Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୂଆ ଘର ନୂଆ ଅନୁଭୁତି
ନୂଆ ଘର ନୂଆ ଅନୁଭୁତି
★★★★★

© T.Durga Prasad Rao

Others

7 Minutes   390    14


Content Ranking

ନୂଆ ଘର ନୂଆ ଅନୁଭୁତି


ଯେଉଁଦିନ ନୂତନ ଘରର ଟାଇଲ୍ ଓ ରଙ୍ଗ କାମ ସରିଲା, ଘରର କାନ୍ଥ, ଚଟାଣ ଆଦିରେ ଆଲୋକର ପ୍ରତିଫଳନ ଦେଖି ତାର ଚାକଚକ୍ୟତାରେ ଖୁସି ହେଇଗଲେ ରାଓବାବୁ। ମନଟା ତାଙ୍କର କୂଳକିନାରା ଉଛୁଳି ଆକାଶକୁ ଛୁଉଁଥିଲା। ନିଜର ସ୍ଵଳ୍ପ ବେତନରେ ଘରଟିଏ କରିବା ତାଙ୍କ ପାଇଁ ଅନେକ ଦିନ ପର୍ଯ୍ୟନ୍ତ ସ୍ଵପ୍ନ ହୋଇ ରହିଥିଲା। ପ୍ରତିଦିନ ଶୋଇବା ସମୟରେ ସେ ଆଙ୍କୁଥିଲେ ଘର ତିଆରିର ଯୋଜନା ଓ ନକ୍ସସା। ମନେ ମନେ ଅଟକଳ କରୁଥିଲେ କେତେ ବଡ଼ ବା ସାନ ହେବ ଘରଟି। କେତେ ସ୍କୋୟାରଫୁଟ୍ ହେଲେ ତାଙ୍କ ପରିବାର ନିମନ୍ତେ ଜାଗା ପର୍ଯ୍ୟାପ୍ତ ହେବ। ଘର ବାବଦରେ ଖର୍ଚ୍ଚ କେତେ ହେବ ତାର ବି ଏକ ବଜେଟ୍ ପ୍ରସ୍ତୁତ କରୁଥିଲେ ମନେ ମନେ। ଆଜି କିନ୍ତୁ ତାଙ୍କ ସ୍ଵପ୍ନର ଘର ତାଙ୍କ ଆଖି ଆଗରେ ସାକାର ରୂପ ନେବାକୁ ଯାଉଛି। କାମ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଗଲାଣି। ପୁଟି ଓ ରଙ୍ଗ କାମ ସରିଛି। ଖାଲି ଯାହା କାଠର ଝରକା, କବାଟ ଲାଗିବ। ରାଓବାବୁ ବେଳକୁ ବେଳ ଅଧୈର୍ଯ୍ୟ ହୋଇ ଉଠୁଥିଲେ। ତାଙ୍କର ଭାରି ଇଚ୍ଛା ପତ୍ନୀ ଥରେ ଯାଇ ଦେଖି ଆସନ୍ତୁ ନୂଆ ଘର। ସନ୍ଧ୍ୟାବେଳେ ପତ୍ନୀଙ୍କୁ ନେଇ ନୂଆ ଘର ବୁଲିବାକୁ ବାହାରିଲେ ରାଓବାବୁ। ଘର ଭିତରେ ପଶି ସୁଇଚ୍ ଟିପିଲେ। ଚାରିଆଡ଼େ ବିଜୁଳି ଆଲୁଅରେ ଘର ଝଲସି ଉଠିଲା। ପତ୍ନୀଙ୍କ ଆଖିରେ ଦେଖି ପାରୁଥିଲେ ସେ ଖୁସିର ଚମକ। ସବୁତକ କୋଠରୀ ବୁଲି ଦେଖି ସାରି କିଚେନ୍ କମ୍ ଡାଇନିଂ ହଲ୍.ର ଚଟାଣ ଉପରେ ବସିଗଲେ ଉଭୟ। କେତେ କଳ୍ପନା ଜଳ୍ପନା ଚାଲିଲା ଘର ସଜା ନେଇ। କେଉଁଠି ସୋଫା ପଡ଼ିବ, କେଉଁ କୋଣରେ ଡାଇନିଂ ଟେବୁଲ୍ ରହିବ, ଫୁଲଦାନୀଗୁଡ଼ିକ କେମିତି ସଜାଇ ରଖିବେ, କେଉଁ କୋଣରେ କେତେ ସାଇଜ୍.ର ପଲଙ୍କ ପଡ଼ିବ ଇତ୍ୟାଦି ଇତ୍ୟାଦି।

