ

ଶେଷ ସୋପାନ

6 mins
450


ଶେଷ ସୋପାନ


ବାଇମନ

ଅଢ଼େଇ ଦିନିଆ ଏ ଜୀବନ

ରାମ ନାମ ନ ଭଜିଲେ କୃଷ୍ଣ ନାମ ନ ଭଜିଲେ

ବୃଥା ଯିବ ତୋ’ ଏ ଜନମ

ରେ ବାଇମନ...


- ମା... ମା... ପୁଣି ସେଇ ବାବା ଆସିଛନ୍ତି। ଦାଣ୍ଡ ପିଣ୍ଡା ଖରକି ଆସି ସୁଲି ବଡ଼ ପାଟିରେ ଶୁଣାଇଦେଲା ପ୍ରିତିଦେବୀଙ୍କୁ।

ପ୍ରିତିଦେବୀ ଘଡ଼ିଏ ଅନ୍ୟମନସ୍କ ହୋଇଗଲେ। ପ୍ରତି ଶନିବାର ହେଲେ ବାବା ଏଇ ଦ୍ୱିପହରଟାରେ ପହଞ୍ଚିଯାନ୍ତି ଗୀତ ଗାଇ ଗାଇ। ମୁହଁ ଯାକ ତାଙ୍କର ଦାଢ଼ୀ ଭର୍ତ୍ତି। ମୁଣ୍ଡର ବାଳ ଜଟା। ଅଣ୍ଟା ତଳକୁ ପିନ୍ଧିଥାନ୍ତି ଗେରୁଆ ଲୁଗା। ଆଉ ଗୋଟିଏ ଗୁଡ଼େଇ ହୋଇଥାନ୍ତି ଦେହରେ। ଗୀତ ଗାଇ ଦୁଆର ମୁହଁରେ ଅପେକ୍ଷା କରନ୍ତି କିଛି ସମୟ। କେହି ଶୁଣିଲେ ଭଲ କଥା। ନହେଲେ ପୁଣି ଗୀତ ଗାଇ ଗାଇ ଚାଲିଯାଆନ୍ତି। ଆଉ କେଉଁ ଘର ଦୁଆରେ ଅଟକନ୍ତି ନାହିଁ। ହାତଗୋଡ଼ ଥାଇ ଠିକ୍ ଭାବରେ ଚଳପ୍ରଚଳ ହୋଇ ପାରୁଥିବା ଲୋକ ଭିକ୍ଷା ମାଗି ବୁଲିଲେ ଭାରି ଚିଡ଼ନ୍ତି ପ୍ରିତିଦେବୀ। ସେଭଳି ଲୋକଙ୍କୁ ଦାନ ଧର୍ମ କରିବାକୁ ତାଙ୍କର ଆଦୌ ମନ ହୁଏ ନାହିଁ। ସେ ବାବା ହୁଅନ୍ତୁ ଅବା ସାଧାରଣ ଭିକାରୀ। ପ୍ରଥମେ ପ୍ରଥମେ ଖାଲି ହାତରେ ଯିବାକୁ ହେଉଥିଲା ବାବାଙ୍କୁ। ଏବେ କିନ୍ତୁ ପ୍ରିତିଦେବୀଙ୍କର କଣ ମନ ହୁଏ କେଜାଣି କେଉଁଦିନ ଚାଉଳ ଗଣ୍ଡାଏ ତା ସହ କିଛି ପରିବା ସୁଲି ହାତରେ ପଠାଇ ଦିଅନ୍ତି। ଆଉ ବେଳେ ବେଳେ କଦଳୀ ପତ୍ରରେ କିଛି ଭୋଜନ ମଧ୍ୟ ଦେଇ ସୁଲିକୁ ବାଢ଼ି ଆସିବାକୁ କୁହନ୍ତି। ବାବାଙ୍କୁ ଅତି ନିକଟରୁ କେବେ ଦେଖି ନାହାନ୍ତି ପ୍ରିତିଦେବୀ। ଆବଶ୍ୟକତା ମନେ କରିନାହାନ୍ତି। ଘର ଭିତରୁ ଯାହା ତାଙ୍କର ବେଶଭୁଷା ତାଙ୍କ ଆଖିରେ ପଡ଼େ। ବାବାଙ୍କର କିନ୍ତୁ ଖାଇବା ଠେଇଁ ମନ ନ ଥାଏ। ସେ ଖାଇବା ବାହାନାରେ ଘର ଭିତରକୁ ଚାହିଁ ରହନ୍ତି ଅଧିକାଂଶ ସମୟ। ସତେ କି ତାଙ୍କ ନୟନଦ୍ୱୟ କାହା ଦର୍ଶନାର୍ଥେ ତୃଷାର୍ତ୍ତ।

