Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

5.0  

Minakshi Samal

Others

ଠିକିଲେ ଶିଖନ୍ତି

ଠିକିଲେ ଶିଖନ୍ତି

2 mins
828


ଆଜିକାଲି ଅନ୍ ଲାଇନ୍ ରେ ଜିନିଷ କିଣିବାର ଗୋଟିଏ ପ୍ରଥା ଚାଲିଛି।ସମୟ ଅଭାବରୁ ଆଉ ଦୋକାନକୁ ଯିବାର ଆବଶ୍ୟକତା ପଡୁନି।ବ୍ୟସ୍ତ ଜୀବନର ସମୟତକ ଭାବିଚିନ୍ତି ବିତେଇବା ସମୟରେ ମହୌଷଧି ସମ କାମ କରୁଛି ଅନ୍ ଲାଇନ୍ ସପିଙ୍ଗ।ଘରେ ବସି ନିଜର ପସନ୍ଦର ଓ୍ବେବ୍ ସାଇଟ୍ ରୁ ଜିନିଷ ପସନ୍ଦ କରି ନିଜର ଠିକଣାର ସମସ୍ତ ବିବରଣୀ ସହ ଫୋନ୍ ନମ୍ବର ଦେଇଦେଲେ ସ୍ବଳ୍ପ ସମୟ ଭିତରେ ଜିନିଷ ଆସି ଘରେ ହାଜର।

ଏଇ ଅନ୍ ଲାଇନ୍ ସପିଙ୍ଗ୍ ର ଶିକାର ମୁଁ ବି ହୋଇଛି।ସ୍ମାର୍ଟଫୋନ୍ ରେ ଫେସବୁକ ଖୋଲିଲା ମାତ୍ରେ ଆଖି ସାମନାରେ ଅନେକ ପ୍ରକାର ଜିନିଷର ସମ୍ଭାର ଦେଖି ମନଟା ଲାଳାୟିତ ହୋଇଯାଏ।କେବେ କେବେ ମନକୁ ନିୟନ୍ତ୍ରଣରେ ରଖିପାରେ ଆଉ କେବେ ହାରିଯାଏ।କାହିଁକିନା କୁହୁକିନୀ ଓ୍ବେବ୍ ସାଇଟ୍ ଗୁଡିକ ବାରମ୍ବାର ନଜରରେ ଆସି ତାଙ୍କର କାଉଁରୀ ପରଶରେ ମଣିଷ ମନକୁ ବଶ କରିଦିଅନ୍ତି।

କିଛିଦିନ ହେଲା ଗୋଟିଏ ଓ୍ବେବ୍ ସାଇଟ୍ ଆସିଛି ମାର୍କେଟ ପ୍ଲସ୍।ମୋର କେତେଜଣ ବାନ୍ଧବୀଙ୍କୁ ଏ ସାଇଟ୍ ରେ ପୋଷାକ କିଣା କିଣି କରିଥିବାର ଦେଖିଲି।ସେଥିପାଇଁ ମୋର ମଧ୍ୟ ଇଛାହେଲା ।ବେଶ କିଛି ଡ୍ରେସ୍ ମଗାଇଲି।କିଛି କିଛି ଜାଗାରେ ଦର ଟା ଟିକେ ଚଢା ମଧ୍ୟ ଲାଗୁଥିଲା।ସେଥିକୁ ଖାତିର ନକରି କିଣାକିଣି ଜାରୀ ରହିଲା।

କିଛି ଦିନ ତଳର କଥା।କମ୍ବୋ କୁର୍ତ୍ତୀର ବହୁତ ଫଟୋ ମୋ ମେସେଞ୍ଜର୍ ରେ ଆସିଲା।୮୫୦ ଟଙ୍କାରେ ଦୁଇଟି କୁର୍ତ୍ତୀ।ବିଶ୍ବାସ ହେଉନଥିବାରୁ କିଛିଦିନ ଅପେକ୍ଷା କଲି।ବାରବାର ମେସେଞ୍ଜର୍ ର ମେସେଜ୍ ଦେଖି ମନ ନିଜର ନିୟନ୍ତ୍ରଣ ହରାଇ ଦେଲା।ଶେଷରେ ସବିଶେଷ ବିବରଣୀ ସହ ଗୋଟିଏ ସେଟ୍ କମ୍ବୋ କୁର୍ତ୍ତୀ ପାଇଁ ଅର୍ଡର୍ ଦେଲି।ତିନିଦିନ ଭିତରେ ଅର୍ଡର ଡେଲିଭରି ହେବାର ମେସେଜ୍ ଆସିଲା।ସେଦିନ ମୁଁ ସ୍କୁଲରେ ଥାଏ।ଡେଲିଭରି ବୟ ର ଫୋନ୍ ଆସିଲା।ଘରେ ପୁଅକୁ କହିଦେଲି ଟଙ୍କା ଦେଇ ଜିନିଷ ରଖିଦେବାକୁ।ସେ ସେଇଆ କଲା।

