Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପିତେଇ ବାୟାଣୀ
ପିତେଇ ବାୟାଣୀ
★★★★★

© sushama Parija

Others Tragedy

9 Minutes   7.2K    15


Content Ranking

ପିତେଇ ବାୟାଣୀ କେବେଠାରୁ ଆସି ଏଇ ଢେଙ୍କାନାଳ ମୁଖ୍ୟ ବସ୍ ଷ୍ଟାଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟରେ ରହୁଛି ସେ କଥା କେହି ସଠିକ୍ ଜାଣନ୍ତିନି, ତେବେ ବୟସ୍କ ମାନେ କହନ୍ତି , ସେ ପ୍ରାୟ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ହେବ ଏଠାରେ ଦୃଷ୍ଟିଗୋଚର ହେଉଛି । କୋଉଠୁ ଆସିଲା, କେମିତି ଆସିଲା, କାହିଁକି ଆସିଲା କି କାହା ସାଥିରେ ଆସିଲା ସେ କଥା କେହି କହି ପାରନ୍ତିନି । ତଥାପି ରାସ୍ତାରେ ଯିବା ଆସିବା କଲାବେଳେ ସମସ୍ତେ ତା'କୁ ଦେଖନ୍ତି । ବସ୍ ଷ୍ଟାଣ୍ଡ ରେ ଚାହା ଦୋକାନ ,ପାନ ଦୋକାନ , ଜଳଖିଆ ଦୋକାନ, ନିଉଜ୍ ପେପର୍ ବିକାଳୀ ଭଳି ସିଏ ମଧ୍ୟ ଗୋଟିଏ ସବୁଦିନିଆ ବସ୍ତୁ । ସେଇଠି ବସିଥିବ ବସ୍ କୁ ଅନେଇଁ । ବିଡ୍ ବିଡ୍ ହୋଇ ଅନୁଚ୍ଚ ସ୍ୱରରେ କ'ଣ ଗୁଡାଏ ଗପୁଥିବ ସବୁବେଳେ, ଭୋକ ହେଲେ ସାମନା ଜଳଖିଆ ଦୋକାନ ଆଗରେ ଯାଇ ଠିଆ ହେବ, ସିଏ ଗୋଟାଏ ଦୁଇଟା ବାସି ବରା କି ଗୁଲୁଗୁଲା ପକାଇଦେବେ ତା'ର ହାତକୁ । ସେତକ ଖାଇଦେଇ ବସ୍ ଷ୍ଟାଣ୍ଡରେ ଥିବା କଳରୁ ଆଞୁଳା ଆଞୁଳା କରି ପାଣି ପିଇବ, ପୁଣି ଯାଇ ବସି ପଡିବ ସେଇ ଚିରାଚରିତ ଢଙ୍ଗରେ । ପଥଚାରୀ ମାନେ ଦୟା ପରବଶ ହୋଇ କିଛି ଦେଲେ ସେ ନେଇ କଣକୁ ଥୁଆ ହୋଇଥିବା ଗୋଟିଏ ମଇଳା ଲୋଚାକୋଚା ଗଣ୍ଠିଲି ଭିତରେ ପକାଇ ଦେବ । ପୁଣି ଚାହିଁ ବସିଥିବ ବସ୍ ଆଡ଼େ ସତେ ଯେମିତି ସେ କାହାରି ଆସିବାକୁ ଅପେକ୍ଷା କରୁଛି । ସତେକି ଏଇ ଅସରନ୍ତି ପ୍ରତୀକ୍ଷା ତା'ର ଅନନ୍ତ କାଳରୁ ଚାଲି ଆସିଛି ।

