Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

2.5  

Binaya Bhusan Panigrahi

Others

ଛୋଟ ହେଇଯାଉଥିବା ଗାଁ

ଛୋଟ ହେଇଯାଉଥିବା ଗାଁ

7 mins
582


ମନୀଷ ର ବାପା କୁହନ୍ତି ତାଙ୍କ ଗାଁ ତାଙ୍କ ପିଲାଦିନେ ଯେତିକି ବଡ଼ଥିଲା ଏବେ ତାଠାରୁ ବହୁତ ଛୋଟ ହେଇ ଯାଇଛି। ଦଶ ଭାଗରୁ ଭାଗେ ବି ହେବନାହିଁ। ସେତେବେଳେ, ଦେଶ ସ୍ଵାଧୀନ ହେବା ବେଳକୁ ଗାଁ'ରେ ଦୁଇଶହ ପାଖାପାଖି ପରିବାର ରହୁଥିଲେ।କିଛି ହିନ୍ଦୁ ଆଉକିଛି ମୁସଲିମ। ୧୯୫୧ରେ ପ୍ରଥମ ଜଣ ଗଣନା ଅନୁଯାୟୀ ମୁସଲିମ ମାନଙ୍କର ପରିବାର ସଂଖ୍ୟା କମ ଥାଇ ମଧ୍ୟ ଲୋକ ସଂଖ୍ୟା ଗାଁର ସମୁଦାୟ ଲୋକସଂଖ୍ୟା ର ଦୁଇ ତୃତୀୟାଂଶ ରୁ ମଧ୍ୟ ଅଧିକ ଥିଲା। ସ୍ଵାଧିନତା ପ୍ରାପ୍ତି ର ଅବ୍ୟବହିତ ପୂର୍ବରୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ରାଜନୈତିକ କ୍ଷମତା ଅକ୍ତିଆର କରିବାର ଦୁର୍ବାର ଲାଳସା କାରଣରୁ ପୂର୍ବରୁ ଏକତ୍ର କାମ କରୁଥିବା ଉପର ସ୍ତରର ଦୁଇଜଣ ଚତୁର ଏବଂ କ୍ଷମତାଲିପ୍ସୁ ନେତାଙ୍କ ମଧ୍ୟରେ ସୃଷ୍ଟି ହେଇଥିବା ମନୋମାଳିନ୍ୟ ଉଗ୍ରରୂପ ନେବାରୁ ବ୍ରିଟିଶ ଶାସିତ ବିରାଟ ଭାରତବର୍ଷ ଯେତେବେଳେ ରାତାରାତି ଧର୍ମ ମୂଳଭିତ୍ତି ରେ ଦ୍ଵିଧା ବିଭକ୍ତ ହେଲା ତା'ପରଦିନ ସକାଳ ହେବା ମାତ୍ରେ ହିମାଳୟ ପାଦଦେଶରେ ଅବସ୍ଥିତ ମୀରାଗାଓଁ ରେ କାହିଁ କେଉଁକାଳରୁ ପରସ୍ପର ସହ ମିଶି ଏକାକାର ହେଇ ଯାଇଥିବା ଭାଇଚାରା ର ଶିରା ଓ ଧମନୀ ଫଟେଇ ଭିନ୍ନଭିନ୍ନ ଦୁଇ ଧର୍ମର ଗନ୍ଧ ଭରିଗଲା ସାରା ଗାଁର ମାଟି,ପାଣି ଓ ପବନରେ। ଦେଶକୁ ନେଇ ଭାଇଭାଗ ଓ ବଣ୍ଟାକୁଣ୍ଟା ବେଳେ କିଛି ମୁସଲିମ ପରିବାର ସ୍ୱତଃ ପ୍ରବୃତ୍ତ ଭାବେ ଏବଂ ଆଉକିଛି ପରିବାର ବାଧ୍ୟବାଧକତାରେ ପାକିସ୍ତାନକୁ ଚାଲିଗଲା ପରେ ବାକି ଯେଉଁ ଅଳ୍ପ କେତୋଟି ମୁସଲିମ ପରିବାର ଭିଟାମାଟି ଓ ଭାଇଚାରା କୁ ମୂର୍ଛି ନପାରି ରହିଗଲେ ସେମାନଙ୍କ ମନଭିତରେ ସମୟକ୍ରମେ ଅଭିସନ୍ଧିମୂଳକ ଭାବେ ଉଭୟ ଭୂଖଣ୍ଡର କିଛି ବିଛିନ୍ନତା ବାଦୀ ନେତା ଏକ ଅମୂଳକ ଅସୁରକ୍ଷାର ଭାବନା ଭରିଦେବା ସହିତ ଭାରତ ସରକାର ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ସେମାନଙ୍କୁ ବଂଚିତ କରି ହିନ୍ଦୁ ମାନଙ୍କର ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବାର ଭ୍ରାନ୍ତି ସୃଷ୍ଟି କରେଇ ନିଜର ଜନ୍ମଭୂମି ପ୍ରତି ସେମାନଙ୍କୁ ବୀତସ୍ପୃହ କରିବାର କ୍ରମାଗତ ପ୍ରୟାସ ଜାରି ରଖିବା ହେତୁ ମୀରାଗାଓଁ ସମୟକ୍ରମେ ଉଭୟ ଧର୍ମର ଲୋକମାନଙ୍କ ପାଇଁ ଏକ ଅଶାନ୍ତ ଅଞ୍ଚଳରେ ପରିଣତ ହେଲା। ଯେଉଁ ମୁସଲମାନ ମାନେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ଥିଲେ ସେମାନେ ଜାମ୍ମୁ-କାଶ୍ମୀର ର ମୁସଲମାନ ବହୁଳ ଅଞ୍ଚଳ କୁ ସ୍ଥାନାନ୍ତରିତ ହେଇଗଲେ ଏବଂ ସମ୍ପନ୍ନ ହିନ୍ଦୁ ପରିବାର କେତୋଟି ଜାମ୍ମୁ-କାଶ୍ମୀର ସମେତ ଉତ୍ତର ଭାରତର ମିରଟ, କାଶୀ,ବାରଣାସୀ, ଦିଲ୍ଲୀ ଆଦି ସ୍ଥାନକୁ ଚାଲିଯାଇ ସେଠାକାର ସ୍ଥାୟୀ ବାସିନ୍ଦା ହେଇଗଲେ। ଉଭୟ ସମ୍ପ୍ରଦାୟରୁ ଯେଉଁମାନେ ରହିଗଲେ ସେମାନଙ୍କ ପାଇଁ ଜୀବନର ଅର୍ଥ କିନ୍ତୁ ସମ୍ପୂର୍ଣ୍ଣ ବଦଳି ଗଲା। ଦୀର୍ଘ ଛଅ ଦଶନ୍ଧିର ଅଶାନ୍ତି,ଅବିଶ୍ୱାସ ଓ ପାରସ୍ପରିକ ବିଦ୍ୱେଷ ଭାବନାର ମୂଳ କାରଣ ବୁଝିବା ପାଇଁ ସେତିକି ସମୟ ଯଥେଷ୍ଟ ଥିଲା ନିଶ୍ଚୟ।