ମୁଁ ଘରକୁ ଫେରି ପ୍ୟାକେଟ୍ ଟି ଖୋଲି ଦେଖିଲା ବେଳକୁ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଦେଲା ପରି ଲାଗିଲା।ଅର୍ଡର ଦେଇଥିବା କୁର୍ତ୍ତୀ ଦୁଇଟି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏଇ ଦୁଇଟି ।କପଡାର ମାନ ନିକୃଷ୍ଟ ଥିଲା ଏବଂ ରଙ୍ଗ ଓ ପ୍ରିଣ୍ଟ ଅପସନ୍ଦ ହେଉଥିଲା।ସଙ୍ଗେ ସଙ୍ଗେ

ମେସେଞ୍ଜର୍ ରେ ମେସେଜ୍ ଦେଉଥିବା ସେହି ମହିଳାଙ୍କୁ ମେସେଜ୍ ପଠାଇଲି।ତା ସହିତ କୁର୍ତ୍ତୀ ଦୁଇଟିର ଫଟୋ ମଧ୍ୟ ପଠାଇଲି।କୌଣସି ଉତ୍ତର ନପାଇ ପୁଣିଥରେ ଚେଷ୍ଟାକଲି ଓ ମେସେଜ୍ ପଠାଇଲି।ହଠାତ୍ ଗୋଟିଏ ଜିନିଷ ଦେଖି ସ୍ତବ୍ଧ ହୋଇଗଲି।ଲେଖାଥିଲା "ତାଲୁକ୍ ଦାର୍ ଲେଫ୍ଟ ଦ ଗୃପ"।ତାପରେ ସବୁଶେଷ।ବ୍ୟସ୍ତ ହୋଇ ଡେଲିଭରି ବୟ କୁ ଫୋନ୍ ଲଗାଇଲି।ସେ କହିଲା - ମୁଁତ ଏବିଷୟରେ କିଛି କରିପାରିବିନି।ନିରାଶ ନହୋଇ ତାକୁ ପୁଣିଥରେ ଅନୁରୋଧ କଲି ତାଙ୍କ ଅଫିସରେ ଏକଥା କହିବାକୁ।ସେ ସମ୍ମତି ଦେଲା।

ମନରେ ଏକ କ୍ଷୀଣ ଆଶା ଜାଗିଲା।ମନେହେଲା କଷ୍ଟାର୍ଜିତ ଧନ କେବେ ବେକାର ଯିବନି।ପରଦିନ ପୁଣି ସେହି ଡେଲିଭରି ବୟକୁ ଫୋନ୍ କଲି କିନ୍ତୁ ମତେ ନିରାଶ ହେବାକୁ ପଡିଲା।ସେ ଆଦୌ ଫୋନ୍ ଉଠାଇଲାନି।

ଅନ୍ ଲାଇନ୍ ଫ୍ରଡ ର ଗୋଟିଏ ଝଟକା ମତେ ଖାଇବାକୁ ପଡିଲା।କାନ ମୋଡି ହୋଇ ପ୍ରତିଜ୍ଞା କଲି ଆଉ ଅନ୍ ଲାଇନ୍ ରୁ କପଡା କିଣିବି ନାହିଁ।

ଦେଖାଯାଉ କେତେଦିନ ପର୍ଯ୍ୟନ୍ତ ମୋର ଏଇ ପ୍ରତିଜ୍ଞା ବଳବତ୍ତର ରହୁଛି ।

*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037


Rate this content
Log in