ସେଦିନ ଢେଙ୍କାନାଳର କୁଞ୍ଜକାନ୍ତରେ ଜଣେ ବନ୍ଧୁଙ୍କ ପୁଅର ଜନ୍ମଦିନ ଭୋଜିରେ ଯୋଗ ଦେବା ଲାଗି ମୁଁ ଭୂବନେଶ୍ୱରରୁ ସପରିବାର ଯାଇଥାଏ ବସ୍ ରେ । ମୁଁ, ମୋର ପତ୍ନୀ ଆଉ ଆମ ସହିତ ଯାଇ ଥାଏ ଆମ ପାଖରେ ରହୁଥିବା ଆମ ଝିଅର ତିନି ବର୍ଷର ପୁଅ ସ୍ବାଗତ । ବସ୍ ଷ୍ଟାଣ୍ଡରେ ବସ୍ ଟି ରହିଲା ପରେ ଆଗେ ଓହ୍ଲାଇ ପଡ଼ିଲି ମୁଁ, ହାତରେ ନାତିକୁ ଧରି । ମୋ ପଛରେ ଥାଆନ୍ତି ମୋ ସ୍ତ୍ରୀ, ତାଙ୍କର ହାତରେ ଥାଏ ଆମର ଲୁଗାପଟା ଭର୍ତ୍ତି ଏୟାରବ୍ୟାଗ୍ ଟି । ନାତିକୁ ଟିକିଏ ଦୂରରେ ତଳେ ଠିଆ କରି ମୁଁ ସ୍ତ୍ରୀଙ୍କ ହାତରୁ ସେ ଓଜନିଆ ବ୍ୟାଗ୍ ଟି ଆଣୁଛି, ପଛରୁ ନାତିର ଚିତ୍କାର ଶୁଭିଲା । ତରତର ହୋଇ ବ୍ୟାଗ୍ ସମେତ ସ୍ତ୍ରୀଙ୍କୁ ତଳେ ଛାଡି ଦେଇ ଦୌଡ଼ିଲି ନାତି ପାଖକୁ । ଦେଖିଲା ବେଳକୁ ପାଗଳୀଟିଏ ଆସି ମୁଠାଇ ଧରିଛି ମୋ ନାତିର ହାତକୁ ଆଉ ତା'କୁ କାଖକୁ ନେବାକୁ ଚେଷ୍ଟା କରୁଛି ।ତା'କୁ ଦେଖି ମୋ ନାତି ରଡି ଛାଡି କାନ୍ଦୁଛି ଭୟରେ । ଗୋଟାଏ

ମୁହୂର୍ତ୍ତ ପାଇଁ ମୁଁ ସ୍ତବ୍ଧ ହୋଇଗଲି କିଛି ଅନିଷ୍ଟ ଆଶଙ୍କା ରେ । ମୋ ସ୍ତ୍ରୀ ତ ହାଉଳି ଖାଇ କାନ୍ଦିବାକୁ ଆରମ୍ଭ କରି ଦେଇଥିଲେ । ଦେଖୁ ଦେଖୁ କିଛି ଲୋକ ଜମା ହୋଇଗଲେ ସେଠି । ପାଗଳୀଟି ଜବର କରି ଭିଡି ଧରିଥାଏ ମୋ ନାତିକୁ ,ଠିକ୍ ମା' ମାଙ୍କଡ ତା' ଛୋଟ ଶାବକକୁ ଜାବୁଡ଼ି ଧରିବା ଭଳି । ''ମୋ ପୁଅ, ମୋ ପୁଅ '' କହି ତା' ର ଛିଣ୍ଡା ଲୁଗାକାନିରେ ଘୋଡେଇ ପକାଉଥାଏ । ମୋର ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ମୁଁ ପିଲାଟିକୁ ଛଡେଇ ପାରୁ ନଥାଏ ତା'ର କବଳରୁ, ଅନାଗତ ଅନିଷ୍ଟ ଚିନ୍ତା କରି ମୋ ଭଳିଆ ବୟସ୍କ ପୁରୁଷଟିର ବି ଦୁଇ ଆଖିରେ ଲୁହ ଜକେଇ ଆସୁଥାଏ । ଦେଖଣାହାରୀଙ୍କ ଭିତରୁ ମଧ୍ୟ କେହି ସାହସ କରି ଆଗେଇ ଆସୁ ନଥାନ୍ତି ପିଲାଟିକୁ ରକ୍ଷା କରିବା ଲାଗି । ମୋ ସ୍ତ୍ରୀ ତେଣେ କାନ୍ଦି କାନ୍ଦି ବିକଳ ହୋଇ ସମସ୍ତଙ୍କୁ ଗୁହାରି କରୁଥାଆନ୍ତି ଟିକେ ସାହାଯ୍ୟ କରିବା ଲାଗି । ନାତିଟି ମଧ୍ୟ କାନ୍ଦି କାନ୍ଦି ଆକ୍ତାମାକ୍ତା ହୋଇ ଝୋଲା ମାରି ଗଲା ଭଳି ଅବସ୍ଥା ।

