Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାଚର ଚୁଡ଼ି
କାଚର ଚୁଡ଼ି
★★★★★

© Lopamudra Mishra

16 Minutes   235    24


Content Ranking

ଲୋପାମୁଦ୍ରା ମିଶ୍ର

ଚିନ୍ମୟୀ ର ଚୁଡ଼ି ପ୍ରତି ଅହେତୁକ ଆକର୍ଷଣ । ପିଲାବେଳୁ ସେ ନାଲି, ନେଳି, ସୁନେଲି ରଙ୍ଗର ଚୁଡ଼ିସବୁ ପିନ୍ଧିବାକୁ ଖୁବ ଭଲପାଏ । କିନ୍ତୁ ସବୁବେଳେ ସେ ଚାହେଁ ତା ବୋଉଙ୍କ ପରି ପାଣି ଚୁଡ଼ି ପିନ୍ଧି ହାତରୁ ରୁଣୁଝୁଣୁ ଶବ୍ଦ ବାହାରକରିବ । ବୋଉ ଯେବେ ଚୁଡ଼ି ବଦଳାନ୍ତି ଚିନ୍ମୟୀ ପୁରୁଣା ଚୁଡ଼ି ମୁଠି ଟାକୁ ନିଜ ଦୁଇ ହାତରେ ବାହୁ ପର୍ଯ୍ୟନ୍ତ ଗଳେଇ ଦିଏ ଆଉ ହାତଦୁଇଟିକୁ ଅନବରତ ହଲାଇ ଚୁଡ଼ି ବାଜିବାର ଶବ୍ଦ ଶୁଣେ ।

ଚୁଡ଼ିଵାଲା ଟେ ଚିନୁଘର ଦାଣ୍ଡ ରେ ଠିଆ ହୋଇଛି । ଚିନୁ ଝର୍କା ବାଟେ ଚୁଡ଼ିଵାଲାର ସାଇକେଲ୍ ଟାକୁ ଦେଖି ବହି ଖାତା ପକେଇ ଦେଇ ରାସ୍ତା ଉପରକୁ ଦୌଡି ଆସିଲା ।

--ଭାଇନା ! ମୋ ମାପରେ ଚୁଡ଼ି ଅଛି ?

--ହଁ ଅଛି । ହେଇ ଦେଖ ।

--ନାଇଁ ନାଇଁ ଏଇଟା ନୁହେଁ । ପାଣି ଚୁଡ଼ି ? ନାଲି ରଙ୍ଗର ପାଣି ଚୁଡ଼ି ।

ଚୁଡ଼ି ଵାଲା ଫ୍ରକ୍ ପିନ୍ଧିଥିବା କିଶୋରୀ କନ୍ୟା ଚିନୁର ମୁହଁ କୁ ଟିକେ ଚାହିଁଲା ପୁଣି କଣ ଭାବି ତା ଝୁଡିଟିକୁ ଅଣ୍ଡାଳି ପକେଇଲା ।

--ନାଇଁ ଝିଅ । ତୁମ ମାପରେ ତ ନାଲି ପାଣି ଚୁଡ଼ି ହେବନି । ନେଳି ଅଛି । ଦେଖେଇବି ?

ଚିନୁ ହଁ କହିବାକୁ ଯାଉଥିଲା ବୋଧେ, ପଛପଟେ ତୁଷାର୍ ଉପରେ ନଜର ପଡନ୍ତେ, "ନାଇଁ ଥାଉ ଥାଉ " କହି ପଳେଇଆସିଲା । ତୁଷାର୍ ଵି ଚିନୁ ର ପଛେ ପଛେ ତାଙ୍କ ଘର ପିଣ୍ଡା ଉପରକୁ ଉଠିଲା ।

--ଚିନୁ ! ମୋ ଇଂରାଜୀ ଖାତା ଟା ଦେବୁ କି ଏବେ ? ଦରକାର ଅଛି ।

--ଆରେ ରହ ଟିକେ । ମୁଁ ପା ସବୁଗୁଡ଼ା ଟିପି ସାରିନାହିଁ । ଲେଖିସାରିଲେ ସନ୍ଧ୍ୟା ରେ ନେଇକି ତୁମ ଘରେ ଦେଇଆସିବି । ହେଲା ।

--ହଉ ଠିକଅଛି ଟିପୁ ସୁଲତାନ । ମନେ କରିକି ଦେଇଆସିବୁ । ମୁଁ ଯାଉଛି ।

ତୁଷାର୍ ପଳେଇଲା । ଚିନୁ ପୁଣି ଫେରିଲା ତା ବହି ଖାତା ପାଖକୁ । ତୁଷାରର ଇଂରାଜୀ ଖାତାରୁ ନିଜ ଖାତାକୁ ଟ୍ୟୁସନ୍ ସାର୍ ଦେଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଟିପି ପକେଇଲା ।

ସ୍କୁଲରେ ଝିଅପିଲାଙ୍କ ଧାଡିର ଯେଉଁ ବେଞ୍ଚ୍ ରେ ଚିନୁ ବସେ ତା'ର ଠିକ ଆର ପାର୍ଶ୍ୱର କଡ଼ ସିଟ୍ ରେ ପୁଅ ପିଲାଙ୍କ ଧାଡିରେ ତୁଷାର୍ ବସିଥାଏ । ଶ୍ରେଣୀ ରେ ପ୍ରଥମ ହୁଏ ତୁଷାର୍ । ଖୁବ ଭଲ ବକ୍ତୃତା ଦେଇପାରେ ଓ ସୁନ୍ଦର ଗୀତ ମଧ୍ୟ ଗାଇପାରେ । ନବମ ଓ ଅଷ୍ଟମ ର ଅନେକ ଝିଅ ତୁଷାର୍ ସହ ପଦ ଟିଏ ଖାଲି କଥା ହୋଇ ଖୁବ ଖୁସି ହେଇଯାଆନ୍ତି ।

ଅନ୍ୟ ଝିଅ ମାନଙ୍କ ସାମ୍ନା ରେ ଟିକେ ଗାମ୍ଭିର୍ଯ୍ୟ ଦେଖାଉଥିବା ତୁଷାର୍ କିନ୍ତୁ ଚିନୁ ଆଗରେ ଖୁବ ବେଶୀ ପ୍ରଗଳ୍ଭ । ସେଥିପାଇଁ ନବମଶ୍ରେଣୀ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମିନାକ୍ଷୀ ଚିନୁ କୁ ଆଦୌ ସହ୍ୟ କରି ପାରେନାହିଁ । ସାମାନ୍ୟ ସାମାନ୍ୟ କଥାରେ ତାକୁ 'ଗଧି' କହି ଥଟ୍ଟା ପରିହାସ କରେ । ଚିନୁ ସତରେ ବୁଝିପାରେନି ମିନାକ୍ଷୀର ତାପ୍ରତି ଏତେ ବେଶି ଘୃଣା ର ଅସଲ କାରଣଟା କଣ । ଚିନୁ ସବୁବେଳେ ସେମିତି । ବୁଝିବାରେ ବହୁତ ଡେରି କରେ ।

ଚିନୁ ଓ ତୁଷାର୍ ସାଙ୍ଗ ହୋଇ ସ୍କୁଲ୍ ଆସନ୍ତି । ତୁଷାର୍ କୁ ତା ପୁଅ ସାଙ୍ଗ ମାନେ ଚିନୁର ନାଁରେ ଚିଡ଼ାନ୍ତି । ତୁଷାର୍ ସଫେଇ ଦେଇ କହେ, "ହେ ! ସେମିତି ଗୋଟେ କଣ କହୁଛ ବେ? ଆମ ଘର ପାଖରେ ତାଙ୍କ ଘର । ମୁଁ ସ୍କୁଲ୍ ଆସିଲା ବେଳେ ସେ ଵି ଆସୁଥାଏ । ଆଉ କଣ ମୁଁ ଦଶଟାରେ ନଆସି ସେ ଆସିସାରିଲା ପରେ ଏଗାର ଟାରେ ଆସିବି? "

ଆଜି ଖେଳ ଛୁଟିରେ ତୁଷାର୍ ପୁଣି ଦେଖିଲା ଚିନୁ ସ୍କୁଲ ପାଖ ଗୋଟେ ଲେଡ଼ିଜ୍ କର୍ଣ୍ଣରରେ ଠିଆ ହୋଇ ଚୁଡ଼ି ଦେଖୁଛି ।

--ଭାଇନା ! ପାଣି ଚୁଡ଼ି ନାହିଁ ? ମୋ ମାପରେ ।

--ହଁ ଅଛି । ଏଇଟା ଦେଖିଲ ?

