Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajabala Tripathy

Others

3  

Rajabala Tripathy

Others

ଚେନାଏ ସୁର୍ଯ୍ୟ କିରଣ

ଚେନାଏ ସୁର୍ଯ୍ୟ କିରଣ

11 mins
525


"ଆଲୋ ଏ କାଳୀ, ଟିକେ ଏଇଠିକୁ ଆସିଲୁ" ଜେଜେମା ପାଟି କରି ଡାକିଲା

"ମୋ ନାଁ କାଳୀ ନୁହେଁ। ତୁ ମୋତେ କାଳୀ କାଳୀ ବୋଲି କାହିଁକି ଡାକୁଚୁ"ରାଗରେ ପାଦ କଚାଡି କଚାଡି ଆସି କହିଲା ଶ୍ରାବଣୀ ।

" ଆଲୋ ରାଗୁଚୁ କାହଁକି? ତୋ ରଙ୍ଗଟା ପରା ମା କାଳୀଙ୍କ ପରି। ମୋ ଗୋରା ତକ ତକ ପୁଅ ପାଖରୁ ତୋ ପରି କାଳୀ ଆସିଲା କେମିତି କେଜାଣି। ତୋ ମାଆର ତ ସଫା ରଙ୍ଗ। ତୋର ବାହାଘର ପାଇଁ ବିଶୁକୁ କଣ କମ ନାକ କାନ ଘଷିବାକୁ ପଡ଼ିବକି" ଓଠ ଲଂବେଇ ଲଂବେଇ କହିଚାଲିଥିଲା ଜେଜେମା ।

"ତୋ ବର ଠୁଁ ଆସିଲା ମୋ ରଙ୍ଗ। କାହିଁକି କଳା ମଣିଷଟେକୁ ବାହା ହେଉଥିଲୁ କି। ସବୁ ବେଳେ ଖାଲି କାଳୀ କାଳୀ କାଳୀ। ମୋ ନାଁ ଶ୍ରାବଣୀ" ରାଗରେ ପାଦ ପିଟି ପିଟି ପଳେଇଆସିଲା ସେ।

"ହଁ ସେଇ ସିରାବଣୀ, ଭଦୁଇ । ଆଲୋ ଯାଉଛୁ କୁଆଡେ ଶୁଣିଯା। ଆଲୋ ମୋ ବରର ରଙ୍ଗ କଣ ତୋ ଭଳି ଥିଲା କି। କି ମଣିଷ ଥିଲେ ସେ ...କି ରୂପ, କି ରଙ୍ଗ..." ସକାଳୁ ସକାଳୁ ଜେଜେମାର ସ୍ୱାମୀ ଉପାଖ୍ୟାନ ଆରମ୍ଭ ହେଇଗଲା।

ରାଗରେ ମୁହଁ ଫଣ ଫଣ କରି ପଢା ରୁମକୁ ପଶିଗଲା ଶ୍ରାବଣୀ। ରବିବାରଟାରେ ବି ଶାନ୍ତି ନାହିଁ। କାଳି କାଳି । ଯାହାକୁ ଦେଖ ତା ରଙ୍ଗ ଉପରେ ଟୀକା ଟିପ୍ପଣୀ। ବାପା ମାଆ ତ ଗୋରା ଭାଇ ଭଉଣୀ ତ ଗୋରା ତୁ କେମିତି ଏତେ କଳା ହେଲୁ। ଆରେ ମୁଁ କଣ କରିବି ମୋ ହାତରେ ଥିଲେ ମୁଁ କଣ ମୋ ରଙ୍ଗ କଳା କରିଥାନ୍ତି କି। ସ୍କୁଲରେ ବି ତା କଳା ରଙ୍ଗ ପାଇଁ କେତେ ଅସୁବିଧାର ସାମ୍ନା କରେ ସେ। ପାଠ ଶାଠ, ଖେଳ କୁଦ ସବୁଥିରେ ଆଗୁଆ ଶ୍ରାବଣୀକୁ ବାର୍ଷିକ ଉତ୍ସବର ଡ୍ରାମାରେ କିଛି ଭଲ ରୋଲ ମିଳେନା କେବଳ ତାର ରଙ୍ଗ ପାଇଁ।

ତା ଭାଇ ଭଉଣୀଙ୍କ ପାଇଁ ଭଳି ଭଳି ନାଲି ହଳଦୀ ରଙ୍ଗର ଡ୍ରେସ ଅଣା ଗଲା ବେଳେ ତା ପାଇଁ ସବୁବେଳେ ସେଇ ଏକା ରଙ୍ଗ ନୀଳ କି ସବୁଜ । ଯେମିତି ଆଉ କିଛି ରଙ୍ଗ ଉପରେ ତାର ଅଧିକାର ନାହିଁ।

"ମମି, ମୋ ପାଇଁ ସେଇ ଏକା ଏକା ରଙ୍ଗ କାହିଁକି । ମୋ ପାଇଁ ବି ନିମିଦିଦି କି ଚୁନି ପରି ନାଲି ରଙ୍ଗର ଫ୍ରିକ ଆଣି ଦେଉନ। ମୋତେ ନାଲି ରଙ୍ଗର ଫ୍ରକ ଭାରି ପସନ୍ଦ"

"ତୋ ଦେହକୁ ସେ ରଙ୍ଗ ଭଲ ମାନିବନି ସିନି। ଆଉ ଟିକେ ସଫା ରଙ୍ଗର ହେଇଥିଲେ ତୋତେ ସବୁ ରଙ୍ଗ ଭଲ ଲାଗିଥାନ୍ତା।" ମୁହଁ ଶୁଖେଇ ମାଆ କୁହନ୍ତି।

"ତୁମେ ନିମିଦିଦିକୁ ଚୁନି, ସୋନୁକୁ ଗୋରା କଲ । ମୋତେ କାହିଁକି କଳା କଲ କୁହ । ମୁଁ କଣ ତୁମ ଝିଅ ନୁହେଁ କି।"

