କଟା ଗୁଡ଼ି
କଟା ଗୁଡ଼ି
ସରିତା ହାତରେ ଲଟେଇ ଓ ଗୁଡ଼ି ଧରି ପାଦ ଚାପି ଚାପି ଛାତ ଉପରକୁ ଆସିଗଲା। ନା . କେହି କୁଆଡ଼େ ନାହାନ୍ତି। ସକାଳ ହେବାକୁ ଆଉ ଟିକେ ଡେରି ଅଛି। ଏଇଟା ହିଁ ଉପଯୁକ୍ତ ମାହେନ୍ଦ୍ର ବେଳା। ଲମ୍ବିଥିବା କାନିଟିକୁ ଟାଣି ନେଇ ସେ ଅଣ୍ଟାରେ ବାନ୍ଧିଲା। ଲଟେଇରୁ ଧୀରେ ଧୀରେ ସୁତାକୁ ଛାଡ଼ିବାକୁ ଲାଗିଲା। ଗୁଡ଼ିଟି ପବନର ଗତି ସାଙ୍ଗେ ତାଳ ଦେଇ ସରର୍ ସର୍ କରି ଆକାଶରେ ଉଡ଼ିଗଲା ଆଉ ସାଥିରେ ନେଇଗଲା ସରିତାର ମନକୁ, ତା ଇଚ୍ଛାକୁ, ତା ସ୍ୱପ୍ନକୁ।
ସରିତା ନିଜେ ଗୁଡ଼ିଟିଏ ହେଇ ଆକାଶରେ ଉଡ଼ିବାକୁ ଲାଗିଲା। ଆଃ-- ଆଃ- ଆକାଶରେ ଉଡ଼ିବାରେ କି ମଜା। ଧଳା ଧଳା ବାଦଲ, ଥଣ୍ଡା ଥଣ୍ଡା ପବନ ତା ମନକୁ ଖୁସିରେ ଜାବୁଡ଼ି ଧରୁଥିଲେ। ଏତେ ବଡ଼ ପୃଥୀବିଟି ଆକାଶ ଉପରୁ ଆଜି ଛୋଟିଆ ପେଣ୍ଡୁଟିଏ ପରି ଲାଗୁଥିଲା ଯାହାକୁ ସେ ନିଜ ଇଛା ମୁତାବକ ଗଡ଼େଇ ପାରିବ। ସେ ଆହୁରି ଜୋରରେ ଉପରକୁ ଉପରକୁ ଉଡ଼ିବାକୁ ଲାଗିଲା। ତା ସହିତ ବାଜି ଲଗେଇବା ପାଇଁ ଆକାଶରେ ଗୋଟିଏ ବି ଅଲଗା ଗୁଡ଼ି ନଥିଲା। ଏତେ ବିଶାଳ ଆକାଶଟି କେବଳ ତାର ଥିଲା। ତା ଆଧିପତ୍ୟ ବିସ୍ତାର କରିବା ପାଇଁ ସେ ଉପରକୁ-ତଳକୁ, ଏପାଖରୁ- ସେପାଖକୁ ତା ଇଚ୍ଛା ଅନୁଯାୟୀ ମାଡ଼ି ଚାଲିଥିଲା।
ସତରେ ସବୁଦିନ ପାଇଁ ସେ ଗୁଡ଼ିଟିଏ ହେଇ ଯାଅନ୍ତାନି। ଏ କର୍ମଜଞ୍ଜାଳ ଦୁନିଆରେ ତା ଶରୀର ଧୀରେ ଧୀରେ ଅବଶ ହେଇ ପଡୁଥିଲା। ତା ଜୀବନରେ କିଛି ରୋମାଞ୍ଚ ନଥିଲା, ନଥିଲା ଉପରକୁ ଉଠିବାକୁ ଆଶା। ଘଡ଼ି ଖାଲି ଟିକ୍ ଟିକ୍ କଲାପରି ସବୁଦିନ ସେ ସେଇ ସମାନ କାମ ଗୁଡ଼ିକୁ କରୁଥିଲା। ସିନ୍ଦୁରା ଫାଟିବା ପୂର୍ବରୁ ଉଠି ସେ ନିଜର ନିତ୍ୟକର୍ମ ସାରି ଛୁଆ ଓ ସ୍ୱାମୀଙ୍କ ଦାୟିତ୍ୱରେ ଏପରି ବାନ୍ଧି ହୋଇ ଯାଉଥିଲା ଯେ ନିଜ ପାଇଁ ଭାବିବାକୁ ତା ପାଇଁ ସମୟ ନଥିଲା। ସେଥିରେ ପୁଣି ପିଲାଙ୍କ ଆକ୍ଷେପ- ମାମା , ଟିକିଏ ନୂଆଁ ନୂଆଁ ଜଳଖିଆ ଟିଫିନ୍ ରେ ଦିଅ। ଖାଲି ସେଇ ପରଟା, ପୁରୀ,ଉପମା, ଚାଓମିନ୍ ନହେଲେ ମ୍ୟାଗି। ତମକୁ କଣ ପିଜ୍ଜା ବର୍ଗର ବନେଇ ଆସେନି କି? ଘରେ କଣ କରୁଛ? ଟିଭିରେ କେତେ ପ୍ରକାର ରୋଷେଇ ଦେଉଛି ସେସବୁ ଶିଖୁନ?