ପ୍ରିତିଦେବୀଙ୍କ ପରିବାର କହିଲେ ସ୍ୱାମୀ ନିତ୍ୟାନନ୍ଦ, ଝିଅ ପ୍ରତ୍ୟାଶା। ଆଉ ହଁ, ସୁଲି ମଧ୍ୟ ତାଙ୍କ ପରିବାରର ଜଣେ ସଦସ୍ୟା। ଘରର ପ୍ରତିଟି କାମରେ ସେ ସାହାଯ୍ୟ କରେ ପ୍ରିତିଦେବୀଙ୍କୁ। ସୁଲିର ମାଆ ମଲାପରେ ପିଲାଟି ଦିନରୁ ଏ ପରିବାରରେ ସେ ତାର ମାଆର ଦାୟିତ୍ୱ ନିର୍ବାହ କରିଆସିଛି ପ୍ରିତିଦେବୀଙ୍କ ପ୍ରତି ଛୋଟମୋଟ କଥାରେ ହାତବାରସୀ ହୋଇ। ପ୍ରିତିଦେବୀ ତାକୁ ନିଜର ଝିଅ ପରି ମନେ କରନ୍ତି। ଏମାନଙ୍କ ବାଦ୍ ଆଉ ଜଣେ ସଦସ୍ୟଙ୍କର ଫଟୋ ପ୍ରିତିଦେବୀଙ୍କ ଶୟନକକ୍ଷର କାନ୍ଥରେ ଟଙ୍ଗା ହୋଇଥାଏ। ସେ ହେଲା ତାଙ୍କର ପୁତ୍ର ପ୍ରତ୍ୟୁଷ। ପ୍ରତ୍ୟୁଷକୁ ଯେତେବେଳେ ପନ୍ଦର ବର୍ଷ ବୟସ, ହଠାତ୍ ଦିନେ ସେ କେଉଁ ଆଡ଼େ ଚାଲିଗଲା କେହି ଜାଣିପାରିଲେ ନାହିଁ। ପ୍ରିତିଦେବୀ ଓ ନିତ୍ୟାନନ୍ଦବାବୁ ବହୁତ ଖୋଜାଖୋଜି କଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ସେଇ ଚିନ୍ତାରେ ଅନେକ ଦିନ ପର୍ଯ୍ୟନ୍ତ ପ୍ରିତିଦେବୀ ମଉନ ଓ ବିଷାଦଗ୍ରସ୍ତ ରହିଲେ। ସ୍ମୃତି ସ୍ୱରୂପ ପ୍ରିତିଦେବୀଙ୍କ ଶୟନକକ୍ଷରେ ଝୁଲୁଛି ପ୍ରତ୍ୟୁଷର ବାଳୁତ ସମୟର ଫଟୋଟିଏ। ଶୋଇବା ପୂର୍ବରୁ ବହୁତ ସମୟ ନିଠେଇ ଚାହାଁନ୍ତି ପ୍ରିତିଦେବୀ। ଚକ୍ଷୁ ଛଳ ଛଳ କରି ଅନେକ କଥା ହୁଅନ୍ତି ସେଇ ଫଟୋ ସହିତ।

