Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେତ ବନ୍ଧନ
ପ୍ରେତ ବନ୍ଧନ
★★★★★

© T.Durga Prasad Rao

Others

16 Minutes   209    7


Content Ranking

ପ୍ରେତ ବନ୍ଧନ


“ଅନ୍ଧାରିଆ ରାତି, ଶୁନୁ ଶୁନିଆ ଜାଗା, ଚମକାଇ ଦେଲା ପରି ରହି ରହି ଶ୍ୱାନ ଶ୍ୱାପଦଙ୍କ ରଡ଼ି। ଆକାଶରୁ ଝରୁଛି ଝିପି ଝିପି ବର୍ଷା। ମଧ୍ୟେ ମଧ୍ୟେ ବିଜୁଳି ଓ ଘଡ଼ଘଡ଼ି। ମଶାଣି ମଝିଟାରେ ବ୍ରହ୍ମରାକ୍ଷସ ପରି ହାତଗୋଡ଼ ମେଲାଇ ଛିଡ଼ା ହୋଇଛି ମସ୍ତବଡ଼ ଝଙ୍କାଳିଆ ବରଗଛ। ମଶାଣି ତଳକୁ ଗଣ୍ଡ ପାଣି ପବନର ଆହୁଲା ମାଡ଼ରେ ଚବ ଚବ ହେଉଛି। ଏମିତି ଗୋଟେ ବିପଦ ଶଙ୍କୁଳ ଜାଗାରୁ ବରଗଛ ଶାଖାରୁ ଆଣି ଆସିବ ପଦୁମାର ଚୁନୀ? ଏଡ୍ ଡେ ପାରିବା ପିଲାଟା? ପଦୁମାର ପ୍ରେତ ତା ବେକ ମୋଡ଼ି ରକତ ଯଦି ନ ପିଇଛି ମୋ ନାଆଁରେ କୁତା ପାଳିବ।” ରାଧୁଆର ନିଶ୍ୱାସ ପ୍ରଶ୍ୱାସ ପ୍ରଖର ହୋଇ ଉଠୁଥିଲା କ୍ଷଣକୁ କ୍ଷଣ। ଗାଁ ମୁଣ୍ଡ ଶିବାଳୟ ପାଖ ଅଷ୍ଟପ୍ରହରୀ ଚନ୍ଦିନୀ ଉପରେ ବସି ଭୟାତୁର ନୟନରେ ଶ୍ମଶାନ ଆଡ଼େ ଚାହିଁ ରହିଥିଲେ ତାକୁ ମିଶାଇ ଚାରୋଟି ଭେଣ୍ଡିଆ ଟୋକା। ଆଉ ସେ ଆଖିଲିଭା ଅନ୍ଧକାରକୁ ଚିରି ବିନା ଭୟରେ ଧପାଲି ଯାଉଥିଲା ଛାୟାମୂର୍ତ୍ତିଟିଏ ଶ୍ମଶାନ ଆଡ଼କୁ ମୁହଁ କରି।

ଯେଉଁଦିନ ସେ ବରଗଛ ଶାଖାରେ ନିଜ ଚୁନୀ ଲଗେଇ ପ୍ରତାପୁରର ବରୁଆ ମାହାନ୍ତି ଝିଅ ପଦୁମା ଫାଶୀ ଦେଇ ଦେଲା, ତା ପରଠାରୁ ଦିନ ବେଳେ ବି ସେ ବରଗଛ ପାଖକୁ ଯିବାକୁ କେହି ସାହସ କରନ୍ତି ନାହିଁ। କଣ ହେଲା କେଜାଣି, ଉଁ କି ଚୁଁ ନାହିଁ, କେହି କିଛି ଜାଣି ପାରିଲେନି କଥା କଣ, ସକାଳେ ଦେଖିଲା ବେଳକୁ ପଦୁମାର ପତଳା ଲହକା ଦେହଟା ଝୁଲୁଛି ବରଗଛ ଶାଖାରେ। ପିନ୍ଧିଥିଲା ଗୋଲାପି ରଙ୍ଗର ପଞ୍ଜାବୀ ସାଲୁଆର ଖଣ୍ଡକ। ତା ସାଙ୍ଗକୁ ଫୁଲ ପକା ଧଳା ରଙ୍ଗର ଚୁନୀ ଯାହାକୁ ସେ ଗୁଡ଼େଇ ଦେଇ ଗଣ୍ଠିଟିଏ ପକେଇ ଦେଇଥିଲା ବରଗଛ ଶାଖା ସହ। କେତେ ଲୋକ କେତେ ପ୍ରକାର ଭୁଟ୍ ଭାଟ୍ ହେଲେ। ପଦୁମାକୁ ନେଇ ଅନେକ ଉଡ଼ାଖବର ଶୁଣିବାକୁ ମିଳିଲା ଗାଁ ଲୋକଙ୍କ ମୁହଁରୁ। କିଏ କହିଲା ପଦୁମାର ନିଧି ମାଷ୍ଟ୍ର ପୁଅ ରାକେଶ ସାଥିରେ ହାଭନାଭ ଥିଲା। କେତେ ଥର ଗାଁ ଲୋକଙ୍କ ଆଖିରେ ସେମାନେ ଧରା ପଡ଼ିଛନ୍ତି। ସାହୁ କହିଲା ପଦୁମା ପରା ପେଟରେ ଥିଲା। କାହାକୁ କିଛି କହି ନ ପାରି ଧରା ପଡ଼ିଯିବା ଭୟରେ ବିଚାରି ପ୍ରାଣ ହାରିଦେଲା। ଗାଁରେ ଛୋଟ କଥା ବି ମୋଟ ଧରେ। ବଞ୍ଚିଥିଲା ଯାଏଁ ଯେଉଁ ପଦୁମାର ଗୁଣ ଗାରିମାକୁ ନେଇ ଲୋକ ପ୍ରଶଂସା କରି କରି ଥକୁ ନ ଥିଲେ, ମଲା ପରେ ଦେଖୁ ଦେଖୁ ତାର ସବୁ ଦୋଷ ଦୁର୍ଗୁଣ ଖୋଜି ଖୋଜି ପଦାରେ ପକାଇ ଦାଣ୍ଡହାଟରେ ଚର୍ଚ୍ଚା କରୁଥିଲେ ଗାଁ ଲୋକ।

