Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବନ୍ୟା ଘେରରେ ଈଶ୍ୱର ଓ ଆଲ୍ଲା
ବନ୍ୟା ଘେରରେ ଈଶ୍ୱର ଓ ଆଲ୍ଲା
★★★★★

© Aravinda Das

Others

4 Minutes   6.7K    10


Content Ranking

ବନ୍ୟା ଜଳରେ ଭାସି ଯାଉ ଯାଉ ,ବ୍ୟକ୍ତି ଜଣଙ୍କ ଗୋଟାଏ ବଡ଼ ଗଛକୁ ପ୍ରାଣ ବିକଳରେ ଧରି ପକାଇ ଉପରକୁ ଚଢ଼ି ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରିଦେଲେ।

ତରବରରେ ହାତ ଖସି ଯାଉଥାଏ।

ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି।

ହାଠାତ୍ ସେଇ ଅନ୍ଧାରରେ ଲମ୍ବି ଆସିଲା ଏକ ସହାୟତାର ହାତ ଓ ଗାମୁଛା।

ତରବରରେ ଉକ୍ତ ବ୍ୟକ୍ତି, ଧରି ପକାଇଲେ ସେଇ ହାତ ଓ ଗାମୁଛାକୁ।

ଧନ୍ୟବାଦ ଓ ଆଶୀର୍ବାଦରେ ପୋତି ପକାଇଲେ ସେଇ ଅଜଣା ଜୀବନ ରକ୍ଷାକାରୀ ବନ୍ଧୁଙ୍କୁ।

"ଆପଣ ନଥିଲେ ଆଜି ହୁଏତ ମୁଁ ପାଣି ସୁଅରେ ଭାସି , ମରିଯାଇ ଥା’ନ୍ତି।"

ପ୍ରତ୍ୟୁତ୍ତରରେ ଅନ୍ୟ ବ୍ୟକ୍ତି ଜଣଙ୍କ କହିଲେ, "ସବୁ ସେଇ ଉପରବାଲାର କାମ । ଆମେ ତ ନିମିତ୍ତ ମାତ୍ର।"

"ମୋ ଜୀବନରେ ଏମିତି ବନ୍ୟା କେବେ ଦେଖିନି । ଏହା ବୋଧେ ବାଦଲ ଫଟା ବର୍ଷା ।କେତେ ଲୋକ ମରିଥିବେ କେଜାଣି ?ଅନ୍ଧାର ଭିତରେ ସୁରକ୍ଷିତ ଜାଗାକୁ ଗଲାବେଳେ ଭାସିଗଲି । ଆପଣଙ୍କ ନାଁ ?"

"ମଧୁସୂଦନ ପଣ୍ଡିତ। ମନ୍ଦିର ପୂଜକ।"

"ଆପଣ ?"

"ମୁଁ ଆକବର ହୁସେନ;ପାଖ ଗାଁ ମସଜିଦର ମୌଲାନା।"

ହଠାତ୍ କାହିଁକି କେଜାଣି ଦୁହେଁ ଚୁପ୍ ହୋଇଗଲେ।

ଉପର ଭାଗର ଗଛ ଡାଳ ଉପରେ ନିଜକୁ ଲଦି ଦେଇ ଟିକିଏ ସୁରକ୍ଷିତ ମନେ କଲେ ଦୁହେଁ।

କିଟିକିଟିଆ ଅନ୍ଧାର ଭିତରେ କିଛି ଭଲ କରି ଦିଶୁନଥାଏ । ଚାରିଆଡୁ ଖାଲି ଭାସିଆସୁଥାଏ ପାଣିର ସୁ ସୁ ଶବ୍ଦ । ମନ ଭିତରେ ଭୀତି ସଂଚାର କଲା ଭଳି ପରିବେଶ।

ଯଦି ଏ ଗଛଟା ଭାଙ୍ଗିଯାଏ ଅଥବା ଭାସିଯାଏ ???