"ତୁ ଯେଉଁ ଦିନ ଜନ୍ମ ହେଲୁ ସେଦିନ ଆକାଶ ସାରା କଳା ହାଣ୍ଡିଆ ମେଘ । ଦିନକୁ ରାତି ପରି ଅନ୍ଧାର କରି ଦିନସାରା ଧୁମ ବର୍ଷା ବର୍ଷି ଥିଲା। ସେ ଅନ୍ଧାରୁଆ ଦିନରୁ କି କଳା ହାଣ୍ଡିଆ ମେଘରୁ ବୋଧେ କିଛି ରଙ୍ଗ ତୋ ଦେହରେ ଲାଗି ଯାଇଛି।"ହସି ହସି ମାଆ କୁହନ୍ତି।

ତଥାପି ବି ବୁଝେନି ଶ୍ରାବଣୀର ମନ। ନିମିଦିଦି କଥା ମନେ ପଡେ।

"ବୁଝିଲୁ ...ମମି ତତେ ମନ୍ଦିରରୁ ଉଠେଇ ନେଇ ଆସିଛି। ତୁ ମମିର ଝିଅ ନୁହେଁ। ଦେଖୁନୁ ପାପା ଆଉ ମମି କେତେ ଗୋରା ମୁଁ ଚୁନି ଆଉ ସୋନୁ ବି। ହେଲେ ତୁ କଣ ଆମ ପରିକା କି। ତୁ ଆମ ଘର ଲୋକ ନୁହେଁ।"ପ୍ରାୟ ସମୟ ଏଇ ଗୋଟିଏ କଥା ନିମିଦିଦି କୁହେ। ନିମିଦିଦିର ଏ କଥା ଶୁଣି ପାଟିରୁ ପଦଟିଏ ବି ବାହାରେନି ଶ୍ରାବଣୀର । ସତରେ କଣ ତାକୁ ମନ୍ଦିରରୁ ସାଉଁଟି ଆଣିଛନ୍ତି । ମମି ପାପା କଣ ତାର ନୁହଁନ୍ତି। ଆଖି ଛଳ ଛଳ ହୋଇଆସେ ତାର ।

ଯଦି ଦିନର ଅନ୍ଧାରୁଆ କଳା ରଙ୍ଗ ତା ଦେହରେ ଲାଗିଗଲା ତା ବଦଳରେ ସକାଳର କଅଁଳ ଖରାର ରଙ୍ଗ ତା ଦେହରେ ଲାଗିଲାନି କାହିଁକି। ବେଳେ ବେଳେ ଖରାରେ ଅନେକ ସମୟ ଧରି ଛିଡା ହେଇ ରହେ ସେ। କାଳେ ମମି କହିଲା ଭଳି ସୁର୍ଯ୍ୟ କିରଣରୁ କିଛି ରଙ୍ଗ ତା ଦେହରେ ଲାଗି ଯିବ ପରା । ଗୋରା ହେଇଯିବ ସେ। କାଳେ ଚେନାଏ ସୁର୍ଯ୍ୟ କିରଣ ଦେହରେ ବୋଳି ହୋଇ ନିମିଦିଦି ଆଉ ଚୁନି ପରି ତୋଫା ଗୋରା ହେଇଯିବ ତା ଦେହ।

"ଆଲୋ, ଖରାଟାରେ କାହିଁକି ଠିଆ ହେଇଚୁ ଆହୁରି କଳା ହେବାକୁ ଇଚ୍ଛା ନା କଣ" ତା ମନକୁ ଭାଙ୍ଗି ଜେଜେମା ପାଟି କରି ଉଠେ।

******

ଦିନେ ସ୍କୁଲରେ ଏମିତି ଏକ ଘଟଣା ଘଟିଗଲା ଯାହା ଶ୍ରାବଣୀର କୁନି ମନରେ ଖୁବ ଆଘାତ ଦେଲା। ସେଦିନ ଭାରି ସୁନ୍ଦର ଦୁଧ ରଙ୍ଗର ଫ୍ରକଟିଏ ପିନ୍ଧି ସ୍କୁଲ ଆସିଥିଲା ତା ସେକ୍ସନର ରାନୀ। ତାର ଜନ୍ମଦିନ ତେଣୁ ବିନା ୟୁନିଫର୍ମରେ ଆସିବାକୁ ପରମିଶନ ଦେଇଥିଲେ ପ୍ରିନସିପାଲ ମ୍ୟାଡାମ । କ୍ଲାସ ସାରା ତା ଫ୍ରକର ଚର୍ଚ୍ଚା । ସବୁ ଝିଅମାନେ ରାନୀର ପାଖକୁ ଯାଇ ଫ୍ରକଟିକୁ ହାତରେ ଛୁଇଁ ଖୁସି ହେଉଥିଲେ। ଶ୍ରାବଣୀ ବି ଭାରି ଖୁସି ହୋଇ ରାନୀ ପାଖକୁ ଯାଇ ହାପି ବାର୍ଥ ଡେ ରାନୀ, ତୋ ଫ୍ରକ ଭାରି ସୁନ୍ଦର ହେଇଛି କହି ଫ୍ରକଟିକୁ ଛୁଇଁବା ପାଇଁ ହାତ ବଢ଼େଇଲା, ଥାଙ୍କସ କହି ଦୂରକୁ ଘୁଞ୍ଚିଗଲା ରାନୀ। ସତେ ଯେପରି ଶ୍ରାବଣୀର ହାତର ସ୍ପର୍ଶରେ ତା ହାତରୁ କଳା ରଙ୍ଗ ଛାଡି ଲାଗିଯିବ ତା ଧଳା ଫର ଫର ଫ୍ରକଟିରେ, ତା ଫେସିଆଲ ଏକ୍ସପ୍ରେସନ ସେପରି ଥିଲା। ସବୁ ଝିଅଙ୍କ ଆଗରେ ରାନୀର ଏପରି ବ୍ୟବହାର ତାକୁ ଭାରି ଅପମାନିତ ଲାଗିଥିଲା। ଲୁହ ଡବ ଡବ ଆଖିରେ ଚୁପ ଚାପ ନିଜ ସିଟରେ ଯାଇ ବସିଥିଲା ଶ୍ରାବଣୀ। ସେଦିନ ଘରକୁ ଆସିଲା ପରେ ମମିକୁ ଜାବୁଡି ଧରି ବହୁତ କାନ୍ଦିଥିଲା ସେ।