ନିତ୍ୟାନନ୍ଦବାବୁ ପେଶାରେ ଜଣେ ବନ ବିଭାଗ କର୍ମଚାରୀ। ସକାଳୁ ବାହାରି ପଡ଼ିଲେ ଫେରୁ ଫେରୁ ତାଙ୍କର ରାତି ସାତ ଆଠ ବାଜିଯାଏ। ଦିନଯାକର କ୍ଳାନ୍ତି ଯୋଗୁଁ ସେ ଶୀଘ୍ର ଖାଇ ପିଇ ଶୋଇଯାଆନ୍ତି। କହିବାକୁ ଗଲେ ଘରର ଯାବତୀୟ କାମ ରନ୍ଧାବଢ଼ା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ, ମହତ ମର୍ଯ୍ୟାଦା, ସାଇପଡ଼ିଶାଙ୍କ ହାନିଲାଭ, ଝିଅର ପଢ଼ାପଢ଼ି ପ୍ରତିଟି କଥା ପ୍ରିତିଦେବୀଙ୍କୁ ହିଁ ବୁଝିବାକୁ ପଡ଼େ। ନିତ୍ୟାନନ୍ଦବାବୁଙ୍କ ପାଖରେ ଏସବୁ ପାଇଁ ସମୟ ନ ଥାଏ।

ଝିଅ ପ୍ରତ୍ୟାଶା କଲେଜରେ ପଢେ। ଦେଖିବାକୁ ଖୁବ୍ ସୁନ୍ଦର। ଈଷତ୍ ଲମ୍ବା ମୁହଁରେ ନୀଳ ନୀଳ ଆୟତକାର ଆଖି। ପତଳା, ଗୋରା ଦେହ। ପଦ୍ମନାଡ଼ ପରି ସରୁ ସରୁ ହାତ। ଚମ୍ପାକଢ଼ି ପରି ଅଙ୍ଗୁଳି। ଅଳ୍ପ ମୁଖ ପ୍ରସାଧାନ ସହ ମୁକୁଳା କେଶରେ ମନଲାଖି କ୍ଳିପ୍ ଟିଏ ଲଗାଇ ବାହାରିଯାଏ କଲେଜକୁ। ପ୍ରତିଦିନ ପ୍ରତ୍ୟାଶାକୁ ଦେଖିବାକୁ ସମୟ ଆଗରୁ ପୁଅମାନଙ୍କର ଭିଡ଼ ଲାଗେ କଲେଜ ହତା ପାଖରେ। ତାକୁ ପାଇବାକୁ ତାଙ୍କ ଭିତରେ ଚାଲେ ପ୍ରତିଯୋଗୀତା। ପ୍ରତ୍ୟାଶା ସବୁ ଜାଣି ମଧ୍ୟ ଅଣଦେଖା କରେ। ତାର କେବଳ ଧ୍ୟାନ ଥାଏ ପଢ଼ାପଢ଼ିରେ। ତଥାପି ପ୍ରିତିଦେବୀ କାହିଁକି କେଜାଣି ନିଶ୍ଚିନ୍ତ ହୋଇପାରନ୍ତି ନାହିଁ ପ୍ରତ୍ୟାଶାକୁ କଲେଜକୁ ଛାଡ଼ିଦେଇ। ପ୍ରତ୍ୟାଶାର ଘର ଛାଡ଼ିବା ଠାରୁ ପୁଣି ଘରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କର ମନଟା ସେଇଠି ଅଟକି ଥାଏ। ତା ଭିତରେ ପୁଣି ଯୁବା ବାବାଜୀଙ୍କ ପ୍ରତି ସପ୍ତାହ ଶନିବାରରେ ଆଗମନ ତାଙ୍କ ମନକୁ ଥରେ ଥରେ ଓଜନିଆ କରିଦିଏ। କାରଣ ଶନିବାର ଦିନଟି କମ୍ ପିରିୟଡ୍ ଥିବା ଯୋଗୁଁ ପ୍ରତ୍ୟାଶା ଶୀଘ୍ର ଚାଲିଆସେ କଲେଜରୁ। ଇତିମଧ୍ୟରେ ବାବାଜୀଙ୍କ ଘର ଭିତରକୁ ଚାହିଁ ରହିବା କଥା ସୁଲି ତାଙ୍କୁ କେତେଥର କହି ସାରିଲାଣି। ପ୍ରଥମେ ପ୍ରଥମେ ପ୍ରିତିଦେବୀଙ୍କୁ ଲାଗୁଥିଲା ବାବାଜୀ ଜଣକ ମୁଠେ କିଛି ପାଇଯିବା ଆଶାରେ ଘର ଭିତରକୁ ଚାହିଁ ରହିଛନ୍ତି ବୋଲି। କିନ୍ତୁ ଏବେ ତାଙ୍କୁ ସନ୍ଦେହ ମାଡ଼ି ବସିଲାଣି। ବାବାଜୀଙ୍କ ହାବଭାବରେ ସେମିତି କିଛି ଅସତ୍ ଉଦ୍ଦେଶ୍ୟ ଥିଲା ପରି ମନେ ନ ହେଲେ ମଧ୍ୟ ଗୋଟିଏ ଝିଅର ମାଆ ହିସାବରେ ସେ ସର୍ବଦା ସତର୍କ। ପୁଅ ଯିବା ପରେ ତାଙ୍କର ସବୁ ସ୍ନେହ ଆଦର କେନ୍ଦ୍ରୀଭୁତ ହୋଇଛି ଝିଅ ଠାରେ। ପ୍ରତ୍ୟାଶା ତାଙ୍କର ନୟନ ପିତୁଳା। ତାର ପ୍ରତି ଯଥାର୍ଥ ଅଳି ଅର୍ଦ୍ଦଳିକୁ ବିନା ଦ୍ୱିଧାରେ ପୂରଣ କରନ୍ତି ପ୍ରିତିଦେବୀ। ତଥାପି କେଉଁଠି କେମିତି ପ୍ରତ୍ୟୁଷ ଫେରି ଆସିବାର କାଣିଚାଏ ଆଶାଟିଏ ତାଙ୍କ ମନରେ ଉଜ୍ଜିବୀତ ରହିଛି ଦୀର୍ଘ ପନ୍ଦର ବର୍ଷ ଧରି।