--ନାଇଁ ନାଇଁ ଏମିତି ନୁହେଁ । ପୁରା ଲାଲ ରଙ୍ଗ ର ।

--ତୁମେ ପିନ୍ଧିବ ?

--ନାଁ ମୁଁ କାହିଁକି ପାଣିଚୁଡ଼ି ପିନ୍ଧିବି ? ମୋ ଭାଉଜଙ୍କ ମାପ ଆଉ ମୋ ମାପ ସମାନ ତ ତାଙ୍କପାଇଁ ଦେଖୁଥିଲି ।

ଚିନୁ ଆଉ ଅଲଗା କଣ ଦେଖିଥାନ୍ତା ଦୋକାନର କାଚ କବାଟ ରେ ତୁଷାରର ପ୍ରତିଛବି ଦେଖି ପକେଇଲା ଓ ହାତରେ ଧରିଥିବା ଚୁଡ଼ି ମୁଠାକ ରଖି ଦେଇ ସ୍କୁଲ ଆଡକୁ ଦୌଡ଼ି ପଳେଇଲା ।

ସେଦିନ ସନ୍ଧ୍ୟାରେ ଟ୍ୟୁସନ୍ ରୁ ଫେରିବା ରାସ୍ତା ରେ ପୋଖରୀ ହୁଡ଼ା ପାଖରେ ତୁଷାର୍ ଚିନୁ କୁ ଟିକେ ରହିବା ପାଇଁ କହିଲା । ଚିନୁ ସାଇକେଲ୍ ଠିଆ କଲା । ତୁଷାର୍ ନିଜ ସାଇକେଲର କ୍ୟାରିୟର୍ ରୁ ବ୍ୟାଗ୍ ଟା କାଢ଼ି ଆଣିଲା । ବ୍ୟାଗର ଚେନ୍ ଖୋଲି କଣ ଗୋଟେ ବାହାର କଲା ।

--ଚିନୁ ! ଏଇଟା ତୋ ପାଇଁ ଆଣିଥିଲି ।

--ଆରେ କଣ ସେଇଟା ?

--ତୁ ଖୋଲିକି ଦେଖୁନୁ ।

-- ଚୁଡ଼ି !! ତୁ କାହିଁକି ଚୁଡ଼ି କିଣୁଥିଲୁ ?

--ତୁ ନାଲି ଚୁଡ଼ି ଖୋଜୁନଥିଲୁ ସେଦିନ?

--ଆରେ ଏମିତି ନାଲି ଚୁଡ଼ି ମୋର ଦରକାର ନାହିଁ । ଏଭଳି ବହୁତ ଅଛି ମୋ ପାଖରେ । ମୁଁ କାଚର ନାଲି ଚୁଡ଼ି ଖୋଜୁଥିଲି ନା ।

--କାଚର?? କାଚ ତ ଭାଙ୍ଗିଯିବ । ଏଇଟା ଦେଖ କେମିତି ହେଇଛି ! ବିଲକୁଲ ଭାଙ୍ଗିବନି ।

--ନାଇଁ ନାଇଁ ମୋର ଏ ପ୍ଲାଷ୍ଟିକ୍, ରବର୍ ଚୁଡ଼ି ଦରକାର ନାହିଁ । କାଚ ର ଦରକାର । ହଉ ଠିକ ଅଛି । ତୋର ଯଦି ମନ ଦୁଃଖ ହେଉଛି, ମୁଁ ରଖିଦେଉଛି ଏଇଟା । ହେଲେ ତୁ ମୋତେ ଏଠି କାହିଁକି ଅଟକେଇକି ଦେଲୁ? ଘରେ ତ ଦେଇପାରିଥାନ୍ତୁ ?

--ମୋତେ ବହୁତ ଡର ଲାଗୁଥିଲା । କାଳେ କିଏ କଣ ଭାବିବ । ହଉ ତୁ ପିନ୍ଧିକି ଦେଖିଲୁ ତୋତେ ହେଉଛି କି ନାହିଁ ।

ଚିନୁ ସେ ଚୁଡ଼ି ରୁ ପଟେ ହାତରେ ଗଳେଇ ଦେଖିଲା ଠିକ ଲାଗୁଛି । ପୁଣି ସବୁଯାକ ଚୁଡ଼ି କୁ ଡବା ରେ ଭର୍ତି କରି ନିଜ ବ୍ୟାଗରେ ରଖିଲା । ବ୍ୟାଗ୍ ଟା ରଖିସାରି ତୁଷାର୍ ଆଡେ ଦେଖିଲା । ତୁଷାର୍ ମଧ୍ୟ ତା ଆଡେ ଚାହିଁ ରହିଛି । ତାର ସେ ଚାହାଣୀ କହୁଛି ସେ ଯେମିତି କିଛି ଗୋଟେ କହିବ । ଚିନୁ କୁ ଆଜି ପ୍ରଥମ ଥର ପାଇଁ ତୁଷାରର ଦୃଷ୍ଟି ଭିନ୍ନ ପ୍ରକାର ଲାଗିଲା ।

କିଛି ସମୟର ନୀରବତା ପରେ ଚିନୁ କହିଲା, "ଏବେ ଯିବା ? "

ଦୁହେଁ ସାଇକେଲ୍ ଗଡେଇଲେ ଘର ଆଡେ ।

ଦଶମ ପରୀକ୍ଷା ପାଇଁ ତୁଷାର୍ ଖୁବ ବ୍ୟସ୍ତ । ପଢ଼ା ପଢ଼ିରୁ ଫୁରସତ ମିଳୁନି । ସେ ଆଉ ଏତେ ଚିନୁ ସହ କଥାବାର୍ତ୍ତା ହେଇପାରେ ନାହିଁ । ଚିନୁ କୁ ସମୟ ମିଳିଲେ ସେ ଚାଲିଆସେ ତୁଷାର୍ ର ଘର ଆଡ଼େ । ତୁଷାର ର ବୋଉ ମାଳତୀ ଚିନୁ କୁ ଖୁବ୍ ଶ୍ରଦ୍ଧା କରନ୍ତି । ପଢ଼ା ପଢ଼ି ଠିକ ରେ ଚାଲିଛି କି ନାହିଁ ପଚାରନ୍ତି ପୁଣି ତାକୁ ତୁଷାର୍ ର ପଢ଼ା ଘରକୁ ଯିବା ପାଇଁ କହନ୍ତି । ଚିନୁ ତୁଷାର୍ ପାଖରେ ବସି ବହୁତ ଗପେ । ତୁଷାର ବେଶି କିଛି କହେନି । ଖାଲି ଶୁଣେ ।

ଚିନୁ ଆସିଥିଲା । ତା ହାତର ପଟେ ଚୁଡ଼ି ଫାଟି ଯାଇଥିଲା । ଖୋଲି ଦେଇ ତୁଷାର୍ ଘର ପିଣ୍ଡାରେ ପକେଇ ଦେଇ ଯାଇଛି ।

ଦଶମ ପରୀକ୍ଷା ସରିଲା । ତୁଷାର୍ ବଡ଼ କଲେଜ ରେ ପଢ଼ିବା ପାଇଁ ଚାଲିଗଲା । ଚିନୁ ସେକେଣ୍ଡ୍ ଡିଭିଜନ୍ ରେ ପାସ୍ କରି ଘର ପାଖ କଲେଜ୍ ରେ ପଢିଲା । ଏବେ କିନ୍ତୁ ସେ ଆଉ ତା ପୁରୁଣା ସାଇକେଲ୍ ଟା ଚଲେଇ କଲେଜ୍ ଯାଏନା । ନୂଆ ସ୍କୁଟି ଟେ ତାର କିଣା ହେଇଛି ।