ଭୋର ହୋଇଗଲା । ଚାରିଆଡ଼ର ଦୃଶ୍ୟ ଦେଖି ଡ଼ରିଗଲେ ଦୁହେଁ । ଚାରିଆଡେ ଅନେକ ଫୁଟର ପାଣି । ଜନ ମାନବ ଚିହ୍ନ ବର୍ଣ୍ଣ ନାହିଁ।

ହାଠାତ୍ ମୌଲାନା ,ନିଜ କାନ୍ଧରେ ପଡିଥିବା ଝୁଲା ବ୍ୟାଗଟା କାଢି ପୂଜକ ମହାଶୟଙ୍କ ଆଡ଼କୁ ଝୁଙ୍କି ଆସି ବାଡେଇ ଦେଲେ।

ଡ଼ରିଗଲେ ପୂଜକ ।ଏ ମୌଲାନାଟା ଏତେ କୃତଘ୍ନ !!ତାଙ୍କୁ ମାରିବାକୁ ବସିଛି ଅଥବା ତାଙ୍କୁ ପାଣିକୁ ଠେଲିଦେବାକୁ ଏ ଚେଷ୍ଟା ?

"ବୋଡା ସାପଟା; ଭାରି ବିଷାକ୍ତ । ଫଣା ଟେକି ପଛପଟୁ ଆପଣଙ୍କୁ ମାରିବାକୁ ବସିଥିଲା।"

ଚମକି ପଡି ତଳକୁ ଅନାଇଲେ ପୂଜକ । ସତକୁ ସତ ବିରାଟ ସାପଟା ପାଣିରେ ଭାସି ଯାଉଥିଲା।

ଧନ୍ୟବାଦ ଦେଲେ ମୌଲାନାଙ୍କୁ ।

ବର୍ଷା ବନ୍ଦ ହୋଇଯାଇଥିଲା ଅନେକ ବେଳୁ।

ଉଭୟଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା । ସେମାନେ ଆଶ୍ରୟ ନେଇଥିବା ଜଙ୍ଗଲୀ ଗଛଟାର ଫଳ ବିଷାକ୍ତ ବୋଳି ଚିହ୍ନି ମୌଲାନା କହିଲେ,"କିଛି ନହେଲେ ଆମେ ଫଳ, ପତ୍ର ଖାଇ ପାରିଥାନ୍ତେ । ଆମ ଭାଗ୍ୟ ଖରାପ।"

"ଆମକୁ ଏ ଜଙ୍ଗଲ ଭିତରୁ କିଏ ଉଦ୍ଧାର କରିବ ?ପାଣି କମିବାକୁ ଆଠ/ ଦଶ ଦିନ ଲାଗିଯାଇପାରେ । କାରଣ ଜଳଭଣ୍ଡାରର ସବୁ ଗେଟ ଖୋଲା ହୋଇଛି ବୋଲି କିଏ କହୁଥିଲା । ଖାଇବା,ପିଇବା ବିନା କେତେଦିନ ଆମେ ବଞ୍ଚିବା କେଜାଣି ?ମୁଁ ପୁଣି ସୁଗାର ପେସେଣ୍ଟ।"

"ମୋ ପାଖରେ କିଛି ଖାଇବା ଜିନିଷ ଅଛି । କିନ୍ତୁ ପିଇବା ପାଣି ନାହିଁ । ଖାଇଲା ପରେ ଶୋଷ ତ ହେବ । ବର୍ଷା ବି ବନ୍ଦ ହୋଇଯାଇଛି ।"ମୌଲାନା କହିଲେ-

"ମୋ ପାଖରେ ପାଣି ଅଛି।" ଉତ୍ସାହିତ ହୋଇ ପୂଜକଙ୍କ ପାଟିରୁ ବାହାରି ପଡ଼ିଲା।

ଖୁସି ହୋଇ ମୌଲାନା ନିଜ ଝୁଲାମୁଣିରୁ ଗୋଟାଏ ପ୍ୟାକେଟ ବାହାର କରି କହିଲେ," ସାଧା ବିରିଆନୀ ଥିଲା ଫ୍ରିଜରେ। ଏ ପାଗରେ ଖରାପ ହୋଇନଥିବ।"