" ମୋ ସୁନାଟା ପରା, ଜମା କାନ୍ଦନା। ଯଦି କଳା ରଙ୍ଗ ଏତେ ଖରାପ ହେଇଥାନ୍ତା ତେବେ ଜଗନ୍ନାଥ କଳା ହେଲେ କାହିଁକି, କୃଷ୍ଣ ବି। ସେମାନେ ପା ଭଗବାନ ସେମାନେ ଚାହିଁ ଥିଲେ ତ ଗୋରା ହେଇ ପାରିଥାନ୍ତେ । ପୁଣି ଆମେ କାହିଁକି ବାଳର ରଙ୍ଗ କଳାରୁ ଧଳା ହେଇଗଲେ ଦୁଃଖ କରୁ। ରଙ୍ଗ ଲଗେଇ ବାଳ କଳା କରୁ। ସବୁ ରଙ୍ଗ ସୁନ୍ଦର। ସବୁ ରଙ୍ଗ ମିଶି କଳା ରଙ୍ଗ ହୁଏ ବୋଲି ତୁ ବିଜ୍ଞାନରେ ପଢିଛୁ ପରା । ଆଉ କାନ୍ଦନା ମୋ ଗେଲ୍ଲୀ ଝିଅ।" ଲୁହ ପୋଛି ଦେଇ ଶ୍ରାବଣୀକୁ ବୁଝେଇବାକୁ ଚେଷ୍ଟା କରିଥିଲେ ମାଆ ।

ଜେଜେମାର କାଳି ଡାକ, ନାତୁଣୀକୁ କେମିତି ବର ମିଳିବ ଚିନ୍ତା, ସାହି ପଡ଼ିଶାଙ୍କର ହଳଦୀ ବେଶନ,ଫେୟାରନେସ କ୍ରିମ ଲଗେଇ ଗୋରା ହେବାର କେତେ କେତେ ଉପଦେଶ ଭିତରେ କେତେବେଳେ ସ୍କୁଲ ପଢା ସରି ଯାଇ କଲେଜ ପଢ଼ା ଆରମ୍ଭ ହୋଇଯାଇଥିଲା ଶ୍ରାବଣୀର।

****

ତା କ୍ଲାସର ଝିଅମାନେ ରଙ୍ଗୀନ ପ୍ରଜାପତି ପରି କଲେଜ ଯାକ ଘୁରି ବୁଲୁଥିଲା ବେଳେ ଶ୍ରାବଣୀ ପଢା ବହି ଭିତରେ ନିଜକୁ ବନ୍ଧୀ କରିଦେଇଥିଲା। ଯୌବନର ସ୍ପର୍ଶରେ ସୁଗଠିତ ହୋଇ ଯାଇଥିଲା ତାର ଅବୟବ। ଉଜ୍ଜ୍ଵଳ ହୋଇଉଠିଥିଲା ତା ଶରୀରର ରଙ୍ଗ, ତଥାପି ମଧ୍ୟ କଟି ନଥିଲା କାଳି ତାଲିକାରୁ ତା ନାଁ। ସାଙ୍ଗମାନଙ୍କ ଠାରୁ ସେମାନଙ୍କର ନୂଆ ନୂଆ ପ୍ରେମର କାହାଣୀ ସବୁ ଶୁଣି ଶୁଣି ବିରକ୍ତ ହୋଇ ଉଠୁଥିଲା ସେ। ଧୀରେ ଧୀରେ ଏ ସବୁ ଶୁଣିବାକୁ ଆଉ ଆଗ୍ରହ କରୁନଥିଲା "ହୁଁ.. ତାକୁ କିଏ ବା ପସନ୍ଦ କରିବ ଯେ ତାର ବି ପ୍ରେମ କାହାଣୀ ହେବ।" ତା ଅନାଗ୍ରହ ପ୍ରତିକ୍ରିୟା ପାଇଁ ଏ ଭଳି କମେଣ୍ଟ କିଛି ମଧ୍ୟ ପାଇଥିଲା। ହେଲେ ଆଜି କାଲି ବେଶ ଦେହ ସୁଆ ହେଇଯାଇଥିଲା ସେ ଭଳି ଆକ୍ଷେପ।

ପ୍ଲୁସ ଥ୍ରୀ ଶେଷ ବର୍ଷ ବେଳକୁ କେମେଷ୍ଟ୍ରି ଅନର୍ସରେ ପିଜି ସାରି ଘରେ ରହିଥିବା ନିମି ଦିଦିର ବାହାଘର ହେଇଯାଇଥିଲା। ଗୋରୀ ସୁନ୍ଦରୀ ନିମି ଦିଦି ପାଇଁ ବରର ଅଭାବ ହୋଇନଥିଲା। ଚୁନିର ବିଟେକରେ ନାଁ ଲେଖେଇ ଦିଆଯାଇଥିଲା। ସାନ ଭାଇ ସୋନୁର ପ୍ଲସ ଟୁ ଶେଷ ବର୍ଷ। କାଳି କାଳି ଡାକ ଆଉ ଶୁଣିବାକୁ ମିଳୁନଥିଲା, ଜେଜେମା କିଛି ଦିନ ଆଗରୁ ସେମାନଙ୍କୁ ଛାଡି ଚାଲି ଯାଇଥିଲେ।

ସବୁ କିଛି ବେଶ ସୁରୁଖୁରୁରେ ଚାଲିଥିଲା। କିନ୍ତୁ ବାପାମାଆଙ୍କୁ ଘାରି ଥିଲା ଶ୍ରାବଣୀର ବାହାଘର ଚିନ୍ତା। ଭଲ ପ୍ରସ୍ତାବ ସବୁ ତା ଫୋଟ ଦେଖି ବା ଦେଖିବାକୁ ଆସିଲା ପରେ " ଝିଅର ରଙ୍ଗ ଟିକେ ମଳିନ ଅଛି " କହି ଭାଙ୍ଗି ଯାଉଥିଲା। ଗୋରାମାନଙ୍କୁ ତ ଛାଡ଼ କଳା ରଙ୍ଗ ପୁଅମାନଙ୍କୁ ମଧ୍ୟ ଗୋରୀ ଝିଅ ଦର୍କାର ପଡୁଥିଲା । କେତେ ଜଣ ତାର ରଙ୍ଗ ବାବଦକୁ ମୋଟା ଅଙ୍କର ଯୌତୁକ ମାଗୁଥିଲେ ଯାହା ତାର ମଧ୍ୟବିତ୍ତ ପରିବାର ପାଇଁ ସମ୍ଭବ ନଥିଲା।