ଏ ଖବରତକ ରାକେଶ ପାଖରେ ପହଞ୍ଚିବାକୁ ସମୟ ଲାଗିଥିଲା। କାରଣ ପଦୁମା ଫାଶୀ ଲଗାଇବା ଦିନ ରାକେଶ ଗାଁରେ ନ ଥିଲା। ସେ ମାସକ ତଳୁ ହିଁ ଗାଁ ଛାଡ଼ିଥିଲା ଅଧିକ ପଢ଼ିବା ଉଦ୍ଦେଶ୍ୟରେ ଭୁବନେଶ୍ୱରକୁ। ଯେତେବେଳେ ସେ ଶୁଣିଲା ତା ମନର ମାନସୀ ପଦୁମା ଆଉ ନାହିଁ, କାନ୍ଦି କାନ୍ଦି ଅଥୟ ହୃଦୟରେ ବସିଥିବା ଜାଗାରୁ ଉଠି ଆସିଲା ରାକେଶ। ଗାଁରେ ପହଞ୍ଚିଲା ବେଳକୁ ରାତି ଦଶ। ସେମିତି ସେଇ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ବର୍ଷା ଅନ୍ଧାରକୁ ଖାତିର ନ କରି ସେ ସିଧା ଚାଲିଲା ଶ୍ମଶାନ ଅଭିମୁଖେ। ଗାଁର କିଛି ଭେଣ୍ଡିଆ ଟୋକା ଦୂରରୁ ତାକୁ ଦେଖି ପାରି ଅନୁସରଣ କରି ଅଟକି ଯାଇଥିଲେ ଶିବାଳୟ ଠାରେ। ଆଉ ଆଗକୁ ବଢ଼ିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ରାକେଶ କିନ୍ତୁ ଚାଲିଥିଲା ଏକା ଲୟରେ ପଦୁମା କଥା ଭାଳି ଭାଳି। ଛାତି ତଳେ ତାର ଅସରନ୍ତି ବ୍ୟଥା, ଆଖିର ଲୁହ ସବୁ ବର୍ଷା ପାଣି ସହ ମିଶି ଗଡ଼ି ଯାଉଥାଏ ଚିବୁକ ଦେଇ। ବରଗଛ ମୂଳରେ ପହଞ୍ଚି ଧୈର୍ଯ୍ୟ ହରାଇଲା ରାକେଶ। ପାଗଳ ପରି ଏପାଖ ସେପାଖ ହୋଇ ସତେକି ଖୋଜି ହେଉଥିଲା ତାର ଅତି ଆପଣାର ପଦୁମାକୁ। ବରଗଛର ଅନ୍ଦିକନ୍ଦି ଶାଖାପ୍ରଶାଖା ଆଡ଼େ ଚାହିଁ ହାତ ବଢ଼ାଇ ଡାକୁଥିଲା ତାକୁ। ଓହଳଗୁଡ଼ିକୁ ଛାତିରେ ଚାପି ଧରି କଇଁ କଇଁ ହୋଇ କାନ୍ଦି ପକାଉଥିଲା। ବର ପତ୍ର ସବୁକୁ ଗାଲରେ ଆଉଁସି ପକାଇ ପଦୁମାର କଅଁଳିଆ ହାତର ସ୍ପର୍ଶ ଅନୁଭବରେ ବ୍ୟାକୁଳ ହୋଇ ଉଠୁଥିଲା ତାର ମନ। କାହିଁ ଗଲା ପଦୁମା ତାକୁ ଏକା ଛାଡ଼ି? ଏମିତି କେମିତି ଛାଡ଼ି ଚାଲିଗଲା ସେ? ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ବଞ୍ଚିବେ ସେମାନେ ବୟସର ଅପରାହ୍ନରେ ବି ଏକ ଆରେକର ସୁଖ ଦୁଃଖରେ ତଲୀନ ହୋଇ। ଦୁନିଆଁ ଏପାଖ ସେପାଖ ହେଲେ ବି ମଲା ଯାଏଁ କେହି କାହାକୁ ଛାଡ଼ିବେ ନାହିଁ ଏକା କରି। ଏକାଠି ବସି ଭାବପ୍ରବଣତାରେ କେତେ କେତେ ସ୍ୱପ୍ନର ସୌଧ ନିର୍ମାଣ କରିଥିଲେ ସେମାନେ। ହେଲେ କେମିତି ଏକା କରି ଚାଲିଗଲା ପଦୁମା ତାକୁ। ବିଜୁଳି ଆଲୁଅରେ ବରଗଛ ଶାଖାରୁ ପଦୁମାର ଛିଣ୍ଡା ଚୁନୀଖଣ୍ଡକ ଆଖିରେ ପଡ଼ିଲା କ୍ଷଣି ଗୋଟିଏ ଝଟକାରେ ଟାଣି ଆଣି ଛାତି ପାଖରେ ରଖି ନିଶବ୍ଦ ରାତିକୁ ଦୁଲୁକାଇ ବଡ଼ ପାଟିରେ କଣ୍ଠ ଫଟାଇ କାନ୍ଦି ପକାଇଲା ରାକେଶ। ଟର୍ଚ୍ଚ, ଲଣ୍ଠନ ଓ ମଶାଲ ଜାଳି ରାକେଶର ବାପା ଓ ଆଉ କିଛି ଗାଁ ଲୋକ ସାହସ ବାନ୍ଧି ପହଞ୍ଚୁଥିଲେ ମଶାଣି ପାଖରେ। କୋହ ଉଚ୍ଛ୍ୱାସରେ ଜର୍ଜରିତ, ଅଣାୟତ ପାଗଳ ପ୍ରାୟ ପ୍ରଳାପ କରୁଥିବା ରାକେଶକୁ ଦେଖି ରାକେଶର ବାପା ନିଧି ମାଷ୍ଟ୍ରେଙ୍କ ବୁଦ୍ଧିବଣା ହୋଇଗଲା। ସେ କୋଉ ଭାଷାରେ ତାକୁ ବୋଧ ଦେବେ ମୁଣ୍ଡରେ ତାଙ୍କର କିଛି ପଶୁ ନ ଥିଲା। ଟର୍ଚ୍ଚଟିକୁ ଫୋପାଡ଼ି ଦେଇ ପୁଅକୁ ଭିଡ଼ି ଆଣିଲେ ତାଙ୍କର ଅଣ ଓସାରିଆ ଛାତି ଉପରକୁ। ରାକେଶର ତୁହାକୁ ତୁହା କୋହ ଆଗରେ ଗାଁ ଲୋକ ପୁରା ତାଜୁବ୍। ଏତେ ଭଲ ପାଇବା ଭିତରେ ଜଣେ ଜଣକୁ ଛାଡ଼ି ରହି ପାରିବା ସମ୍ଭବ ନୁହେଁ ଯେଉଁଠି, ସେ କ୍ଷେତ୍ରରେ ପଦୁମା ଆତ୍ମହତ୍ୟା କରିବ କାହିଁକି? ସେମାନଙ୍କ ମନରେ ସନ୍ଦେହର ବୀଜ ଅଙ୍କୁରିତ ହେଉଥିଲା ଧିରେ ଧିରେ।

ଘରକୋଣକୁ ଆଉଜି ଖଟଟା ଉପରେ ଅଖିଆ ଅପିଆ ରାକେଶ ବସିଛି ଉପର ଛପରକୁ ଅନେଇ। ବୁଝେଇ ବୁଝେଇ ଥକି ଗଲେ ନିଧି ମାଷ୍ଟ୍ରେ। ରାକେଶର ମାଆ ମଧ୍ୟ ଥକି ଯାଇ ଖଟ ଉପରେ ମୁଣ୍ଡ ରଖି ଢ଼ୁଳେଇ ପଡ଼ିଛି। ଭାତ ଥାଳିଟା ସେମିତି ଥୁଆ ହୋଇଛି ଖଟ ଉପରେ ଗୋଟିଏ ପାଖରେ। ଭୋକ ନାହିଁ ରାକେଶକୁ। ବିଗତ ଦିନର କଥା ସବୁ ଆଖି ଆଗରେ ତାର ଭାସି ଆସୁଛି। ରହି ରହି ପଦୁମାର ଲାଜୁରା ମୁହଁଟି ଦିଶି ଯାଉଛି ତାକୁ।

ନିରବରେ ଅନେକ ଦିନର ଅନୁସରଣ ପରେ ରାକେଶ କହି ପାରିଥିଲା ତା ମନ କଥା ପଦୁମାକୁ। ରାକେଶ ମୁହଁରୁ ସେଇ କେଇପଦ କଥା ଶୁଣି ପଦୁମାର ଦେହ ସତେକି ଥରି ଉଠିଥିଲା ସେଦିନ। କନ କନ ହୋଇ ଚାହିଁଥିଲା ଚାରିଆଡ଼କୁ। ଲାଜରେ କି ଭୟରେ ଜାଣି ପାରିନି ରାକେଶ। ବଡ଼ ବଡ଼ ଆଖି କରି ରାକେଶ ଆଡ଼କୁ କିଛି ସମୟ ଚାହିଁଲା ପରେ ଦଉଡ଼ି ପଳାଇଥିଲା ସେଇଠୁ। ଅନେକ ଦିନ ପର୍ଯ୍ୟନ୍ତ ଲୁଚିଲା ରାକେଶର ଆଖି ଉହାଡ଼ରୁ। ଅତର୍କିତ ଦେଖା ହୋଇଗଲେ ପଦୁମାର ଚାହାଣୀରୁ ବର୍ତ୍ତି ପାରେନି ରାକେଶ। ସେ ଚାହାଣୀରେ କି ଯାଦୁ ଥାଏ କେଜାଣି, ରାକେଶର ଦେହ ମନ ଶିର୍ ଶିର୍ ହୋଇ ଉଠେ। କେତେ ଅକୁହା କଥା ଆଖିରେ ଆଖିରେ କହିଦିଏ ପଦୁମା। ମୁହଁ ସଞ୍ଜ ବେଳେ କେହି ନ ଥିବା ସମୟରେ ନଈତୁଠରେ ଦିନେ ତାର ହାତ ଧରି ପକାଇ ରାକେଶ କହିଥିଲା, “ଆଉ କେତେ ଦିନ ମୋତେ ଏମିତି ଆଖିରେ ଆଖିରେ ମାରିବୁ କହ? ଏମିତି ସବୁଦିନ ତୋ ପାଇଁ ଝୁରି ମରିବା ଅପେକ୍ଷା ଏକାଥରେ ମରିଯିବା ଭଲ।” ସଟ୍ କରି ତା ଓଦା ହାତ ପାପୁଲିକୁ ରାକେଶର ପାଟିରେ ଦେଇ ମୁଣ୍ଡ ହଲାଇଲା ପଦୁମା। “ଆଉ ଦିନେ ସେ ଅଲକ୍ଷଣା କଥା ତୁଣ୍ଡରେ ଧରିବନି କହି ଦେଉଛି।” ପଦୁମାର ସେଇ କ୍ଷଣିକ କଥାରେ ସେ ଯେ ତାକୁ କେତେ ଭଲପାଏ ବୁଝି ନେଇଥିଲା ରାକେଶ। ତାପରେ କେତେ ଥର ସେମାନେ ନଈତୁଠରେ, ମନ୍ଦିର ବେଢ଼ାରେ, ଯାନି ଯାତ୍ରାରେ, ଗାଁର ଭୋଜିଭାତରେ ଏକୁଟିଆ ପାଇ ମନ ଦିଆନିଆ ହୋଇଛନ୍ତି। ଥରକୁ ଥର ତାଙ୍କର ସ୍ନେହ, ଭଲ ପାଇବା ନିବିଡ଼ରୁ ନିବିଡ଼ତର ହୋଇଛି। ଦଣ୍ଡେ ଘଡ଼ିଏ କେହି କାହାକୁ ଦେଖି ନ ପାରିଲେ ଭିତରେ ଭିତରେ ଛଟପଟ ହୁଅନ୍ତି। ହୃଦୟର ଦରଦ ପୀଡ଼ାକୁ ଅନୁଭବ କରି ପ୍ରେମର ଗଭୀରତା ତାଙ୍କର ଆଉରି ବଢ଼ିଯାଏ ଦିନକୁ ଦିନ।