ପୂଜକ ମୁହଁ ଶୁଖାଇ କହିଲେ,"ମୁଁ ତ ମନ୍ଦିର ଭିତରୁ ଠାକୁରଙ୍କ ମୂର୍ତ୍ତି,ଶାଳଗ୍ରାମ ଓ ଏଇ ଗଙ୍ଗା ଜଳ ବୋତଲ ହିଁ ମୋ ଗଣ୍ଠିଲିରେ ପୁରାଇଥିଲି ଯାହା । ପାଣି ତ ପଶିଗଲା ମନ୍ଦିରରେ ଆଉ ମୁଁ ଭାସିଗଲି।"

ଉଭୟେ ଉଭୟଙ୍କ ମୁହଁକୁ ଚାହୁଁଥାନ୍ତି । ଗୋଟେ ପଟେ ବିରିଆନୀ ,ଅନ୍ୟ ପଟେ ଗଙ୍ଗା ଜଳ । ଧର୍ମ ଭାବନା,ଚେତନା ବିବେକକୁ ବୋଧେ ବାଧା ଦେଉଥିଲା ; ହେଲେ ଅନ୍ୟ ପଟେ ନିଜ ଜୀବନ ବନ୍ଧା ପଡିଥିଲା।

କ୍ଷୁଧା ଓ ତୃଷା ଠାରୁ ଭୟଙ୍କର ଜିନିଷ ଦୁନିଆରେ ଆଉ କଣ ଥାଇପାରେ ମଣିଷ ପାଇଁ ?

"ମୁଁ ମୋର ଏଇ ଗଙ୍ଗା ଜଳ ପିଇ ରହିଯିବି । ଆପଣ ଖାଇ ନିଅନ୍ତୁ । ଗଙ୍ଗା ଜଳ ଆପଣଙ୍କର ଚଳିବ ତ ?"

"ଗତ କାଲିଠୁ ଆପଣ ଓପାସ। ବର୍ତ୍ତମାନ ଏ ଖରାରେ ଯଦି ମୁଣ୍ଡବୁଲାଇ ଦେଇ ପାଣିରେ ଖସି ପଡ଼ନ୍ତି ? ଆପଣ ସୁଗାର ପେସେଣ୍ଟ ପରା ?ଆଉ ରହିଲା ଗଙ୍ଗା ଜଳ କଥା ;ଗଙ୍ଗା ନଦୀ ଜଳ କଣ ପିଇବା ମନା ?ଗଙ୍ଗା ଯେଉଁ ଜାଗା ଦେଇ ଯାଇଛି, ସେ ଅଞ୍ଚଳର ଲୋକେ କଣ ତା ପାଣି ପିଉ ନାହାନ୍ତି ? ମୋ ପାଖରେ ଥିବା ଏଇ ସାଧା ବିରିଆନି ଖାଇଲେ ଯଦି ଆପଣଙ୍କର ଧର୍ମ ......'

ପୂଜକଙ୍କର ମନେ ପଡ଼ିଲା ଗୋଟେ ପ୍ରବାଦ "ଆପେ ବଞ୍ଚିଲେ ବାପ'ର ନାଁ।"

"ଆପଣ ଠିକ୍ କହିଛନ୍ତି। ସବୁ ଧର୍ମ ଆମକୁ ସହିଷ୍ଣୁତା ଶିଖାଏ। "

ଗଛ ଉପରେ ଖାଇବା ସାରିଲେ ଉଭୟେ । ପେଟ ଭରିଗଲା ପରେ ଉଭୟେ ଟିକେ ଆଶ୍ବସ୍ଥ ହେଲେ।

ଏବେ ଚିନ୍ତା ଉଦ୍ଧାର ପାଇଁ । ଉଭୟେ ଡାକିଲେ ନିଜ ନିଜ ଈଶ୍ୱର ,ଆଲ୍ଲାଙ୍କୁ।

ସନ୍ଧ୍ୟା ହୋଇଆସୁଥାଏ । ହାଠାତ୍ ଡ଼ଙ୍ଗାଟିଏ ଧରି ଆସୁଥିବା ଯୁବକଟିକୁ ଦେଖି ଉଭୟେ ପାଟି କରି ତା ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ।