ଏଇ ସମୟରେ ଲୋକଗହଳି ଭିତରେ ସେଠାରେ ପହଞ୍ଚିଲେ ଜଣେ ବୃଦ୍ଧ ଭଦ୍ରଲୋକ। ବୟସ ପଞ୍ଚସ୍ତୋରି କି ଅଶୀ ହେବ, ମଳିଚିଆ ହଳଦୀ ରଙ୍ଗର ଧୋତିଟି ଆଣ୍ଠୁ ଉପରକୁ ପିନ୍ଧିଥାନ୍ତି , କାନ୍ଧରେ ପଡିଥାଏ ଗୋଲାପି ରଙ୍ଗର ମାଣିଆବନ୍ଦୀ ଗାମୁଛା ଖଣ୍ଡିଏ ଚାରିଚଉତ ହୋଇ । ଭିଡ ଠେଲି ଧୀରେ ଧୀରେ ପାଗଳୀର ପାଖକୁ ଗଲେ ସେ । ଅନ୍ୟ ମାନଙ୍କୁ ଦେଖି ବାଡେଇ ଗୋଡାଉଥିବା ପାଗଳୀ ଟି ତାଙ୍କୁ ଦେଖି ଚୁପ୍ ଚାପ୍ ହୋଇ ବସି ରହିଲା । ହସି ହସି କହିଲା '' ବାପା ! ହେଇଟି ମୋ ପୁଅ ଆଇଚି ଦେଖ । ଆଉ ଦି ଦିନ ଗଲେ ତା' ବାପା ବଳେ ଆସିବନି କି ମତେ ନବାକୁ '' । କାନ୍ଦ କାନ୍ଦ ହୋଇଗଲା ବୃଦ୍ଧଙ୍କର ଆଖି ଦୁଇଟି । ଧୀରେ ଧୀରେ ସେ ହାତ ରଖିଲେ ପାଗଳୀର ମୁଣ୍ଡରେ । ମୁଣ୍ଡ ଆଉଁସି ଦେଇ କହିଲେ '' ହଁ ରେ ମାଆ ! ସତ କଥା କହିଲୁ । ତୋ ଜ୍ୱାଇଁ ଆଉ ଅଳ୍ପ ଦିନ ମଧ୍ୟରେ ଆସି ତତେ ନେଇଯିବ ବୋଲି ପରା ଖବର କରିଛି ମତେ । ତୁ ଆଗ ଚାଆଲେ ଘରକୁ, ଗାଧୁଆପାଧୁଆ କରି ସଫା ସୁତର ହୋଇ ଭଲ ଲୁଗାପଟା ପିନ୍ଧି ବସିଲେ ସିନା ତୋ' ଶାଶୁ ଘରକୁ ଯିବୁ, ନହେଲେ କେମିତି ଯିବୁ ? ଦେ, ତୋ'ର ପୁଅକୁ ମତେ ଦେ । ମୁଁ ତା'କୁ କିଛି ଖାଇବାକୁ ଦିଏ ଆଗ । ସବୁ ବୁଝିଗଲା ଯେମିତି ପାଗଳୀଟି । ହଁ, ହଁ କହି ସୁଧାର ପିଲାଟି ଭଳିଆ କୋଳରେ ଜବର କରି ଧରିଥିବା ପିଲାଟିକୁ ବଢେଇ ଦେଲା ବୃଦ୍ଧଙ୍କର ହାତକୁ । ତଳୁ ଉଠି ଝାଡି ଝୁଡି ହୋଇ ଲୁଗାପଟା ସଜାଡି ବୃଦ୍ଧଙ୍କର ପଛେ ପଛେ ଚାଲିବାକୁ ଆରମ୍ଭ କଲା । ତା'କୁ ଦେଖିଲେ ମନେ ହେଉନଥିଲା ଯେ ଏଇ ଟିକକ ଆଗରୁ ଉଗ୍ର ଭାବରେ ମାଡି ଆସୁଥିବା ପାଗଳୀ ଟାଏ ବୋଲି । ପୁଅକୁ କାନ୍ଧରେ ପକାଇ ଯିବା ସମୟରେ ବୃଦ୍ଧ ଜଣକ ମତେ ଆଖିର ଇସାରାରେ ଜଣାଇଦେଲେ ତାଙ୍କ ପଛରେ ଆସିବା ଲାଗି । ମନ୍ତ୍ରମୁଗ୍ଧ ପରି ମୁଁ ଚାଲିଲି ତାଙ୍କ ପଛରେ ।