ତୁଷାର୍ ଅପେକ୍ଷା ଚିନୁ ଟିକେ ଜଲଦି ବଡ଼ ହେଇଯାଉଛି । ତୁଷାର ଛୁଟିରେ ଘରକୁ ଆସିଲେ ଚିନୁର ବୋଉ ଆଉ ତାକୁ ତାଙ୍କ ଘର ଆଡ଼େ ଏତେ ଛାଡ଼ନ୍ତିନି ।

ରଜ ଛୁଟି । ଚିନୁର ଯୁକ୍ତ ୩ ଦ୍ୱିତୀୟ ବର୍ଷ ପରୀକ୍ଷା ସରିଯାଇଛି । ଘରକୁ ମିଲି ଭାଉଜଙ୍କ ମାଉସୀ ପୁଅ ଭାଈ ଅନିଲ୍ ଆସିଛନ୍ତି । ସେ ଅଧୁନା ଭୁବନେଶ୍ୱର୍ ଇନଫୋସିସ୍ ରେ ଇଞ୍ଜିନିୟର୍ ଅଛନ୍ତି । ଚିନୁ କୁ ଆଗରୁ କେବେ ଦେଖି ନଥିଲେ । ପ୍ରଥମ ଥର ଦେଖିଲା ପରେ ମନେ ମନେ ବାରମ୍ବାର ଦେଖିବାକୁ ଇଚ୍ଛା କଲେ ।

ଚିନୁ ରଜ ପାନ ନେଇ ତୁଷାର୍ ଙ୍କ ଘରକୁ ଗଲା । ମାଳତୀ ଖୁଡି ଓ ରଘୁକକା ଙ୍କୁ ଦୁଇଖଣ୍ତ ପାନ ଦେଇ ତୁଷାର୍ କୋଉଠି ଅଛି ପଚାରିଲା । ରଘୁନାଥ ବଡ଼ ପାଟିରେ ତୁଷାର୍ କୁ ଡାକିଲେ ।

--କଣ ହେଲା ବାପା ?

--ତତେ ଚିନୁ ଖୋଜୁଛି ।

ଚିନୁ ଟିକେ ଅପ୍ରସ୍ତୁତ ଜଣାପଡ଼ିଲା । ତୁଷାର ବୁଝି ପାରିଲା ବୋଧେ । ଚିନୁ ଆଡ଼େ ଚାହିଁ କହିଲା, "ଠିଆ ହେଇଛୁ କଣ ? ଆସେ ଭିତରକୁ । ମୋ କଲେଜ୍ ମାଗାଜିନ୍ ପଢ଼ିବୁ କହୁଥିଲୁ ପା । ଆଣିକି ଆସିଛି ଏଥର । ଆସେ ନେଇଯିବୁ । "

ଚିନୁ ତୁଷାର୍ ର ପଛେ ପଛେ ଗଲା । ତୁଷାର୍ ତା ଇଂଜିନିୟରିଙ୍ଗ୍ ବହି ଗୁଡ଼ାକ ଟେବୁଲ୍ ଉପରେ, ବେଡ୍ ସାରା ଖେଳେଇ କରି ପକେଇଛି । ଚିନୁ ଆଣିଥିବା ପାନଟା ଟେବୁଲ୍ ଉପରେ ରଖି ଅସଜଡ଼ା ବହି ଗୁଡାକୁ ବହି ଥାକରେ ସଜାଇ ରଖିଲା । ପୁଣି ନିଜ ଅସଜଡ଼ା କେଶ ଆଉ ଓଢଣୀ ଠିକ କରି ନେଇ ତୁଷାର ହାତକୁ ପାନ ବଢ଼େଇଲା । ତୁଷାର୍ କିନ୍ତୁ ଧରିଲା ନାହିଁ । ପାଟିଟା ଆଁ କରି ଚିନୁ କୁ ଦେଖାଇଲା । ଚିନୁ ମୁହଁ ତଳକୁ କରି ତୁଷାରର ପାଟିରେ ପାନଟା ଗେଞ୍ଜି ଦେଲା । ତୁଷାର ଆସ୍ତେ କରି ଚିନୁର ଆଙ୍ଗୁଠି କୁ ଦାନ୍ତରେ ଜାବି ଦେଲା ।

--ଆଃ.. ଏ କଣ?

--ଚିନୁ !

--କଣ ହେଲା?

--ତୁ ଆଜି ବହୁତ ସୁନ୍ଦର ଦିଶୁଛୁ ।

--ମିଛୁଆ ।

--ମୁଁ କେବେ ମିଛ କହିଛି ?

--ତୁମ ବ୍ୟାଚ୍ ରେ କେତେଟା ଝିଅ ?

--ମୁଁ ଗଣିନି ।

--ସମସ୍ତେ ସୁନ୍ଦରୀ ?

--ହଁ କିନ୍ତୁ ତୋ ଠୁ କମ ।

--କେତେ ମିଛ କହୁଛୁ କହ ।

--ସତରେ ତୁ ମୋ ପାଇଁ ସବୁଠୁ ବେଶି ସୁନ୍ଦର । ଚିନୁ ତୋ ହାତ ଦେଖେଇଲୁ ।

--କାହିଁକି ?

--ତୋ ହାତରେ ସେ ରଙ୍ଗୀନ ଚୁଡ଼ିଗୁଡ଼ାକୁ ଦେଖିବି । ଜାଣିଛୁ ତୋ ହାତକୁ ଚୁଡ଼ି ବହୁତ ଭଲ ମାନେ ।

ଚିନୁ ତୁଷାର୍ ଆଡକୁ ନିଜ ଡାହାଣ ହାତଟା ବଢ଼େଇ ଦେଲା । ତୁଷାର୍ ଚିନୁ ହାତର ଚୁଡ଼ିକୁ ଏପଟ ସେପଟ କରି ଦେଖିଲା ପୁଣି ହାତଟା କୁ ନେଇ ନିଜ ଗାଲରେ ଲଗେଇଲା । ଚିନୁ ସେତେବେଳକୁ ଲାଜରେ ଏକଦମ ଜଡ଼ସଡ ଆଉ ତାର ସେହି ଗୋଲ୍ ଗୋରା ମୁହଁଟାର ରଙ୍ଗ ବଦଳି ରକ୍ତିମ ହେଇଉଠୁଥିଲା । ତୁଷାର୍ ପୁଣି ଚିନୁ କୁ ନିଜ ଆଡ଼କୁ ଭିଡ଼ି ଆଣି ତା ଲାଜୁଆ ମୁହଁଟାକୁ ନିଜ ଦୁଇ ହାତରେ ତୋଳି ଧରିଲା । ଆସ୍ତେ କରି ତାର ସେହି ଲିପିସ୍ଟିକ୍ ଲଗା ଥରିଲା ଓଠକୁ ଆଙ୍ଗୁଠି ରେ ସ୍ପର୍ଶ କଲା । ଚିନୁ ଭୟରେ, ଲାଜରେ ନିଜକୁ ତୁଷାରଠୁ ମୁକୁଳେଇ ନେଇ ସେ ରୁମ୍ ରୁ ବାହାରି ଆସିଲା ।

ମାଳତୀ ଚିନୁ କୁ ଘରୁ ବାହାରିଯାଉଥିବା ଦେଖି କହିଲେ, "ଚିନୁ ! ରହ ଆଜି ଆମ ଘରେ ଖାଇକି ଯିବୁ ।"

--ନାଇଁ ଖୁଡୀ ଘରକୁ କୁଣିଆଁ ଆସିଛନ୍ତି । ବୋଉ କହିଛି ଜଲଦି ପଳେଇବା କୁ ।

--ହଉ ସଞ୍ଜକୁ ଆସିବୁ । ମୁଁ ତୋ ବୋଉଙ୍କୁ କହିଦେବି ଆଜି ରାତିରେ ଏଇଠି ଖାଇବୁ ।

--ହଁ ଖୁଡୀ ଆସିବି ।

ଚିନୁ ଚାଲିଗଲା । ମାଳତୀଙ୍କର ଝିଅଟିଏ ନଥିବାରୁ ଚିନୁ କୁ ସେ ରଜ, କୁଆଁରପୁନେଇଁ ରେ ଘରକୁ ଡାକିଆଣନ୍ତି । ତାକୁ ନିଜ ଘରେ ଦେଖିଲେ ଖୁବ ଗୋଟେ ଆନନ୍ଦ ରେ ମନ ତାଙ୍କର ପୁରିଉଠେ ।