ଏମାନଙ୍କର ଗଳ୍ପ ଭିତରେ ରାଓବାବୁଙ୍କର ମନେହେଲା ତୃତୀୟ କାହାର ଉପସ୍ଥିତି। ରାଓବାବୁ ବୁଲି ଚାହିଁଲେ ବାରିପଟ ଲୁହାର ଜଳା କବାଟ ଆଡ଼କୁ। ଛୋଟ ମୂଷାଟିଏ ଜଳା କବାଟ ମଝି ଧାରରେ ବସି ଜୁଳୁ ଜୁଳୁ ଚାହିଁ ରହିଥିଲା ଏମାନଙ୍କ ଆଡ଼କୁ। ସତେ ଯେମିତି ଖୁବ୍ ମନପ୍ରାଣ ଦେଇ ଶୁଣୁଛି ଏମାନଙ୍କର କଥାବାର୍ତ୍ତା। ଆଉ ଭିତରେ ଭିତରେ ସେ ବି ସତେକି ଖୁସିରେ ଉଛୁଳି ଉଠୁଛି। ନୂଆ ଘର ମାନେ ତା ପାଇଁ ମଧ୍ୟ ନୂଆ ବସାଟିଏ। ନୂଆ ଅନୁଭୁତିଟିଏ ଆଉ ଭବିଷ୍ୟତର ନୂଆ ଏକ ଖାଦ୍ୟର ଭଣ୍ଡାର। ଖୁସି ନ ହୁଅନ୍ତା କେମିତି? କହିବା ବାହୁଲ୍ୟ, ରାଓବାବୁଙ୍କ ଘରକୁ ଲାଗି ଆଖପାଖରେ ଘର ନ ଥିଲା। ରାଓବାବୁଙ୍କ ଘରଟି ପଡ଼ିଆ ମଝିରେ ଏକୁଟିଆ ଘର। ଏଣୁ ନୂଆ ଘରଟିଏ ପାଇ ମୂଷା ମନରେ ନାହିଁ ନ ଥିବା ଉତ୍ସାହ ଖେଳି ଯାଇଛି। ହଠାତ୍ ତା ଜାଗାରୁ ତଳକୁ ଡେଇଁ ପଡ଼ିଲା ମୂଷାଟି ଆଉ ତତ୍.କ୍ଷଣାତ୍ ଘର ଭିତରେ କେଉଁଠି ଅଦୃଶ୍ୟ ହୋଇଗଲା। “ଗାଓଁ ବସାନେହିଁ କି ଲୁଟେରେ ଆଗୟେ” କହିଦେଇ ଖୁବ୍ ଜୋର୍.ରେ ହସି ଉଠିଲେ ରାଓବାବୁ ଆଉ ତାଙ୍କ ପତ୍ନୀ ମଧ୍ୟ ସେ ହସରେ ସାମିଲ୍ ହୋଇଗଲେ।