କିଛି ବାଟ ଗଲା ପରେ ଗୋଟିଏ ମୋଡ ପାଖରେ ସିଏ ଟିକେ ଧୀମେଇଁ ଗଲେ । ପାଗଳୀଟି କିନ୍ତୁ ତା'ର ବେଗ କମାଉ ନଥାଏ । ଲାଗୁଥାଏ ସେ ଯେମିତି ଏଇ ରାସ୍ତା ସହିତ ପୂର୍ବରୁ ପରିଚିତ । ଅଭ୍ୟସ୍ତ ପାଦ ତା'ର ମାଡି ଚାଲୁଥିଲା ଆଗକୁ ଆଗକୁ । ତାଙ୍କର ପଛେ ପଛେ ଅନୁସରଣ କରି ମୁଁ ତାଙ୍କ ଗାଁରେ ତାଙ୍କ ଘର ପାଖରେ ପହଞ୍ଚିଲା ପରେ ଦେଖିଲି ବୃଦ୍ଧ ଜଣକ କବାଟ ଖୋଲି ପାଗଳୀଟିକୁ ଘର ଭିତରକୁ ପଠାଇ ବାହାରୁ କବାଟ ବନ୍ଦ କରି ମୋ ହାତକୁ ମୋ ନାତିକୁ ବଢ଼ାଇଦେଲେ । ନାତିଟି ମୋର କାନ୍ଦି କାନ୍ଦି ହାଲିଆ ହୋଇ ଅନେକ ବେଳୁ ଶୋଇ ପଡିଥିଲା ତାଙ୍କର କାନ୍ଧରେ । ସେଇ ଅବସ୍ଥାରେ ମୋ କାନ୍ଧରେ ପକାଇ ପଛକୁ ଫେରି ଆସିବାକୁ

ଉଦ୍ୟତ ହେଉଛି, ବୃଦ୍ଧ ଜଣକ ଆସି ହାତ ଯୋଡି ଛିଡ଼ା ହେଲେ ମୋ ଆଗରେ। କହିଲେ ଗାଁ ଲୋକଙ୍କ ପାଖରୁ ତୁମ ସହିତ ଘଟିଥିବା ଦୁର୍ଘଟଣା ବିଷୟରେ ଶୁଣିବା ପରେ ଆଉ ଥୟ ହୋଇ ରହି ପାରିଲିନି ଘରେ। ମୁଁ ଭଲ ଭାବରେ ଜାଣିଛି ସେ ମୋ ବ୍ୟତୀତ ଆଉ କାହାରି କଥା ଶୁଣିବନି। ତେଣୁ ବାଧ୍ୟ ହୋଇ ମତେ ଆସିବାକୁ ପଡିଲା । ତୁମେ ତୁମ ପିଲାକୁ ଧରି ଫେରି ଯାଅ ବାବୁ । ସେ କିଛି ସମୟ ବାଡେଇ ପିଟି ହୋଇ କାନ୍ଦି କାଟି ଉଚ୍ଛନ୍ନ ହେବ ତା'ପରେ ଧୀରେ ଧୀରେ ଚୁପ୍ ହୋଇଯିବ । ସେ ମୋର ନିଜର ଝିଅ ନୁହେଁ ବାବୁ କିନ୍ତୁ ଝିଅ ଭଳି । କିନ୍ତୁ ସେ ମତେ ତା'ର ନିଜର ବାପା ବୋଲି ମାନେ।