ମିଲି ଭାଉଜଙ୍କ ନିଜ ଭାଈ ବିକାଶ ଓ ମାଉସୀ ପୁଅ ଅନିଲ୍ ସଞ୍ଜ ପୂର୍ବରୁ ପଳେଇଲେ । ସେମାନେ ଯିବା ପରେ ବୋଉ ଆଉ ଭାଉଜ ଭାରି ଗୋଟେ କଣ ଆଲୋଚନା ରେ ବ୍ୟସ୍ତ ହେଇପଡ଼ିଛନ୍ତି । ଚିନୁ ସେମାନଙ୍କ ପାଖକୁ ଗଲାବେଳକୁ ସେମାନେ କଥାଟା ବୁଲେଇ ଅନ୍ୟ ଆଡକୁ ନେଇଗଲା ପରି ମନେ ହେଉଛି । ଚିନୁ ଆଉ ସେମାନଙ୍କ କଥାକୁ କାନ ନଦେଇ ନିଜ ରୁମ୍ କୁ ଚାଲିଯାଉଥିଲା ପଛରୁ ବୋଉ ବଡ଼ ପାଟିରେ କହୁଥିବା ଶୁଣିଲା ।

--ତୁ ଠିକ କହୁଛୁ ମିଲି । ଝିଅ ଘିଅ । ବେଶି ଦିନ ରଖିବା ଠିକ ନୁହେଁ । ଆଉ କଣ ଛୋଟ ହେଇ ଅଛି ? ଏହି ଶ୍ରାବଣ କୁ ପା ଉଣେଇଶ ପୁରିଯିବ । ମୋର ତ ମନକୁ ପାଇଛି । ହଉ ତୋ ବାପା ଆସୁ କଥାଟା ତାଙ୍କ କାନରେ ପକେଇବି । ତୁ ଵି ବିନୁ କୁ ଆଗୁଆ ଟିକେ ଜଣେଇ ଦେଇଥିବୁ ।

ଚିନୁ ଭାବିଲା, "ଏମିତି କି କଥା ଯେ ବାପା ଆଉ ବିନୁ ଭାଈଙ୍କୁ ଜଣେଇବାକୁ ବୋଉ କହୁଛି? "

"ହେ ଛାଡ଼", କହି ସେ ଖରାବେଳେ ଘଟି ଯାଇଥିବା କଥା ଗୁଡ଼ାକ ମନେ ମନେ ଦୋହରାଇଲା । ତୁଷାରର କଥା ସବୁ ଏବେ ଵି ତା କାନ ପାଖରେ ବାଜି ଯାଉଛି । ପ୍ରଥମ ସ୍ପର୍ଶର ରୋମାଞ୍ଚ ଏବେ ଵି ତାକୁ ଆଚ୍ଛାଦିତ କରି ରଖିଛି । ଚିନୁ ନିଜେ ନିଜ ହାତ ଆଉ ଓଠ କୁ ନିଜ ଆଙ୍ଗୁଠିରେ ସ୍ପର୍ଶ କଲା, ସେ ଅନୁଭବ କଲା ଏ ହାତଟା ଯେମିତି ତାର ନୁହେଁ । ଚିନୁ ର ଛାତି ଭିତରେ ଖୁବ ଜୋରରେ କମ୍ପନ୍ ଗୋଟେ ସୃଷ୍ଟି ହେଲା । ହୃଦୟର ଅଚାନକ ସେହି ମୃଦୁ ଆକ୍ରମଣ କୁ ଚିନୁ ଆଖି ଖୋଲାକରି ସହ୍ୟକରି ପାରିଲାନି । ବେଡ୍ ଉପରେ ଗଡି ପଡିଲା । କେଇ ମିନିଟ୍ ପରେ ଉଠିକରି ମିରର୍ ଆଗରେ ନିଜକୁ ଭଲ କି ଦେଖିନେଲା । ହଠାତ କଣ ମନେ ପଡିଗଲା । ପୁରୁଣା ବ୍ୟାଗ୍ ଟେ ଆଲମାରୀ ଉପରୁ ଟାଣି ଆଣିଲା । ଚେନ୍ ଖୋଲି ଡବା ଟେ ବାହାର କଲା । ଡବା ଭିତରୁ ଲାଲ୍ ଚୁଡ଼ିର ସେଟ୍ ଟେ ବାହାରି ଆସିଲା । ପଟେ ଚୁଡ଼ି ହାତରେ ଗଳେଇବାକୁ ଚେଷ୍ଟା କଲା । ନାଁ ହେଉନି । କିଏ ଦେଇଛି ବୋଲି କାଳେ କେହି ପଚାରିଦେବେ ସେହି ଡରରେ କେବେ ପିନ୍ଧି ପାରିନି । ଆଉ ଆଜି ଯେବେ ନଡରି ପିନ୍ଧିବାକୁ ଇଚ୍ଛା କରୁଛି ହାତରେ ସେଇଟି ଗଳୁନାହିଁ ।

ସେଦିନ ସନ୍ଧ୍ୟାରେ ମିଲି ଭାଉଜଙ୍କୁ ରୋଷେଇ ରେ ସାହାଯ୍ୟ କରିବା ପାଇଁ ଚିନୁ ଘରେ ରହିଲା ଆଉ ତୁଷାର୍ ର ଘରକୁ ଗଲାନାହିଁ ।

ରଜଛୁଟି ପରେ କଲେଜ୍ ଖୋଲିଗଲା । ତୁଷାର୍ ଫେରିଗଲା । ଚିନୁ ସହ ତାର ସେହିଦିନ ପରଠୁ ଆଉ ଦେଖା ହେଇନାହିଁ । ଚାହୁଁଥିଲା ଦେଖା କରିବା ପାଇଁ କିନ୍ତୁ ସାହସ କରି ତାଙ୍କ ଘରକୁ ଯାଇପାରିଲା ନାହିଁ ।

****** *** ***** ***** ******

ଚିନୁ କଲେଜର ଗାର୍ଲସ୍ କମନରୁମ୍ ରେ ବସିଛି, ତା ଫୋନ୍ ବାଜିଉଠିଲା ।

--ହ୍ୟାଲୋ ! ଚିନୁ ।

--ହଁ କହ ।

--ତୁ କଣ ମୋ ନମ୍ବର୍ ଜାଣିନୁ ?

--କାଇଁ? କଣ ହେଲା କି?

--ଫୋନ୍ କଲୁନି ?ହ୍ୱାଟ୍ସଅପ୍ ରେ ମେସେଜ୍ ଦେଇଥିଲି ରିପ୍ଲାଇ ଦେଉନୁ ?

--ଆରେ ମୁଁ ମୋବାଇଲ୍ ଦେଖିନଥିଲି ।

--ମୋ ଉପରେ ରାଗିଛୁ ?

--ନାଇଁ ତ ।

--ଆସିଲୁନି କାହିଁକି ଆଉ ?

--ଘରେ କାମ ଥିଲା । ଛାଡିଲେନାହିଁ । ତୁ ଆସିଲୁନି ?

--ତୁ କଣ ଜାଣିନୁ ? ମୋତେ ଡର ଲାଗେ ।

--ଡରୁଆ କୋଉଠି କାର । ହଉ ମୁଁ ଏବେ କ୍ଲାସ୍ କୁ ଯାଉଛି । ପରେ କଥା ହେବି ।

--ଆରେ ଶୁଣ ଶୁଣ ।

--କହ ।

--ତୋ ପାଇଁ ଗୋଟେ ଗିଫ୍ଟ୍ ରଖିଥିଲି । ତୁ ଆସିଥିଲେ ଦେଇଥାନ୍ତି ।

--ଏବେ କଣ ଆଉ କାହାକୁ ଦେଇଦେଲୁ କି?