ପ୍ରିତିଦେବୀ ଘର ଭିତରୁ ବେଳେ ବେଳେ ଲକ୍ଷ୍ୟ କରନ୍ତି ଆଜିକାଲି ପ୍ରତ୍ୟାଶାର ଫେରିବା ସମୟ ସହିତ ବାବାଙ୍କ ଆସିବା ସମୟ ମେଳ ଖାଇଯାଏ। ଯେମିତି ବାବା ଦୂରରୁ ପ୍ରତ୍ୟାଶାକୁ ଦେଖି ତାଙ୍କ ଦୁଆର ମୁହଁ ମାଡ଼ନ୍ତି। ଏହାକୁ ତୁଚ୍ଛା ସଂଯୋଗ ବୋଲି ଗ୍ରହଣ କରି ପାରନ୍ତିନି ପ୍ରିତିଦେବୀ। ପ୍ରତ୍ୟାଶା ଥରେ ଥରେ ଦାଣ୍ଡପିଣ୍ଡାରେ ଠିଆ ହୋଇ ବାବାଙ୍କ ସହ ହସି ହସି କଣ ସବୁ କଥା ହୁଏ। ବାବା ବି ମୁହଁ ଖୋଲି ଉତ୍ତର ଦିଅନ୍ତି। ଘର ଭିତରୁ ପ୍ରିତିଦେବୀ କେବଳ ଦେଖନ୍ତି, କିଛି ଶୁଣି ପାରନ୍ତି ନାହିଁ। ପ୍ରତ୍ୟାଶାକୁ ପଚାରି ପାରନ୍ତି ନାହିଁ ଏ ବିଷୟରେ। ପଚାରୁ ପଚାରୁ ଯଦି ସ୍ୱର ତାଙ୍କର ଉଚ୍ଚା ହୋଇଯାଏ। ଅସହିଷ୍ଣୁତା ଓ ବିରକ୍ତିରେ ଯଦି ଝିଅ ଉପରେ ଚିଡ୍ ଚିଡ୍ ହୋଇ ଉଠନ୍ତି। ଝିଅ ମନରେ ଦୁଃଖ ହେବ, କିଛି ଅଲଗା ଭାବିବ ସେ। ଯାହା ହେଲେ ବି ଝିଅ ନିଜ କଥା ନିଜେ ବୁଝିବାକୁ ସକ୍ଷମ ହେଲାଣି। ଏତେଟା ଆକଟ ତା ମନକୁ ନିହାତି କଷ୍ଟ ଦେବ।