ସେପଟୁ ପତିଦେବଙ୍କ ବିଦ୍ରୁପ ସ୍ୱର- ତୁମ ମାମାକୁ ସିରିଏଲ ଦେଖାରୁ ଫୁରୁସତ ମିଳିଲେ ତ ଏସବୁ କରିବ। ଦେଖୁନ କେମିତି ଦେଖାଯାଉଛି। ଯିଏ ଦେଖିଲେ ଭାବିବ ପଚାଶ ବର୍ଷର ବୁଢ଼ୀ। ଚୁଟି ଗୁଡ଼ାକ ପାଚି ଗଲାଣି। ଟିକିଏ କଳା କରିବା କି ନିଜକୁ କିପରି ଫିଟ୍ ରଖିବା ତୋ ମାମାକୁ କିଛି ଜଣାନାହିଁ। ଏଥର ତ ନୂଆବର୍ଷ ଭୋଜିରେ ମୋ ଷ୍ଟାଫ ମାନେ ସିଧା ସିଧା ପଚାରିଲେ ଆରେ ଭାଉଜଙ୍କୁ ନ ଆଣି ମାଙ୍କୁ ଆଣିଲୁ ଯେ। ଛିଃ ମୋତେ କେତେ ଲାଜ ମାଡ଼ିଲା। ୟାଠୁବି ବୟସରେ ବଡ଼ ମିଶ୍ରବାବୁଙ୍କ ସ୍ତ୍ରୀ ହିରୋଇନ ପରି ସଜେଇ ହୋଇ ଆସିଥିଲେ ଆଉ ମୋ ପତ୍ନୀ ଶ୍ରୀମତି କଣ ପିନ୍ଧିଥିଲେ ସମ୍ବଲପୁରୀ ବାର ହାତି ଶାଢ଼ୀ।
ସରିତାକୁ ଏସବୁ ଶୁଣିବାକୁ ଭଲ ନ ଲାଗିଲେ ବି ତାର ଦେହସୁହା ହେଇ ଗଲାଣି। କଲେଜ କୁଇନ୍ ଥିବା ସରିତା ବେଳେବେଳେ ନିଜକୁ ଦର୍ପଣ ଆଗରେ ବିଶ୍ୱାସ କରିପାରେନି। ଆଖିତଳେ ବହଳିଆ କଳାଦାଗ, ମୁଣ୍ଡରେ କଳା-ଧଳା ମିଶ୍ରିତ କେଶ। ଠିକ୍ କଥା ତ ସେ ଦେଖା ଯାଉଛି ପଚାଶ ବର୍ଷର ବୁଢ଼ୀ ପରି, କିନ୍ତୁ କିନ୍ତୁ କାହାପାଇଁ ତାର ଏ ପରିବର୍ତ୍ତନ? ନିଜକୁ ତିଳ ତିଳ କରି ଜାଳୁଥିବା ମହମବତୀକୁ ଯଦି ପଚରା ଯାଏ ତୁ ସରି ସରି କାହିଁକି ଯାଉଛୁ, ସେମିତି ସମାନ ଆକାରରେ ରହୁନୁ, ଯେମିତି ଇଲେକ୍ଟ୍ରିକ ବଲ୍ବ ରହୁଛି ତେବେ ସେ କି ଉତ୍ତର ଦେବ? ଦୁହେଁ ଆଲୋକ ଦେଉଛନ୍ତି ସତ କିନ୍ତୁ ଦୁହିଁଙ୍କ ଭୂମିକାରେ କୌଣସି ସମାନତା ନାହିଁ। ଜଣେ ଆଲୋକ ଦେବ ବୋଲି ନିଜକୁ ଜଳଉଛି ଆଉଜଣେ ଅନ୍ୟର ସହାୟତାରେ ଆଲୋକ ଦେଉଛି।