ଖୁବ୍ ଶୀଘ୍ର ନିଜର ଆତ୍ମୀୟସ୍ଵଜନ, ପରିଚିତ ସହରବାସୀ ଓ ଘରଲୋକଙ୍କ ଗହଣରେ ଗୃହପ୍ରତିଷ୍ଠା ହେଲା। ଛୋଟ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ ରାଓବାବୁ। ଅତ୍ୟନ୍ତ ଉତ୍ସାହର ସହିତ ଡାକି ଆଣୁଥିଲେ ଅତିଥି ଅଭ୍ୟାଗତଙ୍କୁ ଘର ଦେଖାଇବା ପାଇଁ। ଘର ଦେଖି ସାରି ଅତିଥିମାନଙ୍କ ମତାମତ ଓ ପ୍ରଶଂସାରେ ଫୁଲି ଉଠୁଥିଲା ତାଙ୍କର ଛତିଶ ଇଞ୍ଚିଆ ଛାତି। ଗୃହପ୍ରତିଷ୍ଠା କାର୍ଯ୍ୟ ସମାପନ ସହ ଗୃହପ୍ରବେଶ ପରେ ପରେ ଘରଟିକୁ ସଜାଡ଼ିବାରେ ଲାଗି ପଡ଼ିଥିଲେ ପରିବାରର ସଦସ୍ୟମାନେ।

ଗୃହର ହତା ଭିତରର ଅଳ୍ପ କିଛି ଜାଗାକୁ ଛାଡ଼ି ବାକି ସବୁତକ ଟାଇଲ୍ କରା ଯାଇଥିଲା। ସାମ୍ନା ଓ ବାରିପଟର ଯେତିକି ଅଂଶ ଟାଇଲ୍ କରା ନ ଯାଇ ମାଟି ଛଡ଼ା ଯାଇଥିଲା, ସେତିକିରେ ଲଗା ଯାଇଥିଲା ଜାତି ଜାତି ବିଭିନ୍ନ କିସମର ସେବତୀ, ଗୋଲାପ, ମଲ୍ଲୀ, ଟଗର ଆଦି ସୁବାସିତ ଫୁଲଗଛ। ତା ସାଙ୍ଗରେ ଆଉ କିଛି ଫୁଲଗଛ ଫୁଲକୁଣ୍ଡମାନଙ୍କରେ ବଢ଼ି ଗୃହର ଶୋଭାକୁ ଦ୍ଵିଗୁଣିତ କରୁଥିଲା। ସନ୍ଧ୍ୟା ହେଲେ ଅଫିସ୍.ରୁ ଫେରି ସେହି ବଗିଚା ପାର୍ଶ୍ୱରେ ଚୌକିଟିଏ ପକାଇ ବସୁଥିଲେ ରାଓବାବୁ। ଆଉ ଭୁଲି ଯାଉଥିଲେ ତାଙ୍କର ଦିନଯାକର କ୍ଳାନ୍ତି ଆଉ ଅବସାଦକୁ।