--ପାଗିଳି ନାଁ କଣ? ଆଉ କାହାକୁ ଵି ଦେବିନି । ସେଇଟା ଖାଲି ତୋ ପାଇଁ । ଆଉ ଥରେ ଗଲେ ତତେ ଦେବି ।

କଥା ଶେଷ କରି ଚିନୁ ଫୋନ୍ ରଖିଲା । ଫେସବୁକ୍ ଖୋଲିକି ତୁଷାର୍ ର ପ୍ରୋଫାଇଲ୍ ଫୋଟୋ ଦେଖିଲା । କମେଣ୍ଟ୍ ସବୁ ପଢିଲା । ଫୋଟୋ ରେ ଝିଅମାନଙ୍କ କମେଣ୍ଟ୍ ଗୁଡିକୁ ପଢି ଇର୍ଷାରେ ଜଳିଗଲା । ଏଇ ପ୍ରଥମ କରି ସେ ଇର୍ଷା କରିବା ଆରମ୍ଭ କରିଛି ।

ତୁଷାର୍ ଆଉ ଚିନୁ ଚାଟିଙ୍ଗ୍ କରନ୍ତି । ଫୋନ୍ ରେ ଗପନ୍ତି କିନ୍ତୁ ଆଜିଯାଏଁ କେହି କାହାକୁ କୌଣସି ପ୍ରତିଶୃତି ଦେଇନାହାଁନ୍ତି କିମ୍ବା ଉଭୟ ଉଭୟଙ୍କର ମନର ଭାଷାକୁ ଖୋଲିକରି ପରସ୍ପରକୁ କହି ନାହାଁନ୍ତି ।

ଗ୍ରାଜୁଏସନ୍ ଶେଷ ବର୍ଷ । ପରୀକ୍ଷା ଆଉ କେଇଦିନ ବାକି ଅଛି, ଚିନୁ ମନ ଧ୍ୟାନ ଦେଇ ପଢ଼ା ପଢ଼ି କରୁଛି । ତୁଷାର କହିଛି ଗ୍ରାଜୁଏସନ୍ ରେ ଭଲ ନମ୍ବର୍ ଆଣିଲେ ସେ ଯାଇ ୟୁନିଭର୍ସିଟି ରେ ପି.ଜି. କରିପାରିବ । ସେମାନେ ଦୁହେଁ ଖୁବ ବୁଲା ବୁଲି କରିପାରିବେ । ଏମିତି ସବୁ ସ୍ୱପ୍ନ ଦେଖିବାରେ ମସଗୁଲ ଥିବା ଚିନୁ କିନ୍ତୁ ସତରେ ଜାଣିନଥିଲା ଆଗକୁ ତା ଜୀବନରେ କଣ ଘଟିବାକୁ ଯାଉଛି ।

ପରୀକ୍ଷା ଫଳ ନବାହାରୁଣୁ ଅନିଲର ବାପା ମାଆ ଅଚାନକ ଆସି ପହଞ୍ଚିଗଲେ ଚିନୁର ଘରେ । ଚିନୁ କିଛି ବୁଝିବା ଆଗରୁ ଅନିଲର ବୋଉ ତା ରୁମ୍ କୁ ପଶିଯାଇ ହସି ହସି ତା ମୁଣ୍ଡ ଆଉଁଶି ଦେଲେ । ଚିନୁର ପତଳା ହାତଟାକୁ ଆସ୍ତେ କରି ଧରି ହଳେ ଚିକମିକ୍ ସୁନ୍ଦର ସୁନାର ଚୁଡ଼ି ପିନ୍ଧେଇଲେ । ପଛରେ ବୋଉ ଆଉ ଭାଉଜ ଠିଆ ହୋଇ ହସୁଥିଲେ ।

ସମସ୍ତେ ବେଶ୍ ଖୁସି । ଚିନୁ ଆଉ ମୁହଁ ଖୋଲିବାକୁ ସୁଯୋଗ ପାଇଲା ନାହିଁ । ତୁଷାର୍ କୁ ମେସେଜ୍ ରେ ଜଣାଇଲା । ସେ କିଛି ଉତ୍ତର ଫେରେଇ ପାରିଲାନି । ରଜ ଛୁଟି ପୂର୍ବରୁ ଚିନୁର ବାହାଘର ହେଇଗଲା । ତୁଷାରର ଫାଇନାଲ୍ ପରୀକ୍ଷା ସରିନଥିଲା । ଯୋଗ ଦେଇ ପାରିଲାନାହିଁ ।

ଚିନୁ ଅଳଙ୍କାର ରେ ସଜେଇ ହେଇ ହାତରେ ଖୁବ ସୁନ୍ଦର ଚିକମିକ୍ ଚୁଡ଼ି ପିନ୍ଧି, ଝଲମଲ୍ ନାଲି ରଙ୍ଗର ପାଟ ଶାଢ଼ୀ ଓ ଓଢଣୀରେ ଆବୃତ୍ତ ହୋଇ ଅନିଲଙ୍କ ସହ ନୂଆ ସଂସାର ଗଢିବାକୁ ଚାଲିଗଲା ।

ତୁଷାର ଚିନୁର ନମ୍ବର କୁ ଫୋନ୍ କରିବାକୁ ବହୁତ ଚେଷ୍ଟା କରେ, ପୁଣି କଣ ମନରେ ଭାବି ମୋବାଇଲ୍ ରଖିଦିଏ । ହ୍ୱାଟ୍ସଅପ୍ ରେ ଚିନୁ ର ସ୍ଟାଟସ୍ ଦେଖେ । ତା ନୂଆବୋହୂ ବେଶ ଦେଖି ରାଗରେ ଫୋନ୍ ଟା କୁ କଚାଡ଼ିଦିଏ । କାହାକୁ କିଛି କହିପାରେନାହିଁ । ଦୁଃଖ କୁ ଛାତି ଭିତରେ ଚାପି ଧରି ଉପରେ ହସିବାକୁ ଚେଷ୍ଟା କରେ ।

ଏହିପରି କିଛିଦିନ ଚାଲିବା ପରେ ତୁଷାର ଲକ୍ଷ କଲା ସେ ପଢ଼ା ପଢ଼ିରୁ ଏକାଗ୍ରତା ହରାଇ ବସୁଛି । ସେ ନିଜକୁ ଚିନୁମୟ ଦୁନିଆଁ ରୁ ମୁକ୍ତ କରିବାକୁ ଆପ୍ରାଣ ଉଦ୍ୟମ କଲା ଓ କିଛିଟା ସଫଳ ମଧ୍ୟ ହେଲା ।

ଚିନୁ କିନ୍ତୁ ଆଜିଯାଏଁ ପ୍ରକୃତିସ୍ଥ ହୋଇପାରିନାହିଁ । ଅନବରତ ଅନିଲଙ୍କୁ ତୁଷାର୍ ସହ ତୁଳନା କରୁଛି । ତା ସ୍ଟାଟସ୍ ଆଉ ତୁଷାର୍ ଦେଖୁନାହିଁ ଜାଣି ଗଭୀର ଆଘାତ ପାଉଛି । ଭୟ ଓ ଲଜ୍ଜ୍ୟା ରେ ନିଜ ଆଡୁ ମେସେଜ୍ ଟେ ମଧ୍ୟ୍ୟ ଦେଇପାରୁନାହିଁ । ତୁଷାର ସହ କୌଣସି ସଂଯୋଗ ନହେଇପାରିବାରୁ ତା ଜୀବନରେ ବିରାଟ ଏକ ଶୂନ୍ୟତା ସେ ଅନୁଭବ କରୁଛି । ଫାଙ୍କା ସମୟରେ ବସି ତୁଷାର୍ ଦେଇଥିବା ସେହି ଲାଲ ରଙ୍ଗର ପ୍ଲାଷ୍ଟିକ୍ ଚୁଡ଼ିକୁ ହାତରେ ଗଳେଇବାକୁ ଚେଷ୍ଟା କରୁଛି । ଏବେ ମଧ୍ୟ୍ୟ ଚିନୁ ତୁଷାରକୁ ନେଇ ସନ୍ଦେହରେ । "ସେ କଣ ସତରେ ମୋତେ ଭଲ ପାଉଥିଲା?"

