ସ୍ମୃତି ତୁମେ
ସ୍ମୃତି ତୁମେ
କ୍ଷଣ ମୁହୁର୍ତ୍ତକୁ ନେଇ ଏ ଜୀବନ ସ୍ୱଭାବେ କ୍ଷଣ ଭଂଗୁର
ଚାଲିଗଲେ ଥରେ ଫେରେ ନାହିଁ କ୍ଷଣ ଯେତେ କଲେ ବି ଆଦର ।
ସମୟ ପଳାଏ ସ୍ମୃତି ରହିଯାଏ ଚିତ୍ରପଟ ଟିଏ ପରି
ମହାର୍ଗ ସେ ସ୍ମୃତି ବଂଚିବାର ରାହା ସ୍ମୃତି ରୂପାଜହ୍ନ ପରି ।
ତିକ୍ତ ମଧୁର ସ୍ମୃତି ଧାଡ଼ି କରି ଉଭା ହୁଏ ଦିନେ ଦିନେ
ପିତାମାତା ଗୁରୁଜନ ପରିଜନ ଜାଗରଣେ ବା ସପନେ ।
ବୋହୁ ଚୋରୀ ଧୁଳିଖେଳ ଧୁଳି ଭାତ ଧୁଳି ତରକାରୀ ଭଜା
ରାଜା ରାଣୀ ଖେଳ ମିଛ ଲଢେଇରେ ଖଣ୍ଡା ଭୁଷିବାର ମଜା ।
ପ୍ରେମ ପ୍ରଣୟର ସୁମଧୁର ସ୍ମୃତି ମଧୁ ଯାମିନୀର କଥା
ଦରୋଟି କଣ୍ଠର ତୀବ୍ର ଆକର୍ଷଣ ଅବୋଧ ଶିଶୁର ଗାଥା ।
ସବୁ ସ୍ମୃତି ଯଦି ସ୍ମରଣ ରହନ୍ତା ତିକ୍ତତା ବଢନ୍ତା ମନେ
ଭୁଲିବା ବିଭୁଙ୍କ ଆଶୀର୍ବାଦ ହୁଏ ଭୁଲିବାକୁ ହୁଏ ଦିନେ ।
ଶୈଶବ କୈଶୋର ତାରୁଣ୍ୟ ଯୌବନ ପ୍ରୌଢତ୍ୱ ବାର୍ଦ୍ଧକ୍ୟ ଧାରା
ନବଦଳେ କେବେ ଏକାପରି ରହେ ସ୍ମୃତି ଯେ ଦିଏ ସାହାରା ।
ସ୍ମୃତି ତୁମେ ଆସ ଚଳଚିତ୍ର ପରି ସଦା ସବୁଜ ସତେଜ
ମନ ପ୍ରେକ୍ଷାଳୟେ ଆଖି ମୁଦି ହୁଏ ମୁଗ୍ଧ ବିଭୋର ଆଜ
ବିଶ୍ଵେଶ୍ୱର ମାଝୀ