ପ୍ରତିଟି କଥାରେ ମିଶ୍ର ବାବୁଙ୍କ ସ୍ତ୍ରୀଙ୍କ ଉଦାହରଣ ଦେଉଥିବା ତାର ସ୍ୱାମୀ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି ସରିତାର ଓ ମିଶ୍ରବାବୁଙ୍କ ସ୍ତ୍ରୀଙ୍କ ଜୀବନଶୈଳୀରେ ଥିବା ଆକାଶ ପାତାଳ ଫରକ। ସେ ମହିଳାଙ୍କ ଦିନଚର୍ଯ୍ୟା ଆରମ୍ଭ ହୁଏ ପାର୍ଲରରେ ଓ ଶେଷ ହୁଏ ଜିମରେ। ଘରର ଯାବତୀୟ କାମ ପାଇଁ ଚାରି ଚାରିଟା ଚାକର ଖଞ୍ଜା ହେଇଛି। ମିଶ୍ରବାବୁଙ୍କ ସ୍ତ୍ରୀଙ୍କ କାମ ହେଲା ନିଜକୁସଜେଇବା କିନ୍ତୁ ସରିତାର କାମ ଯେ ଘର ସଜେଇବା। ତେଣୁ ଦିଜଣଙ୍କ ଭିତରେ ସମାନତା ଆସିବ କିପରି? ସେ ଏ କର୍ମମୟ ସଂସାର ଭିତରେ ଅଣନିଃଶ୍ୱାସୀ ହେଇ ପଡ଼ୁଥିଲା।
ହେ--ସେ ଏ କଣ ଭାବୁଛି? ଏତେଦିନ ପରେ ଆଜି ତାକୁ ସୁବର୍ଣ୍ଣ ସୁଯୋଗ ମିଳିଛି ନିଜପାଇଁ ଜୀଇଁବାକୁ। ତେଣୁ ଏ ସମୟର ଡୋରିଟାକୁ ନିଜ ହାତମୁଠାରେ ବାନ୍ଧି ରଖିବ। ଜମା ଛାଡ଼ିବ ନାହିଁ। ସରିତା ତା ହାତମୁଠାକୁ ଆହୁରି ଟାଣ କରିଥିଲା। ଗୁଡ଼ିଟି ଆକାଶରେ ସେମିତି ଡେଣା ମେଲେଇ ଉଡ଼ି ଚାଲିଥିଲା ତା ସହିତ ସରିତା ବି।
"ମାମା, ଏ କଣ ହେଉଛି। ତୁମକୁ କିଏ କହୁଥିଲା ମୋ ଗୁଡ଼ି ଛୁଇଁବାକୁ? ମୋତେ ନ ପଚାରି ମୋ ଗୁଡ଼ି ତୁମେ ଉଡଉଛ କିପରି?"
ଝିଅର ଏ ପ୍ରଶ୍ନବାଣରେ ଉଚ୍ଚ ଆକାଶରେ ବାଦଲ ମେଳରେ ଉଡୁଥିବା ତା ମନ ତଳେ ଦୁଲ୍ ହୋଇ କଚାଡ଼ି ପଡିଥିଲା।
"ମାମା, ଗୁଡ଼ିଟା ଦେଖ କଟିଗଲା। ହେଇଟି ଅମର ଅଙ୍କଲଙ୍କ ବାଡ଼ିରେ ପଡ଼ିଲାଣି।"
ସରିତା ଦେଖୁଥିଲା ବାଡ଼ିରେ ଗୁଡ଼ି ପଡ଼ିନି। ପଡ଼ିଛି ତାର ଦୁଇଟି କଟା ଡେଣା। ସେଇ କଟା ଡେଣାରୁ ରକ୍ତର ଢେଉ ମାଡ଼ି ଆସୁଛି ଓ ଭିଜେଇ ଦେଉଛି ତାର ସର୍ବାଙ୍ଗ ଶରୀରକୁ। ଓଃ କି କଷ୍ଟ। ଭୟରେ ତାର ଆଖି ଦିଓଟି ବୁଜି ହେଇଗଲା।
ବିସ୍ମିତା ରାଣୀ ସାହୁ