ପ୍ରତିଥର ବାହାଘର ପ୍ରସ୍ତାବ ଭାଙ୍ଗି ଯିବା ପରେ ପରେ ପାପା ମମିଙ୍କ ଉଦାସ ଚେହେରା ଦେଖି ଭାରି ଦୋଷୀ ଦୋଷୀ ଲାଗୁଥିଲା ଶ୍ରାବଣୀକୁ। ଦୁଃଖ ସହ ଭାରି ହସ ବି ଲାଗୁଥିଲା ଭାରତୀୟ ସମାଜର ଗୋରା ରଙ୍ଗ ପ୍ରତି ଏ ଭଳି ଦୁର୍ବଳତା ଦେଖି। କଳା ଗୋରା ଭେଦଭାବ ପାଇଁ ସଦାବେଳେ ବିଦେଶୀ ମାନଙ୍କୁ ଆଙ୍ଗୁଠି ଦେଖେଉଥିବା ଭାରତୀୟମାନେ କଣ କଳା ଗୋରା ଭେଦ ଭାବରୁ ମୁକ୍ତ କି? ଜମା ନୁହେଁ। କାହିଁକି କଳା ରଙ୍ଗର ଝିଅଟିକୁ ସହିବାକୁ ପଡେ କେତେ କଣ ମାନସିକ ଯନ୍ତ୍ରଣା। କାହିଁକି ବିବାହ ତା ପାଇଁ ସ୍ବପ୍ନ ହୋଇପଡେ। କାହିଁକି ସବୁ ଗୀତ କବିତାରେ ଗୋରୀମାନଙ୍କ ରାଜୁତି । କାହିଁକି ଟିଭି ସିନେମାରେ କଳା ଝିଅମାନଙ୍କର ସ୍ଥାନ ନାହିଁ। ଛି ଛି କି ଭଳି ଦୁମୁଣ୍ଡିଆ ଲୋକସବୁ ।

ବେଶୀ ପଢିଲା ପରେ ଜୁଲୋଜି ଅନର୍ସର ଛାତ୍ରୀ ଶ୍ରାବଣୀ ଭଲ ଭାବରେ ବୁଝିପାରିଥିଲା କିଛି ଲୋକ କଳା ଆଉ କିଛି ଧଳା କିପରି। ଚର୍ମର କୋଷରେ ଏକ ବର୍ଣ୍ଣ କଣିକାର ପରିମାଣରେ କମ୍ ବେଶିରୁ ଧଳା ଆଉ କଳା ରଙ୍ଗ ହୁଏ। ପୁଣି ସେ କଣିକାର କାମ ସୂର୍ଯ୍ୟ କିରଣରୁ ଶରୀରକୁ ରକ୍ଷା କରିବା। ତେଣୁ ଗରମ ଜଳବାୟୁ ଦେଶର ଲୋକେ କଳା ଓ ଥଣ୍ଡା ଜଳବାୟୁର ଲୋକେ ଗୋରା।

ଆହୁରି ମଧ୍ୟ ବୁଝିପାରିଥିଲି ଏହି କଳା ଗୋରା ରଙ୍ଗ ଅନୁବଂଶୀକ, ତେଣୁ ବାପମାଆ ଗୋରା ହେଇଥିଲେ ମଧ୍ୟ ଜେଜେବାପାଙ୍କ କଳା ରଙ୍ଗ ପାଇଁ ତା ରଙ୍ଗ କଳା। ଯେତେ ଯେତେ ବୁଝିଲା ସେତେ ସେତେ ତା ମନରୁ ତା ରଙ୍ଗ ପାଇଁ ଥିବା ଦୁଃଖ ପାଣି ପରି ବୋହିଗଲା। ବେଶ ସହଜ ହେଇଗଲା ସେ ତା ଶରୀରକୁ ନେଇ। ଆଉ କାହାର ଟୀକା ଟପ୍ପଣୀ ତାକୁ କଷ୍ଟ ଦେଉନଥିଲା ।

କିନ୍ତୁ ଖୁବ ଆଶ୍ଚର୍ଯ୍ୟ ବି ହେଉଥିଲା କଳା ଗୋରାରଂଗକୁ ନେଇ ହୈ ଚଇ କରୁଥିବା ତଥା କଥିତ ଉଚ୍ଚ ଶିକ୍ଷିତ ଡିଗ୍ରିଧାରୀମାନଙ୍କୁ ଦେଖି। ଆହାଃ ବିଚରାମାନଙ୍କର ପାଠ ସବୁ କେବଳ ଡ଼ିଗ୍ରୀରେ ରହିଗଲା ଯାହା, ମୁଣ୍ଡକୁ ଆସିପାରିଲାନି। ଏବେ ବି ଶରୀରର ବର୍ଣ୍ଣ ବା ଗଠନକୁ ନେଇ ମଣିଷର ଗୁଣ ଓ ବ୍ୟକ୍ତିତ୍ୱ ସହ ଯୋଡିବା ବା ରୁପର ଓଜନ ବ୍ୟକ୍ତିତ୍ୱଠାରୁ ବେଶି ଗ୍ରହଣ କରିବାର ମାନସିକତା ଯାଇନି। ଆହା.. ଦୁଃଖରେ ଚୁ ଚୁ କରେ ଶ୍ରାବଣୀ ସେହି ମେଣ୍ଢାମୁଣ୍ଡିଆମାନଙ୍କ ପାଇଁ। ନିଜେ ଧୀରେ ଧୀରେ ହାଲୁକା ହେଇଯାଏ ହେଲେ ମନଦୁଃଖ ହେଇ ପାପାମମିଙ୍କ ଚିନ୍ତା ଗ୍ରସ୍ତ ମୁହଁକୁ ଦେଖି।