ଗାଁ ସ୍କୁଲର ମାଇନର୍ ପଢ଼ା ପରେ ପଦୁମାକୁ ଦୂର ଗାଁକୁ ହାଇସ୍କୁଲ୍ ପାଠ ପାଇଁ ଛାଡ଼ି ନ ଥିଲା ତାର ମାଆ। ରାକେଶ କିନ୍ତୁ ବି.ଏ. ପଢ଼ୁଆ। ସଦ୍ୟ ପ୍ରବେଶ କରିଛି ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟରେ ସ୍ନାତକୋତ୍ତର । ଅଳ୍ପ ପାଠୋଇ ପଦୁମା ଭିତରେ ରାକେଶ କଣ ଏମିତି ଦେଖେ କେଜାଣି, ତାରି ଚାରିପାଖରେ ହିଁ ରାକେଶର ମନଟା ଘିରି ଘିରି ହୋଇ ଘୁରି ବୁଲେ। ପଦୁମା ଥରେ ଥରେ ଏଇ “ଆକାଶ କୟାଁ ଚିଲିକା ମାଛ”ର ମିଳନକୁ ଖୁବ୍ ବେଦନା ଭରା ସ୍ୱରରେ କହେ, “ଯାଅ ତୁମେ ରାକେଶବାବୁ, ଏ ଦିବା ସ୍ୱପ୍ନ ଦେଖାଇ ମୋତେ ଆଉ ଅଥୟ କରନା। ତୁମ ଜାତି ଅଲଗା ମୋ ଜାତି ଅଲଗା। ତୁମ ବାପା ମାଆ ତୁମ ପାଇଁ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି। ତୁମେ ଏ ଗାଁର ମଉଡ଼ମଣି। ଖୁବ୍ ପାଠ ପଢ଼ି ତୁମେ ଏ ଗାଁ ପାଇଁ ସୁନାମ ଅର୍ଜନ କରିବ। ତୁମ ପାଇଁ ଏ ଗାଁ ଗର୍ବିତ ହେବ। ମୋଠିଁ କଣ ଅଛି ଯେ ତୁମ ପରି ଗୋଟିଏ ହୀରା ସହିତ ଏ ତୁଛା କାଚଟାକୁ ଯୋଡ଼ୁଛ। ତୁମ ବାପା ମାଆ କି ଏ ଗାଁ ବାଲାଏ କେବେ ବି ସ୍ୱୀକୃତି ଦେବେନି ଆମ ସମ୍ପର୍କକୁ। ଏ ସମ୍ପର୍କର କିଛି ବି ଭବିଷ୍ୟତ ନାହିଁ। ମୋ କଥା ମାନ। ଭୁଲିଯାଅ ମୋତେ।” ପଦୁମାର ଅଳ୍ପ ପାଠ ପଢ଼ା, ତାର ଜାତି କି ତାର ଦୈନତା ରାକେଶକୁ ଯେତିକି କଷ୍ଟ ଦିଏନି ତାଠୁ ବେଶୀ କଷ୍ଟ ଦିଏ ପଦୁମାର ଏଇ ବେଦନାଭରା କଥା କେଇ ପଦ। ପଦୁମାକୁ କଣ କହି ଆଶ୍ୱାସନା ଦେବ ବୁଝି ପାରେନି ରାକେଶ। ପଦୁମାର ଯୁକ୍ତି ଆଗରେ ତାର ବି.ଏ. ପାଠ ହାର ମାନିଯାଏ। ଗାଁ ଗହଳିରେ ଜାତିକୁ ନେଇ ଭେଦଭାବ ପ୍ରବଳ। ଟିକିଏ ଟିକିଏ କଥାରେ ଜାତିବାଦକୁ ନେଇ ଗାଁ ଭିତରେ ତୁମୁଳ ବାଦବିବାଦ ଲାଗିଯାଏ। ପଦୁମାର କଥା ଯୁକ୍ତିଯୁକ୍ତ ମନେ ହେଲେ ବି ହାର ମାନିବାକୁ ପ୍ରସ୍ତୁତ ନୁହେଁ ରାକେଶ। ପଦୁମାକୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦିଏ। କିଛି ନା କିଛି ରାସ୍ତା ତ ନିଶ୍ଚୟ ବାହାରିବ।

ପଦୁମା ଯେ ଏମିତି ଏକ ସହଜ ରାସ୍ତାକୁ ଆପଣେଇ ନେବ, ରାକେଶକୁ ବିଶ୍ୱାସ ହେଉନଥିଲା। ତାହେଲେ କଣ ପଦୁମା ମନର ସେଇ ପୁରୁଣା ନୈରାଶ୍ୟବାଦ ଚିନ୍ତାଧାରା ରାକେଶ ଦେଇଥିବା ଆଶ୍ୱାସନା ଠାରୁ ବଳୀୟାନ୍ ହୋଇଗଲା। ସେମାନଙ୍କର ଏକାଠି ଦେଖିଥିବା ମଧୁର ସ୍ୱପ୍ନ ସବୁ ଠାରୁ ଶକ୍ତିଶାଳୀ ହୋଇଗଲା। ତେବେ ସେ ଏକତ୍ର ଆଳାପ ଆଲୋଚନା, ବିତେଇଥିବା ଅପୋଶୋରା ମୁହୁର୍ତ୍ତ ସବୁ! ଦିଗହରା ହେବା ଆଗରୁ କଣ ଚେତେଇ ପାରିଲେନି ପଦୁମାକୁ? ମନେ ପକାଇ ଦେଇ ପାରିଲେନି ରାକେଶର ଭଲପାଇବାକୁ? ତାକୁ ଭଲ ପାଉଥିବା ହୃଦୟଟି ଏବେ ସୁଦ୍ଧା ଅନବରତ ସ୍ପନ୍ଦିତ ହେଉଥିବା ବେଳେ ତା ହୃଦୟ କେମିତି ସ୍ପନ୍ଦନ ହରାଇ ଚାଲିଗଲା ସବୁଦିନ ପାଇଁ ତାର ଭଲ ପାଇବାକୁ ତୁଚ୍ଛ କରି?

ରାକେଶ କିନ୍ତୁ ସତରେ ନିଜ ମନକୁ ବୁଝେଇ ପାରୁ ନ ଥିଲା। ତାକୁ ତିଳେ ମଧ୍ୟ ବିଶ୍ୱାସ ହେଉନଥିଲା ପଦୁମା ଆତ୍ମହତ୍ୟା କରି ଥାଇପାରେ। ରାକେଶ ମନକୁ ପାପ ଛୁଉଁଥିଲା। ନା, ପଦୁମା ତାକୁ ଛାଡ଼ି ଯାଇ ନାହିଁ। ତାକୁ ଜୋର୍ ଜବରଦସ୍ତି ଛଡ଼ାଇ ନିଆ ଯାଇଛି ରାକେଶ ଠାରୁ। ହଁ, ହଁ ତାହା ହିଁ ଠିକ୍। ପଦୁମା ତାକୁ କଥା ଦେଇଛି ମଲା ଯାଏଁ ତା ସାଙ୍ଗରେ ରହିବ। ଏମିତି ଅଧା ରାସ୍ତାରେ ତାକୁ ଛାଡ଼ି ଯାଇ ପାରିବ ନାହିଁ। ସେ କିଏ ତାହେଲେ, ଯିଏ ତା ପଦୁମାକୁ ତା ଠାରୁ ଛଡ଼ାଇ ନେଇଛି?