ହେଲେ ପ୍ରିତିଦେବୀ ଯେତିକି ଭାବନ୍ତି କାହାକୁ କହି ନ ପାରି ନିଜ ଭିତରେ ସେତିକି ଘାଣ୍ଟି ହୁଅନ୍ତି, କଷ୍ଟ ପାଆନ୍ତି। ପୁଅ ତାଙ୍କୁ ଛାଡ଼ି ଯାଇଛି। ଝିଅ ବି ଯଦି ସେମିତି କିଛି ରାସ୍ତା ଆପଣାଏ, ତାହେଲେ ସେ କାହାପାଇଁ ବଞ୍ଚିବେ, କାହିଁକି ବା ବଞ୍ଚିବେ।

ସେଦିନ ପ୍ରିତିଦେବୀ ଲକ୍ଷ୍ୟ କଲେ ଝିଅ କଲେଜରୁ ଫେରି ଘର ଭିତରେ ନ ପଶି ଦାଣ୍ଡପିଣ୍ଡାଟାରେ ଟହଲୁଛି। ସତେ କି କାହାକୁ ଅପେକ୍ଷା କରି ରହିଛି। କିଏ ଯେମିତି କଥା ଦେଇ ଆସିନାହିଁ ଏ ଯାବତ୍। ଉଦ୍ବିଗ୍ନତା ତା ମୁହଁରେ ସ୍ପଷ୍ଟ ରୂପେ ଫୁଟି ଉଠୁଛି। ପ୍ରିତିଦେବୀ ଚମକି ଉଠିଲେ। ଝିଅ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ। ହେଲେ ଏ ନିଆଁ ଲଗା ବୟସ ଉପରେ ତାଙ୍କର ଜମା ବିଶ୍ୱାସ ନାହିଁ। କେତେବେଳେ କୋଉ କଥା କରେଇବ କିଛି କହି ହେବ ନାହିଁ।

