କଳ୍ପନାର ସୁକୁମାରୀ
କଳ୍ପନାର ସୁକୁମାରୀ
1 min
14K
ମୃତ୍ୟୁକୁ ଡରି ସପନ ଦେଖିବା
ଆସ୍ତିକ ମଣିଷ
କେବେ କ'ଣ ଛାଡି ପାରେ !
ସପନ ଜଗେଇ ସପନ ସଜେଇ
ସପନ ଭିତରେ
ସରଗ ରଚନା କରେ ।
ସପନ ଯେ ତା'ର ଜୀର୍ଣ୍ଣ ଜୀବନର
ଆଶା ଅଶୁମାରୀ,
ଭାବନାର ବିଭାବରୀ ।
କାନ୍ତିରେ କୋମଳ ସୁକାନ୍ତି,ସରଳ
ଭବ୍ୟ ଜଗତର
କଳ୍ପନାର ସୁକୁମାରୀ ।
ମୃତ୍ୟୁ ଯେ କରାଳ, ନିଷ୍ଠୁର,ଜଟିଳ
ନାହିଁ ତା'ପାଖରେ
ସମ୍ପର୍କ ଅବା ବନ୍ଧନ ।
ଭାଗ୍ୟ ଓ ସମୟ ନିର୍ଦ୍ଦେଶରେ ବନ୍ଧା
ଜାତକରେ ତା'ର
ନାହିଁ କେହି ପ୍ରିୟ ଜନ ।
ଦୁର୍ବିସହ ଦୁଃଖ ମୃତ୍ୟୁର ଆଲେଖ୍ୟ
ତା'ରି ଆଗମନେ
ପାଷାଣରୁ ଲୁହ ଝରେ ।
ତୁମେ,ମୁଁ, ମଣିଷ, ନିମିତ୍ତ ନିର୍ଦ୍ଦେଶ
ତୁମ ଆମ କଥା
ସଂସାରେ କିଏ ପଚାରେ !
ମୃତ୍ୟୁ ବିଭୀଷିକା ଛାଡ଼ିଦେଇ ଏକା
ସୁନା ସପନରେ
ଆସ,ହଜି ହଜି ଯିବା ।
ସପନରେ ହଜି ମୃତ୍ୟୁ ଭୟ ତେଜି
ଜୀବନର ଲକ୍ଷ
ଲଢ଼ି,ସଫଳ କରିବା ।
ସପନ ଆମର ସର୍ବାଙ୍ଗ ସୁନ୍ଦର
ଈଶ୍ୱର ମାନସ
ରଙ୍ଗଭରା ଉପହାର ।
ସପନ ସଜେଇ ନିଜକୁ ହଜେଇ
ବିଭତ୍ସ ମୃତ୍ୟୁରୁ
ଡର ଭୟ ଦୂର କର ।
ସପନ ଢେଉରେ ଜୀବନ ହସିବ
ହାସ୍ୟ ଲାସ୍ୟମୟୀ
ଫୁଲ ପାରିଜାତ ପରି ।
ଜୀବନରେ ଆମ ଶେଷ ଯବନିକା
ଈଶ୍ୱର ସୃଜିବେ
ସେ ହିଁ ଜୀବନ ନାଉରୀ !