ମନୀଷ ଆଉ ସିକନ୍ଦର ସାଙ୍ଗହେଇ ପାଖ ଗାଁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକୁଲେସନ ପାସ କଲାପରେ ଶ୍ରୀନଗର ଚାଲି ଆସିଲେ ଉଚ୍ଚଶିକ୍ଷା ପାଈଁ। ଉଭୟ ଯୁକ୍ତଦୁଇରେ ବିଜ୍ଞାନ ନେଇ କୃତିତ୍ୱ ର ସହ ଉତ୍ତୀର୍ଣ୍ଣ ହେଲେ । ଗୋଟିଏ ହଷ୍ଟେଲର ଗୋଟିଏ ରୁମରେ ଦୁଇବର୍ଷ ରହିବା ପରେ ଦେଶସେବା ପ୍ରତି ଅହେତୁକ ଦୁର୍ବଳତା ହେତୁ ଇଣ୍ଡିଆନ ଆର୍ମିରେ ଜଏନ କଲା। ଏନ ଆଇ ଟି କ୍ଲିଅର କରିଥିଲେ ମଧ୍ୟ ଇତିହାସ ଓ ରାଜନୀତି ବିଷୟ ପ୍ରତି ଅହେତୁକ ଦୁର୍ବଳତା ହେତୁ ସିକନ୍ଦର ରାଜନୀତି ହନର୍ସ ଓ ଇତିହାସ ପାସ ସବଜେକ୍ଟ ରଖି ଡିଗ୍ରୀ ହାସଲ କଲା। ତା'ପରେ ପୋଷ୍ଟ ଗ୍ରାଜୁଏସନ,ପି ଏଚ ଡି ଏବଂ ପରିଶେଷରେ ଆଇନରେ ଡିଗ୍ରୀ କରିବାର ଦୁଇତିନି ବର୍ଷ ଭିତରେ ଜଣେ ସୁଦକ୍ଷ ଏବଂ ସଫଳ ଓକିଲ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଲା। ନିଜର ସାହାସିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ପାଞ୍ଚବର୍ଷ ଭିତରେ ପ୍ରମୋଶନ ପାଇ ଫିଲଡ଼ କମାଣ୍ଡର ପଦବୀରେ ନିଯୁକ୍ତି ପାଇବା ପରେ ପ୍ରଥମେ ସିକନ୍ଦର କୁ ଜଣାଇଥିଲା ଖୁସି ଖବର ।