କିଛି ଅଲଗା ଘଟଣା ଘଟିଗଲା ତା ସହ। ତାକୁ ଦେଖିବାକୁ ଆସିଥିବା ବର ପସନ୍ଦ କରିଗଲା ତା ସାନ ଭଉଣୀ ଚୁନିକୁ। ସୁନ୍ଦର ସରକାରୀ ଚାକିରିଆ ବର। ପାପା ମମି ଦ୍ଵନ୍ଦରେ ପଡିଲେ। ହେଲେ ବଡ଼ ଭଉଣୀ ପାଇଁ ଆସିଥିବା ବର ସାନକୁ ବାହା ହେବାକୁ ଚାହୁଁଛି, ବଡ଼ ଅସୁବିଧା କଥା। କିନ୍ତୁ ସାନ ପାଇଁ ଏ ଭଳି ବର ହୁଏତ ଆଗକୁ ମିଳିନପାରେ । ପାପାମମି ପ୍ରସ୍ତାବଟି ଛାଡିବାକୁ ଚାହୁଁ ନଥିଲେ। ଖୁବ ଦ୍ଵନ୍ଦରେ ଥିଲା ଶ୍ରାବଣୀର ପରିବାର। କଥାଟି ଶ୍ରାବଣୀ କାନରେ ପଡିଲା। "ତୁମେମାନେ ଚୁନିର ବାହାଘର କରିଦିଅ, ମୋ ପାଇଁ ଵ୍ୟସ୍ତ ହୁଅନି। ମୋର ଏବେ ମେରେଜ କରିବାର ନାହିଁ। ଚାକିରୀ କରିବି ତା ପରେ ଯାହା। " ପାପାମମିକୁ ବୁଝେଇ କହିଥିଲା ସେ। ଚୁନିବି ନିଜ ସମ୍ମତି ଦେଇଥିଲା । ଚୁନି ପାଇଁ ରାଜି ବୋଲି ପୁଅ ଘରକୁ ଖବର ପଠେଇଦିଆଯାଇଥିଲା। ମମି ବାରମ୍ବାର ଆଖି ପୋଛୁଥିଲେ। "ମମି କାନ୍ଦୁଛୁ କାହିଁକି। ମୋ ମନ ଜମା ଦୁଃଖ ନାହିଁ।" ମମିକୁ ବୁଝେଇଥିଲା ଶ୍ରାବଣୀ। କେମିତି ବୁଝେଇବ ସେ, ଶିକ୍ଷିତ ଆଧୁନିକ ବୋଲି ଡିଣ୍ଡିମ ପିଟୁଥିବା ଯେଉଁ ପୁଅଟି ତାର ରଙ୍ଗ ପାଇଁ ତାକୁ ରିଜେକ୍ଟ କରି ସାନ ଭଉଣୀକୁ ପସନ୍ଦ କରୁଛି, ସେ ଭଳି ମାନସିକତାର ବ୍ୟକ୍ତିକୁ ବାହା ହେବାଠୁ ନ ବାହା ହେବା ଯଥେଷ୍ଟ ଭଲ ବୋଲି।

ବିଟେକ ଅଧାରୁ ଚୁନିର ବାହାଘର ହେଇଯାଇଥିଲା। ସୋନୁ ସେ ବର୍ଷ ଏମବିଏ ଜଏନ କରିଥିଲା। ପିଜି ସରିଲା ପରେ କମ୍ପିଟେଟିଭ ପାଇଁ ଲାଗିପଡିଥିଲା ଶ୍ରାବଣୀ। ଖୁବ ଶିଘ୍ର ସେକ୍ରେଟେରିଏଟରେ କ୍ଲରିକାଲ ଚାକିରୀଟିଏ ମିଳିଯାଇଥିଲା ତାକୁ। ଏକ ବିଫଳ ଜୀବନରେ ଏଇଟା ଥିଲା ତାର ସବୁଠୁ ବଡ଼ ସଫଳତା। ତା ପାଇଁ ସବୁବେଳେ ଟେନସନରେ ରହୁଥିବା ପାପା ମମି ତାର ଏଇ ସଫଳତା ପାଇଁ ବହୁତ ଖୁସି ହେଇଥିଲେ। ସେମାନଙ୍କ ଖୁସି ଶ୍ରାବଣୀକୁ ଆଣିଦେଇଥିଲା ଅନେକ ସନ୍ତୁଷ୍ଟି।

ନୂଆ ଚାକିରୀ ନୂଆ ଜୀବନ । ଖୁବ ଭଲରେ ଚାଲିଥିଲା। ତା ବାହାଘର ଚିନ୍ତାରୁ କିଛି ଦିନ ପାଇଁ ବ୍ରେକ ନେଇ ଯାଇଥିଲେ ପାପାମମି ।

******

ଅଫିସର ନୁଆ ପରିବେଶରେ ଅନେକ ବନ୍ଧୁ ହେଇଯାଇଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଥିଲେ । ଓଡ଼ିଶାର ସବୁ ପ୍ରାନ୍ତରର ସଂସ୍କୃତିର ଖେଚୁଡି ଥିଲା ତା ଅଫିସ। ଗର ଗର ହେଉଥିବା ବୁଢା ଅଫିସର ବି ଥିଲେ, ସବୁବେଳେ ଫିଟ ଫାଟ ରହୁଥିବା ଟୋକା ଟୋକାଳିଆ ବି। ଖୁବ ଏନଜୟ କରୁଥିଲା ସେ ନିଜ ଚାକିରୀ ଜୀବନକୁ।