ସେତେବେଳ ଯାଏ ଆମେ କେହି କାହାସହ ପଦୁଟିଏ ବି କଥା ହୋଇନଥିଲୁ । ମୋ ମୁହଁକୁ ଚାହିଁ ଦୀର୍ଘ ନିଶ୍ବାସ ଟିଏ ପକାଇ କୋହଭରା କଣ୍ଠରେ କଥା ଆରମ୍ଭ କଲେ ସେ । ବାବୁ ! ମୋ ନାଁ ପିତାମ୍ବର ପ୍ରଧାନ । ମୋର ବୟସ ଥିଲା ବେଳେ ମୁଁ ରାଜମିସ୍ତ୍ରୀ କାମ କରୁଥିଲି । ଦୂର ଦୂରାନ୍ତକୁ ଯାଏ କାମ କରିବାକୁ । କାମ ସାରି ବସ୍ ରେ ଫେରେ ଘରକୁ । ଆଜିକୁ ଛବିଶି ବର୍ଷ ତଳେ ଦିନେ କାମରୁ ଫେରୁ ଫେରୁ ରାତି ଏଗାରଟା ବାଜିଗଲା । ବସ୍ ରୁ ଓହ୍ଲାଇ ଗାଁକୁ ଯିବାକୁ ବାହାରିଛି, ଦେଖିଲି ଉଣେଇଶି କି କୋଡ଼ିଏ ବର୍ଷର ଝିଅ ଟିଏ ଜାକିଜୁକି ହୋଇ ବସି ରହିଛି ବସ୍ ଷ୍ଟାଣ୍ଡରେ ଗୋଟିଏ କଣକୁ। ଦି ଚାରିଜଣ ମଦୁଆ ଏପଟ ସେପଟ ହୋଇ ପଇଁତରା ମାରୁଛନ୍ତି ତା' ଚାରି ପଟେ ଡାହାଳ କୁକୁର ମାଉଁସ ଖଣ୍ଡକୁ ଶୁଙ୍ଘିଲା ପରି। ମୋ ମନ ସମ୍ଭାଳି ହେଲାନି । ମୁଁ ଝିଅଟି ପାଖକୁ ଯାଇ କୋଉଠୁ ଆସିଛୁ , କୁଆଡେ ଯିବୁ, ସାଙ୍ଗରେ କିଏ ଅଛି ବୋଲି ପଚାରିବାରୁ ସେ କାନ୍ଦି ପକାଇଲା । କହିଲା ତା'ର ସ୍ବାମୀ ଏବଂ ପୁଅ ସାଥୀରେ ସେ ପାଲଲହଡ଼ା ର କୋଉ ଗୋଟାଏ ଗାଁରେ ରହେ । ତା' ସ୍ବାମୀ କୁଆଡେ ତା'କୁ ସକାଳ ଏଗାରଟା ବେଳୁ ବସେଇଦେଇ ପୁଅକୁ ସାଙ୍ଗରେ ନେଇ କୋଉ ହୋଟେଲକୁ ଖୁଆଇବାକୁ ଯାଇଛି ଯେ ଏଯାଏଁ ଫେରିଲାନି । ସେ ତାଙ୍କୁ ଅପେକ୍ଷା କରି ବସିଛି । ଅଗତ୍ୟା ଝିଅଟିକୁ ଜଗି ମତେ ସେଠି ବସି ରହିବାକୁ ପଡିଲା । ରାତି ପାହି ସକାଳ ହେଲା । ତେବେ ବି ତା'ର ସ୍ବାମୀ ଫେରିଲା ନାହିଁ ।