ଚିନୁର ଏପରି ଦୀର୍ଘଦିନ ଯାଏଁ ଉଦାସ ରହିବାଟା ଅନିଲଙ୍କୁ ଧୀରେ ଧୀରେ ବିରକ୍ତ ବୋଧ ହେଲାଣି । ସେ ଚିନୁ କୁ ଶ୍ରଦ୍ଧା ରେ, ଆବେଗରେ କିଛି କହୁଥିବା ବେଳେ ଚିନୁ କିନ୍ତୁ ସମ୍ପୂର୍ଣ୍ଣ ଅନ୍ୟମନସ୍କ ଥାଏ । ହାତରେ ସେହି ପ୍ଲାଷ୍ଟିକ୍ ଚୁଡ଼ିମୁଠାକ ଧରି ଏପଟ ସେପଟ କରୁଥାଏ ।

ଅନିଲଙ୍କର ଏବେ ଲାଲ ଚୁଡ଼ି ଉପରେ ରାଗ ଆସିଗଲାଣି । ସେ ଲକ୍ଷ କରୁଛନ୍ତି ତାଙ୍କ ନବବିବାହିତା ସ୍ତ୍ରୀ ତାଙ୍କଠୁ ବେଶି ସେହି ନାଲିଆ ପ୍ଲାଷ୍ଟିକ୍ ଚୁଡ଼ିକୁ ଭଲ ପାଉଛନ୍ତି । ଖୁବ ଗୋଟେ ଇର୍ଷା ରେ ସେ ନିଜ ପ୍ରିୟତମା ପତ୍ନୀ ଙ୍କର ଅତିପ୍ରିୟ ଚୁଡ଼ି ମୁଠାକ ଉପରେ ନିଜର ସବୁତକ କ୍ରୋଧ କୁ ଠୁଳ କରିଦେଲେ । ଚିନୁର ଅଗୋଚରେ ଲୁଚେଇ ନେଇ ଡଷ୍ଟବିନ୍ ରେ ଫିଙ୍ଗି ଦେଇ ଆସିଲେ ତାର ସେହି ପିଲାଦିନର ଝାପ୍ସା ପ୍ରେମ ଓ ନାଲିଆ ସ୍ୱପ୍ନ ସନ୍ତକ ମୁଠାକ ।

ଚିନୁ ଖୁବ ଖୋଜିଲା । ଖୋଜି ଖୋଜି ନୟାନ୍ତ ହେଲା । କୌଣସି କାମରେ ଆଉ ତାର ମନ ଲାଗିଲା ନାହିଁ । ଚୁଡ଼ି ବାକ୍ସ କୁ ବାରମ୍ବାର ଖୋଲି ବେଡ୍ ଉପରେ ଅଜାଡ଼ିଲା ଓ ପୁଣି ଚୁଡ଼ିଗୁଡିକୁ ସେଥିରେ ଭର୍ତ୍ତି କରି ରଖିଲା । ଗୋଟି ଗୋଟି କରି ଚୁଡ଼ି କୁ ଏପଟ ସେପଟ କରି ଦେଖିଲା । କେଜାଣି କେମିତି ଅଦ୍ଭୁତ ଖିଆଲମାନ ମନରେ ତାର ଉଙ୍କି ମାରିଲେ । "କାହିଁକି ସେହି ପ୍ଲାଷ୍ଟିକ ଚୁଡ଼ି ଗୁଡ଼ିକ ଉଭାନ ହେଇଗଲେ ? ସେମାନେ ଆଉ କୋଉ ରଙ୍ଗ ଧାରଣ କରିନେଇ ଲୁଚି ଯାଇ ନାହାଁନ୍ତି ତ ? "

ଏବେ ଚିନୁ ମୋବାଇଲ୍ ଵି ଆଉ ବେଶି ଦେଖେ ନାହିଁ । ଫେସବୁକ୍ ରେ ତୁଷାର ର ପ୍ରୋଫାଇଲ୍ ଖୋଲି ଫୋଟୋ ଦେଖେନି । ଆଗପରି କାଚର ନାଲି ଚୁଡ଼ି ପିନ୍ଧିବାକୁ ମଧ୍ୟ ଆଦୌ ଆଗ୍ରହ ରଖେନାହିଁ । ଅନିଲ୍ ଵି ସେ ପୁରୁଣା କାଳିଆ ଚୁଡ଼ି ପିନ୍ଧାକୁ ପସନ୍ଦ କରନ୍ତି ନାହିଁ । ଚିନୁ କୁ ଗୋଲ୍ଡ଼ ର ବ୍ୟାଙ୍ଗ୍ଲସ୍ ପଟେ ପଟେ ପିନ୍ଧିବାକୁ କହନ୍ତି । ଚିନୁ କିନ୍ତୁ ମନେ ମନେ କିଛି ଖୋଜି ହେଉଥାଏ । ନେଳି, ଆକାଶୀ, ବାଇଗଣୀ ରଙ୍ଗର ପ୍ଲାଷ୍ଟିକ୍ ଚୁଡ଼ି ଗୁଡ଼ିକରୁ ରଙ୍ଗ ଛଡେଇ ଦେଖେ ତଳେ ଆଉ ଗୋଟିଏ ପରସ୍ତ ନାଲିର ରଙ୍ଗ ଅଛି କି ନାହିଁ ।

ଦିନକୁ ଦିନ ଚିନୁର ଖୋଜିହେବାର ପାଗଳାମୀ ଟା ବଢ଼ିବାରେ ଲାଗିଲା । ଦିନେ ଯୋଉଟା ପାଇବାକୁ ପାଗଳୀ ହେଇଥିଲା ଆଜି ପାଇକି ମଧ୍ୟ ପାଇବାରେ ଅପୂର୍ଣ୍ଣତା ଅନୁଭବ କରୁଛି । ଆଉ ଯାହାକୁ ପାଇକରି ଉପେକ୍ଷା କରିଥିଲା ତାକୁ ହଜେଇ ଦେଇ ପୁଣି ଖୋଜିଚାଲିଛି ।

ଦିନରାତି ଖାଲି ସେହି ଚୁଡ଼ିର ବାକ୍ସ ଖୋଲା ଆଉ ବନ୍ଦ । ସେତିକିରେ ହିଁ ଚିନୁର ଜୀବନ ଅଟକି ରହିଯାଇଛି । ସମସ୍ତେ ଆଗଉଥିଲେ କିନ୍ତୁ ସେ ଯେଉଁଠି କୁ ସେଇଠି । ଦିନ,ମାସ,ବର୍ଷ ବିତିଯାଉଥିଲା କିନ୍ତୁ ପ୍ରତ୍ୟେକ ରାତିରେ ଚିନୁର ବେଡରୁମ୍ ରୁ କେଵଳ ଚୁଡ଼ିର ଝମଝମ୍ ଓ ଆଲମିରା ଖୋଲିବାର କେଁ କେଁ ଶବ୍ଦ ବ୍ୟତୀତ ଅନ୍ୟ କିଛି ଶୁଭୁନଥିଲା ।

ଅନିଲଙ୍କୁ ଚିନୁର ଉଦାସପଣ ଖୁବ ଆଘାତ ପହଞ୍ଚାଉଥିଲା । ସେ ଅନେକ ସମୟରେ ଚିନୁର ଏପରି ଅବସ୍ଥା ପାଇଁ ନିଜକୁ ଦାୟୀ କରୁଥିଲେ । ଚିନୁର ନିକଟବର୍ତ୍ତୀ ହେବା ପାଇଁ, ତା ସହ ଅନ୍ତରଙ୍ଗ ସୁନ୍ଦର ମୁହୂର୍ତ୍ତ କିଛି ବିତାଇବା ପାଇଁ ଛଟପଟ ହେଉଥିଲେ ମଧ୍ୟ୍ୟ ମୁହଁ ଖୋଲି କିଛି କହିପାରୁନଥିଲେ । ସମୟ ଯେତେ ଗଡି ଗଡି ଯାଉଥିଲା ଚିନୁ ସେତେ ସେତେ ନିଜ ଭିତରେ ନିଜକୁ ବନ୍ଦୀ କରିଦେଉଥିଲା, ଯେମିତି ତା ଚାରିପଟେ ଆଉ କାହାରି କୌଣସି ସ୍ଥିତି ହିଁ ନାହିଁ । କେଵଳ ସେ, ତାର କାଚ ଚୁଡ଼ିର ବାକ୍ସ ଓ କିଛି ଅଫେରା ଦିନ , ବାସ୍ ସେତିକି ହିଁ ତାର ଦୁନିଆଁ ।