ତା ଜଏନ କରିବାର ଠିକ ଦୁଇ ମାସ ପରେ ଅଫିସରେ ଜଏନ କରିଥିଲେ ନୂଆ ସେକ୍ସନ ଅଫିସର ଶ୍ରୀମୟ ଦାସ। ୟଙ୍ଗ, ଏନରଜେଟିକ ଡାଇନାମିକ। ସେ ଆସିବା ପରେ ପରେ ତା ଡିପାର୍ଟମେଂଟରେ ବଦଳି ଯାଇଥିଲା ପରିବେଶ। ଆହୁରି ତାଜା ହେଇଯାଇଥିଲା ସବୁ । ପୁରୁଷମାନଙ୍କ ପାଇଁ ସୌନ୍ଦର୍ଯ୍ୟ କହିଲେ ଯାହା ବୁଝାଯାଏ ଶ୍ରୀମୟ ତାର ସଠିକ ଉଦାହରଣ ଥିଲେ। ଖାଲି ରୂପ ନୁହେଁ ତାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ଖୁବ ବାରି ହେଇପଡୁଥିଲା। ତାଙ୍କ ନିକଟତର ହେବାକୁ ଅଫିସର ଅବିବାହିତାମାନଙ୍କ ଭିତରେ ଯେମିତି ଲାଗିଯାଇଥିଲା ପ୍ରତିଯୋଗିତା। ଆଉ ବିବାହିତାମାନେ ହୁଏତ ମନେ ମନେ ଅବଶୋଷ କରୁଥିଲେ। ତା ସହକର୍ମୀ ସୁନ୍ଦରୀ ଲିପିକା ମାଡମ ଆଜି କାଲି ଅଧିକ ସୁନ୍ଦର ଭାବେ ସଜେଇ ହେଇ ଅଫିସ ଆସୁଥିଲା। ଟିକେ ଟିକେ କଥାରେ ଛୁଟି ଯାଉଥିଲା ଶ୍ରୀମୟଙ୍କ ଚାମ୍ବରକୁ। ଯଥାସମ୍ଭବ ତାଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିଚାଲିଥିଲା ସେ। ଶ୍ରୀମୟଙ୍କ ଜନ୍ମଦିନ, ପ୍ରିୟ ରଙ୍ଗ, ଖାଇବାକୁ ସେ କଣ ପସନ୍ଦ କରନ୍ତି, ପରିବାରର ସବୁତକ ଖବର ଏବେ ତା ପାଖରେ। ହେଲେ ଶ୍ରୀମୟଙ୍କ ବ୍ୟବହାରରେ କେବେ ବ୍ୟତିକ୍ରମ ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ପରି ଲିପିକାକୁ ମଧ୍ୟ ମିଠା ହସଟିଏ ମିଳୁଥିଲା ସବୁଦିନ। ଲିପିକା ପରି ସୁନ୍ଦରୀ ଆଡ଼କୁ ଢଳି ନ ପଡିବା ପରି ପୁଅ ଆଜି ଯାଏଁ ଖୁବ କମ ଦେଖିବାକୁ ମିଳିଥିଲେ । ତା ହେଲେ..ଶ୍ରୀମୟ କଣ ବିବାହିତ। ଚର୍ଚା ଚାଲୁଥିଲା ଅଫିସରେ, କ୍ୟାଣ୍ଟିନର ଚା ଆସରରେ। ଅଫିସିଆଲ ରେକର୍ଡ କହେ ସେ ଅବିବାହିତ। ତା ହେଲେ କେହି ସ୍ବପ୍ନ ସୁନ୍ଦରୀ ନିଶ୍ଚୟ ଥିବ ଶ୍ରୀମୟଙ୍କ ଜୀବନରେ। ଏ ମିଷ୍ଟ୍ରି ସଲ୍ଭ ହେଉନଥିଲା।

କେବେ କେଉଁ ପୁଅ ପାଇଁ ଆଜି ଯାଏଁ ହୃଦୟରେ କମ୍ପନ ଅନୁଭବ କରିନଥିଲା ଶ୍ରାବଣୀ, କାହିଁକି କେଜାଣି ଶ୍ରୀମୟ ତାକୁ ଭାରି ଭଲ ଲାଗୁଥିଲେ। ଅଫିସର କାମ ପ୍ରେସର ଆଉ ଓଭର ଡିଉଟି ଜମା ବି ଖରାପ ଲାଗୁନଥିଲା ଆଜି କାଲି।କାମରେ କିଛି ବି ଭୁଲ ହେଇଗଲେ ବେଶ ଧୈର୍ଯ୍ୟର ସହ ବୁଝେଇ ଦେଉଥିଲେ ଶ୍ରୀମୟ। ଶ୍ରୀମୟ କେବଳ ତା ସହ ଏଭଳି ବ୍ୟବହାର କରୁଛନ୍ତି ନା ସେ ସମସ୍ତଙ୍କ ସହ ଏମିତି। ବେଳେବେଳେ ଏ କଥା ମନକୁ ଆସୁଥିଲା ତାର। ନାଇଁ ମ ସେ ସମସ୍ତଙ୍କ ସହ ସେମିତି ହେଇଥିବେ। ତାଙ୍କ ପରି ସୁପୁରୁଷ ପାଇଁ ଗୋରୀ ସୁନ୍ଦରୀଙ୍କ ଲାଇନ ଲାଗୁଚି ସେ ପୁଣି ତା ପରି କଳା ରଙ୍ଗର ଝିଅକୁ କାହିଁକି ବା ଚାହିଁବେ। ମଉଳି ଯାଏ ଶ୍ରାବଣୀ ମନରେ ମୁଣ୍ଡ ଟେକୁଥିବା ଆଶାର ଫୁଲଟିଏ।