ମନୀଷ ଛୁଟିନେଇ ଗାଁଆ ଆସିଲେ ଯେତେଦିନ ଗାଁଆ ରେ ରହେ ସିକନ୍ଦର ସେତିକି ଦିନ ପାଇଁ ନିଜର ପେସା କୁ ପାଶୋରି ଦେବା ସହ ଶ୍ରୀନଗର ରୁ ଠିକଣା ହଜେଇ ଦେଇ ପୁଣିଥରେ ମୀରାଗାଓଁ ର ଶିକନ ପାଲଟିଯାଏ। ଗତମାସ ମନୁ ସପ୍ତାହେ ଛୁଟିନେଇ ଆସିଥିଲା ଗାଁଆକୁ। ଆର୍ମୀ ପୋଷାକରେ ମନୁକୁ ଦେଖି ଶିକନ କହିଲା," କାହିଁକି କେଜାଣି ତୋତେ ଖାଲି ସାଲ୍ୟୁଟ ମାରିବାକୁ ଇଛା ହୁଏ ରେ ମନୁ। ସତରେ ତୁ ଭାରି ଫରଚୁନେଟ । ତୁ ଚାହିଁଲେ ଦେଶ ପାଈଁ କିଛି କରି ପାରିବୁ। ମଣିଷ ହେଇ ଜନ୍ମ ହେଇଛନ୍ତି ଯେତେବେଳେ ଆଜି ନହେଲେ କାଲି ମରିବା ତ ନିଶ୍ଚୟ ହେଲେ ଆମ ଦୁହିଁଙ୍କ ମରିବା ଭିତରେ ଜମୀନ-ଆସମାନ ର ଫରକ ରହିବ। ମୁଁ ମଲା ପରେ କେହିବି ମୋତେ ମନେ ରଖିବେ ନାହିଁ। ହେଲେ ତୁ ମରିବୁ ନାହିଁ, ସହୀଦ ହେଇଯିବୁ। ଦେଶପାଇଁ ଆତ୍ମବଳିଦାନ ଦେବା ସମସ୍ତଙ୍କ ନସିବ ରେ ନଥାଏ।

ମୁଁ ଯେଉଁ ପେସାରେ ଅଛି ସେଥିରେ ମୁଁ ଖାଲି କହି ପାରିବି, ଚିଲ୍ଲେଇ ପାରିବି କିନ୍ତୁ କାମରେ କିଛି କରିପାରିବି ନାହିଁ ଦେଶର ସୁରକ୍ଷା ପାଇଁ। ବହୁତ ବଡ଼ ଗୋଟେ ଗଲତି ହେଇଗଲା। କେତେ ଭଲ ହେଇଥାନ୍ତା ମୁଁ ଯଦି ଆର୍ମି କିମ୍ବା ବି.ଏସ.ଏଫ. ଜଏନ କରିନେଇଥାନ୍ତି ! ଜାନ କୁ ବାଜି ଲଗେଇ ଡେଲି ଯୋଡ଼େ ଚାରିଟା ପାକିସ୍ତାନୀ ଆତଙ୍କବାଦୀ ଙ୍କୁ ସଫା କରିଥାନ୍ତି।"