ମୋ ମୁଣ୍ଡକୁ ନାନା ପ୍ରକାର ଦୁଶ୍ଚିନ୍ତା ଢୁକିଲା। ଝିଅଟି କାନ୍ଦି କାନ୍ଦି ସେମିତି ଭୋକ ଉପାସରେ ପଡିଥାଏ । ସକାଳୁ ମୁଁ କହିଲି ତୋ ସ୍ବାମୀ ର ନାଆଁ ଠିକଣା କହ, ନହେଲେ ତୋ'ର ବାପଘର ନାଁ ଠିକଣା କହ, ମୁଁ ଚେଷ୍ଟା କରିବି ଖୋଜିବାକୁ। ସେ କଇଁ କଇଁ ହୋଇ କାନ୍ଦି ଉଠିଲା । କହିଲା '' ଆମ ଘର ମାଧପୁର, ଆଠ ବର୍ଷର ହୋଇଥିଲି ମା' ଛେଉଣ୍ଡ ହେଲି । ସାବତମାଆ ଆସିଲା ଯେ ନାହିଁ ନଥିଲା ଯନ୍ତ୍ରଣା ଦେଲା । ବାପ ଦିନ ମଜୁରିଆ, ସବୁବେଳେ ହାଣ୍ଡିଆ ପିଇବା ମାତାଲ୍ । ଗଡି ସଢି ବଢୁଥିଲା ବେଳେ ମୋ ବାପା ସାଙ୍ଗରେ କାମ କରୁଥିବା ଭେଣ୍ଡିଆ ବିନାୟକ ଆସିଲା ମୋ ଜୀବନକୁ । ଭାରି ସ୍ନେହ ଶ୍ରଦ୍ଧା କଲା, ବାପାକୁ ଲୁଚେଇ ଭଲ ମନ୍ଦ ଆଣି ଖୁଆଇଲା, କେତେ ନୂଆ ନୂଆ ସପନ ଦେଖାଇଲା, ତା'ରି ଉପରେ ଭରସା କରି ଦିନେ ରାତିରେ ଲୁଚି ଲୁଚି ଘରଛାଡି ପଳାଇଲି ତା' ସହିତ ଚାରି ବରଷ ତଳେ ପାଲଲହଡା । ବର୍ଷକ ପରେ ପୁଅଟିଏ ହେଲା , ପୁଅ ହେଲା ପରେ ଖର୍ଚ୍ଚ ବଢିଲା । ଦିନକ ମଜୁରୀ ନିଅଣ୍ଟ ହେଲା ପରିବାର ଚଳାଇବାକୁ । ସେଇଠୁ ସବୁବେଳେ ଚିଡ୍ ଚିଡା ହେଉଥିଲେ ବିନାୟକ । ଏବେ କୋଉଠି ଭୁବନେଶ୍ବରରେ କୋଉ ଠିକାଦାର ପାଖରେ କାମ ବୁଝିଥିଲେ , ସେଇଠିକି ଯାଉଥିଲୁ ଆମେ । ମୁଁ କେବେ ବିନାୟକଙ୍କୁ ପଚାରିନି ତାଙ୍କ ନିଜ ଘର ଦ୍ବାର ବିଷୟରେ । ସେ ନିଜେ କହନ୍ତି ସେ ଅନାଥାଶ୍ରମରେ ବଢିଛନ୍ତି ବୋଲି । ମୁଁ ତମକୁ କାହା ନାଁ ଠିକଣା ଦେବି ତମେ କୁହ ମଉସା । ତମେ ତ ମୋର ବାପ ବୟସର ହେବ। ବାପ ସମାନ । ତମେ କୁହ ମୁଁ କ'ଣ କରିବି? ''

ମୋର ମୁଣ୍ଡ କିଛି କାମ କରୁନଥିଲା । ମୋର ନିମ୍ନ ମଧ୍ୟବିତ୍ତ ପରିବାର, ପୁଅ ବୋହୂର ଘର । ଧାନଚାଉଳ ଗଣ୍ଡାଏ ଅଛି ବୋଲି ବର୍ଷକ ଚଳିଯାଉ । ପୁଅ ବିଲବାଡି ଦେଖେ, ମୁଁ ନିଜେ ରାଜମିସ୍ତ୍ରୀ କାମ କରି ଉପର ଖର୍ଚ୍ଚ ତକ ଚଳାଏ । ସେଥିରେ ଯଦି ଏଇ ଅସହାୟା, ପତି ପରିତ୍ୟକ୍ତା , ସନ୍ତାନହରା ମା ' ଟିକୁ ଘରକୁ ନେଇ ଆଶ୍ରୟ ଦେବି, ତେବେ ମୋ ପରିବାରର ଲୋକେ ମୋତେ ସମର୍ଥନ କରିବେ ତ ? ନିଅଣ୍ଟିଆ ଘରେ ଜଣେ କୁଣିଆଙ୍କୁ ରଖି ମୁଁ ସେମାନଙ୍କ ପ୍ରତି ଅନ୍ୟାୟ କରିବି ନାହିଁ ତ ? ଗାଁ ଲୋକଙ୍କ ହଜାରେ ପ୍ରଶ୍ନର ଉତ୍ତର ଦେଇ ପାରିବି ତ ? ଏମିତି ଅନେକ ଗୁଡିଏ କଥା ମୋ ମୁଣ୍ଡରେ ଖେଳି ବୁଲୁଥିଲା। ମୋର ନିଜର ଝିଅଟିଏ ନଥିଲା।