ଥରେ ମଧ୍ୟରାତ୍ରରେ ତାଙ୍କର ନିଦଟା ଚାଉଁକିନା ଭାଙ୍ଗିଗଲା। କିଚେନ୍ ଆଡ଼ୁ କିଛି ଟୁଣ୍ ଟାଣ୍ ଶବ୍ଦ ଶୁଣି ସେ ସେଇ ଆଡ଼କୁ ଅଗ୍ରସର ହେଲେ। କିଚେନ୍.ର ତାଜା ଉପରେ ଡିଆଁ ଡେଇଁ କରୁଛନ୍ତି ଦୁଇଟି ଛୋଟ ଛୋଟ ମୂଷା। ମୂଷାକୁ ନ ତଡ଼ି ରାଓବାବୁ ଆସି ବସିଲେ ଡାଇନିଂର ଗୋଟିଏ କୋଣରେ ପଡ଼ିଥିବା କାଉଚ୍ ଉପରେ। କିଛି ସମୟ ପାଇଁ ଭୀତତ୍ରସ୍ତ ହୋଇ ଲୁଚିବାକୁ ଜାଗା ଖୋଜୁଥିବା ମୂଷାଦ୍ଵୟ ପୁଣିଥରେ ନିର୍ଭୟରେ ତାଙ୍କ ଖେଳ ଆରମ୍ଭ କରି ଦେଇଥିଲେ। ଆଉ ମଝିରେ ମଝିରେ ଚୁଁ ଚୁଁ ଶବ୍ଦ କରି ରାଓବାବୁଙ୍କ ଆଡ଼କୁ ଚାହିଁ ପରସ୍ପର ମଧ୍ୟରେ ସତେକି କିଛି କଥା ହେଉଥିଲେ। ରାଓବାବୁ ଅପଲକ ମୂଷା ଦୁଇଟିର ଖେଳ ଦେଖି ଭାରି କୌତୁକ ଅନୁଭବ କରୁଥିଲେ ନିଜ ଭିତରେ। ତାଙ୍କ ମନରେ ମଧ୍ୟ ଇଚ୍ଛାଟିଏ ହେଉଥିଲା ନାଚି ଯାଆନ୍ତେ କି ନୂଆ ଘରଟିରେ ଏ ମୁଣ୍ଡରୁ ସେ ମୁଣ୍ଡ। ଯାହା ହେଲେ ବି ନିଜର ଅନେକ ଶ୍ରମ ଓ ଅର୍ଥ ଦେଇ ତିଆରି କରିଛନ୍ତି ଘରଟିଏ। ପୁରା ବର୍ଷଟିଏ ଦିନରାତି ନିଦ ହଜାଇ ଅନେକ ବାଧାବିଘ୍ନକୁ ଆଡ଼େଇ ଋଣବାଡ଼ି କରି ଗଢ଼ିଛନ୍ତି ତାଙ୍କର ସ୍ଵପ୍ନର ନୀଡ଼ଟିଏ। ଘରଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଯାଇ ସେ ଯେ କେତେ କଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଆଉ କେତେ କଷ୍ଟ ସ୍ଵୀକାର କରିଛନ୍ତି ତାର ଭୁକ୍ତଭୋଗୀ ସେ କେବଳ ନିଜେ। ଏସବୁ ଭିତରେ ବି ଘରର ଚାରିପଟେ ଥରେ ଆଖି ବୁଲାଇ ଦେଲେ ତାଙ୍କୁ ମିଳିଯାଏ ଅଫୁରନ୍ତ ଆନନ୍ଦ ଓ ଅପରିସୀମ ପ୍ରଶାନ୍ତି। ଏତେଦିନ ପରେ ଘରକାମରୁ ତାଙ୍କୁ ମିଳିଛି ଅବ୍ୟାହତି। ଆଉ ସେ ଇଟା, ସିମେଣ୍ଟ, ଗୋଡ଼ିର କର୍କଶ ଶବ୍ଦ ନାହିଁ କି ମିସ୍ତ୍ରୀ, ମୁଲିଆଙ୍କର କିଚି କିଚି ନାହିଁ। ରାଓବାବୁ ଏବେ ପୁରା ଆଶ୍ୱସ୍ତ।