ମନୁ ତା କାନ୍ଧରେ ହାତ ରଖି କହିଲା " ସତ କହିବାକୁ ଗଲେ ,ତୁ ଯାହା ଚାହୁଁଛୁ ହୁଏତ କାମରେ କରି ଦେଖେଇ ଦେଇ ପାରିବୁ ମାତ୍ର ଆମର ହାତଗୋଡ଼ ବନ୍ଧା ରେ ସାଙ୍ଗ। ଏ ବନ୍ଧୁକ ଗଦ୍ଦାରଙ୍କର ଛାତି ଖୋଜିବୁଲେ ସତ ,ଖୋଜି ପାଇଗଲେ ଫୁଟି ପାରେନାହିଁ। ଅଧିକନ୍ତୁ ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେଇମାନଙ୍କ ସୁରକ୍ଷା ପାଇଁ ଆମପରି ଜବାନ ମାନେ ଚବିଶ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ହୁଅନ୍ତି। ମୋତେ ବି କେତେଥର ସେମିତି ଡ୍ୟୁଟି କରିବାକୁ ପଡିଛି। ସେମାନଙ୍କୁ ସିକ୍ୟରିଟି ଦେଲାବେଳେ ମନ କହୁଥାଏ ସାମ୍ନାରେ ଛିଡାହେଇ,ଆଖିରେ ଆଖି ମିଳେଇ, ହାତରେ ଥିବା ଷ୍ଟେନ ଗନରୁ ସବୁଯାକ ଗୁଳି ସେମାନଙ୍କ ଛାତି ଭିତରେ ଭରିଦେବାପାଇଁ ହେଲେ,ଠିକ ସେତିକି ବେଳେ ହୃଦବୋଧ ହୁଏ ଯେ ମୁଁ ଗୋଟିଏ ଚାବିଦିଆ ଖେଳଣା , ସ୍ୱଇଛାରେ ଇଞ୍ଚଟିଏ ଆଗକୁ ବଢ଼ିପାରିବିନାହିଁ !",କହିସାରି ଦିର୍ଘଶ୍ଵାସ ନେଲା ମନୁ।

"ସବୁଠାରୁ ବଡ଼କଥା କଣ ଜାଣିଛୁ ଶିକନ,ଆତଙ୍କବାଦୀ କେବଳ ପାକିସ୍ତାନ ରୁ ଆସନ୍ତି ନାହିଁ ରେ ସାଙ୍ଗ, ଆମର ଏଇ ଦେଶ ଭିତରେ ବଡ଼ବଡ଼ ନେତାମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଯେତିକି ଗଦ୍ଦାର ଅଛନ୍ତି ସେମାନଙ୍କ ସଂଖ୍ୟା ପାକିସ୍ତାନ ଜନସଂଖ୍ୟା ର ଅଧାରୁ ଅଧିକ ହେବ। ସେମାନେ ସଫା ନହେଲା ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ଏ ହାଲାତ କସମୀନ କାଳେ ସୁଧୁରିବ ନାହିଁ। "

ଜାମ୍ମୁକାଶ୍ମୀରର କୌଣସି ସ୍ଥାନରେ କିଛି ଆତଙ୍କବାଦୀ ଘଟଣା ଘଟିଲେ ଶିକନ ଆଜିକାଲି କାଶ୍ମୀର ଭିତରେ ଭାରତର ପାଣି ପବନରେ ବଞ୍ଚି ବ୍ୟକ୍ତିଗତ ଫାଇଦା ହାତେଇବା ଉଦ୍ଦେଶ୍ୟରେ ପାକିସ୍ତାନ ର ଆତଙ୍କବାଦୀ ସଂଗଠନ ତଥା ଆଇ ଏସ ଆଇ ର ତରଫଦାରୀ କରୁଥିବା ଏବଂ ସେମାନଙ୍କ ଇସାରାରେ ଜାମ୍ମୁକାଶ୍ମୀରର ମାଟିକୁ ରକ୍ତରଞ୍ଜିତ କରୁଥିବା ଦେଶଦ୍ରୋହୀ ମାନଙ୍କର ତାଲିକା ଦେଖି ସମ୍ପୃକ୍ତ ଦୁର୍ଘଟଣାରେ କାହାର ହାତ ରହିଥାଇ ପାରେ ସେଇକଥା ଭାବେ। ସୀମା ସେପଟୁ ଆସୁଥିବା ଆତଙ୍କବାଦୀ ମାନଙ୍କ ସଂଖ୍ୟା ନିୟମିତ କମି ଚାଲିଥିବା ବେଳେ ଦିନକୁଦିନ ସିକନ୍ଦର ର ଆତଙ୍କବାଦୀ ତାଲିକା ସଂକ୍ଷିପ୍ତ ହେବା ପରିବର୍ତ୍ତେ ଦୀର୍ଘ ହେଇଯାଏ !