କିଛି ଦିନର ରହଣୀ ଭିତରେ ରାକେଶ ପହଞ୍ଚିଲା ଦିନେ ଖରା ବେଳଟାରେ ବରୁଆ ମାହାନ୍ତି ଘରେ। ପଦୁମାର ବାପା ବରୁଆ ପିଣ୍ଡାଟାରେ ହେଁସଟା ଉପରେ ଗଡ଼ୁଥିଲା । ରାକେଶ ନମସ୍କାରଟିଏ ଦେଇ ଯେମିତି ପିଣ୍ଡାକୁ ଉଠିଛି, ସେ ତର ତର ହୋଇ ଉଠି ପଡ଼ି ଘର ଭିତରକୁ ଯାଇ ଚୌକିଟେ ନେଇକି ଆସିଲା। ରାକେଶକୁ ବସିବାକୁ କହି ଓଦା ଆଖି ଦୁଇଟାକୁ ଦୁଇ ହାତରେ ମଳି ଦେଇ କହିଲା, “ସବୁ ଭାସିଗଲାରେ ପୁଅ। ତା ମାଆ ତ ଆଗରୁ ଯାଇଥିଲା, ଏବେ ପଦୁମା ବି ମୋତେ ପର କରି ଦେଲା। ଏକଲା ମଣିଷ କା ପାଇଁ ବଞ୍ଚିବି? କାହିଁ ପାଇଁ ବଞ୍ଚିବି? ତମର ତ ପୁଅ ବଡ଼ ଘର, ବଡ଼ କଥା। ନିଧିମାଷ୍ଟ୍ରେ କହିଲେ ଆଖପାଖ ଖଣ୍ଡମଣ୍ଡଳରେ ନାଁ ଡାକ। ଦୁଃଖୀରଙ୍କିଙ୍କ କଥାରେ ତମର ଯାଏ କେତେ ଆସେ କେତେ? ପଦୁମାକୁ ମୁଁ ଆକଟିବାର ଥିଲା। ମୁଁ ଜାଣି ପାରିଲିନି ପୁଅ। ପଦୁମା ମଲା ପରେ ବାର କଥା ଶୁଣୁଛି। ଛୁଞ୍ଚି ଫୋଡ଼ି ଯାଉଛି ଦେହରେ। ପଦୁମା ମଲା କଷ୍ଟ ସାଙ୍ଗକୁ ସାଇପଡ଼ିଶା, ଗାଁ ଲୋକଙ୍କ ଟାହି ଟାପରା। କପାଳ ମୋର ଫଟା। ଗୋଟିଏ ବୋଲି ଝୁଅକୁ ସଂସ୍କାର ଟିକକ ଦେଇ ପାରିଲିନି। ତମେ ଯାଅ ବାବୁ, ମୋର ଦୀର୍ଘନିଶ୍ୱାସ ତମ ଉପରେ ପଡ଼ିବା ପୂର୍ବରୁ ତମେ ଏଠୁ ଚାଲିଯାଅ।” ରାକେଶ ଚୌକିରୁ ଉଠି ହେଁସ ଉପରେ ବସି ପଡ଼ିଲା। ବରୁଆକୁ ଖୁବ୍ ଜୋରରେ ଆଲିଙ୍ଗନ କରି କହିଲା, “ମୋତେ କ୍ଷମା କର ମଉସା, ମୋର ଉଦ୍ଦେଶ୍ୟ କେବେ ହେଲେ ଖରାପ ନ ଥିଲା। ପଦୁମାକୁ ମୁଁ ଯେମିତି ଭାବରେ ଭଲ ପାଉଥିଲି, ତମେ କଣ ଭାବୁଛ, ସେ ଆମ ମାନଙ୍କୁ ଛାଡ଼ି ଏମିତି ଚାଲିଯିବ? ପୁଣି ଗାଁ ଦାଣ୍ଡରେ ଲୋକହସା ହୋଇ? ଆଉ ଗାଁ ଲୋକ ଯୋଉ ସବୁ ଗୁଜବ ରଟନାରେ ଲାଗିଛନ୍ତି, ଭାବୁଛ ସେସବୁ ସତ ବୋଲି?” ବରୁଆ ଲୁହ ପୋଛି ରାକେଶ ମୁହଁକୁ ଘଡ଼ିଏ ଚାହିଁଲା। ରାକେଶ ସତ କହୁଛି ନା ତା ମନରେ ତା ପ୍ରତି ଥିବା ଘୃଣାଭାବ ଦୂର କରିବା ପାଇଁ ତୁଚ୍ଛା କଥା ଯୋଡ଼ୁଛି? ରାକେଶ ପୁଣି କହିଲା, “ମୋତେ ସେଦିନର କଥା ଟିକେ କୁହ ମଉସା। ପଦୁମା କେମିତି ମଶାଣି ପର୍ଯ୍ୟନ୍ତ ଗଲା ଆଉ ତମେ ଜାଣି ପାରିଲନି।”

- ମୁଁ କିଛି ଜାଣିନିରେ ପୁଅ ସେ କେମିତି ସେଠିକି ଗଲା, କେତେବେଳେ ଗଲା? ବିଲରୁ ଫେରିଲା ପରେ ସବୁଦିନ ପରି ବାପଝୁଅ ଦୁହେଁ ଏକାଠି ବସି ଖାଇଲୁ। ଖାଇ ସାରି ମୁଁ ମୋର ପିଣ୍ଡା ଉପରେ ହେଁସଟାରେ ଗଡ଼ି ପଡ଼ିଲି ଟିକିଏ। ପଦୁମା ତାର ନିତିଦିନିଆ ମଜାମଜି କାମ ପାଇଁ ବାରିକୁ ଗଲା। ବାସନ କୁସନ ଟୁଣୁଟାଣ ଆବାଜ ମୋ କାନକୁ ଶୁଭୁଥାଇ। କେତେବେଳେ ମୋର ଆଖି ଲାଗିଗଲା, ନିଦ ଟିକିଏ ଭାଙ୍ଗିଲା ପରେ ଉଠି ଘର ଭିତରକୁ ଯାଇ ଦେଖିଲି ବାରି କବାଟ ପୁରା ମୁକୁଳା। ଏତେ ବେଳ ଯାଏଁ କଣ କରୁଛି ବୋଲି ହୁରିଟାଏ ଛାଡ଼ି ଅପେକ୍ଷା କଲି। କିଛି ଉତ୍ତର ନଥିଲା। ଯାଇ ଦେଖେ ଗିନା ତାଟିଆ ସେମିତି ଅଧା ମଜା ପଡ଼ିଛି, ପଦୁମାର ଦେଖା ନାହିଁ। ଭାବିଲି ପୋଖରୀ ପାଣି ଯାଇଥିବ, ବଳେ ଆସିବନି କି? ବାରି କବାଟ ଆଉଜେଇ ଦେଇ ଆଉଥରେ ଶୋଇପଡ଼ିଲି। ପୁଅରେ, ବିଲରେ କାମ କରି ଥକି ଥକି ଥାଉଚି, ନିଦ ଥରେ ଲାଗିଲେ ସହଜରେ ଭାଙ୍ଗୁନି। ପାହାନ୍ତି ପହରକୁ କିଏ ଗୋଟେ କବାଟ ବାଡ଼େଇ ମୋ ନିଦ ଭାଙ୍ଗିଦେଲା। ପଦୁମା ବିଷୟରେ ଶୁଣି ଧାଇଁଲି ମଶାଣି ପଦାକୁ। ଯବାନ ଝୁଅଟା ମୋର ଓହଳ ପରି ଝୁଲୁଥିଲା ବରଗଛ ଡାଳରେ। ସେ ରାତିରେ ମୁଁ ଆଉ ଟିକେ ଖୋଜା ଖୋଜି କରିଥିଲେ ମୋ ଝୁଅଟା ଆଜି ବଞ୍ଚିଥାନ୍ତା। ମୋ କପାଳ ମନ୍ଦ। ବରୁଆ ତା କପାଳରେ ହାତ ପିଟିଲା। ବରୁଆ ମାହାନ୍ତିକୁ ସବୁ ପ୍ରକାର ବୋଧ ଦେଇ ଘରକୁ ଫେରିଲା ରାକେଶ।

ରାତିରେ ନିଦ ହେଉନଥିଲା ରାକେଶକୁ। ରହି ରହି ପଦୁମାର ନୀଳ ଆଖି ଯୋଡ଼ିକ ତାକୁ ଭାବୁକ କରି ତୋଳୁଥିଲା। ଯେମିତି ସେ ଆଖି ଯୋଡ଼ିକ ତାକୁ କାକୁସ୍ଥ ହୋଇ ନ୍ୟାୟ ଭିକ୍ଷା କରୁଛି। କହୁଛି, ଏ ଦୁନିଆଁ କେତେ ସ୍ୱାର୍ଥପର ରାକେଶବାବୁ। କେଡ଼େ ଈର୍ଷାଳୁ ଏ ମଣିଷ ଜାତି। ତମ ଓ ମୋର ସମ୍ପର୍କକୁ ସହ୍ୟ କରି ପାରୁନାହିଁ ଏ ସମାଜ। ଦେଖ, କେମିତି ତମକୁ ମୋ ଠାରୁ ଅଲଗା କରିଦେଲେ। ମୁଁ କହିଥିଲିନା ରାକେଶବାବୁ, ଏ ସ୍ୱାର୍ଥାନ୍ଧ ମଣିଷ ପାଖରେ ପ୍ରେମର ମୂଲ୍ୟ କିଛି ନାହିଁ। ପ୍ରେମ ପରି ପବିତ୍ର ଶବ୍ଦକୁ ଯେତେ ମନଗଢ଼ଣ କାହାଣୀ ଦେଇ କୁତ୍ସିତ ଅପବିତ୍ର କରି ଥୋଇ ହେବ, ସେଇଥିରେ ଏ ସମାଜ ସେତିକି ଖୁସି ହେବ। ଏ ସମାଜକୁ ଚର୍ଚ୍ଚା ପାଇଁ ଖୋରାକଟିଏ ଦରକାର। ଆଉ ତା ପାଇଁ ମୋ ପରି କେତେ ପଦୁମା ବଳି ପଡ଼ିଲେ ବି ତାର କିଛି ଖାତିର୍ ନାହିଁ।

