ସବୁ ତୁଚ୍ଛ ତୁମ ଇଛା ଆଗେ
ସବୁ ତୁଚ୍ଛ ତୁମ ଇଛା ଆଗେ
ମୋ'ପାଖରେ କାହିଁ ସେଇ
ଅନୁପମ ତୁଳୀ
ଆଙ୍କିବାକୁ ତୁମ ଚିତ୍ରପଟ ?
ଅଛି ଖାଲି ମୋ'ପାଖରେ
ଭାବ ଓ ଭକତି
ହେବା ପାଇଁ ତୁମରି ନିକଟ ।
ମୋ'ହୃଦୟେ କାହିଁ ସେଇ
ଦିବ୍ୟ ସିଂହାସନ
ସାଇତିବି ତୁମକୁ ଯତନେ !
ଅଛି ଖାଲି ବିଶାଳତା
ମନ ଅଗଣାରେ
ହଜିବାକୁ ତୁମ ଆଲିଙ୍ଗନେ ।
ମୋ'ପାଦରେ ନାହିଁ ସେଇ
ଜୀବନ୍ତ ଘୁଙ୍ଗୁର
ବାଜିବାକୁ ତୁମ ଇଙ୍ଗିତରେ ।
ମୋ'ରକତ ଡାକେ କିନ୍ତୁ
ସକାଳେ ସଂଜରେ
ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ।
ପାପୁଲିରେ ନାହିଁ ମୋର
ସତେଜ ପାଖୁଡା
ଅରପିବି ତୁମ ଚରଣରେ ।
ଅଛି କିନ୍ତୁ ରକ୍ତଜବା
କପାଳ କୁସୁମ
ଜୀଇଯିବ ତୁମ ପରଶରେ।
ମୋ'କପାଳେ ଲେଖା ନାହିଁ
ଲେଖା ବି ହେବନି
ମୋ'ଜୀବନ ଅଭିଶପ୍ତ ବୋଲି ।
ତୁମେ ପରା ଚାରିପାଖେ
ଘେରିଅଛ ମୋତେ
ଅଭିଶାପ ଅନେଇଛି ଖାଲି ।
ଭାବେ ମୁହିଁ ବେଳେବେଳେ
ଅଭିଶପ୍ତ ତୁମେ
ପାଇ ମୋତେ ଭକତ ଭାବରେ ।
ତୁମ ତ୍ୟାଗ ତୁମ ପ୍ରୀତି
ନୁହେଁ ତୁଳନୀୟ
ଭିନ୍ନ ତୁମେ ସାରା ରାଇଜରେ ।
ମୋ' ଆଖିରେ ଅଛି କାହିଁ
ସେଇ ଦିବ୍ୟ ଦୃଷ୍ଟି
ଦେଖିବାକୁ ତୁମ ସୁନା ବେଶ !
ମଣିଷ ମୁଁ, ଅବାନ୍ତର
ଅତି ସ୍ୱାର୍ଥପର
ନିଜ ସ୍ଵାର୍ଥେ ରହୁଛି ନିବେଶ ।
ସୁନା ବେଶ, ସୁନା ରଙ୍ଗ
ସ୍ବର୍ଣ୍ଣ ସିଂହାସନ
ତୁମ ପାଇଁ ଫିକା ଫିକା ଲାଗେ ।
ତୁମେ ପରା ସଂସାରରେ
ଅଲିଭା ଆଲୋକ
ସବୁ ତୁଚ୍ଛ ତୁମ ଇଚ୍ଛା ଆଗେ ।