ଟିଭି ସ୍କ୍ରିନ ରେ କାଶ୍ମୀର ର ଓ କାଶ୍ମୀରୀ ମାନଙ୍କର ସ୍ୱାର୍ଥର ଦ୍ୱାହିଦେଇ ଖୁଲମଖୁଲା ଦେଶ ବିରୋଧୀ ଭାଷଣ ଦେଇ ପାକିସ୍ତାନ କୁ ସମର୍ଥନ କରୁଥିବା ତଥାକଥିତ ନେତା ମାନଙ୍କର ଚେହେରା ଦେଖିଲେ ତା ଦେହର ସବୁଯାକ ରକ୍ତ ଏକାବେଳକେ ମୁଣ୍ଡକୁ ଉଠିଯାଏ। ସେଇମାନଙ୍କ ଭିତରୁ କିଏ ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ହୁଏ ତ ଆଉକିଏ ଭାରତର ଶାସନ ପ୍ରମୁଖ ହେବାପାଇଁ ସ୍ୱୟଂ କୁ ଯୋଗ୍ୟତାମ ଏବଂ ପ୍ରମୁଖ ଦାବିଦାର ଘୋଷଣା କରେ।

ବିଶ୍ୱର ସର୍ବଶ୍ରେଷ୍ଠ ଏବଂ ସର୍ବବୃହତ ଗଣତନ୍ତ୍ର ଏ ଦେଶର ଶାସନ ବ୍ୟବସ୍ଥା ପ୍ରତି ତା'ର ଭୀଷଣ ସନ୍ଦେହ ହୁଏ,ଦୟା ମଧ୍ୟ ହୁଏ ଦେଶର ଶହେ ତେତିଶ କୋଟି ଜନତାଙ୍କ ଉପରେ। ବଡ଼ ଅଜବ କଥା, ଦେଶକୁ ଖଣ୍ଡ ବିଖଣ୍ଡିତ କରିବାକୁ ଜତପରୋନାସ୍ତି ପ୍ରଚେଷ୍ଟା କରୁଥିବା ବିଛିନ୍ନତା ବାଦୀ ଗାଙ୍ଗଷ୍ଟର ମାନଙ୍କୁ ଦେଶଦ୍ରୋହୀ ବିବେଚନା କରି ଗୁଳି ରେ ଉଡେଇ ଦେବା ପରିବର୍ତ୍ତେ ସେମାନଙ୍କୁ ନେତା ଆଖ୍ୟା ଦେଇ ସେମାନଙ୍କ ସୁରକ୍ଷା ପାଇଁ ଦିନକୁ ଦି'ଓଳି ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ପାଉନଥିବା କୋଟିକୋଟି ଭାରତୀୟଙ୍କ ପେଟ ଓ ପିଠି କଟା ଅର୍ଥ ଆଖିବୁଜି ଖର୍ଚ୍ଚ କରାଯାଏ ! ନିର୍ମମ ଭାବେ ନିରୀହ ଲୋକମାନଙ୍କର ଜୀବନ ନେଉଥିବା ଏ ଗାଙ୍ଗଷ୍ଟର ମାନଙ୍କର ଜୀବନ କଣ ସତରେ ଏତେ ମୂଲ୍ୟବାନ !! ଗଣତନ୍ତ୍ର ରେ ନେତା ବା ଜନନାୟକ ର ସଂଜ୍ଞା କଣ ତାହେଲେ ? କାଶ୍ମୀର ଘାଟିରେ ପାକ ଆତଙ୍କବାଦୀ ଜଣେ ମଲେ ଏ ଦେଶର ଉଦୀୟମାନ ନେତାଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେଇଥିବା ବର୍ଷିୟାନ ବିରୋଧୀ ନେତା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କୁ ଶୃଗାଳ ପରି ଚାରିପାଖରୁ ଘେରିଯାନ୍ତି। ସେନାବାହିନୀ ,ସୀମା ସୁରକ୍ଷାବଳ ଓ ଜାମ୍ମୁ-କାଶ୍ମୀର ପୋଲିସ କୁ ଭର୍ତ୍ସନା କରନ୍ତି। ପାକିସ୍ତାନର ଜୟଜୟକାର କରୁଥିବା ବିଛିନ୍ନତାବାଦୀ ମାନଙ୍କ ସହ ମନ୍ତ୍ରଣା କରି ଦିଲ୍ଲୀରୁ ଇସ୍ଲାମାବାଦ ଯାଏଁ ହଲଚଲ କରିଦିଅନ୍ତି। ଅଥଚ,କାଶ୍ମୀର ମାଟିରେ ନିରୀହ କାଶ୍ମୀର ବାସୀ ମାନେ ଆତଙ୍କବାଦର ଶିକାର ହେଲେ କିମ୍ବା ଆତଙ୍କବାଦୀ ମାନଙ୍କ ସହ ଗୁଳିଗୋଳା ବିନିମୟରେ ସୀମା ସୁରକ୍ଷା ବାହିନୀର କେହି ଜବାନ କିମ୍ବା ପୁଲିସ କର୍ମୀ ଶହୀଦ ହେଇଗଲେ ସେଇ ନେତାମାନେ ଏହା କେନ୍ଦ୍ର ସରକାରଙ୍କ ଅପାରଗତା ବୋଲି କହିବା ସହ ଦେଶର ସୁରକ୍ଷା ପାଇଁ ପ୍ରତିବନ୍ଧ ସେନାବାହିନୀ ର ପାରଙ୍ଗମତା ଉପରେ ପ୍ରଶ୍ନ ଉଠାନ୍ତି। ଗୋଟାଏ କଥା କିନ୍ତୁ ଆଦୌ ବୁଝିପାରେନା ସିକନ୍ଦର। ଏ ଦେଶର ଏମିତି କିଛି ଉପର ସ୍ତରର ନେତା ଅଛନ୍ତି ଯେଉଁମାନଙ୍କର ଲୋକପ୍ରିୟତା ଭାରତ ଅପେକ୍ଷା ପାକିସ୍ତାନରେ ଅଧିକ !