ସେଦିନ ରାଓବାବୁ ଚୌକି ପକାଇ ବାହାରେ ବସିଛନ୍ତି ଦେଖିଲେ ବଗିଚାର ଗୋଟିଏ କୋଣରେ କିଛି ମାଟି ହାଲୁକା ହୋଇ ଠୁଳ ହୋଇଛି ଆଉ ସେ ସ୍ଥାନଟା ଉଚ୍ଚା ଦିଶୁଛି। ଚୌକିରୁ ଉଠି ନିକଟକୁ ଗଲେ। ଏ କଣ! ବଗିଚାର ସେ ସ୍ଥାନରେ ସାପ ପଶିଗଲା ପରି ବିରାଟ ଗର୍ତ୍ତଟିଏ। ଏ ଗର୍ତ୍ତ କେବେଠାରୁ ହେଇଛି ବୋଲି ସେ ପତ୍ନୀଙ୍କୁ ଡାକ ଛାଡ଼ିଲେ। ପତ୍ନୀ ଗର୍ତ୍ତଟିକୁ ଦେଖି ଦେଇ ଅତି ହାଲୁକା ଭାବରେ କହିଲେ, ଏଇଟା ହେଲାଣି... ଚାରି ପାଞ୍ଚଦିନରୁ। ମୂଷା ଖୋଳି ଦେଇଛି। ରାଓବାବୁଙ୍କ ମୁଣ୍ଡ ଗରମ ହୋଇଗଲା। ସେ ସଙ୍ଗେ ସଙ୍ଗେ ଉଠି ଆସିଥିବା ମାଟିକୁ ନିଜ ହାତରେ ଗର୍ତ୍ତ ଭିତରକୁ ଠେଲି ଦେଇ କିଛି ପଥର ସେ ଗର୍ତ୍ତ ଭିତରେ ଗୁଞ୍ଜିଦେଲେ। ତା ପରଦିନ ସେ ନିଶ୍ଚିତ ହେବା ପାଇଁ ବଗିଚାର ସେଇ ଜାଗାଟିକୁ ନିରୀକ୍ଷଣ କଲେ। ପୁଣି ସେଇ ଗର୍ତ୍ତ! ସେ ଗୁଞ୍ଜିଥିବା ଛୋଟ ଛୋଟ ଗୋଡ଼ି ଆଉ ପଥର ଇତଃସ୍ତତଃ ପଡ଼ିଛି। ସେ ପୁଣି ଥରେ ଗର୍ତ୍ତଟିକୁ ମାଟି ଠେଲି ବୁଜି ଦେଲେ ସିନା ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନଥିଲା। ରାତିରେ ମୂଷାମାନେ କିଚେନ୍.ରେ ଡିଆଁ ଡେଇଁ କରି ଅଦ୍ଭୁତ କୋଳାହଳ ସୃଷ୍ଟି କରୁଥିଲେ। ଅଫିସ୍.ରେ ଏମିତି କଥାଛଳରେ ସେ ମୂଷାର କାରନାମା କହନ୍ତେ, ତାଙ୍କର ସହକର୍ମୀ କହିଲେ, ଗର୍ତ୍ତରେ ବାଲି ଭରି ଦିଅନ୍ତୁ ମୂଷା ଆସିବ ନାହିଁ। ସେକଥା ବି କରି ଦେଖିଲେ ରାଓବାବୁ। ସେ ନିର୍ଦ୍ଦିଷ୍ଟ ଜାଗାର ମାଟି ସିନା ଯେମିତି ସେମିତି ରହିଲା। ହେଲେ ବଗିଚାର ଅନ୍ୟାନ୍ୟ କୋଣଗୁଡ଼ିକୁ ଲକ୍ଷ୍ୟ କରି ଚମକି ପଡ଼ିଲେ ରାଓବାବୁ। ପୁଣି ସେଇଭଳି ଗର୍ତ୍ତଟିଏ ଠିକ୍ ଗୋଲାପ ଗଛର ମୂଳରେ। ଏମିତି ମୂଷା ଖୋଳିଲେ ତ ବଗିଚାର ଅସ୍ତିତ୍ୱ ରହିବ ନାହିଁ। ଗଛସବୁ ମୂଳରୁ ଓପାଡ଼ି ଯିବ। କଣ କରିବେ କରିବେ ହୋଇ ସବୁ ଗର୍ତ୍ତରେ ବାଲି ଭରି ମୁଦିଲେ। ହେଲେ ମନେ ମନେ ଭାବୁଥାନ୍ତି ଯେଉଁ ବଗିଚା ଉଦ୍ଦେଶ୍ୟରେ ସେ ସେତକ ଜାଗା ଟାଇଲ୍ ନ କରି ଛାଡ଼ିଛନ୍ତି ଏମିତି ବାଲି ଭରୁ ଭରୁ ସବୁତକ ଜାଗା ବାଲୁକାମୟ ହୋଇଯିବ। ଆଉ ବାଲିରେ କଣ ଖାସ୍ ଗଛ ବଢ଼ିବେ। ତାଛଡ଼ା ଆଉ ଏକ ଭୟ ବି ରାଓବାବୁଙ୍କ ମନକୁ ଆନ୍ଦୋଳିତ କରୁଥିଲା। ତାହାହେଲା, ଏ ଗର୍ତ୍ତ ସବୁ ନିଶ୍ଚୟ ଘରଠାରୁ ବାହାରକୁ ଲମ୍ବିଛି। ବାହାରୁ ମୂଷା ଏଇ ଗର୍ତ୍ତ ଦେଇ ଯେତିକି ସହଜରେ ଘର ଭିତରେ ପ୍ରବେଶ କରୁଛି, ତାରି ଗନ୍ଧରେ ଖାଦ୍ୟ ଅନ୍ଵେଷଣରେ ତାକୁ ଅନୁଧାବନ କରି ସାପ ଯେ ଘର ଭିତରେ ପ୍ରବେଶ ନ କରିବ କିଏ କହିବ।