********** ************ *********

ତୁଷାର ବଡ଼ ଗୋଟେ କମ୍ପାନୀ ରେ ଇଞ୍ଜିନିୟର୍ ଭାବେ ଯୋଗଦେଲା । କମ୍ପାନୀର ଗୋଟେ ପ୍ରୋଜେକ୍ଟ କାମରେ ଚାରିବର୍ଷ ପାଇଁ ତାକୁ ଅଷ୍ଟ୍ରେଲିଆ ପଠାଯାଉଛି । ତା ପୂର୍ବରୁ ବାହାଘର ଟା ସାରିଦେବା ପାଇଁ ବାପାମାଆ ତାର ବଡ଼ ଜୋରରେ ଲାଗିପଡ଼ିଲେ । ବାହାଘର ଠିକ ହେଇଗଲା । ଚିନୁ ଆଉ ଅନିଲ୍ ଙ୍କୁ ରଘୁନାଥ କକା ନିଜେ ଆସି ନିମନ୍ତ୍ରଣ ପତ୍ର ଦେଇଗଲେ ।

ବାହାଘର ରିସେପସନ୍ କୁ ଅନିଲ୍ ଚିନୁ କୁ ସାଙ୍ଗରେ ନେଇ ତୁଷାରଙ୍କ ଘରେ ପହଞ୍ଚିଲେ ଓ ପରଦିନ ହିଁ ସେ ଏକା ଫେରିଆସିଲେ ଚିନୁ କୁ ଆଉ କିଛି ଦିନ ପାଇଁ ବାପଘରେ ରହିବାକୁ ଛାଡ଼ିଦେଇ ।

ଚିନୁ ଲକ୍ଷ କଲା ତୁଷାର୍ ତା ସହ ଆଗଭଳି କଥା ହେଉନାହିଁ । ଖୁବ ମାପି ଚୁପି ପଦେ ଅଧେ ଯାହା ପଚାରିଛି । କିଏ କାହା ଉପରେ ଅଭିମାନ କରିଛି ସଠିକ୍ ଜଣା ପଡୁନଥିଲା । ଅନ୍ୟମାନେ ମଧ୍ୟ ଲକ୍ଷ କଲେ ଚିନୁ ପୂର୍ବପରି ଆଉ ହସୁନାହିଁ, ବେଶି ଗପୁନାହିଁ । ସେମାନେ ଅନୁମାନ ଲଗେଇଲେ, ବାହାଘର ଏତେ ବର୍ଷ ପରେ ମଧ୍ୟ୍ୟ ସନ୍ତାନ ସୁଖ ନମିଳିବା ହିଁ ତା ଗୁମସୁମ୍ ରହିବାର କାରଣ ।

ଅଷ୍ଟମଙ୍ଗୁଳା ପର ଦିନ ହିଁ ତୁଷାର ତା ନବବିବାହିତା ପତ୍ନୀ କାଜୋଲ୍ କୁ ନେଇ ବାଙ୍ଗାଲୋର ଚାଲିଗଲା । ସେଠୁ ଆଉ କିଛି ଦିନ ପରେ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ ହେବ । ସେମାନେ ସେଦିନ ଘରୁ ଗାଡ଼ି ରେ ବସିବାକୁ ବାହାରୁଥିବା ବେଳେ ଚିନୁ ଦୂରରେ ଠିଆ ହୋଇ ସେମାନଙ୍କ ରାସ୍ତା କୁ ଏକଧ୍ୟାନ ରେ ଦେଖୁଥିଲା । ତୁଷାର୍ ପଛକୁ ବୁଲି ପଡିଲା ଓ ଦୁଇ ମିନିଟ ପାଇଁ ସେମିତି ଠିଆ ହୋଇରହିଗଲା । ଚିନୁ କଣ ଭାବିଲା କେଜାଣି ସଙ୍ଗେ ସଙ୍ଗେ ଦୌଡ଼ି ପଳେଇଲା ନିଜ ଘରକୁ ।

ମାଳତୀ ଖୁଡୀ ଆସି ଚିନୁ କୁ ତାଙ୍କ ଘରକୁ ଡ଼ାକିନେଲେ । ପୁଅବୋହୂ, ବନ୍ଧୁ କୁଣିଆଁ ପଳେଇଗଲା ପରେ ଘରଟା ତାଙ୍କୁ ଯାତ୍ରା ପରର ଖାଁ ଖାଁ ପରି ଲାଗୁଥିଲା । ମାଳତୀ ଚିନୁ କୁ ବସେଇଦେଇ ବାହାଘର କ୍ୟାସେଟ୍ ଖୋଜିଲେ ସାଙ୍ଗ ହୋଇ ମ୍ୟାରେଜ୍ ଭିଡ଼ିଓ ଦେଖିବା ପାଇଁ । ସବୁ ଜିନିଷ ଏପଟ ସେପଟ ହେଇ ପଡିଥିବା ଭିତରେ କ୍ୟାସେଟ୍ ଟି କୋଉଠି ରହିଯାଇଛି ପାଇଲେ ନାହିଁ । କାଳେ ତୁଷାର୍ ର ରୁମ୍ ରେ ରହିଯାଇଥିବ କହି ଚିନୁ ସେଠାକୁ ଗଲା ଖୋଜିବା ପାଇଁ ।

ପହିଲି ରଜର ପ୍ରଥମ ଅନୁଭୂତିର ସେହି ଅଭୁଲା ଦିନ ପରଠୁ ଚିନୁ ଆଉ ଏ ରୁମ୍ ରେ କେବେ ପାଦ ଦେଇନଥିଲା । କୋଠରୀ ର ଚଟାଣକୁ ସ୍ପର୍ଶ କରୁ କରୁ ଗୋଟେ ଶୀହରଣ ଖେଳିଗଲା ତା ସମଗ୍ର ଶରୀରରେ । ଏଠି ଏବେ ଅନେକ ପରିବର୍ତ୍ତନ । କାନ୍ଥ ରେ ନୂଆ ରଙ୍ଗ ଦିଆଯାଇଛି, ପରଦାଗୁଡ଼ା ବଦଳି ଯାଇଛି ଆଉ ଘର କୋଣରେ ଅଧିକାର ଜମେଇ ବସିଥିବା ସେହି ପଢ଼ା ଟେବୁଲ୍ ଟା ତା ଜାଗାରୁ ଉଠିଯାଇଛି । ବଦଳିନି କେବଳ କାଠର ଆଲମିରା ଟି । ଆଲମିରା ରେ ନୂଆ ରଙ୍ଗ ଦିଆଯାଇ ଗୋଟେ କଡ଼କୁ ଡେରା ହେଇଛି । କୋଠରୀଟିର ନୂଆ ଖୋଳପା କୁ ଚିନୁ ଖୋଲି ଫିଙ୍ଗି ଦେଲା ଓ ପୁରୁଣା ଦିନରେ ହଜିଗଲା । ସେହିଦିନର ଘଟଣା ତା ମନ ମସ୍ତିସ୍କ କୁ ଅକ୍ତିଆର୍ କରିଆସୁଥିବା ବେଳେ ସେ ତୁଷାରର ସୁନ୍ଦର ନୂଆ ବେଡ୍ ଉପରେ କାଜୋଲକୁ ଆବିଷ୍କାର କଲା । ତୁଷାର ଆସ୍ତେ କରି କାଜୋଲ୍ କୁ ନିଜ କୋଳ କୁ ଟାଣି ନେଉଥିଲା । ଓହଃ.. ନାଁ... ଚିନୁର ଛାତି ଭିତରେ ଅଦ୍ଭୁତ ଏକ ଯନ୍ତ୍ରଣା ଅନୁଭବ ହେଲା । ସେ ତାର ସେହି କିଶୋରୀ ବୟସରୁ ଫେରିଆସି ପୁଣି କ୍ୟାସେଟ୍ ଖୋଜିବାରେ ଲାଗିପଡ଼ିଲା ।