ଲୋକସଭା ର କାର୍ଯ୍ୟକାଳ ସରିବା ଉପରେ। ସାଧାରଣ ନିର୍ବାଚନ ପାଇଁ ବିଜ୍ଞାପ୍ତି ପ୍ରକାଶ ପାଇବା ପରେ ଏବେ ସାରା ଦେଶରେ ନିର୍ବାଚନୀ ହାୱ ବେଶ ସରଗରମ ହେଇ ଉଠିଛି। ଜାମ୍ମୁ-କାଶ୍ମୀର ଉପତ୍ୟକା ରେ କିନ୍ତୁ ନିର୍ବାଚନୀ ଉଷ୍ମତା ସହ ଚାରିଆଡେ ଭୟର ବାତାବରଣ । ଅବଶ୍ୟ କାଶ୍ମୀର ବାସୀଙ୍କ ପାଇଁ ଇଏ କିଛି ନୂଆ କଥା ନୁହେଁ। କିନ୍ତୁ, ସିକନ୍ଦର ଏଥର ଏକଥାକୁ ପୂର୍ବଥର ମାନଙ୍କ ପରି ଏତେ ସହଜରେ ମାନିନେଇ ପାରୁନଥିଲା। ପୂର୍ବରୁ କେବେ ବି ବ୍ୟବହୃତ ହୋଇନଥିବା ନିଜର ଲାଇସେନ୍ସ କରା ପିସ୍ତଲ ରୁ ଗୁଳି ବାହାର କରି ଅଏଲିଙ୍ଗ କରିସାରି ପୁନଶ୍ଚ ଗୁଳି ଯାକ ଭରୁଭରୁ ସିକନ୍ଦର ମନକୁମନ କହିଲା, "ନା, ଆଉ ଚୁପ ରହିଲେ ଚଳିବନି,କାଶ୍ମୀର ପାଇଁ କିଛି ତ କରିବାକୁ ପଡିବ। ନହେଲେ ଏମାନେ ମିଳିମିଶି ଛାରଖାର କରିଦେବେ ଏ ଦେଶକୁ,ଛିନଭିନ କରିଦେବେ ଭୂସ୍ବର୍ଗ କାଶ୍ମୀର କୁ, ମୋ ଗାଁ ମୀରାଗାଓଁ ଠାରୁ ବି ଛୋଟ କରିଦେବେ ଭାରତବର୍ଷକୁ।"