ଏଣେ ରାତିରେ ମୂଷାମାନଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାକୁ ଲାଗିଲା। ରାଓବାବୁଙ୍କର ତ ପତଳା ନିଦ। ଟିକିଏ ଖୁଡ୍ ଖାଡ୍ ହେଲେ ସେ ଶୋଇପାରନ୍ତି ନାହିଁ। ଆଖି ବୁଜି ଥିବେ କି ନାହିଁ କିଛି ନା କିଛି ଶବ୍ଦ। କେତେବେଳେ ବେଲାଟିଏ ଢଣ୍ ଢାଣ୍ ଶବ୍ଦ କରି ତଳେ ପଡ଼ିବ ତ କେତେବେଳେ ରୋଷେଇ ସାମଗ୍ରୀ ଥିବା ପ୍ଳାଷ୍ଟିକ୍ ଡବାମାନଙ୍କର କୁଟ୍ କୁଟ୍ କାଟିବା ଶବ୍ଦ। ଘରଟିଏ କରିଛନ୍ତି ଶାନ୍ତିରେ ଟିକିଏ ଶୋଇବେ, ସେତକ ହୋଇ ପାରୁନଥିଲା ରାଓବାବୁଙ୍କ କ୍ଷେତ୍ରରେ। ରାତିତମାମ ଶୋଇ ନ ପାରି ରାଓବାବୁ ଦିନରେ ସମସ୍ତଙ୍କ ଉପରକୁ ଚିଡ୍ ଚିଡ୍ ହେଲେ। ଟିକିଏ ଟିକିଏ କଥାରେ ମୁଣ୍ଡ ତାଙ୍କର ଗରମ ହେଲା। ଅଫିସ୍ କାମରେ ମନ ଲାଗିଲା ନାହିଁ। ଚୌକିରେ ବସି ବସି ଅଧିକାଂଶ ସମୟ ଢୁଳେଇ ରହିଲେ। ଅଫିସ୍ କାମ ସବୁ ବ୍ୟାହତ ହେଲା। ସବୁଦିନ ସମାନ ଯାଏନି। ଦିନେ ଚୌକି ଉପରେ ବସି ଟେବୁଲ୍.ରେ ମୁଣ୍ଡ ଭରା ଦେଇ ଢ଼ୁଳେଇ ପଡ଼ିଛନ୍ତି, କିଏ ଜଣେ ତାଙ୍କୁ ଖୁବ୍ ଜୋର୍.ରେ ହଲାଇଦେଲା। ସାମ୍ନାରେ ସାହେବଙ୍କୁ ଦେଖି ଧଡ଼ପଡ଼ ହୋଇ ଚୌକିରୁ ଉଠି ଠିଆ ହେଲେ ରାଓବାବୁ। ସାହେବ ଧିର ସ୍ଵରରେ ଉପଦେଶରୁ ପ୍ରଥମେ କଥା ଆରମ୍ଭ କଲେ। ତାପରେ ସ୍ଵର ତାଙ୍କର କ୍ରମଶଃ ଉଚ୍ଚକୁ ଉଠି ଗାଳିର ପ୍ରବଳ ବର୍ଷା ରାଓବାବୁଙ୍କୁ ଝାଳରେ ଓଦା କରି ପକାଇଲା। ସବୁ ରାଗତକ ଘୁରି ଫେରି ମୂଷା ଉପରେ ଯାଇ ପହଞ୍ଚିଲା। ଅଫିସ୍ ସାରି ରାଓବାବୁ ବଜାର ବୁଲି ଖୋଜି ଖୋଜି ମୂଷା ଔଷଧ କିଣିନେଇ ରାଗ ତମତମ ହୋଇ ଘରେ ପହଞ୍ଚିଲେ। ମାଛିକୁ ମ ନ କହିବା ଲୋକ ସେଦିନ ବଡ଼ ପାଟି କରି ପତ୍ନୀଙ୍କୁ କହିଲେ, ସବୁ ମୂଷାକୁ ଔଷଧ ଦେଇ ମାରିଦିଅ। ଶଳେ, ଘରଟାକୁ ବିନା ପଇସାରେ ନିଜର କରି ପକେଇଲେଣି। ପତ୍ନୀଙ୍କ ପାଟିରୁ ବାହାରୁଥିଲା, ଆହା... ଗଣେଶ ବାହନ ପାପ ହେବ... ହେଲେ ରାଓବାବୁଙ୍କ ପାଟି ଆଗରେ ତାଙ୍କ ସ୍ଵର କୁଆଡ଼େ ଶୂନ୍ୟରେ ମିଳେଇଗଲା।