- ମା... ବାବା ଆସିଲେଣି। ସୁଲିର ଡାକରେ ପ୍ରିତିଦେବୀ ପ୍ରକୃତିସ୍ଥ ହେଲେ। ଚାହିଁ ଦେଖିଲେ ପ୍ରତ୍ୟାଶା ମୁହଁରେ ପ୍ରସନ୍ନତା ଖେଳି ଯାଇଛି। ସେ କଣ ସବୁ କଥା ହେଉଛି ବାବାଙ୍କ ସହ। ପ୍ରିତିଦେବୀ ଅନ୍ୟମନସ୍କ ଭାବରେ ପହଞ୍ଚିଲେ ରୋଷେଇ ଘରେ । ନାନା ସୁସ୍ୱାଦୁ ଖାଦ୍ୟ କଦଳୀପତ୍ରରେ ପରଷି ଦେଇ ଥରିଲା ହାତରେ ତାଙ୍କର ପଣତ କାନିରୁ ଛୋଟ କାଗଜ ପୁଡ଼ିଆଟିଏ ବାହାର କରି କିଛି ଗୁଣ୍ଡ ସୁଲିର ଅଲକ୍ଷ୍ୟରେ ସେଇ ଖାଦ୍ୟ ଉପରେ ବିଞ୍ଚିଦେଲେ। ତାପରେ ସୁଲିକୁ ଡାକି ତା ହାତକୁ ବଢ଼ାଇ ଦେଲେ କଦଳୀ ପତ୍ର। ହାତ ତାଙ୍କର ଥରୁଥାଏ ଏକ ନିଶ୍ଚିତ ଅପରାଧବୋଧରେ। ସେ ତର ତର ହୋଇ ନିଜ ଶୋଇବା ଘରକୁ ଚାଲିଗଲେ। ପ୍ରତ୍ୟାଶା ଶୟନ କକ୍ଷରେ ପ୍ରବେଶ କରୁ କରୁ କହିଲା, ବୋଉ... ବାବା ଜଣକ ମହାଜ୍ଞାନୀ। ହେଲେ ତାଙ୍କୁ କିଛି ଗୋଟିଏ କଥା ନିଶ୍ଚୟ ଅଟକେଇ ରଖିଛି ଏ ଜନପଦରେ। କଥା ଆରମ୍ଭ ହୋଇଛି ଦେଖି ପ୍ରିତିଦେବୀ ପଚାରିଲେ, ତୁ ତାଙ୍କ ସହ କଣ କଥା ହେଉଥିଲୁ ଏତେ ସମୟ?

- କିଏ ମୁଁ?

- ହଁ।

- ମୁଁ କଲେଜରୁ ଫେରିଲା ଠାରୁ ମୋର ଗୋଟିଏ ସନ୍ଦେହ ବସା ବାନ୍ଧିଥିଲା ମନରେ। ଏଇ ଯାହା କହିଲି...। ବାବାଙ୍କୁ ଆସୁ ଆସୁ ପଚାରିଲି, ବାବା ଆପଣ ତ ସିଦ୍ଧ ପୁରୁଷ ମନେ ହେଉଛନ୍ତି। ସବୁ କଥାରେ ଅବିଚଳିତ। ଏ ଜନପଦରେ କଣ କରୁଛନ୍ତି? ଆପଣଙ୍କୁ ତ ହିମାଳୟର କେଉଁ ଏକ ଗୁମ୍ଫାରେ ତପସ୍ୟାରତ ରହିବା କଥା।

- ସତେ କଣ ଏୟା ପଚାରିଲୁ?

- ହଁ, ଶୁଣୁନ... ବାବା କଣ ଉତ୍ତର ଦେଲେ ଜାଣିଛ?

- କଣ?

- କେତେ ସାରଗର୍ଭକ ସେ କଥା, ମୋତେ ଠିକ୍ ରେ ବୁଝିଲା ନାହିଁ। ଖାଲି ଏତିକି ବୁଝିଲି ଭଗବାନଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ ମାଆଙ୍କ ଆଶିଷ ଆବଶ୍ୟକ। ସେ କହିଲେ, ମାଆରେ... କିଛି ମୋହ ଭୁଲି ମଧ୍ୟ ଭୁଲି ହୁଏ ନାହିଁ, କିଛି ମୋହ ବୁଝି ମଧ୍ୟ ବୁଝି ହୁଏ ନାହିଁ। ଶିଡ଼ିର ସବୁତକ ସୋପାନ ପାର କରି ସାରିଥିଲେ ମଧ୍ୟ ଶେଷ ସୋପାନ ଏବେ ବି ଅପହଞ୍ଚ। ଶେଷ ସୋପାନଟି ପାର ନ ହେଲା ପର୍ଯ୍ୟନ୍ତ ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ରୂପେ ବୁଝିବା ଅସମ୍ଭବ। ସେହି ଶେଷ ସୋପାନରେ ଅବସ୍ଥିତ ଦେବୀଙ୍କ ଅନୁମତି ବିନା ଲୀଳାମୟ ପରମାତ୍ମା ନାରାୟଣଙ୍କ ଦର୍ଶନ ଅସମ୍ଭବ। ସେଇ ଦେବୀଙ୍କ ଅନୁମତି ଆକାଂକ୍ଷେ ଅପେକ୍ଷାରତ ଏ ଯୋଗୀ। ସେଇ ମାଆଙ୍କ କରୁଣା ପ୍ରାପ୍ତି ହେଲେ ଏ ଯୋଗୀର ସଂସାରକୁ ଆସିବା ସାର୍ଥକ ହୋଇଯିବ। ପରମାତ୍ମାଙ୍କୁ ନିଜର କରିବାକୁ ହେଲେ ମାଆ ହିଁ ଶିଡ଼ିର ଶେଷ ସୋପାନ।