ଏଗାରଟା ବେଳେ ନେତାଜୀ ଦିଲ୍ଲୀରୁ ଆସି କାଶ୍ମୀର ରେ ପହଞ୍ଚିବେ। ମିଟିଂ ଆରମ୍ଭ ହେବ ସାଢ଼େ ଏଗାରଟା ରେ , ମିଟିଂ ସରିଲା ପରେ ଜନସମ୍ପର୍କ ରାଲି। ନିରାପତ୍ତା ବ୍ୟବସ୍ଥା କୁ ଖୁବ କଡାକଡି କରାଯାଇଛି। ପୁଲିସ ବାହିନୀ ମୃତୟନ କରାଯିବା ସହିତ ଇଣ୍ଡିଆନ ଆର୍ମୀ ର ଜବାନ ମାନେ ମଧ୍ୟ ନେତାଜୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ଏଣ୍ଟ୍ରିଗେଟ ଦେଇ ଭିତରକୁ ଯିବାରେ ସିକନ୍ଦର ପାଇଁ କୌଣସି ପ୍ରତିବନ୍ଧକ ନଥିଲା । କାରଣ ଜଣେ ଖ୍ୟାତନାମା ଓକିଲ ହିସାବରେ କାଶ୍ମୀର ପୋଲିସ ପାଇଁ ସେ ଥିଲା ବେଶ ଜଣାଶୁଣା ଚେହେରା। କୌଣସି ଯାଂଚପରଖ ର ଆବଶ୍ୟକତା ମଧ୍ୟ ନଥିଲା ତା'ପାଇଁ। ଭିତରକୁ ଯିବା ପରେ ଆଗ ଦୁଇଧାଡ଼ି ଛାଡି ତୃତୀୟ ଧାଡିରେ ଠିକ ଷ୍ଟେଜ ସାମ୍ନାରେ ଯାଇ ବସି ପଡ଼ିଲା ସିକନ୍ଦର।

ନେତାଜୀ ଷ୍ଟେଜ ଉପରକୁ ଉଠିଲା ବେଳକୁ ସିକନ୍ଦର ଦେଖିଲା ମନୁ ହାତରେ ଷ୍ଟେନଗନ ଧରି ତାଙ୍କ ସହିତ ଷ୍ଟେଜ ଉପରକୁ ଆସିଲା। ମନୁକୁ ଦେଖିଦେଲା ମାତ୍ରେ ଆନନ୍ଦରେ ଆତ୍ମହରା ହେଇ ବସିବା ସ୍ଥାନରୁ ଠିଆ ହେଇ ପଡୁପଡୁ ବହୁକଷ୍ଟରେ ନିଜକୁ ସମ୍ଭାଳି ନେଲା ସିକନ। ଆଖିରୁ ଗଡି ଆସୁଥିବା ଲୁହ କୁ ରୁମାଲରେ ପୋଛିନେଲା କେହି ଦେଖିବା ଆଗରୁ।