ଉଭୟଙ୍କୁ ଡ଼ଙ୍ଗାରେ ବସାଇଲା ଯୁବକ।

"ପୂଜକ ଓ ମୌଲବୀ ଏକାଠି ଗୋଟାଏ ଜାଗାରେ ?ବନ୍ୟା ତାହାଲେ କିଛି ପରିବର୍ତ୍ତନ ଆଣିଛି । "ହସି ହସି କହିଲା ଯୁବକଟି।

"

"ଯା ହେଉ ,ଭଗବାନ ମୋ ଡାକ ଶୁଣି ତୁମକୁ ପଠାଇଲେ । ତମେ କଣ ଆମ ଗାଁର ?ହିନ୍ଦୁ ପିଲା ଭଳି ଲାଗୁଛ।"

ନିଜ ଦାଢ଼ି ସାଉଁଳେଇ ମୌଲାନା କହିଲେ,"ଆପଣ ବୋଧେ ତାଙ୍କ ଦାଢ଼ିକୁ ଦେଖିପାରୁ ନାହାନ୍ତି ପଣ୍ଡିତ ମହାଶୟ। ସେ ନିଶ୍ଚୟ ଆମ ମୁସଲମାନ ବିରାଦାରୀର ,ଏକଥା ମୁଁ ଗ୍ୟାରେଣ୍ଟି ସହ କହିପାରିବି । ତାକୁ ଆଲ୍ଲା ପଠାଇଛନ୍ତି ଦେବଦୂତ କରି।"

ଉଭୟେ ଅନାଇ ବସିଥିଲେ ଯୁବକର ଉତ୍ତରକୁ।

" ମୁଁ ବୋଧେ ଟିକେ ଜଲଦି ଚାଲିଆସିଲି । ଆଉ ଦିନେ,ଦୁଇଦିନ ଏଇ ଗଛ ଉପରେ ରହିଥିଲେ, ତୁମ ଭଗବାନ ଓ ତୁମ ଖୁଦା ନିଜେ ଆସି ଦୁହିଁଙ୍କୁ ଉଦ୍ଧାର କରି ନିଜ ପାଖକୁ ନେଇଥାନ୍ତେ ବୋଧେ । ଏମିତି ବନ୍ୟା କିଏ କରିଛି ? ଭଗବାନ ଅଥବା ଆଲ୍ଲା ? "

ଆହୁଲା ମାରୁମାରୁ ଟିକେ ନିଶ୍ଵାସ ନେଇ ଯୁବକ ପୁଣି କହିଲା, "ଉଭୟଙ୍କୁ ଏକାଠି ହାତ ଧରାଧରି ହୋଇ ଗଛରୁ ଓଲ୍ହାଇବାର ଦେଖି ମୁଁ ଭାବିଥିଲି, ବନ୍ୟାଟା ଧର୍ମ ପାଚେରୀକୁ ଭାଙ୍ଗି ଦେଇଛି। ହେଲେ ଏବେ ଜାଣୁଛି ବନ୍ୟା ନୁହେଁ, ବରଂ ମହାପ୍ରଳୟ ଦରକାର ଆପଣ ମାନଙ୍କ ମନ'ର ଆବିଳତା ଓ ଧର୍ମାନ୍ଧତାର ପରଳକୁ ନଷ୍ଟ କରିବା ପାଇଁ।"

ଉଭୟ ପୂଜକ ଓ ମୌଲାନା ମୁଣ୍ଡ ପୋତି ଚୁପକିନା ବସିଥିଲେ ଅପରାଧୀଙ୍କ ଭଳି । ବନ୍ୟା ଜଳ ଭିତରେ ଡଙ୍ଗା ଆଗେଇ ଚାଲିଥିଲା।

ଅଣ୍ଟାରେ ବାନ୍ଧିଥିବା ଗାମୁଛାରେ ମୁଣ୍ଡର ଝାଳକୁ ପୋଛି ଯୁବକ ଏଥର କହିଲା,"ମୋ ନାଁ ଯୀଶୁ ନାୟକ।"

(ଅରବିନ୍ଦ ଦାସ)

ବନ୍ୟା ଜଳ ମୌଲାନା ମନ୍ଦିର ପୂଜକ

Rate the content


Originality
Flow
Language
Cover design

Comments

Post

Some text some message..