ଦୁଇଦିନ ପରେ ଘରଟି ଗନ୍ଧିବାରୁ ରାଓବାବୁ ଓ ତାଙ୍କ ପତ୍ନୀ ସବୁ ଆଡ଼େ ଖୋଜା ଖୋଜି କରି ମଲା ମୂଷା କେତୋଟି ଭଣ୍ଡାର ଘରେ, ଗୋଟିଏ ରୋଷେଇ ଘର ତାଜା ଉପରେ, ଆଉ ଗୋଟିଏ ସୋଫା ତଳୁ ଆବିଷ୍କାର କଲେ। ଏବେ ରାତିରେ ବିନା ବାଧାରେ ଶୋଇଲେ ରାଓବାବୁ। ତାଙ୍କ ଜୀବନ ପୁଣି ଥରେ ସହଜ, ସାବଲୀଳ ହେବାକୁ ଲାଗିଲା। ଟେବୁଲ୍ ଉପରେ ଆଉ ଅଫିସ୍ କାମ ବାକି ରହିଲା ନାହିଁ। ପତ୍ନୀଙ୍କ ଉପରେ ଆଗ ପରି ଗରଗର ହେଉନଥିଲେ ରାଓବାବୁ। ହେଲେ କେତେ ଦିନ? ସପ୍ତାହେ ଅନ୍ତେ ପୁଣି ଥରେ ରାତିରେ ଆରମ୍ଭ ହୋଇଗଲା ସେଇ କୋଳାହଳ, ଢଣ୍ ଢାଣ୍ ଶବ୍ଦ, କୁଟ୍ କୁଟ୍ ଶବ୍ଦ। ଅଧା ନିଦରୁ ଉଠି ରାଓବାବୁ ପାଗଳ ପ୍ରାୟ ନିଜ ଚୁଟିକୁ ଦୁଇ ହାତରେ ଟାଣି ପକାଇଲେ। ମୂଷାକୁ ପ୍ରହାର କରିବା ପାଇଁ କିଛି ଗୋଟେ ଅସ୍ତ୍ର ଖୋଜୁ ଖୋଜୁ ପଲଙ୍କ ତଳୁ ପୁଅର କ୍ରିକେଟ୍ ବ୍ୟାଟ୍ ପାଇ ତାକୁ ଧରି ଦୌଡ଼ିଗଲେ କିଚେନ୍.କୁ। ରାଓବାବୁଙ୍କ ମୁହଁ ଅନିଦ୍ରାଜନିତ କ୍ଳାନ୍ତି, କ୍ରୋଧ ଓ ବିରକ୍ତିରେ ଉଗ୍ର ଦିଶୁଥିଲା। ସତେ ଯେମିତି ପଣ କରିଛନ୍ତି ଆଜି ପୁରା ମୂଷା ବଂଶକୁ ନିପାତ ନ କରି ଶୋଇବେ ନାହିଁ। ରାତିତମାମ ମୂଷାମାନେ ଭୟରେ କିଚେନ୍ କମ୍ ଡାଇନିଂ ହଲ୍.ର ଏ କଡ଼ରୁ ସେ କଡ଼ ଡିଆଁ ଡେଇଁ କରି ଏଠି ସେଠି ଲୁଚିବାକୁ ଚେଷ୍ଟା କରୁଥାଆନ୍ତି ଆଉ ରାଓବାବୁ ନିଜର କ୍ରୋଧ ସମ୍ଭାଳି ନ ପାରି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରହାର ପରେ ପ୍ରହାର କରି ଚାଲିଥାଆନ୍ତି।