ରାକେଶ କଣ ଭାବି ଶେଯରୁ ଉଠିଲା। ଧିରେ ଦାଣ୍ଡ କବାଟର କିଳିଣି ଖୋଲି କାହାକୁ କିଛି ନ ଜଣାଇ ବାହାରକୁ ଆସିଲା। ତାପରେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲିଲା ନଈ ତଟ ମଶାଣି ପଦାକୁ। ବିଜ୍ଞାନ ଯୁଗର ପଢ଼ୁଆ ପିଲା ରାକେଶ। ତଥାପି ମନରେ କାଣିଚାଏ ଆଶା। ପଦୁମା ପ୍ରତି ତାର ଯେଉଁ ଅହେତୁକ ଦୁର୍ବଳତା ଅଛି, ସେଇ ଆକର୍ଷଣରେ ସେ ଟାଣି ହୋଇ ଯାଉଥାଏ ମଶାଣି ଆଡ଼କୁ।

ସକାଳେ ରାକେଶ ତାର ଭଡ଼ଭଡ଼ିଆ ନବମ ଫେଲ୍ ସାଙ୍ଗ ବାଇଜୁକୁ ଘରକୁ ଡାକି ଏଣୁ ତେଣୁ ଦୁଇପଦ ଆଲୋଚନା ପରେ ତା କାନରେ ଫୁସ୍ ଫୁସ୍ କରି କହିଲା, “ତୁ ଜାଣିଛୁ, କାଲି ରାତିରେ ମୁଁ ପଦୁମାକୁ ଦେଖିଲି।”

- ଏଁ! ବାଇଜୁ ଚମକି ପଡ଼ିଲା ରାକେଶ କଥାରେ। କଣ ହେଲା ତୁ ଭୁତ ଦେଖିଲୁ!

- ହଁ...ରେ... ଦେଖ୍ ଏକଥା କାହାକୁ କହିବୁ ନାହିଁ। ପୁରା ଦାନ୍ତ କଡ଼ ମଡ଼ କରି ଲାଲ୍ ଲାଲ୍ ଜିଭ କାଢ଼ି ବରଗଛରେ ଓଲଟା ଓହଳିଥିଲା।

ବାଇଜୁର ଆଖି ବଡ଼ ବଡ଼ ଦିଶିଲା। ସେ ଆଉ ଟିକେ ରାକେଶ ପାଖକୁ ଲାଗି ଆସି ପଚାରିଲା,

- ତୁ ତାହେଲେ ଆଉ ଥରେ ରାତି ଅଧରେ ମଶାଣିକୁ ଗଲୁ? ତତେ ଡର ଲାଗିଲାନି?

- ତୋ ପାଖରେ କଣ ଲୁଚେଇବି ବାଇଜୁ। ତୁ ତ ଭଲକି ଜାଣିଛୁ ମୁଁ ପଦୁମାକୁ କେତେ ଭଲ ପାଉଥିଲି। ଆଉ ସେ ବି ମୋତେ କେତେ ଭଲ ପାଉଥିଲା।

- ହଁ ଯେ, ହେଲେ ଏମିତି ରାତି ଅଧିଆ ତୋର ମଶାଣି ଯିବା ଠିକ୍ ହୋଉନି। ବାଇଜୁ ରାକେଶକୁ ଆକଟ କଲା ପରି କହିଲା। ନବୀନା ସାହୁ ସେଦିନ କହୁଥିଲା ତୁ ଯେମିତି ଦେଖିଲୁନୁ, ସେମିତି ବଡ଼ ବଡ଼ ନାଲିଆ ଆଖି କରି ଜିଭ କାଢ଼ି ପଦୁମାକୁ ବରଗଛ ପାଖରେ ଏପାଖ ସେପାଖ ହେବାଟା ନିଜ ଆଖିରେ ସେ ଦେଖିଛି। ଅଧା ବଇସିଆ ମରିଛି ଏତେ ସହଜରେ ମୁକ୍ତି ମିଳିବନିରେ ରାକେଶ। ଆଉ ତା ଲୋଭଟା ତୋ ଉପରେ, ଏଣେ ପେଟରେ ପିଲା ନେଇ ମରିଛି। ଦେଖି ସାବଧାନ। ତୋର ସେଠିକି ଯିବା କଣ ଦରକାର?

- ରହ ରହ, ତୁ କେମିତି ଜାଣିଲୁ ପଦୁମା ପେଟରେ ପିଲା ଅଛି ବୋଲି?

- ସମେତେ ଜାଣିଛନ୍ତି। କାହିଁ? ତୋତେ କଣ ପଦୁମା କହିନି?

- ମୋ କଥା ଛାଡ଼, ତୁ କେମିତି ଜାଣିଲୁ କହ?

- ମୋତେ ପରା ସେଇ ନବୀନା ସାହୁ କହିଛି।

- ନବୀନା କା ଠୁ ଶୁଣିଲା?

- ସିଏ କା ଠୁ ଶୁଣିଲା, ଏତେ କଥା ମୁଁ ଜାଣିନି। ତୁ ମାତ୍ରକ ସେ ବରଗଛ କତିକି ଆଉ ଯାଆନା।

ରାକେଶ ଟିକିଏ ଗମ୍ଭୀର ହୋଇ ପୁଣି ଥରେ ଆରମ୍ଭ କଲା।

- ତତେ ମୁଁ ଆଉରି ପୁରା କଥା କହିନି। ଯେମିତି ମତେ ଦେଖି ଦେଇଛି, ପଦୁମା ତା ଢିମା ଢିମା ଆଖି ଦିଇଟାକୁ ଭିତରକୁ ନେଇଗଲା। ଲାଲ୍ ଜିଭଟାକୁ ମଧ୍ୟ ପାଟି ଭିତରକୁ ନେଇଗଲା। ମୁକୁଳା କେଶକୁ ଦୁଇ ହାତରେ ମୋଡ଼ି ମୁଣ୍ଡରେ ଖୋସି ପକାଇଲା। ତାପରେ ଦି ହାତ ବଢ଼େଇ ମୋତେ ପାଖକୁ ଡାକିଲା। ମୋତେ ଟିକିଏ ବି ଭୟ ଲାଗୁନଥିଲା ବାଇଜୁ। ଯେତେହେଲେ ମୁଁ ତାକୁ ଭଲ ପାଉଛି। ସେ ଯୋଉ ଅବସ୍ଥାରେ ଥିଲେ ବି ମୋର ନିଜର। ଆଉ ସେକଥା ପଦୁମା ବି ଜାଣେ। ସେ ମୋର କେବେ ବି କିଛି କ୍ଷତି କରିବନି।

- ତାପରେ? ବାଇଜୁ ତା ଶୁଖିଲା ଓଠ ଉପରେ ଜିଭଟାକୁ ବୁଲେଇ ଆଣି ରାକେଶ ମୁହଁକୁ ଉତ୍ସୁକତାର ସହ ଚାହିଁଲା।

- ମୁଁ ଯେମିତି ତା ପାଖରେ ପହଞ୍ଚିଛି, ଏତେ ଜୋର୍ ରେ ମୋତେ ଜାବୁଡ଼ି ଧରିଲା, ମୋତେ ଲାଗିଲା ମୋର ପଞ୍ଜରା ହାଡ଼ଟା ଭାଙ୍ଗି ଚୁନା ହୋଇଯିବ।

ବାଇଜୁ ଅନ୍ତରରୁ ଉଠି ଆସୁଥିବା ଭାବନାକୁ ଅଟକେଇ ନ ପାରି କହିଲା,

- ମୁଁ କହୁଛି ନା, ତାର ଲୋଭଟା ତୋ ଉପରେ ବୋଲି। କେମିତି ତୁ ତା ଠୁ ଫିଟିକି ଆସିଲୁ ମୋତେ କାବା ଲାଗୁଛି। ତାପରେ କଣ ହେଲା?

