ଈଶ୍ବରୀୟ ସତ୍ତା
ଈଶ୍ବରୀୟ ସତ୍ତା
ବଖାଣିବି ଅଭିଜ୍ଞତା ଯଦି
ଶୁଣିବାକୁ ମୋତେ ନିଶ୍ଚେ ହେବ ନିରବଧି
ଆଶା ନାହିଁ ତୁମ ମଧ୍ୟୁ କେହିଜଣେ ବନ୍ଦି
ଧ୍ୟାନେ ଡେରି ଶ୍ରବଣ ତା' ପୋତିଥିବ ମଥା
ହେଉ ପଛେ ଖୋଲାଖୋଲି
କହିବି ସେ କଥା ।
ଈଶ୍ଵରଙ୍କୁ ସ୍ମରି ତୁମେ ସକଳ ଧାମର
କେବେ କେବେ ଭାବିନେଲ ନିଜକୁ ପାମର
ସତେ ଯେହ୍ନେ ବିବର୍ଜିତ କୋତରା କାଗଜ,
ତଥାପି ତ ସିଦ୍ଧି ହେଲେ କୌଣସି କାମର
ସେହି କ୍ଷଣି ସାଜି ନିଲଠା ନିର୍ଲଜ
ନିଶ ମୋଡି ଭାବିନେଲ ଦକ୍ଷତା ଆମର ।
ନିଃସନ୍ତାନ ଥିଲା ଯାଏଁ
ଗୋବର୍ଦ୍ଧନ ଗିରି ବୋହି ସାକ୍ଷାତେ କେମିତି
ଅନାୟାସେ ଉଠାଇ ଅଙ୍ଗୁଷ୍ଠେ ଥୁଅନ୍ତି
ଗ୍ରାହର କବଳୁ ଯେହ୍ନେ ଜୀଇଁଯାଏ ହାତୀ
ସତ ଲାଗେ ସବୁକିଛି
ଅଛି ଯେତେ କିମ୍ବଦନ୍ତୀ ।
ଆଉ ଯଦି ସ୍ଵାଭାବିକେ ସଫଳତା ମିଳେ ,
ପ୍ରାପ୍ତି ହେବାବେଳେ
ଭାବିନିଅ ହୋଇଯାଏ ଲୁଙ୍ଗୀ ଝାଡିଦେଲେ ।
ଭୁଲନାହିଁ ଲାଞ୍ଚ ଧରି ବଢାଇଛ ହାତ
ଅବାଟ ସେ ହେଉ ପଛେ ଖୋଜି ସେହି ବାଟ ,
ସାବୁନ ଫେଣ ଭଳି ଗଦଗଦ ହୋଇ
ସୁଧ ଲଗା ଧନ କିଛି ବୁଡିଗଲା ବୋଲି
କାକୁତି ତ ହୋଇଥିଲ ଦୁଇ ହାତ ଖୋଲି
ଅନନ୍ୟ ଭକ୍ତିରେ ତୁମେ ସମର୍ପିଲ ଯାଇ ।
କେଞ୍ଚୁଆଟେ ଖଞ୍ଜିଦେଇ ବନିଶୀ କଣ୍ଟାରେ
ମାଛ ଧରା କଉଶଳ ପୋଖରୀ ପଠାରେ
କରିନେଇ ଆତ୍ମବୋଧ
ସୁକୁମାରୀ ହାତେ ଏକ ଚକଲେଟ୍ ଜାକି
ଛଳନାରେ ବଳାଇଲ କାମାତୁର ଆଖି ,
ଏଡେ କି ହେଲ ନିର୍ବୋଧ ?
ଦେବୀଙ୍କ ଦୁଆରେ ଟିକେ ମାଆ ମାଆ ଡାକି
ଧୋଇଦେଲ ପାପ ଯେତେ ଥିଲା ତୁମ ବାକି ।
ଚଳନ୍ତା ଟ୍ରେନରେ ସିନା ଅନ୍ଧ ଭିକ ମାଗେ
ମନ୍ଦିରରେ ହୁଣ୍ଡି ପାଖେ ଭାରି ଭିଡ଼ ଲାଗେ ,
ନିରୋଧକ ଫଟା ସେହି
ଅବାଞ୍ଛିତ ସନ୍ତାନଙ୍କ ଏହି ଦେବତା ସରାଗେ
ସଂସ୍କାରରେ ପ୍ରଳୟର ଭୟ ଖାଲି ଜାଗେ ।
ଲାଗିଲା କି ଥରୁଟିଏ ଭାବି କି ଛାନିଆ
ଟାଇଁଟାଇଁ ଖରାବେଳେ ଡହଡହ ନିଆଁ
ରାସ୍ତା ଖୋଳା ସାଥେ ଏହି ପିଚୁ ଗୋଡି କାମ
ନିରୀହର କପାଳ ତ ସବୁବେଳେ ବାମ
କେଉଁଦିନ ଦେଇଥିଲ ମୁଠା ଭରି ଅନ୍ନ ?
ଟିଙ୍କ ପରି ଖାଇସାରି ହାତ ଗୋଡ ଛାଡି
ଭାରୀ ଦେହ ପଲଙ୍କରେ ଦେଇଛ କଚାଡି
ବଳିଗଲେ ବେଶି
ଫିଙ୍ଗି ଦିଅ ଭୋକେ ପଛେ ଥାଉ ପ୍ରତିବେଶୀ
ରୂପାର ମୁକୁଟ ଅବା
ପାହାଚକୁ ମାର୍ବଲ ପଥର
ଥୋଇଦେଲେ ପ୍ରସନ୍ନ କି ହୁଅନ୍ତେ ଈଶ୍ବର ?
ନିର୍ଲଜ ହେବାର ଏହି
ପ୍ରେରଣା ହେଉ କି ବିଜ୍ଞତା
ଦେଇଛନ୍ତି ଯେଉଁ ସଖା, ପତ୍ନୀ ପିତାମାତା
ପୁରୋହିତ ଶିକ୍ଷକ ଯେ ଗଢିଲେ ଜାତକ
ପାଣି ନଲାଗିଥିବା ନିର୍ଲିପ୍ତ ବତକ...
ସଭିଙ୍କୁ ମୋ କୃତଜ୍ଞତା ।
ଦେଖିଶୁଣି ମିଥ୍ୟାପଥେ
ଈଶ୍ବର ବି ନିର୍ବିକାର ହେଲେଣି କି ସତେ !!
ଭକ୍ତିରସ ଉଛୁଳୁଛି କବିଙ୍କ ଆସରେ
ଶବ୍ଦ କିନ୍ତୁ ଗଲେଣି ତ ଅଜ୍ଞାତବାସରେ ।
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା - ୭୬୯୦୦୨