ସକାଳକୁ ଦେଖାଗଲା, ନୂଆ ଚିମ୍.ନି, ଆକ୍ଵାଗାର୍ଡ୍, ବେସିନ୍ ଉପର ଆଇନା, ଆଦି ଫାଟି କାଚ ଆଉ ପ୍ଳାଷ୍ଟିକ୍.ର ଖଣ୍ଡ ଚଟାଣରେ ବିଛାଡ଼ି ହୋଇ ପଡ଼ିଛି। ଡାଇନିଂ ଟେବୁଲ୍.ର କୋଣରେ ଥିବା ଷ୍ଟୁଲ୍.ରୁ ଫୁଲଦାନୀଟା ଭାଙ୍ଗି ଯାଇ ତଳେ ଗଡ଼ୁଛି। ଥାକରୁ ଡବା କେତୋଟି ତଳେ ପଡ଼ି ସେଥିରୁ ରୋଷେଇ ସାମଗ୍ରୀ ଚଟାଣ ଉପରେ ବିଞ୍ଚି ହୋଇଯାଇଛି। ଗ୍ୟାସ୍ ଚୁଲିର କେତେକ ଅଂଶ ଚେପା ହୋଇ ତାର ଆକାର ଆକୃତି ହରାଇଛି। ହୋସ୍.ରେ ଆସିଲା ପରେ ସେସବୁ ଦୃଶ୍ୟ ଦେଖି ରାଓବାବୁ ଘଡ଼ିଏ ସ୍ତବ୍ଧ ହୋଇଗଲେ। ମୁଣ୍ଡରେ ହାତ ଦେଇ ବସିଲେ କାଉଚ୍ ଉପରେ ଆଉ ମନେ ମନେ ହିସାବ କରୁଥିଲେ ଆଉ କେତେ ଟଙ୍କା ତାଙ୍କୁ ଋଣ କରିବାକୁ ହେବ ଏସବୁ ଚିଜକୁ ପୁଣି ଥରେ ଯଥା ସ୍ଥାନରେ ଲଗାଇବା ପାଇଁ।


(ଯେତେ ସଚେତନତାର ସହ କାର୍ଯ୍ୟ କଲେ ମଧ୍ୟ ଭାଗ୍ୟ ବେଳେ ବେଳେ ବିପରୀତ ଫଳ ଦେଇଥାଏ, ତେଣୁ ସବୁ ପରିସ୍ଥିତିରେ ଧୈର୍ଯ୍ୟ ହିଁ ଏକମାତ୍ର ସମାଧାନ)


ଟି.ଦୁର୍ଗା ପ୍ରସାଦ ରାଓ

ଘର ଗୃହପ୍ରତିଷ୍ଠା ଋଣବାଡ଼ି

Rate the content


Originality
Flow
Language
Cover design

Comments

Post

Some text some message..