- ହବ ଆଉ କଣ? ଅନେକ ଦିନରୁ ତାକୁ ନ ଦେଖି ପାଗଳ ହେଇକି ଥିଲି। ଦି ହାତରେ ଜାବୁଡ଼ି ଧରି ବହେ କାନ୍ଦି ପକେଇଲି। ସେ ବି ସୁଁ ସୁଁ ହେଇ କାନ୍ଦିଲା। କାହିଁକି ସେ ଫାଶୀ ହେଲା ବୋଲି ପଚାରିଲି। ଗୁଡ଼ାଏ କାନ୍ଦିଲା ପରେ ପାଟି ଖୋଲି କିଛି କହିବ, ଏ ସମୟରେ ନଈ ପାଣିକୁ ଜାଲ ଆଉ ଡଙ୍ଗା ନେଇ କେଉଟଙ୍କ ପଶିବା ଦେଖି ଚୁପ୍ ହୋଇଗଲା। କହିଲା, “ଆଉ ଦିନେ କହିବି। ତମେ ଆସିବ ତ ରାକେଶବାବୁ?” ତାପରେ ମୋ ଉତ୍ତରକୁ ଅପେକ୍ଷା ନ କରି କୁଆଡ଼େ ପବନରେ ମିଶିଗଲା, ମୁଁ ଯେତେ ଖୋଜିଲି ଆଉ ପାଇଲିନି।

- ତୁ କଣ ତାହେଲେ ଆଜି ଆଉ ଥରେ ଯିବୁ ଭାବିଛୁ ନା କଣ?

ରାକେଶ କାନ୍ଥ ଘଣ୍ଟାକୁ ଚାହିଁ କହିଲା, “ଆଜି ଖାଇ ପିଇ ତିନିଟା ସମୟରେ ଭୁବନେଶ୍ୱର ଯିବି। କାମ ଅଛି। ଆସିବି ଚାରିଦିନ ପରେ। ସେତେବେଳେ ଶୁଣିବି ପୁରା କାହାଣୀ ପଦୁମା ଠୁ।” ରାକେଶ ହାଇ ତୋଳି ଉଠିଲା। ବାଇଜୁ କେମିତି ଗୋଟେ ଅବିଶ୍ୱାସୀ ଆଖିରେ ରାକେଶକୁ ଚାହିଁ ପିଣ୍ଡା ତଳକୁ ଓହ୍ଲାଉ ଓହ୍ଲାଉ କହିଲା, “ଦେଖି ସାବଧାନ...।”

ନିଃଶବ୍ଦ ରାତି। ନିର୍ମଳ ଆକାଶ। ଜହ୍ନର ଅନୁପସ୍ଥିତିରେ ତାରାସବୁ ଫୁଟି ଉଠି ଧରାକୁ ଆଲୋକିତ କରିବାର ଆସ୍ପର୍ଦ୍ଧାରେ ପରସ୍ପର ମଧ୍ୟରେ ପ୍ରତିଯୋଗୀତା ଜାରି ରଖିଥିଲେ। ହେଲେ ପହଞ୍ଚି ପାରୁନଥିଲା ତାଙ୍କର ଜ୍ୟୋତି ସୁଦୂର ଗଗନରୁ ଧରା ପର୍ଯ୍ୟନ୍ତ। ମଶାଣି ଠାରୁ କିଛି ଗଜ ଦୂରରେ ଧୁନୀଟିଏ ଜଳୁଥିଲା। ଧୁନୀର ଚାରିପାଖରେ ଲାଲ୍ ଓ ହଳଦୀ ରଙ୍ଗର କିଛି ଗାର କଟାହୋଇଛି। କିଏ ଜଣେ ଲମ୍ବା ଚିତାକଟା ଜଟାଧାରୀ ବ୍ୟକ୍ତି ଧୁନୀ ସମ୍ମୁଖରେ ଚକା ପାରି ବସି କିଛି ମନ୍ତ୍ର ପଢ଼ୁଛନ୍ତି। ବୋଧହୁଏ ଆବାହନ କରୁଛନ୍ତି କେଉଁ ଦେବୀ, ଦେବତା ଅବା ଭୁତ ପ୍ରେତଙ୍କୁ। କିଛି ଦୂର ପର୍ଯ୍ୟନ୍ତ ଶୁଭି ଯାଉଛି ତାଙ୍କର ମନ୍ତ୍ରର ଗୁରୁ ଗାମ୍ଭୀର୍ଯ୍ୟ ନାଦ।

- ଓଁ... ହ୍ରୀଂ... ଶ୍ରୀଂ... କ୍ଳୀଂ...

ତାଙ୍କ ଅଜ୍ଞାତରେ ଅନ୍ଧାର ଭିତରେ କେତେବେଳେ ଯେ କିଛି ଲୋକ ତାଙ୍କୁ ଘେରି ଯାଇଛନ୍ତି ସେ ଜାଣି ପାରିନଥିଲେ। ସେଇ ଲୋକମାନଙ୍କ ଭିତରୁ ବାହାରି ରାକେଶ ପ୍ରଥମେ ସେଇ ଅନାମଧେୟ ବାବାଙ୍କ ସମ୍ମୁଖକୁ ଆସି ଜଳୁଥିବା ଧୁନିକୁ ଧୂଳି ବାଲି ଫୋପାଡ଼ି ଲିଭାଇ ଦେଲା। ଏତେ ଲୋକଙ୍କୁ ଏକତ୍ର ଦେଖି ବାବା ଜଣକ ଘାବରେଇ ଯାଇ ଉଠି ଠିଆ ହେଲେ। ନିଧି ମାଷ୍ଟ୍ରେ ଆଗକୁ ଆସି ପଚାରିଲେ, “କିଏ ତମେ ବାବା, ଏଠି କଣ କରୁଛ? ଦେଖ, ତମ ପ୍ରତି ଆମର କିଛି ଅଭିଯୋଗ ନାହିଁ। କିନ୍ତୁ ଆମେ ସିଧା ସିଧା ଉତ୍ତର ଚାହୁଁଛୁ। କିଏ ତମକୁ ଏସବୁ କରିବା ପାଇଁ କହିଛି?” ବାବା ଜଣକ କିଛି ସମୟ ଥାଥା ମାମା ହେଲେ। ଗାଁ ଲୋକଙ୍କ ଭିତରୁ କିଛି ପାଟି କଲେ। “ୟାକୁ ଏମିତି ନରମରେ ପଚାରିଲେ କିଛି କହିବନି ମାଷ୍ଟ୍ରେ। ଦିଟା ଗୋବା ଖାଇଲେ ବାଟକୁ ପଳେଇ ଆସିବ।” କିଏ ଜଣେ ଭିଡ଼ ଭିତରୁ ପାଟି କଲା, “ଆରେ ଏ ତ ଭୁଆସୁଣୀପୁରର ଝୁମୁରା ବାବା।” ବାବା ହାତ ଯୋଡ଼ି ପକାଇ କହିଲେ,

- ମୋତେ କିଛି କରନି। ତମେ ମାନେ ଯାହା ଜାଣିବାକୁ ଚାହୁଁଛ ମୁଁ କହିବି। ତମ ଗାଁ ଲୋକଙ୍କ ଇଚ୍ଛା ହେଲେ ପ୍ରେତକୁ ବାନ୍ଧ କି ଖୋଲା ବୁଲିବାକୁ ଦିଅ ମୋର କିଛି ଯାଏ ଆସେନି। ପରେ କିନ୍ତୁ ମତେ ଦୋଷ ଦବନି।

- କାହାର ପ୍ରେତକୁ ବାନ୍ଧୁଛ କିହୋ ବାବା?

- ଗୋଟେ ତ ବୁଲୁଛି ଏ ମଶାଣି ବରଗଛ ଆଖପାଖରେ। ସେଇଆକୁ ବାନ୍ଧିବା ପାଇଁ ଦୁଇଜଣ ତମ ଗାଁରୁ ମୋ ପାଖକୁ ଆସିଥିଲେ ଦୁଇ ଦିନ ତଳେ। ଦୁଇହଜାର ଟଙ୍କା ମୋ ହାତରେ ଗୁଞ୍ଜି ଦେଇ କହିଲେ ପଦୁମାର ପ୍ରେତ ଗାଁ ଲୋକଙ୍କୁ ଭାରି ହଇରାଣ କରୁଛି, ତାକୁ ଯେମିତି ହଉ ବାନ୍ଧିବାକୁ ହେବ। ନ ହେଲେ ତା ଡରରେ ଲୋକ ଦିନରେ ବି ନଈ କୂଳକୁ ଆସିବାକୁ ଡରୁଛନ୍ତି।

- ସତ କହୁଛ ନା? ଦେଖ କେତେ ଲୋକ ତମକୁ ଘେରିକି ଅଛନ୍ତି ଲାଠି ଧରି। ଟିକିଏ ବି କଥା ଏପଟ ସେପଟ ହେଲେ ଆଉ ମୋର କିଛି କହିବାକୁ ନ ଥିବ। ଏ ଲାଠି କଥା କହିବ ତମ ଦେହ, ମୁଣ୍ଡ ଆଉ ପିଠିରେ।

ବାବା ଜଣକ ଇତଃସ୍ତତଃ ଚାରିଆଡ଼କୁ ଚାହିଁ କହିଲେ, “ମୁଁ ମିଛ କାହିଁକି କହିବି। ଏଇଟା ମୋର ପେଷା। ମୁଁ ସେ ପ୍ରେତକୁ ଆବାହନ କରି ସାରିଥିଲି। ବରଗଛର ପରିଧି ଛାଡ଼ି ସେ ବାହାରି ସାରିଛି। ଆଉ ଟିକିଏ ହେଲେ ତାକୁ ମୁଁ ମନ୍ତୁରା ବୋତଲରେ ପୁରେଇ ଗଣ୍ଡ ଭିତରେ ପୋତି ପକାଇଥାନ୍ତି। ତମେମାନେ ଆସି ଭଣ୍ଡୁର କରିଦେଲ। ଏବେ ସେ କୋଉଠି ବୁଲୁଥିବ କେଜାଣି? ତମକୁ ଯଦି ଅବିଶ୍ୱାସ ହେଉଛି, ତମେ ଗାଁ ଲୋକ ସେ ଦୁଇଜଣକୁ ପଚାର।”