ହଠାତ ଦିନେ ତାକୁ ଆଶ୍ଚର୍ଯ୍ୟ କରି ଅଫିସ ପରେ ସନ୍ଧ୍ୟାରେ ଫୁଲ ତୋଡା ଧରି ଶ୍ରାବଣୀର ଘର କଲିଂ ବେଲ ଚିପିଲେ ଶ୍ରୀମୟ। ହାପି ବାର୍ଥ ଡେ ମାଡମ। ଅପ୍ରସ୍ତୁତ ଶ୍ରାବଣୀକୁ ହଠାତ ମନେ ପଡିଲା ତାର ଆଜି ବାର୍ଥ ଡେ, ଫେସବୁକ ନୋଟିଫିକେସନରୁ ଦେଖି ଜାଣିଯାଇଥିଲେ ଶ୍ରୀମୟ । କେବଳ କଫି କପଟିଏ ଦେଇ ପାରିଥିଲା ସେ । କିଛି ସମୟର କଥାବାର୍ତା ପରେ ଚାଲି ଯାଇଥିଲେ । ଶ୍ରୀମୟ ତା ସହ ଏମିତି କରୁଛନ୍ତି ନା ସେ ଅଫିସର ସବୁ କର୍ମଚାରୀଙ୍କ ପାଇଁ ଏମିତି । ସେ ମୋ ସହ ଏମିତି ବ୍ୟବହାର କରୁଛନ୍ତି, ଏ ଖୁସିଟି କାଳେ ଭାଙ୍ଗିଯିବ, ସେ ଡରରେ ଆଉ କାହାକୁ କିଛି କହିଲା ନାହିଁ କି ପଚାରିଲା ନାହିଁ ଶ୍ରାବଣୀ। ୟା ଭିତରେ ତାର ଆଉ ଶ୍ରୀମୟଙ୍କ ଭିତରେ ଛୋଟ ଗୋଟେ ବନ୍ଧୁତା ହେଇଯାଇଥିଲା। ମେସେଞ୍ଜେରରେ କେବେ କେମିତି ଗୂଡ଼ ମର୍ନିଂ ଗୂଡ଼ ନାଇଟ ମେସେଜ ଆସୁଥିଲା ରିପ୍ଲାଇ ଦେଉଥିଲା ଶ୍ରାବଣୀ। କେବେ କେବେ କରପୋରେଟ ଜୋକ ବି। ଉତ୍ତରରେ ସ୍ମାଇଲି ପଠୁଥିଲା ସେ।

ସେବେ ଅଫିସରେ ଖୁବ କାମ । ପ୍ରାୟ ସମୟ ଓଭର ଡିଉଟି କରିବାକୁ ପଡୁଥିଲା । ସନ୍ଧ୍ୟାରେ କ୍ୟାଣ୍ଟନରେ ଜମୁଥିଲା ଚା ଆଉ ପକୁଡିର ଆସର। ସେଦିନ ବି ଆସର ସାରି ନଜ ନିଜ ଟେବୁଲର ଫାଇଲ ମାନଙ୍କ ପାଖକୁ ଫେରୁଥିଲେ ସମସ୍ତେ।

"ଶ୍ରାବଣୀ ମ୍ୟାଡ଼ମ, ଟିକେ ରହିବେ। କିଛି କଥା ଥିଲା ଆପଣ ସହ" ପଛରୁ ଡାକିଲେ ଶ୍ରୀମୟ।

ଅଟକି ଗଲା ଶ୍ରାବଣୀର ପାଦ। ପଛକୁ ଫେରି ଫେରି ଚାହୁଁଥିଲେ ଆଗେଇ ଯାଇଥିବା ଅନ୍ୟ ଷ୍ଟାଫ ସବୁ। କେମିତି ଅଡୁଆ ଅଡୁଆ ଫିଲ ହେଉଥିଲା ଶ୍ରାବଣୀକୁ। ମୋ ସହ ଶ୍ରୀମୟଙ୍କର କଣ କଥା ଥାଇପାରେ। କଣ କିଛି ଭୁଲ ହେଇଯାଇଛି କି ଅଫିସ କାମରେ। ହେଲେ ସେ କଥା ଅଫିସ ବାହାରେ କାହିଁକି। ଆଉ କିଛି ଭୁଲ ହେଇନି ତ ତା ଦ୍ୱାରା। ଛାତିରେ ଛନକା ପଶିଗଲା ଶ୍ରାବଣୀର ।

"ଟିକେ ଗାର୍ଡେନ ଆଡ଼କୁ ଯିବା।" ଶ୍ରୀମୟ କହିଲେ।

ଗାର୍ଡେନର ଲଂବା ସିମେଂଟ ବ୍ୟଞ୍ଚ ପାଖରେ ବସିବା ବଦଳରେ ଠିଆ ହୋଇରହିଲେ ଦୁଇ ଜଣ।

" ମୋତେ ଟିକେ ସାହାଯ୍ୟ କରିପାରିବେ।"

"ହଁ ନିଶ୍ଚିୟ କୁହନ୍ତୁ ସାର ମୁଁ କଣ ସାହାଯ୍ୟ କରିପାରିବି।"

" ଉଁ...କେମିତି ଯେ କହିବି ଜାଣିପାରୁନି"ଦୋ ଦୋ ପାଞ୍ଚ ହେଇ କହିଲେ ଶ୍ରୀମୟ।

କିଛି ବୁଝିପାରୁନଥିଲା ଶ୍ରାବଣୀ। ବେଶ ରହସ୍ୟମୟ ଲାଗୁଥିଲା ତାକୁ ସେ ପରିବେଶ।

"ମୋ ଜଣକୁ ପସନ୍ଦ କରେ । ତାକୁ ଜୀବନ ସାଥି କରିବାକୁ ଚାହେଁ। ହଁ ଯଦି ସେ ରାଜି ତେବେ ହିଁ। ହେଲେ ସେ ରାଜି କି ନାହିଁ କେମିତି ଜାଣିବି"

କିଛି ଗୋଟେ ଭାଙ୍ଗି ଗଲା ଶ୍ରାବଣୀର ଛାତି ଭିତରେ। ନିଶ୍ଚୟ ଅଫିସର ସୁନ୍ଦରୀ ଲିପିକା ହେଇଥିବ। କିଏ ବୋଲି ପଚାରିବାକୁ ଇଛା ହେଲାନି। ନିଶ୍ୱାସ ରୋକି ଓଠରେ ମିଛ ହସ ଖେଳେଇ କହିଲା" ହଁ..ଆଛା ବହୁତ ଭଲ କଥା ସାର। ସେ ଝିଅଟିକୁ ପଚାରି ଦେଖନ୍ତୁ। ଏଥିରେ ମୁଁ କଣ ସାହାଯ୍ୟ କରିପାରିବି "

"ତେବେ କୁହନ୍ତୁ। ରାଜିତ"