ଖୁବ ଖୋଜିଲା । କୋଉଠି ଵି ନାହିଁ । ଶେଷରେ କାଠର ସେହି ପୁରୁଣା ଆଲମିରା ଟାକୁ ଖୋଲିଲା । କେଁ କରି ଗୋଟେ ଶବ୍ଦ ପ୍ରଥମେ ବାହାରିଆସିଲା । ତାପରେ ଦଲକାଏ ପୁରୁଣା ପରିଚିତ ବାସ୍ନା । ଏହି ଆଲମିରା ରେ ଆଗରୁ ସେ ତୁଷାରର ବହି ସବୁ ଥାକ କରି ରଖୁଥିଲା । ନଚାହିଁ ମଧ୍ୟ୍ୟ ଚିନୁ ଆପେ ଆପେ ସେହି ପୁରୁଣା ଦିନକୁ ଫେରିଯାଉଥିଲା । ଆଲମିରା ସାରା ଅଣ୍ଡାଳି ପକେଇଲା । ପ୍ଲାଷ୍ଟିକର ଡବା ଟେ ହାତରେ ବାଜିଲା । ବାହାର କରି ଆଣିଲା । ଡବାଟା ଅନେକ ଦିନରୁ ବନ୍ଦ ହେଇ ଅଛି ବୋଧେ,ସହଜେ ଖୋଲୁନି । ଜୋର କରି ଠିପି ଟା ଟାଣିଦେଲା ଚିନୁ । ଆରେ ଏ କଣ ? କି ସୁନ୍ଦର ନାଲି ରଙ୍ଗର ଚିକମିକ ପାଣି ଚୁଡ଼ି !! ବାଃ ଚମତ୍କାର୍ !! ଠିକ ଚିନୁର ମାପ ରେ ଚୁଡ଼ି ମୁଠିକ । ଏହି ଚୁଡ଼ିକୁ ତ ସେ ଅନେକ ଆଗରୁ ଗୁଡ଼ାଏ ଚୁଡ଼ି ଦୋକାନ ରେ ପାଗଳ ପରି ଖୋଜିଛି । ତମାମ ଶୈଶବ, କୈଶୋର ଆଉ ଯୌବନର କେତୋଟି ବର୍ଷ ୟାକୁ ହିଁ ତ ଖୋଜିବାରେ ବିତେଇ ଦେଇଛି !

ଚିନୁ ଚୁଡ଼ି ଗୁଡିକୁ ଦେଖି ଭାବ ବିହ୍ୱଳ ହୋଇ ପଡୁଥିବା ବେଳେ ହଠାତ ଡବାର ତଳ ଭାଗରେ ଆଉ ପଟେ ଚୁଡ଼ି ଉପରେ ତାର ନଜର ପଡିଗଲା । ସେଇଟିକୁ ଉଠେଇ ଦେଖିଲା । "ଆରେ ଏ ତ ମୋର ସେହି ଫଟା ଚୁଡ଼ି ଟା ନା କଣ ! ସେଦିନ ତୁଷାରର ପଢ଼ା ଟେବୁଲ ରେ ହାତ ବାଜି ଯୋଉଟା ଫାଟି ଯାଇଥିଲା,ଇଏ ତ ସେହି ଚୁଡ଼ି । "

କିଛିଦିନ ହେବ ହସ ଓ କାନ୍ଦ ଭୁଲି ଯାଇଥିବା ଝିଅଟା କାହିଁକି କେଜାଣି ପ୍ରଥମେ ଟିକେ ହସିଦେଇ ତାପରେ ଖୁବ ଜୋରରେ କାନ୍ଦି ଉଠିଲା । ବାୟାଣୀ ପରି ଚୁଡ଼ି ମୁଠାକକୁ ନେଇ ଗାଲରେ ଘଷୁଥିଲା ବେଳେ ସବୁଯାକ ଏକାବେଳେ ତଳେ ପଡ଼ି ଟୁକୁଡ଼ା ଟୁକୁଡ଼ା ହୋଇଗଲା ।

ଚିନୁର କାନ୍ଦ ଶୁଣି ପାଖ ରୁମ୍ ରୁ ମାଳତୀ ଧାଇଁ ଆସିଲେ ।

--ଚିନୁ !! କଣ ହେଲା ତୋର? ଏମିତି ଛୋଟ ପିଲା ପରି କାନ୍ଦୁଛୁ କାହିଁକି ? ଓହ ଚୁଡ଼ି ଭାଙ୍ଗିଗଲା । ଏହି ଗୋଟେ କଥା । କାଚ ଭାଙ୍ଗିଲେ ଅଶୁଭ ବୋଲି ଭାବି କାନ୍ଦୁଛୁ କି ?ହେ ସେସବୁ ବେକାର କଥା । ଛି... କାନ୍ଦେନି । ମୋ ସୁନା ଝିଅଟା ପା । ତୁ ନା ଚିନୁ ଯେମିତି କୁ ସେମିତି ହେଇ ଅଛୁ । ଟିକେ ବଦଳିନୁ । ପୁରା ପାଗିଳୀ ଟା ! କାନ୍ଦେନା ଆଉ ।

ଚିନୁର କାନ୍ଦ ଧିମେଇ ଆସିଲା । ସେ ମାଳତୀ ଙ୍କୁ କୁଣ୍ଢେଇ ଧରି ଧୀରେ ପଚାରିଲା, "ଖୁଡୀ ମୁଁ ଏ କାଚ ଟୁକୁଡ଼ା ଗୁଡ଼ା ନେଇପାରିବି? "

ମାଳତୀ ହଁ କି ନାହିଁ କଣ କହିବେ କିଛି ବୁଝି ପାରୁନଥିଲା ବେଳେ ଚିନୁ ତଳକୁ ନଇଁପଡ଼ି ନାଲି ଚୁଡ଼ିର ଟୁକୁଡ଼ା ଗୁଡ଼ା ଗୋଟେଇ ଡବା ରେ ରଖୁଥିଲା । ସବୁଯାକ ଡବା କୁ ତୋଳି ନେଇ ଚିନୁ ଉଠିଲା । ତାର ସେହି ବଡ଼ ବଡ଼ ଆଖି ଦୁଇଟିର ରଙ୍ଗ ଓ ହାତ ପାପୁଲିର ରଙ୍ଗ ଏକଦମ ଲାଲ ହେଇଯାଇଛି ।

ମାଳତୀ ସ୍ଥାଣୁ ପରି ଦେଖୁଛନ୍ତି ଚିନୁକୁ । ଏଇଯେମିତି ଆଜି ତାକୁ ନୂଆ ଦେଖିଲେ । ରକ୍ତରେ ଲାଲ୍ ଚିନୁର ପାପୁଲି କୁ ମାଳତୀ ଟାଣି ଆଣୁଥିଲା ବେଳେ ଚିନୁ କହିଲା, "ଖୁଡୀ ଏଇ କାଚର ଚୁଡ଼ି ଗୁଡ଼ା ସତରେ ଭାଙ୍ଗି ଯାଏ । ନୁହେଁ କି ?? ଭାଙ୍ଗି ରକ୍ତାକ୍ତ କରିପକାଏ ! ତୁଷାର ପରା କହୁଥିଲା ।"

ଏତକ କହି ଡବାଟି ଧରି ଚିନୁ ଦ୍ୱାର ବନ୍ଧ ଡେଇଁ ସେଠୁ ଚାଲିଗଲା । ମାଳତୀ ତା ଯିବା ବାଟକୁ କୁ ହାଁ କରି ଯାହା ଅନେଇ ରହିଥିଲେ ।

*****

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର ଶାସନ, ନନ୍ଦିପୁର, ଦଶରଥପୁର

ଜିଲ୍ଲା -ଯାଜପୁର, 755006

ଚୁଡ଼ି କାଚ ନାଲି

Rate the content


Originality
Flow
Language
Cover design

Comments

Post

Some text some message..