ପ୍ରିତିଦେବୀ କଣ ବୁଝିଲେ କେଜାଣି ଶୋଇବା ଜାଗାରୁ ଧଡ଼ପଡ଼ ହୋଇ ଉଠି ପଡ଼ିଲେ। ପାଗଳୀଙ୍କ ପରି ଦଉଡ଼ିଗଲେ ବଖରା ପରେ ବଖରା ପାର ହୋଇ ଦାଣ୍ଡପିଣ୍ଡାକୁ। ବାବା ଭୋଜନ ନେଇ ସାରିଲା ପରେ ସୁଲି ଫେରି ଆସୁଥିଲା ଘର ଭିତରକୁ। ଧକ୍କା ଖାଇଗଲେ ପ୍ରିତିଦେବୀ। ଆଶ୍ଚର୍ଯ୍ୟ ସୁଲି। ପଡ଼ି ଉଠି ପ୍ରିତିଦେବୀ ପୁଣି ଦଉଡ଼ିଲେ ବାବାଙ୍କ ପାଖକୁ। ବାବା ସେତେବେଳକୁ ଭୋଜନ ସାରି ପରମ ତୃପ୍ତିର ସହ ଆଖି ବୁଜି ବିଶ୍ରାମ ନେଉଥିଲେ ପଥ ଧାରରେ ପିଣ଼୍ଡାକୁ ଆଉଜି। ପାଖକୁ ଯାଇ ନିରେଖି ଚାହିଁଲେ ପ୍ରିତିଦେବୀ। ତାପରେ ଟାଣି ଦେଲେ ତାଙ୍କର ଗୈରିକ ଉତ୍ତରୀୟ। ଛାତି ଉପରେ ଚାରି ଅଙ୍ଗୁଳି ଲମ୍ବର କଟା ଦାଗ ଦେଖି ଦୁଇ ପାଦ ପଛକୁ ଘୁଞ୍ଚି ସ୍ତବ୍ଧ ହୋଇଗଲେ ସେ।

ପାଟିରୁ ତାଙ୍କର ବାହାରି ଆସିଲା, ପ୍ରତ୍ୟୁଷ!

ଉତ୍ତରୀୟର ଚାପରେ ବାବାଙ୍କର ପ୍ରସନ୍ନ ମୁହଁଟି ଧିରେ ଧିରେ ଢ଼ଳି ପଡ଼ିଲା ଗୋଟିଏ କଡ଼କୁ। ସୁଲି ଆଉ ପ୍ରତ୍ୟାଶା ମୁହଁରେ ଭାଷା ନ ଥିଲା। ଖଣ୍ଡେ ଦୂରରେ ସେ ଦୁହେଁ ପ୍ରସ୍ତର ସମ ଠିଆ ହୋଇଥିଲେ। ବାତାବରଣରେ ପ୍ରତିଧ୍ୱନୀତ ହେଉଥିଲା ବାବାଙ୍କର ଗୀତର କିଛି ପଂକ୍ତି-

ବାଇମନ

ଅଢ଼େଇ ଦିନିଆ ଏ ଜୀବନ...


ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in