ଏଇ ଦୁଃଖିନୀ ଝିଅଟିକୁ ଦେଖିଲା ପରେ କେମିତି ଗୋଟାଏ ମାୟା ଆସୁଥିଲା ତା' ପ୍ରତି। ତା'ର ଦୁଃଖ କାହାଣୀ ଶୁଣିବା ପରେ ମୋ ଅନ୍ତରାତ୍ମା କହୁନଥିଲା ତା'କୁ ଏକା ଛାଡ଼ି ଦେବାକୁ । ବହୁତ ଭାବି ଚିନ୍ତି ଶେଷରେ ସେ ଝିଅଟିକୁ ସାଙ୍ଗରେ ନେଇ ଘରକୁ ଗଲି । କିଛି ବିଷମ ପରିସ୍ଥିତି ସୃଷ୍ଟି ନହେଉ ବୋଲି ମନେ ମନେ ଈଶ୍ବରଙ୍କୁ ଖୁବ୍ ପ୍ରାର୍ଥନା କରୁଥାଏ। କୌଣସି ମତେ ଘର ଲୋକଙ୍କୁ ବୁଝାଶୁଝା କରି ତା'କୁ ଆମ ଘରେ ରଖିଲି। ସେ ସେମିତି କନ୍ଦାକଟା କରୁଥାଏ । ମୁଁ କିଛି ଲୋକଙ୍କୁ କୁହାବୋଲା କରି ରଖିଥାଏ ତା'କୁ କିଏ ଆସି ଖୋଜିଲେ ମୋତେ ଖବର ଦେବାକୁ । ହେଲେ ତା' ସ୍ବାମୀ ତ ଯୋଜନା କରି ତା'କୁ ଛାଡି ଦେଇ ଯାଇଥିଲା ସିଏ ବା ଆଉ କାହିଁକି ଫେରନ୍ତା ? ଖାଲି ପ୍ରତିମା ନାଁ ଟି ଛଡା ତା' ପାଖରେ ଆଉ କିଛି ନଥିଲା । ଧୀରେ ଧୀରେ ସେ ଟିକେ ସାମାନ୍ୟ ହୋଇ ଆସୁଥିଲା ସେତିକିବେଳେ ଆଉ ଏକ ବଡ ଦୁର୍ଘଟଣା ଘଟିଥିଲା ତା' ସାଥୀରେ । ଆମ ଗାଁରେ ଜାଗର ମେଳା ହେଉଥାଏ, ପ୍ରତିମା କୁ ଛାଡି ବାକି ଘର ଲୋକେ ସମସ୍ତେ ଯାଇଥାନ୍ତି ମନ୍ଦିର । କ'ଣ କହିବି ବାବୁ ! କହିଲାବେଳକୁ ଲାଜ ଲାଗୁଛି , ମୋ ନିଜ ପୁଅ ଆଉ ତା'ର ତିନି ଜଣ ସାଙ୍ଗ ମିଶି ମଦ ପିଇ ଆସି ଘରେ ପଶି ପ୍ରତିମାର ଇଜ୍ଜତ୍ ଲୁଟିନେଲେ । ଝିଅଟା ଏତେ ଦୁଃଖ ସହି ପାରିଲାନି ବାବୁ ! ପାଗଳୀ ହୋଇଗଲା । ଆମ ଘର ଲୋକେ ବଦ୍ ନାମ କରିଦେଲେ ତା'କୁ । ସେମାନଙ୍କ ରାଣ ନିୟମ, ଧମକ ଚମକ ମୋ ମୁହଁକୁ ବନ୍ଦ କରି ଦେଲା , ମୁଁ ସତ୍ୟ ଜାଣି ମଧ୍ୟ ଚୁପ୍ ରହିବା ବାଧ୍ୟ ହେଲି । ଗାଁ ଲୋକେ ଜିଦ୍ ଧରିଲେ ପ୍ରତିମାକୁ ଘରେ ରଖିଲେ ମତେ ଏକଘରିକିଆ କରିଦେବେ ବୋଲି, ପୁଅ ଧମକ ଦେଲା ସତକଥା କହିଲେ ସେ ଆତ୍ମହତ୍ୟା କରିଦେବ, ସମସ୍ତଙ୍କ କଥା ରଖି ମୁଁ ମୋର ଆତ୍ମାକୁ ମାରିଦେଲି ବାବୁ ! ପ୍ରତିମା କୁ ଘରୁ ବାହାର କରିଦେଲି ଡାହାଳ କୁକୁରଙ୍କ ଖାଦ୍ୟ ହେବାକୁ । ସେଦିନ ଠାରୁ ପ୍ରତି ମୁହୂର୍ତ୍ତରେ ମୋ ଅନ୍ତରାତ୍ମା କାନ୍ଦୁଛି , ମତେ ଦୋଷୀ ସାବ୍ୟସ୍ତ କରୁଛି।