"ମାନେ..." । ଚମକି ପଡିଲା ଶ୍ରାବଣୀ

" ଲେଟସ ବି ଫ୍ରାଙ୍କ। ମୁଁ ଆପଣଙ୍କ କଥା ଆଇ ମିନ ତୁମ କଥା ହିଁ କହୁଥିଲି। ସେ ଝିଅ ତୁମେ ହିଁ। ମୁଁ ତୁମକୁ ପସନ୍ଦ କରେ। ଯଦି ତୁମର କିଛି ଆପତ୍ତି ନାହିଁ। ତେବେ ତୁମକୁ ମୁଁ ବିବାହ କରିବାକୁ ଚାହେଁ। "

ଆକାଶରୁ ଖସିଲା ପରି ଅବସ୍ଥା ଥିଲା ଶ୍ରାବଣୀର। କାନକୁ ବିଶ୍ୱାସ ହେଉ ନଥିଲା। ଏ ସତ କି ସ୍ବପ୍ନ ନିଜକୁ ଚିମୁଟି ଦେଖିବାକୁ ଇଛା ହେଲା।

" ମୁଁ... ହେଲେ" ଆଖି ବିସ୍ଫାରିତ କରି କହିଲା ଶ୍ରାବଣୀ।

"ହଁ ତୁମେ...ତୁମେ ହିଁ । ତୁମେ ମୋ ମନରୁ କେବେଠୁ ଘର କରି ନେଇଛ। ତୁମର ସେ ମିଠା ମିଠା ହସ, ଅନ୍ୟମାନଙ୍କ ପ୍ରତି ସୁନ୍ଦର ବ୍ୟବହାର କଥା ବାର୍ତା, ନିରୀହ ଆଖିର ଚାହାଣୀ ମୋତେ ବହୁତ ଭଲ ଲାଗିଚି। ବେଶି ସୁନ୍ଦର ଲାଗିଛି ତୁମ ମଧୁର ରଙ୍ଗ। ସେ ଉଜ୍ଜ୍ୱଳ ସ୍ନିଗ୍ଧ କୃଷ୍ଣ ବର୍ଣ୍ଣ ମୋ ଆଖିକୁ ମନକୁ ଶୀତଳ କରିଦିଏ ଠିକ ତୁମ ଆକର୍ଷଣୀୟ ବ୍ୟକ୍ତିତ୍ୱ ପରି। ତୁମ ନାଁ ଶ୍ରାବଣୀ ବଦଳରେ କୃଷ୍ଣା ହେବା କଥା।" ଆବେଗ ବିହ୍ଵଳ ହୋଇ କେତେ କଣ କବିତା ପରି କହି ଚାଲିଥିଲେ ଶ୍ରୀମୟ।

ସ୍ୱପ୍ନାବିଷ୍ଟ ହୋଇ ଶୁଣିଚାଲିଥିଲା ଶ୍ରାବଣୀ। ଏପରି ପ୍ରେମ ପୂର୍ଣ୍ଣ କଥା ଯେ ସେ କେବେ ଜୀବନରେ ଶୁଣି ପାରିବ ସେ ବି ଶ୍ରୀମୟଙ୍କ ପରି ପ୍ରତି ନାରୀର ଆକାଂକ୍ଷିତ ପୁରୁଷଙ୍କଠାରୁ, ଏହା ଥିଲା ତାର ଭାବନାର ବାହାରେ।

" କୁହ ରାଜିତ । ମୋତେ ତୁମ ଯୋଗ୍ୟ ବୋଲି ଭାବୁଛ ତ। ଯଦି ଏବେ କିଛି କହିପାରୁନାହଁ, ତେବେ ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ସମୟ ନେଇପାରିବ। "

ପଦଟିଏ ବି ପାଟିରୁ ସ୍ପୁରୁ ନଥିଲା ଶ୍ରାବଣୀର । ସତେ ହଠାତ ଯେମିତି ଶବ୍ଦ ସବୁ ହରତାଳ କରି ବସିଥିଲେ। ତାକୁ ଲାଗୁଥିଲା ସନ୍ଧ୍ୟାର ଝାପ୍ସା ଅନ୍ଧାରରେ ମଧ୍ୟ ତା ଚାରିପାଖ ଯେମିତି ଆଲୋକିତ ହୋଇ ଉଠିଛି ସୁନ୍ଦର ସ୍ନିଗ୍ଧ ସକାଳୁଆ ସୁର୍ଯ୍ୟ କିରଣରେ। ସେ କିରଣରେ ଝଲସି ଉଠିଛି ତାର ପୁରା ଶରୀର ମନ ଆତ୍ମା। ଖୁସିର ଲୁହରେ ଚିକ ଚିକ କରି ଉଠିଲା ତା ଦୁଇ ଆଖି । କିଛି ନ କହିପାରି ହସିଲା ଆଖି ଟେକି ଚାହିଁଲା ଶ୍ରୀମୟଙ୍କୁ । ସେ ଖାଲି ଚାହାଣୀ ନଥିଲା ଥିଲା ସବୁ ପ୍ରଶ୍ନର ଉତ୍ତର । ସେ ସମ୍ମତିର ଚାହାଣୀ ବିନା ବାକ୍ୟରେ ବି କହିଦେଲା ହଁ ମୁଁ ରାଜି। ଖୁସିର ହସଟିଏ ଖେଳିଗଲା ଶ୍ରୀମୟଙ୍କ ଓଠରେ। ଖୁବ ସନ୍ତର୍ପଣରେ ହାତ ବଢ଼େଇ ମୁଠେଇ ଧରିଲେ ସେ ଶ୍ରାବଣୀର ପାପୁଲି । ଲାଜରେ ପୁଣି ଥରେ ମୁହଁ ତଳକୁ କରିଦେଲା ଶ୍ରାବଣୀ । ଦୂର ରାସ୍ତାରେ ଟୁପ ଟାପ ହୋଇ ଫୁଟି ଉଠୁଥିଲେ ଷ୍ଟ୍ରୀଟ ଲାଇଟ ସେମାନଙ୍କର ଆଗାମୀ ସୁନେଲି ଭବିଷ୍ୟତର ଶୁଭେଚ୍ଛା ଜଣେଇ।

ରାଜବାଳା..


Rate this content
Log in