ଏଇତ ଜୀବନ
ଏଇତ ଜୀବନ
ମର୍ତ୍ତ୍ୟ ମଣ୍ଡଳରେ ଜନମ ହୋଇଲେ ଦେବତା ହୋଇଲେ ମରେ
ବିବେକ ପ୍ରତିମ ଦୟା କ୍ଷମା ପ୍ରେମ ଗୁଣକୁ କିପାଁଇଁ ଭୁଲେ !
ଜନନୀ ଜଠରେ ଅହି ନରକରେ ଘାଣ୍ଟି ହେଉଥାଏ ଦୁଃଖେ
ମୁକତି ଲଭିବ ହରିଙ୍କୁ ଭଜିବ ଗାଉଥାଏ ଏହା ମୁଖେ ।
ମାଟିରେ ପଡିଲେ ମାୟା ଗ୍ରାସକରେ ଅବୋଧ ବାଳକ ଗତି
କୁଆଁ କୁଆଁ ସ୍ୱନ ବିକଳ କ୍ରନ୍ଦନ ଲୋପ କରେ ବିଭୁମତି ।
ସେ ନବଜାତକ ଅବୋଧ ବାଳକ ଶୈଶବର ଲୀଳାଖେଳା
ଦରୋଟି ବାଚକ ମାଆ ବାପା ଡାକ ସତେ କି ଅମୃତ ବୋଳା !
ଅଭ୍ୟାସର ବଳେ ଶିଖେ ପଡି ତଳେ ଠୁକୁ ଠୁକୁ ପାଦେ ଚାଲି
କୈଶୋର ପ୍ରକାଶେ ଜ୍ଞାନ ଟି ବିକଶେ ବିଜ୍ଞାନର କଥା ଜାଣି ।
ଷୋଡଶ ବୟସେ ଯୌବନ ପ୍ରକାଶେ ଉଦ୍ଦାମତା ଭରି ହୃଦେ ।
ଭାଂଗିବା ଗଢିବା ଦୁନିଆଁ ଜିତିବା ପ୍ରେମ ପାଶେ ବନ୍ଧା ମୁଗ୍ଧେ ।
ବିବାହ ବନ୍ଧନ ଲଭିଲେ ସନ୍ତାନ ନୂଆ ଧାରା ଜୀବନର
ପିତା ମାତା ପଦ ସଂସାରେ ଦୁର୍ଲଭ ତୁଛ ରାଜ ରାଜେଶ୍ୱର ।
ସୁରକ୍ଷା ଚିନ୍ତାରେ କଷଣକୁ ବରେ ପଥରକୁ କରେ ପାଣି
ପାଜି କାଳଚକ୍ର ହରଇ ଆୟୁଷ ପୌଗଣ୍ଡ କୁ ନିଏ ଟାଣି ।
ସଂସାରର ମାୟା ମେଲାଏ ତା କାୟା ବାର୍ଦ୍ଧକ୍ୟ ଉପନୀତ
ଗଳିତ ଅଙ୍ଗରେ ପଳିତ ଚର୍ମରେ ଦଶନ ବିହୀନ ଗର୍ତ ।
ଜରା ଜର୍ଜରିତ ବ୍ୟାଧି କବଳିତ ତଥାପି ମାୟାରେ ବଶ
ପୀୟୁଷ ବିଚାରେ ବିଷୟା ଆଶାରେ ପିଏ ହଳାହଳ ବିଷ ।
ବାଲ୍ୟ କାଳୁ ଧର୍ମ ଧନ ଅର୍ଜିବାକୁ ମନେ ପଡେ ବାର୍ଦ୍ଧକ୍ୟରେ
କ୍ରୂର ମହାକାଳ ଧରି କରବାଳ ଉଭା ଦେଖ ସମ୍ମୁଖରେ ।
ଜୀବନର ଚକ୍ର ଘୁରେ ଅତି କ୍ଷୀପ୍ର ଭାବିବାକୁ ନାହିଁ ବେଳ
ନାମ ସାର୍ଥକତା କର ଆହେ ଚେତା ଝାଂପି ନେବା ଆଗୁଁ କାଳ ।
-ବିଶ୍ୱେଶ୍ଵର ମାଝୀ-