ଆଉ ସେଇଦିନ ଠାରୁ ସେ ଏଇ ବସ୍ ଷ୍ଟାଣ୍ଡରେ ଆଶ୍ରା ନେଇଛି । ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ସେ କେବେ କାହାକୁ ଟେକାପଥର ମାରୁଛି ତ କେବେ ପେଟର ଭୋକକୁ ସମ୍ଭାଳି ନପାରି କାହାର ଦେହ ଭୋକକୁ ମେଣ୍ଟାଉଛି । ପ୍ରତିମା ପିତେଇ ବାୟାଣୀ ହୋଇ ଯାଇଛି। ଗାଳି ଗୁଲଜ ଖାଉଛି, ଟେକାପଥର ମାଡ ବି ଖାଉଛି। ତଥାପି ଆଶା କରୁଛି କେବେ ନା କେବେ ତା'ର ସ୍ବାମୀ ତା' ପୁଅକୁ ନେଇ ଏଠାକୁ ଫେରିବ।

ସେଥିଲାଗି ଯେତେ ଯାହା ହେଲେ ବି ସେ ଏଇ ବସ୍ ଷ୍ଟାଣ୍ଡ ଛାଡି ଯାଉନି । ତା' ଆଖି ଦୁଇଟି ଲାଖି ରହୁଛନ୍ତି ସବୁ ବସ୍ ଉପରେ। ଆଜି ଯାହାସବୁ ଘଟିଗଲା ତାହା ପିତେଇ ବାୟାଣୀ ଭିତରେ କିଞ୍ଚିତ ବଞ୍ଚି ରହିଥିବା ମା' ପ୍ରତିମା ର ପ୍ରତିଫଳନ ମାତ୍ର । ଯାଆନ୍ତୁ ବାବୁ ! ଆପଣ ଏବେ ନିଶ୍ଚିନ୍ତ ହୋଇ ପିଲାଙ୍କୁ ଧରି ଘରକୁ ଯାଆନ୍ତୁ। ଆଜି ଯାଏଁ ଛାତି ତଳେ ଲୁଚାଇ ରଖିଥିବା ପାପକୁ ଆପଣଙ୍କ ନିକଟରେ ସ୍ବୀକାର କରି ମୋ ମନରୁ ବୋଝ ଉତୁରି ଗଲା । ମତେ ଲାଗୁଛି ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଦୋଷ ସ୍ବୀକାର କରିଛି । ତେଣିକି ସେ ମତେ ଯାହା ଦଣ୍ଡ ଦେବାର ଦିଅନ୍ତୁ । ଆଖିରୁ ଲୁହ ପୋଛି ସେ ଫେରୁଥିଲେ ଘରକୁ । ଆଉ ମୁଁ ?

ଆଖିରେ ଲୁହ ଆଉ ଛାତିରେ ପ୍ରତିମା ପାଇଁ ବେଜାଏ ଦରଦ ନେଇ ନାତିକୁ କାନ୍ଧରେ ପକାଇ ଫେରୁଥିଲି ସେଇ ବସ୍ ଷ୍ଟାଣ୍ଡ କୁ , ଯେଉଁଠି ପ୍ରତିମା ପିତେଇ ବାୟାଣୀ ପାଲଟିଥିଲା ।

ପିତେଇ ବାୟାଣୀ ଢେଙ୍କାନାଳ

Rate the content


Originality
Flow
Language
Cover design

Comments

Post

Some text some message..