- ମିଛ କଥା, ମୁଁ ଦୁଇ ରାତି ଏ ମଶାଣି ପଦାରେ ବୁଲିଛି। ଭୁତ ପ୍ରେତ କିଛି ନାହିଁ। ଗୋଟେ ପ୍ରହସନ ଚଲେଇଛ। କିଏ ସେ ଦୁଇ ଲୋକ ତାଙ୍କ ନାଁ ଜାଣିଛ? ରାକେଶ ଅତ୍ୟଧିକ ଆବେଶରେ ଚାହିଁଲା ବାବାଙ୍କ ଆଡ଼କୁ।

- ତାଙ୍କ ନାଁ... ବାବା ମନେ ପକାଇଲା ପରି ହୋଇ କହିଲେ, ଜଣେ ହେଉଛି ଆଇଁଠୁ ବାରିକ। ଆର ଜଣକ ନାଁ ମୁଁ ଜାଣିନି।

ସାଙ୍ଗେ ସାଙ୍ଗେ ହୋହଲ୍ଲା, ତନାଘନା ଖେଳିଗଲା ଗାଁ ଲୋକଙ୍କ ଭିତରେ। ଆଇଁଠୁ ବାରିକ ଭିଡ଼ ଭିତରେ ନ ଥିଲା। ଗାଁ ଲୋକ ବାବାକୁ ନଜର ବନ୍ଦୀରେ ନେଇଗଲେ ଗାଁ ଭିତରକୁ। ମାଷ୍ଟ୍ରେଙ୍କ ଘର ପିଣ୍ଡାରେ ବସେଇ ଜଗି ରହିଲେ କିଛି ଲୋକ। ଆଉ କିଛି ଖେଦିଗଲେ ଗାଁର ଅନ୍ଦି କନ୍ଦି ଆଇଁଠୁକୁ ଖୋଜି। କିଛି ସମୟ ଭିତରେ ଗାଁ ଲୋକେ ଖୋଜା ଖୋଜି କରି ଆଇଁଠୁକୁ ଭିଡ଼ି ଭିଡ଼ି ଆଣିଲେ ନିଧି ମାଷ୍ଟ୍ରେଙ୍କ ଆଗକୁ। ରାକେଶ ସିଧା ସଳଖ ପଚାରିଲା, “ତମେ ମାରିଛ ପଦୁମାକୁ?”

- ମୁଁ କାହିଁ ମାରିବି? ସେ ତ ତାତୁରୁ ଫାଶୀ ହେଲା।

ରାକେଶ ମୁଣ୍ଡକୁ ପିତ ଚଢ଼ିଲା। ସେ ରାଗରେ ଜଣକଠୁ ଲାଠି ଛଡ଼ାଇ ପାହାରେ ପିଟିବାକୁ ଯାଉଛି, ନିଧିମାଷ୍ଟ୍ରେ ରାକେଶକୁ ଅଟକାଇ ଦେଇ ଆଇଁଠୁକୁ କହିଲେ,

- ଦେଖ, ତୋର ସବୁ ଚାଲବାଜି ଧରା ପଡ଼ି ଯାଇଛି। ତୁ ମାରିଛୁ ଆମେ ଜାଣିଛୁ। କାହିଁକି ମାରିଲୁ କହ?

ଆଇଁଠୁ ପ୍ରତ୍ୟେକଙ୍କ ମୁହଁକୁ ଥରେ ଥରେ ଚାହିଁଲା। ସମସ୍ତଙ୍କ ମୁହଁରେ ତା ପ୍ରତି ଘୃଣା ଆଉ ଛି ଛାକର ଭାବ ସ୍ପଷ୍ଟ ଫୁଟି ଉଠୁଥିଲା। ମୁହଁ ତାର କଳା ପଡ଼ିଗଲା ଅପରାଧୀର ଭାବ ନେଇ। ତଥାପି ମୁହଁ ଟାଣ କରି କହିଲା,

- ସେ ନବୀନା ସାହୁଟାକୁ ଧରୁନ? ସିଏ ତ ଅସଲ ଲୋକ। ମୋତେ ସିଏ ହିଁ ଉସୁକେଇଥିଲା ପଦୁମାକୁ ବାରିପଟୁ ଉଠେଇ ଆଣିବାକୁ ଆଖଡ଼ା ଘରକୁ। କହିଲା ମିଶିକି ଖାଇବା। ପଚାଶ ଟଙ୍କା ବି ଦେଲା ମଦ କିଣି ଖାଇବା ପାଇଁ। ତାର କେବେଠୁ ପଦୁମା ଉପରେ ଆଖି ଥିଲା। ସେଦିନ ମଦ ନିଶାରେ ନବୀନା କଥାରେ ପଡ଼ି ବାରିରେ ବାରିରେ ଯାଇ ପଦୁମା ପାଟିରେ ହାତ ଚାପି ଉଠେଇ ଆଣିଥିଲି ଆଖଡ଼ା ଘରକୁ। ନବୀନା ତା ସହିତ ଘଡ଼ିଏ ଖେଳିଛି କି ନାହିଁ କହିଲା, “ଆବେ ମରିଗଲା ନା କଣରେ ଆଇଁଠୁ? ହଲଚଲ ହେଉନି।” ମୁଁ ପାଖକୁ ଯାଇ ତା ନାକ ପାଖରେ ହାତ ରଖି ଦେଖିଲି ପବନ ଆସୁନି।

ଆଇଁଠୁ ମୁହଁ ଟେକି ଥରି ଥରି ରାକେଶକୁ ଚାହିଁଲା। ରାକେଶ ସମ୍ଭାଳି ନ ପାରି ରାଗରେ ମୁଥଟାଏ ମାରିଲା ଆଇଁଠୁ ମୁହଁକୁ। ଆଇଁଠୁ ପିଣ୍ଡାର ଗୋଟିଏ କୋଣକୁ ଚିପି ହୋଇ ଯାଇ କହିଲା,

- ମୁଁ ତାକୁ ଜାଣିକି ମାରିନି ମାଷ୍ଟ୍ରେ। ମୋ ହାତ ଚାପାରେ ଅଣନିଶ୍ୱାସୀ ହୋଇ ବିଚାରୀ ମରିଗଲା କି ନବୀନା ଦେଇଥିବା କଷ୍ଟ ସହି ନ ପାରି ମରିଗଲା ମୁଁ ଜାଣିନି। ଧରା ପଡ଼ିଯିବା ଭୟରେ ବିକଳ ହୋଇ ଦୁଇଜଣ ଯାକ ଧରା ଧରି କରି ମଶାଣି ବରଗଛରେ ତାରି ଚୁନୀରେ ତା ଶବକୁ ଝୁଲେଇ ଦେଲୁ।

ରାକେଶ ରାଗ ଓ ଘୃଣାରେ ଜର୍ଜରିତ ହୋଇ ଗୋଇଠାଏ ମାରି ଛେପ ନଣ୍ଡାଏ ଫିଙ୍ଗିଦେଲା ଆଇଁଠୁ ମୁହଁ ଉପରକୁ। ଅନ୍ୟମାନେ ତାର କାହାଣୀ କାବା ହୋଇ ଶୁଣୁଥିଲେ ଆଉ ରାଗରେ ଦାନ୍ତ କଡ଼ମଡ଼ କରୁଥିଲେ। ଟିକିଏ ହୁଗୁଳା ଦେଲେ ସତେ କି ଆଇଁଠୁକୁ ସେଇଠି ମାରି ପୋତି ପକାଇବେ। ଆଉ କିଛି ଲୋକ ଗାଁ ସାରା ଖେଦି ଗଲେ ନବୀନାକୁ ଖୋଜିବାକୁ।

ନିଧି ମାଷ୍ଟ୍ରେ ରାକେଶକୁ ପଚାରିଲେ, “ତୋର କେମିତି ସନ୍ଦେହ ହେଲା ଏ ଦୁଇଟା ଉପରେ?”