ସହବନ୍ଧିତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଗହଣରେ ଥାଇ ନେତାଜୀ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ହାତ ହଲେଇଲା ପରେ ଚାହୁଁ ଚାହୁଁ ଗଦା ଗଦା ଫୁଲମାଳ ଓ ଫୁଲତୋଡା ରେ ପୋତି ହେଇ ପଡିଲେ। ନେତାଜୀଙ୍କ ଜୟ ଜୟକାର ସାମାନ୍ୟ ଥମିଲା ଉତ୍ତାରୁ ସଭା ସଂଚାଳକଙ୍କ ଆହ୍ୱାନ କ୍ରମେ ମାଇକ ପାଖକୁ ଯାଇ ଭାଷଣ ଦେବା ଆରମ୍ଭ କଲେ ନେତାଜୀ। ତାଙ୍କ ଭାଷଣରୁ ଭାସି ଆସୁଥିବା ଦେଶଦ୍ରୋହର ଭୟଙ୍କର ଗନ୍ଧରେ ଆକଚା ହେଇଉଠିଲା ସିକନ୍ଦର। ପାଖାପାଖି ଅଧଘଣ୍ଟା ଧରି ଅନର୍ଗଳ ଭାଷଣ ଦେଇସାରି ନେତାଜୀ ଲୋକଙ୍କ ଆଡକୁ ଚାହିଁଲେ। ଜନତାଙ୍କ କରତାଳିରେ ପ୍ରକମ୍ପିତ ହେଇ ଉଠିଲା ସଭାସ୍ଥଳ। ମାତ୍ରାଧିକ ଉତ୍ସାହିତ ହେଇ ନେତାଜୀ କହିଲେ,"ଭାଇମାନେ, ମୋ'ସହ ସମସ୍ତେ ଏକସଙ୍ଗରେ କୁହ -ଜୟ ହିନ୍ଦ "। ସମବେତ ଜନତାଙ୍କ ସମ୍ମିଳିତ ଜୟହିନ୍ଦ ଧ୍ୱନୀରେ ପ୍ରକମ୍ପିତ ହେଇଉଠିଲା ସମଗ୍ର କାଶ୍ମୀରର ଗଗନ ପବନ । ସିକନ୍ଦର ଗୋଟେ ସେକେଣ୍ଡ ନଷ୍ଟ ନ କରି ବସିବା ସ୍ଥାନରୁ ଉଠିପଡ଼ି ଖୁବ ବଡ଼ ପାଟିରେ କହିଲା "ଜୟହିନ୍ଦ"। ତା'ର ସେ ଆବାଜ ସଭମଞ୍ଚରେ ପହଁଚିବା ପୂର୍ବରୁ ତା ବନ୍ଧୁକରୁ ବାହାରିଥିବା ପ୍ରଥମ ଗୁଳିଟି ନେତାଜୀଙ୍କର ବାଁ ପଟ ପଞ୍ଜରା ଭେଦକରିଯାଇ ଛାତି ଭିତରେ ଲୁଚିଗଲା। ନେତାଜୀ ହାତ ଉଠାଇ ଛାତି ଉପରକୁ ନେବା ପୂର୍ବରୁ ବାକି ପାଞ୍ଚଟି ଗୁଳି କ୍ରମାଗତ ବାଜିଲା ଠିକ ସେଇ ଏକା ଜାଗାରେ। ପରକ୍ଷଣରେ ଷ୍ଟେଜ ଉପରୁ ସିକନ୍ଦର ର ଛାତି ଉପରକୁ ମୁହଁ କରି ଗର୍ଜି ଉଠିଲା ଷ୍ଟେନଗନ। ସିକନ୍ଦରର ଆଖିସାମ୍ନାରେ ଫୁଟି ଉଠିଲା ଅସଂଖ୍ୟ ତାରାଫୁଲ। ଟଳି ପଡିବା ଆଗରୁ ଦେଖିଲା ଆର୍ମୀ ଅଫିସର ମନୀଷ ଶର୍ମା ଶିକାରୀ ସିଂହ ଭଳି ଷ୍ଟେଜ ଉପରୁ ଲମ୍ଫ ପ୍ରଦାନ କରି ବାଁ ହାତରେ ସିକନ୍ଦର ର ନିସ୍ପନ୍ଦ ହେଇଆସୁଥିବା ହାତକୁ ଧରିନେଇ ସମସ୍ତଙ୍କ ଅଲକ୍ଷରେ ଛାତିରେ ଚାପିଧରି ଚାପା ସ୍ୱରରେ କହିଲେ "ଶିକନ ! ସଲାମ ସହୀଦ"। ଶିକନ ର ହାତ ବହୁକଷ୍ଟରେ ଉଠି ତା'ର କପାଳକୁ ଛୁଇଁଲା ଏବଂ ଶେଷ ନିଶ୍ୱାସ ସାଥିରେ ମିଶି ଠେଲି ହେଇଆସିଲା ଏକ ଅସ୍ପଷ୍ଟ ଆବାଜ , "ଜୟ ହିନ୍ଦ।"

ହଇଚଇ ଓ ହଟ୍ଟଗୋଳ ଭିତରେ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି ମାନେ କେତେକଣ ପ୍ରଶ୍ନ କରିଚାଲିଥିଲେ। ଅଧିକାଂଶ ପ୍ରଶ୍ନ କାନକୁ ଛୁଇଁବା ଆଗରୁ ପବନରେ ମିଳାଇ ଯାଉଥିଲେ।ଅନ୍ୟମନସ୍କ ଭାବେ କାଁ ଭାଁ କାନରେ ପଡୁଥିବା କିଛି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଆର୍ମୀ ଅଫିସର ମନୀଷ ଶର୍ମାଙ୍କ ଭିତରୁ ଥାଇ ଶିକନ ର ସାଙ୍ଗ ମନୁ ସ୍ପଷ୍ଟ ଦେଖିପାରୁଥିଲା ଯେ କେବଳ ଶିକନ ର ଅନୁପସ୍ଥିତି ରେ ମୀରାଗାଓଁ କେମିତି ଛୋଟରୁ ଛୋଟ ହେଇହେଇ ଶେଷରେ ଏକ ଛୋଟିଆ ବିନ୍ଦୁରେ ପରିଣତ ହେଇଯାଉଥିଲା।

-----------©---------

ରଚନା:ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର,ଭଦ୍ରକ

୯୯୩୭୫୪୮୪୩୧,୯୪୩୮୬୭୦୧୨୦

binayabhusan_s@yahoo.co.in


Rate this content
Log in