ରାକେଶ କୌଣସି ମତେ ନିଜକୁ ସମ୍ଭାଳି ନେଇ ବସିଲା ଚଟାଣଟାରେ। ଶୁଖିଲା ମୁହଁରେ ଦୀର୍ଘଶ୍ୱାସ ଟାଣି କହିଲା, ମୁଁ ଆସିଲା ଦିନଠୁ ସମସ୍ତଙ୍କ ମୁହଁରେ ପଦୁମା କାହିଁକି ମଲା ତାର ଗୋଟେ କାଳ୍ପନିକ, ଅତିରଞ୍ଜିତ କାହାଣୀ ଶୁଣୁଥିଲି। ଆଉ ବୁଲି ବୁଲି ତାର ଉତ୍ସ ଖୋଜିଲା ବେଳକୁ ନବୀନା ସାହୁର ନାଁଟା ଲୋକଙ୍କ ପାଟିରେ ବେଶୀ ଆସୁଥିଲା। ସେଥିପାଇଁ ମୋର ପ୍ରଥମ ସନ୍ଦେହ ନବୀନା ଉପରେ ଥିଲା। ଏ ଆଇଁଠୁ ଆଉ ନବୀନା ସବୁବେଳେ ଘଡ଼ି ହୋଇ ବୁଲୁଥିବାର ଦେଖି ମୋତେ ଲାଗିଲା ଏ ଦୁଇଜଣ ମିଶି କିଛି କରିଥିବେ। ସେଇଥିପାଇଁ ମୋ ସାଙ୍ଗ ବାଇଜୁକୁ ଡାକି ମିଛଟାରେ ମୁଁ ପଦୁମାର ଭୁତକୁ ଦେଖିଛି ବୋଲି କହିଥିଲି। ଆଉ ଏକଥା ବି କହିଲି ଯେ ସେ କାହିଁକି ମଲା ମତେ କହି ପାରିଲାନି, ମୁଁ ଆଉ ଥରେ ମଶାଣିକୁ ଗଲେ ସେ ପୁରା କାହାଣୀ ମୋ ଆଗରେ ଖୋଲି କହିବ। ନବୀନାର ପ୍ରସ୍ତୁତି ପାଇଁ ମୁଁ ଚାରିଦିନ ସମୟ ଛାଡ଼ିଲି। ମୁଁ ଜାଣିଥିଲି ଭଡ଼ଭଡ଼ିଆ ବାଇଜୁଟା ଏ କଥାକୁ ନିଶ୍ଚୟ ପ୍ରଘଟ କରିବ। ମୁଁ ଅନ୍ଧାରରେ ଖାଲି ଗୋଟେ ବାଡ଼ି ବୁଲେଇଲି। ଆଉ ସକାଳୁ ମିଛିମିଛିକା ସମସ୍ତଙ୍କୁ ଦେଖେଇବା ପାଇଁ ବ୍ୟାଗଟିଏ ଓହଳାଇ ଭୁବନେଶ୍ୱର ଯିବାକୁ ବାହାରିଲି। ପୁଣି ସମସ୍ତଙ୍କ ଅଲକ୍ଷ୍ୟରେ ଅର୍ଦ୍ଧରାତ୍ରରେ ଫେରି ଆସିଲି ଘରକୁ। ମୋ ସନ୍ଦେହ ଠିକ୍ ଥିଲା। ସତକୁ ସତ ପଦୁମାର ଭୁତ କାଳେ ମୋତେ ଘଟଣାଟା କହିଦେବ ଆଉ ସେ ପଦାରେ ପଡ଼ିଯିବ ଭାବି ନବୀନା ଆଇଁଠୁ ସହିତ ମିଶି ଝୁମୁରା ବାବାକୁ ଡାକି ପଦୁମାର ଭୁତକୁ ବାନ୍ଧିବାର ବ୍ୟବସ୍ଥା କଲା। ଆଉ ସେଇଠି ସେ ଧରା ପଡ଼ିଗଲା। ସେତିକି କରି ସେ ସ୍ପଷ୍ଟ କରିଦେଲା ଯେ ସେ ହିଁ ପଦୁମାକୁ ମାରିଛି।

ନବୀନାକୁ ଖୋଜିବାକୁ ଯାଇଥିବା ଲୋକଙ୍କ ଭିତରୁ ଜଣେ ଫେରି ଆସୁଥିବାର ଦେଖି ନିଧି ମାଷ୍ଟ୍ରେ ପଚାରିଲେ, “କଣ ହେଲା... ପାଇଲ ନବୀନାକୁ?” ଲୋକଟି ଲାଠିଟାକୁ ପିଣ୍ଡା ଉପରକୁ ଫିଙ୍ଗି ଦେଇ ଥକ୍କା ମାରି ବସି ପଡ଼ି କହିଲା, “କଣ କହିବି ମାଷ୍ଟ୍ରେ, ନବୀନାର ଶବ ଆଖଡ଼ା ଘର ଦୁଲାରେ ଝୁଲୁଛି। ନିନ୍ଦାର ଡରରେ ନବୀନା ନିଜ ବେକରେ ରଶି ଲଗେଇ ଫାଶୀ ହେଇଯାଇଛି।”

ସେତେବେଳୁ ବାରଣ୍ଡାରେ ଗୋଟିଏ କୋଣରେ ଚୁପ୍ ଚାପ୍ ବସିଥିବା ଝୁମୁରା ବାବା ମୁହଁ ଖୋଲିଲେ। କହିଲେ, “ଇଏତ ଆରମ୍ଭ। କେତେ ମୁଣ୍ଡ ଗଡ଼ିବ ଇୟତା ରହିବ ନାହିଁ, ଦେଖିବ ରୁହ। ପ୍ରେତ ବନ୍ଧନକୁ ଅଧାରୁ ଭଣ୍ଡୁର କରିଛ ତମେ ଗାଁ ଲୋକ। ପଦୁମାର ପ୍ରେତ ଏବେ ଲଗାମଛଡ଼ା ହୋଇ ଗାଁ ଭିତରେ ବୁଲୁଛି। ଯୋଉ ଲୋକ ସବୁ ତାକୁ ହଇରାଣ କରିଛ, ଜଣେ ବି ନିସ୍ତାର ପାଇବ ନାହିଁ।” କହି ଦେଇ ଆଇଁଠୁ ଆଡ଼କୁ ଚାହିଁଲେ ଝୁମୁରା ବାବା। ଆଇଁଠୁର ଆଖି ଦିଟା ଭୟରେ ଢ଼ିମା ଢ଼ିମା ହୋଇ ବାହାରି ଆସିଲା ବାହାରକୁ। ବାକି ଗାଁ ଲୋକ ରାକେଶର ବୁଝା ସୁଝାରେ ଯାହା ଟିକେ ଅନ୍ଧବିଶ୍ୱାସର ଅବୁଝା ପେଡ଼ିରୁ ବାହାରି ଆସିବାକୁ ଚେଷ୍ଟା ଚଳେଇଥିଲେ, ଝୁମୁରା ବାବାଙ୍କ କଥାରେ ବାଟବଣା ହୋଇ ଆଶଙ୍କିତ ହୃଦୟରେ ଲାଠି ସବୁ ଦୂରକୁ ଫୋପାଡ଼ି ଦେଇ ହାତ ଯୋଡ଼ି ଠିଆ ହୋଇ ପଡ଼ିଲେ।

- ଏବେ ତାହେଲେ କେମିତି କଣ ହେବ ବାବା?

ଝୁମୁରା ବାବାଙ୍କ ଅପହୃତ ବିଶ୍ୱାସ ପୁଣି ଥରେ ଫେରି ଆସୁଥିଲା। ସେ ଠିଆ ହୋଇ ପଡ଼ି ଲୋକମାନଙ୍କୁ ଉଦ୍ବୋଧନ ଦେବା ଆରମ୍ଭ କରି ଦେଇଥିଲେ।

- ଏଇଟା ଏତେ ସହଜ ନୁହେଁ। ପଦୁମା ଯେତେଟା ମୁଣ୍ଡ ନେଉଥିବ, ତା ଶକତି ତେତିକି ବଢ଼ୁଥିବ। ତାକୁ କାଟିବାକୁ ହେଲେ ତାକୁ ଟକ୍କର ଦେଲା ପରି ଯୋଗିନୀକୁ ଡାକିବାକୁ ପଡ଼ିବ। ଗାଁ ମଝିରେ ତିନି ଦିନ ଅଖଣ୍ଡ ଧୁନୀ ଜଳିବ... ଚାରି ଦିଗରେ ଚାରିଟା ସଧବା ନାରୀ ହଳଦିଆ ଓଦା ଲୁଗାରେ ବସି ରହିବେ... ତିନିଟି କାଳିଆ ବୋଦା ଲୋଡ଼ା ହବ...

ରାକେଶ ବସିଥିବା ଜାଗାରୁ ବିରକ୍ତ ହୋଇ ଉଠିପଡ଼ି ଠାଏ କରି ଚାପୁଡ଼ାଏ କଷି ଦେଲା ଝୁମୁରା ବାବାଙ୍କ ଗାଲରେ।

- ଚୁପ୍ କର ଏ ପ୍ରହସନ।



ଟି.ଦୁର୍ଗା ପ୍ରସାଦ ରାଓ

ବ୍ରହ୍ମରାକ୍ଷସ ମାନସୀ ଆତ୍ମହତ୍ୟା

Rate the content


Originality
Flow
Language
Cover design

Comments

Post

Some text some message..